Unknown

 

 

 

 

 

 

 

 

 

 

ସନ୍ଧ୍ୟାର ପକ୍ଷୀ

ଶ୍ରୀମତୀ ବାସନ୍ତୀ କର

 

ଲେଖିକା ଶ୍ରୀମତୀ ବାସନ୍ତୀ କରଙ୍କ ଜନ୍ମ ୧୯୪୫ ମସିହା ଜାନୁୟାରୀ ୨୫ ତାରିଖ–ପୁରୀ ଜିଲ୍ଲାର ଏକ ସବୁଜ ପଲ୍ଲୀ ‘ଠଣଠଣା’ରେ । ପିଲାଟି ଦିନରୁ ଲେଖାହିଁ ତାଙ୍କର ସାଥୀ, ଭାବନା ହିଁ ତାଙ୍କର ସମ୍ବଳ । ପ୍ରତିଟି ରଚନା ଦୁଃଖ-ଧର୍ମ୍ମୀ ।

 

ଏବେ ବଳଙ୍ଗାର ଏକ ସାଧାରଣ ପରିବାରରେ ଗୃହବଧୂ ତଥାପି କଲମ ଚାଳନା ଅବ୍ୟାହତ ଅଛି । କବିତା କ୍ଷୁଦ୍ରଗଳ୍ପ ଇତ୍ୟାଦି ବହୁ ମନୋଜ୍ଞ ରଚନା ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ‘‘ମନରେ ଏତେ ରଙ୍ଗ’’ ‘‘ନଷ୍ଟନୀଡ଼’’ ଇତ୍ୟାଦି ତାଙ୍କର ପ୍ରକାଶୋନ୍ମୁଖୀ ଉପନ୍ୟାସ ।

 

‘‘ଆଖିଝରେ ମନଝୁରେ’’ ଏକ ନିଖୁଣ ସାମାଜିକ ଉପନ୍ୟାସ ଯାହାର ବିଷୟବସ୍ତୁ ଓ ରଚନାଶୈଳୀ ପାଠକମାନେହିଁ ବିଚାର କରିବେ–

 

ଉତ୍ସର୍ଗ

 

ଶ୍ରୀଯୁକ୍ତ ମହାଦେବ ମିଶ୍ର

ନନା

ଶ୍ରୀମତୀ ପଦ୍ମାବତୀ ମିଶ୍ର

ବୋଉ

 

ତମେ ମୋର ଜୀବନଦାତା ଓ ଜନ୍ମଦାତ୍ରୀ

ମୋ ବିଶ୍ୱାସ ପାଖରେ ପ୍ରଥମ ଈଶ୍ୱର

ମୁଁ ନ ମାଗିଲେ ବି ତମେ

ଆଶୀର୍ବାଦ ମତେ

ଦେବ ମୁଁ ଜାଣେ

 

ଶ୍ରୀଯୁକ୍ତ ଅଲେଖ ବିହାରୀ ସାମନ୍ତରାୟ

 

ଆପଣ ମୋର ଜ୍ଞାନଦାତା, ମୋ ଚେତନା

ପାଖରେ ଦ୍ୱିତୀୟ ଈଶ୍ୱର ମତେ ଆପଣ

ପୁନର୍ଜନ୍ମ ଦେଇଛନ୍ତି

ଆଶୀର୍ବାଦ ମାଗୁଛି

 

ବାସନ୍ତୀ

 

ଉଦବୋଧନ

 

ଅରଣ୍ୟ ମଲ୍ଲୀର ସୁବାସ ଛୁଟାଇ ସୁଲେଖିକା ଶ୍ରୀମତୀ ବାସନ୍ତୀ କରଙ୍କର କାଳି ନୁହେଁ, ଅଶ୍ରୁ ନୁହେଁ, ରକ୍ତ ଲେଖା ଉପନ୍ୟାସ ‘‘ସନ୍ଧ୍ୟାର ପକ୍ଷୀ’’ଟି ଯେଉଁ ମୁହୂର୍ତ୍ତରେ ମୋ ହାତ ଉପରକୁ ଆସିଲା ଗୋଟିଏ ଅଭୂତପୁର୍ବ ସମ୍ବେଦନା ଘେନି, ସେ ମୁହୂର୍ତ୍ତଟି ଥିଲା ମୋ ଲେଖକ ଜୀବନର ଆଉ ଗୋଟିଏ ନୂତନ ଦିଗନ୍ତର ଆବିଷ୍କାର ।

 

ଅଚିହ୍ନିତା, ପଦପଦବିହୀନା କୁଳବଧୂ ଅଥଚ ପ୍ରାଣରେ ମମତାସ୍ନିଗ୍‌ଧ ପ୍ରବାହ ପ୍ରବାହିତ କରି ନିଜକୁ ତଥା ସଂସାରକୁ ଦେଖି ତା’ର ରହସ୍ୟ କଳ୍ପନା କରିବାରେ କେଉଁଠି ଜୀବନ ପରିଧିରେ କେତେ ଗଭୀର ଗହ୍ୱର ରହିଛି ଅବା କେଉଁଠି ପୁଷ୍ପବାଟିକାର ମଧୁର ସୁଗନ୍ଧି ସଞ୍ଚରୁଛି, ତାହା ଜାଣି ଜଣାଇବାକୁ ଏ ଉପନ୍ୟାସର ସାର୍ଥକ ସୃଷ୍ଟି ହୋଇଛି ବୋଲି ମୋର ଉପଲବ୍‌ଧିକୁ ଆସିଛି ।

 

ଏହା ବିରାଟଦ୍ରୁମ ନୁହେଁ ଯାହାର ବୃତ୍ତ ଓ ଶୀର୍ଷ ବସୁନ୍ଧରା ତଥା ଗଗନ ମଣ୍ଡଳକୁ ସ୍ପର୍ଶ କରିବ । ଏ ଏକ ସାମାନ୍ୟ ଲତିକା, ଝଡ଼ ବତାସରେ ନିର୍ମୂଳ ହୋଇଯିବାର ଆଶଙ୍କା ଓ ସମ୍ଭାବନାରେ ସଦା ଭୀରୁ ଓ ଲଜ୍ଜିତା ତଥାପି ଏହାର ଶକ୍ତି ଅଛି ସ୍ୱାଗତ କରିବ ନବ-ସୂର୍ଯ୍ୟୋଦୟର ନବ-ଅରୁଣିମାକୁ..

 

ଏ ଗ୍ରନ୍ଥକୁ ମୁଁ ଗ୍ରନ୍ଥ ରୂପରେ ଦେଖୁନାହିଁ, ଦେଖୁଛି ହିନ୍ଦୁ ସଂସ୍କୃତିର ବିଭିନ୍ନ ରୂପାୟନ ସୂତ୍ରରେ ଏକ ଦର୍ଶନର ଅଭିବ୍ୟକ୍ତ ।

 

ଯଥା :–ଏକ–ମାନବିକତାର ପ୍ରସାର–

 

‘‘ଆଉ ମୋର କଳଙ୍କ, ଯାହା ଆପଣଙ୍କ ଆଖିରେ, ତାହା ମୋ ପାଖରେ ନିର୍ଭୁଲ ମାନବିକତା । ଜୀବନରେ ପାପପୁଣ୍ୟକୁ ସମାଜର ତତ୍କାଳୀନ ମୂଲ୍ୟବୋଧରେ ବିଚାର ନ କରି ମନୁଷ୍ୟତାର ତରାଜୁରେ ତଉଲି ଦେଖିବି ।’’

 

–ନମିତା

(ପୃଷ୍ଠା–୫୩)

 

ଦୁଇ :–ସୁନ୍ଦର, ଅସୁନ୍ଦର ଓ ବ୍ୟଥା–

 

‘‘ଉର୍ବଶୀକୁ ଯଦି ତମେ କେବଳ ରୂପମୟୀ ଭାବି ନିଜକୁ ହେୟ କରୁଥାଅ, ତେବେ ମୁଁ କହିବି ତାହା ଭୁଲ୍ । ଯେହେତୁ ସୁନ୍ଦରର ପ୍ରଭାବ ଅପେକ୍ଷା ଅସୁନ୍ଦରର ପ୍ରଭାବ ଜୀବନରେ ବେଶି । ଆନନ୍ଦ ହୁଏତ ସୁନ୍ଦର ହୋଇପାରେ । ମନ୍ତ୍ର ବ୍ୟଥା ତ ଅନସ୍ୱୀକାର୍ଯ୍ୟ । ଆଉ ବ୍ୟଥାର ଗଭୀରତା ଯେଉଁ ଏକକ କାଠିରେ ମାପି ହୁଏ, ତାହା ହେଉଛି ହୃଦୟ । ସେଇ ହୃଦୟ ମୋର, ତମରି ହୃଦୟ ପାଖରେ ସ୍ୱୀକୃତି ମାଗୁଛି ।’’

 

–ଦୀପଙ୍କର

(ପୃଷ୍ଠା–୨୯)

 

ତିନି :–ବିଧର୍ମୀକୁ ସ୍ନେହ–

 

‘‘ମୁସଲମାନକୁ ଘରେ ରଖିବା, ଆମ ହିନ୍ଦୁ ଘରେ ମନା, ଲୋକମାନେ କଅଣ କହୁଛନ୍ତି ଶୁଣିଛ ?’’

–ବ୍ରଜ ବଡ଼ ବାପା

‘‘ଶୁଣିବାରେ ମୁଁ ଅଭ୍ୟସ୍ତ ନୁହେଁ । ଗାନ୍ଧୀବାଦ କହେ, ଈଶ୍ୱର ଯାହା, ଆଲ୍ଲାବି ସେଇଆ । ଈଶ୍ୱର ଯଦି ଏକ, ମଣିଷ ଫରକ ରଖିବ ନିଜ ଭାଇ ପାଖରୁ କାହିଁକି ? ସୁରଜ (ମୁସଲମାନ) ନମାଜ କରେ, ଇଦ୍‍ ପାଳେ ଆଉ ମୁଁ ଗୀତା ପଢ଼େ । ଆଉ ମନ୍ଦିରର ଅଭଡ଼ା ଖାଏ । ତା’ ମୋ ଭିତରେ ଫରକ ରହୁ, ଆପଣ ଚାହିଁ ପାରନ୍ତି, ମାତ୍ର ଭାରତବର୍ଷ ଆଦର୍ଶ ଚାହେଁ ନାହିଁ ।’’

–ନମିତା

(ପୃଷ୍ଠା–୨୦)

ଚାରି :–ଚରୈବେତି....ଆଗକୁ ଯିବାକୁ ହେବ, ଏଇ ପ୍ରତ୍ୟୟ–

‘‘ପ୍ରଥମ ଥର ପାଇଁ ଯାଇଥିବାରୁ କ୍ୟାପିଟାଲର ନବବର୍ଦ୍ଧିଷ୍ଣୁ ରୂପ ମତେ ଆନନ୍ଦ ଦେଉଥିଲା । ପାଖରେ ପଇସା ନାହିଁ । ମନରେ ସାହସ ଅଛି । ଦେହରେ ପଲ୍ଲୀ ବାଳାର ପ୍ରାକୃତିକ ସୁଷମା । କଣ୍ଠରେ ନିଷ୍ଠାର ମାଙ୍ଗଳିକ । ଆଖିରେ ବଡ଼ ହେବାର ସ୍ୱପ୍ନ । ସ୍ପନ୍ଦନରେ ବଞ୍ଚିରହିବାର ଜୟଢକ୍‌କା । ଯୌବନ ଅନାଦୃତ ହୋଇବି ଫେରି ନ ଥିଲା ।’’

–ନମିତା

(ପୃଷ୍ଠା–୨୨)

ପାଞ୍ଚ :–ଲାଞ୍ଚ ମିଛର ବୋଧିଦ୍ରୁମ–

‘‘ଚାକିରି ମୋର ପ୍ରୟୋଜନ ଏହା ନିରାଟ ସତ୍ୟ ହେଲେ ବି ମୁଁ ନିଜକୁ ଠକି ପାରିବି ନାହିଁ । ସ୍ୱାଧୀନ ଭାରତ । ଗାନ୍ଧୀ, ଜବାହରଲାଲ ଦେଶ । ମୋ ଦେଶର ଗୋଟିଏ ସଦ୍ୟ ସଂସ୍ଥା ନିଷ୍ପାପ ଅବସ୍ଥାରେ ଶୁଭ ଦେଲାବେଳେ ମୁଁ ତା’ର ଅଭ୍ୟନ୍ତରରେ ଲାଞ୍ଚ ମିଛରେ ବୋଧିଦ୍ରୁମ ପୋତି ପାରିବି ନାହିଁ ।’’

–ନମିତା

(ପୃଷ୍ଠା–୨୩)

ଛଅ :–ଅସବର୍ଣ୍ଣ ବିବାହ–

‘‘ସମାଜର ଟାହି ଟାପରା ଭିତରେ ବି ଜୟନ୍ତ ଧରିଲା ଅନୀର ହାତ । ଅସବର୍ଣ୍ଣ ବିବାହ.....ଜୟନ୍ତର ରକ୍ତ ଲାଲ, ହରିଜନ ବୋଲି କଳା ନୁହେଁ କି ନୀଳ ବି ନୁହେଁ ।’’

–ନମିତା

(ପୃଷ୍ଠା–୭୪)

ସାତ :–ମାତୃଜାତିର ମହିମା–

‘‘ମାତୃଜାତିର ଅବମାନନା କରି କେହି କେବେ ବଞ୍ଚି ନାହିଁ । ପ୍ରଥମେ ତମେ ଗୋଟିଏ ନାରୀର ଜରାୟୁଚୌଚିର କରି ଜନ୍ମ ହୋଇଛ । ଆଉ ତାଆରି ଛାତିର ଅମୃତ ପିଇ ଦୁନିଆରେ ମଣିଷ ହୋଇଛ । ନାରୀ ନରକର କୀଟ ହେଲେ ବି ତା’ର ରୂପାନ୍ତର ଅଛି । ସେ ଜନନୀ, ଭଗିନୀ, ଜାୟା, ସହଧର୍ମିଣୀ ଓ ସହକର୍ମିଣୀ ।’’

‘‘ଜନନୀ ପ୍ରାଣରେ ତ୍ୟାଗର ବର୍ତ୍ତିକା ଜଳିବା ବେଳେ, ଜାୟା ଚାହେଁ ଭୋଗ । ତା’ ଆଖିରେ ଖାଲି ସ୍ୱାର୍ଥପରତାର ଖାଣ୍ଡବାନଳ । ଖାଲି ଲୁଟିନେବାର ନିଶା । କାମିନୀ କାଞ୍ଚନ ଜୀବନରେ ପ୍ରତିଷ୍ଠାର ଅନ୍ତରାୟ । ଏ ଧାରଣା ମୋର କେହି ବି ପରିବର୍ତ୍ତନ କରି ପାରିବ ନାହିଁ ।’’

–ନମିତା

(ପୃଷ୍ଠା–୮୭)

ଆଠ :–ନାରୀର ଭୂମିକା–

ମୋର ଉଦ୍ଦେଶ୍ୟ ତମକୁ କୋମଳ କରିବା । କରିବି ଶାନ୍ତ । ତୁମେ ଚିହ୍ନିବ ନାରୀ ଖାଲି ରୂପଜୀବିନୀ ନୁହେଁ । ଏଇ ବ୍ରଜମଲ୍ଲୀ ପରି ସରଳ ସ୍ନିଗ୍‌ଧ । କେହି ନ ଚାହିଁଲେ ବି ସେ ଫୁଟିବ । ରାତ୍ରୀର କେଉଁ କରୁଣ ଲଗ୍ନରେ ଝଡ଼ିବ, ହେଲେ ନେଇଯିବ କିଛିଟା ସୌରଭ ।’’

–ନମିତା

(ପୃଷ୍ଠା–୯୨)

 

ନଅ :–ନାରୀର ଶାଶ୍ୱତ ଆକାଙ୍‌କ୍ଷା–

 

‘‘ତାହା ସୁଗଭୀର । ଆତ୍ମାର ଅବିଚ୍ଛେଦ୍ୟ ଦେହାତୀତ ଶାଶ୍ୱତ ମିଳନ । ଚାହିଁ ନ ଥିଲି ଅମରେନ୍ଦ୍ରର ଚଉଡ଼ାଛାତି । ଚାହିଁଥିଲି ତା’ର ଅଦେଖା ଅନନ୍ତ ହୃଦୟ ।’’

 

–ନମିତା

(ପୃଷ୍ଠା–୧୦୧)

 

ଏହି ଅନନ୍ତ ହୃଦୟରସ ପିପାସିନୀ ଲେଖିକାଙ୍କର ଉପନ୍ୟାସକୁ ହିନ୍ଦୁ ଦର୍ଶନର ସାର୍ଥକ ସ୍ୱୀକୃତି ନ କହିବି ତ ଆଉ କଅଣ କହିବି ?

 

ମୁସଲମାନ୍‌ ସୁରଜ, ହରିଜନ ଜୟନ ମଲ୍ଲିକ, ବ୍ରାହ୍ମଣ ବ୍ରଜ ବଡ଼ବାପା, ପ୍ରସବଯନ୍ତ୍ରଣାକାତରା ବଙ୍ଗବାଳା ସାଧନା, ସମ୍ପାଦକ ଓ ପ୍ରକାଶକ ସେଇ ଆଳରେ ନାରୀସଙ୍ଗଲିପ୍‌ସୁ ଦୀପଙ୍କର ଏବଂ ଶେଷରେ ମନର ମଣିଷ ସୁସ୍ଥ ସୁପୁରୁଷ ଅମରେନ୍ଦ୍ର ମଧ୍ୟଦେଇ ନମିତାର ବିପ୍ଳବିଣୀ, କୁସଂସ୍କାରମୁକ୍ତା ଓ ସବୁ କଣ୍ଟା ପଥର ଗିରିବର୍ତ୍ତୃ ଲଙ୍ଘନ କରିଥିବା ଭୂମିକାଟି ଆଗାମୀ କାଳର ନାରୀର ସାର୍ଥକ ରୂପ ବୋଲି ମୁଁ ମନେ କରେ ।

 

ସବୁ ଦେଇ ବଞ୍ଚିତା ହେବାର ପରମ ସୌଭାଗ୍ୟ ଲାଭ କରିଛି ନମିତା । ଅଜସ୍ର ଅଶ୍ରୁଧାରାରେ ପ୍ରସ୍ଫୁଟିତ ଚନ୍ଦ୍ରଜ୍ୟୋତିହିଁ ସର୍ବକାଳୀକ ।

 

ଗ୍ରନ୍ଥର ଭାଷା ଝରଝର ଯଦିଓ ସଂକ୍ଷିପ୍ତ ଓ କ୍ଳୁପ୍ତ । ଏହି ସଂକ୍ଷିପ୍ତତା ବାକ୍ୟଗୁଡ଼ିକୁ ଗଭୀର ଭାବରେ ଅର୍ଥଦ୍ୟୋତକ କରିଛି ।

 

ଏ ଉପନ୍ୟାସର ଲେଖନ ଶୈଳୀର ଏକ ନିର୍ଦ୍ଧିଷ୍ଟ ସଂଯମ ଓ ଚମତ୍କାରିତା ରହିଛି ତାହା ଅନବଦ୍ୟ । ଯିମିତି :–‘‘ବଞ୍ଚିବା ଅର୍ଥହିଁ ବିପ୍ଳବ । ମାଟି ଭିତରେ ମଞ୍ଜିବି ବିପ୍ଳବ କରି ମାଟି ଉପରକୁ ଉଠେ । ଯଦି ନ ଉଠିପାରେ ଆମେ ତାକୁ କହୁ ମଲାମଞ୍ଜି । ତେଣୁ ମୁଁ ବିଚାର ଚାହେଁ ।’’ ଯିମିତି :–‘‘ଭୁଲ୍‍ର ଦଣ୍ଡ ଭୁଲରେ ଦିଆ ହୁଏନି ।’’ ଯିମିତି :–‘‘ଆକାଶରେ ତୃତୀୟ ପଞ୍ଚବାର୍ଷିକ ଯୋଜନାର ସଭ୍ୟ ସୂର୍ଯ୍ୟ ।’’ ଯିମିତି :–‘‘କେତୋଟି କବିତା ପ୍ରକାଶ ପାଖରେ, ନାରୀ ଦେହକୁ ଭୋଗ କରିବା କଳ୍ପନା କାହିଁକି ଶିଖିଲ । ତମେ ସବୁ ଅପାତ୍ର । ମୁଁ ଲେଖା ପ୍ରକାଶ କରି ନିଜକୁ ପ୍ରତିଷ୍ଠିତ କରିବା ପାଖରେ କେଉଁଦିନ ଦେହକୁ ବାଜି ରଖି ନାହିଁ ।’’

 

‘‘ଲେଖିକାଙ୍କର ଶେଷ ପ୍ରଶ୍ନ–ଲେଖକମାନେହିଁ ପ୍ରେମିକ ଆଉ ପ୍ରେମିକାମାନେହିଁ ଲେଖିକା । ପ୍ରେମ ନ ଥିଲେ ଲେଖା ଜୀଏଁ ନାହିଁ । ସେ ଦୃଷ୍ଟିରେ ମୁଁ ଗୋଟାଏ ପ୍ରେମ କରିଥିଲି, କିନ୍ତୁ କଳଙ୍କିନୀ ହେଲି କାହିଁକି । ଏହାର ଉତ୍ତର ମୁଁ ଲୋଡ଼ୁ ନାହିଁ । ସମାଜର ସିଂହଦ୍ୱାରରେ ମୋର ରାୟ ଦିଆ ସରିଛି ।’’

 

–ନମିତା

(ପୃଷ୍ଠା–୧୦୨)

 

ସମାଜର ସିଂହଦ୍ୱାର କିଛି ଅଛି କି ? ତେଣୁ ଉତ୍ତରର ଆବଶ୍ୟକତା ନାହିଁ । କର୍ଣ୍ଣେଲ ଅମରେନ୍ଦ୍ରର ଶେଷ ସ୍ମୃତିରେ ସେ ଆବଶ୍ୟକତା ବିଲୀନ ହୋଇ ଯାଇଛି ।

 

ମୁଁ ନିଶ୍ଚିତ ଯେ ଲେଖିକାଙ୍କର ଜୀବନ-ପଥ ଓ ତାଙ୍କର ସାରସ୍ୱତ ସୃଷ୍ଟିର ପଥ ଏକ ଓ ଅଭିନ୍ନ ।

 

ଗ୍ରନ୍ଥକୁ ସଂକ୍ଷିପ୍ତ କରିବାକୁ ଯାଇ ଚରିତ୍ରଗୁଡ଼ିକ କେବଳ କେତୋଟି ରଙ୍ଗ ବେରଙ୍ଗ ତୁଳୀଧାରରେ ରୂପ ପାଇଛନ୍ତି । ସାମଗ୍ରିକ ଶରୀର ଓ ମନ ସେମାନଙ୍କର ଫୁଟିପାରିନାହିଁ ଏହି ସଂକ୍ଷିପ୍ତ କାନ୍‌ଭାସରେ । ଉଦାହରଣ :–ସୁସ୍ମିତା ସାମନ୍ତ ଯିଏ କର୍ଣ୍ଣେଲ ଅମରେନ୍ଦ୍ରଙ୍କୁ ଲୁଟିକରି ନେଇଗଲେ ନମିତାର ଅଞ୍ଚଳ ପ୍ରାନ୍ତରୁ ଖସାଇ । ଏ ଚରିତ୍ରର ହଠାତ୍ ଆବିର୍ଭାବ ଓ ଆକସ୍ମିକ ସମାପ୍ତି, ପାଠକ ମନରେ ଶୂନ୍ୟତା ଭରିଦିଏ । ଆଉ କିଛି ଜାଣିବାର, ଆଉ କିଛି ବୁଝିବାର ଅବଶେଷ ରଖେ ।

 

କଲ୍ୟାଣ କରୁଛି ଲେଖିକାଙ୍କର ଲେଖନୀ ଆହୁରି ଦୀପ୍ତ ଓ କୁସୁମିତ ହେଉ । ସେ ଜୀବନରେ ଧୂପସମ ଦଗ୍‌ଧ ହୋଇ ଯିମିତି ସୃଜନୀଶକ୍ତିକୁ ଆବାହନ କରିଛନ୍ତି ଓ ସୁବାସ ବିତରଣ କରିଛନ୍ତି, ସେହି ଦଗ୍‌ଧଭାଗ୍ୟହିଁ ନବସୃଷ୍ଟିର ସମ୍ବେଦକ ହେବ, ସନ୍ଦେହ ନାହିଁ ।

 

ଓଡ଼ିଶାର ସାହିତ୍ୟ ଦରବାରରେ ପ୍ରତିଷ୍ଠା ପାଇବାପାଇଁ ଯେ ପଥ ଉନ୍ମୁକ୍ତ, ସେ ପଥରେ ଏ ଲେଖିକା କେତେଦୂର ଯାତ୍ରା କରିପାରିବେ, କହି ହୁଏ ନାହିଁ । ତେବେ ଏ ପ୍ରତିଭା ଅମଳିନ ଓ ଗୃହୀତ ହେଉ, ଏହାହିଁ କାମନା ।

 

ଶ୍ରୀକ୍ଷେତ୍ର

 

ଅକ୍ଷୟତୃତୀୟା

ରାଜକିଶୋର ରାୟ

୨-୫-୯୭୬

 

Image

 

‘‘ତମେ-ନମିତା’’ !

 

ଏ ଷ୍ଟୋରୀର ନାୟିକା, ଆଉ ମୁଁ ସୁରଞ୍ଜନ ମହାପାତ୍ର ଜଣେ ପ୍ରଖ୍ୟାତ ପ୍ରକାଶକ । ଜୀବନରେ ଅନେକ ଲେଖା ମୋରି ଏଇ ହାତରେ ପ୍ରେସ ପାଇଁ ପ୍ରସ୍ତୁତ କରିଛି । କେତେ ଉପନ୍ୟାସ, ନାଟକ କିନ୍ତୁ କୌଣସି ଦିନ ପାଣ୍ଡୁଲିପି ପଢ଼ି କାନ୍ଦି ନାହିଁ । ତା’ବୋଲି ମନ ଉପରେ ମୋର ପ୍ରଭାବ ପଡ଼ିନାହିଁ–ଏକଥା ଲେଖିଲେ ଭୁଲ୍‍ ହେବ । ତେବେ, ଗଳ୍ପ, ଉପନ୍ୟାସ ପଢ଼ିସାରି ଆଖିରେ ହାତମାରି ଦେଖିଛି; ନା–ଆଖିପତା ଶୁଖିଲା, ବିନ୍ଦୁଏ ହେଲେ ଲୁହ ନାହିଁ ?

 

...କିନ୍ତୁ, ତମର ଏ ଜୀବନାଲେଖ୍ୟ ପଢ଼ିଲାବେଳେ–ପଢ଼ିସାରିବା ପରେ ନୁହେଁ, ପ୍ରଥମରୁ ହିଁ ପଢ଼ିବାକୁ ଚେଷ୍ଟାକଲାବେଳେ, ସିକ୍ତ ହୋଇଛି ଆଖି ଲୁହରେ ପାଣ୍ଡୁଲିପିର ପ୍ରଥମ ପୃଷ୍ଠା ।

 

ଆଜି ପ୍ରଥମ ଥର ପାଇଁ ଭାବୁଛି । ସବୁ ଗଳ୍ପ ‘ସୁଲେଖାରେ’ ଲେଖା ହୁଏ ନୁହିଁ । କେତେକ ଗଳ୍ପ ଆଖିର ଲୁଣି ଲୁହରେ ଲେଖା ହୁଏ । ତାହା ପାଠକ ଆଖିରୁ ଲୁହ ଝରାଏ କି ନା କିନ୍ତୁ ଲେଖକ ଛାତିରୁ ରକ୍ତ ଝରାଏ ।

 

ତେବେ ବି ମତେ ଏହା ପ୍ରକାଶ କରିବାକୁ ହେବ । ଅଗ୍ରଲେଖା ଲେଖିବାକୁ ହେବ । ତୁମକୁ ମୁଁ କଥା ଦେଇଛି । ଖାତାଖଣ୍ଡି ସାଇତି ରଖିଛି । ତମ ବିଷୟରେ ଅନେକ କିଛି ସଂଗ୍ରହ କରିଛି । ତମକୁ ସମାଜ ଜାଣେ ମାତ୍ର ଗୋଟିଏ ରୂପରେ । ସମସ୍ୱରରେ ସାମୟିକ ଭାବରେ ତୁମ ବିଷୟରେ ଅନେକ ଶବ୍ଦବାହି ତରଙ୍ଗ ଚହଲି ଯାଏ ।

 

ତୁମର ବେଦନା ନାହିଁ, ନାହିଁ ଅନୁତାପର ବାଡ଼ବାଗ୍ନୀ, ଭାଗ୍ୟ ଓ ଭଗବାନଙ୍କ ଉପରେ ନାହିଁ ଅଭିମାନ । ନାହିଁ ସମର୍ପଣର ନିଷ୍ଠା, ତୁମେ ନିର୍ବିବାର, ନିର୍ଭୀକା ନାରୀ । ବିଧବାର ହସ ପରି ତୁମେ କରୁଣ, ନିଶ୍ଚଳ, ସ୍ତବ୍‌ଧ; ଝଡ଼ର ଫୁଲ ପରି ତମେ ସ୍ନିଗ୍‌ଧ, ଶାନ୍ତ.....

 

ତୁମେ ସତୀର ସୀତା ନୁହଁ, ନୁହଁବି କୁନ୍ତୀ’ର କାମନାରେ ପ୍ରାତଃ ବନ୍ଦନୀୟା । ତୁମର ଜୀବନ କ୍ଳାନ୍ତି’ର ଅସମାପ୍ତ ଉପନ୍ୟାସ । ପ୍ରତ୍ୟେକ ପଦପାତରେ ତମେ ସମାଜର, ନିୟମକୁ ଦଳି ପକାଇଛ । ତମେ ଗୀତା ପଢ଼ ନାହିଁ, ନମାଜ କରନାହିଁ, ଚର୍ଚ୍ଚରେ ବାଇବେଲ୍‌ ଶୁଣନାହିଁ । ତମେ ସମାଜରୁ ‘କଳଙ୍କିନୀ’ର ଆଖ୍ୟା ପାଇଛ । ତମ କଥା ଶୁଣି ନାରୀ ଘୃଣାରେ ନାକ ଟେକେ, ପୁରୁଷ କରେ ଛି, ଛି । ତମକୁ ଜାଣିଥିବା ଲୋକ ତମକୁ ଦେଖିବାକୁ ପାଦେ ଅଟକି ଯାଆନ୍ତି । ନ ଦେଖିବା ଲୋକ କାମନା କରେ ଟିକେ ଦେଖିବାକୁ ।

 

ତେବେ ବି ତମେ ଅନେକଙ୍କର ମନେରହ, ଯେହେତୁ ଆକାଶ ଧୁମା ଅପବାଦ ଭିତରେ ବି ତମ ବ୍ୟକ୍ତିତ୍ୱରେ ଅଛି ଏକ ଗଭୀର ଆତ୍ମପ୍ରତ୍ୟୟ । ତମ ଜୀବନର ଅମା ଆକାଶ ଭିତରେ ବି ଆଲୋକର ଖିଏ ଅଛି । ତୁମର କଳଙ୍କ ଯିଏ ଦେଖିବ, ସେ ଏ ଆଲୋକକୁ ଅସ୍ୱୀକାର କରିପାରିବ ନାହିଁ । ଲୋକମାନେ ଦେଖିଛନ୍ତି, ବୁଝି ନାହାନ୍ତି । ଅନ୍ୟକୁ ଅନ୍ୟାୟୀ, ଅନାଚାରୀ ବୋଲି ନିର୍ବିବାଦରେ ଘୋଷଣା କରିବାରେ କିଛିଟା ବାହାଦୁରି ଥାଇପାରେ । ମାତ୍ର ସେଥିରେ ସତ୍ୟତାର ଦୃଢ଼ତା ଦବ କିଏ ? ବ୍ୟକ୍ତିର ବ୍ୟକ୍ତିତ୍ୱ ସମୀକ୍ଷା କରିବା ଆୟାସ ସାଧ୍ୟ । ଲୁପ୍ତ ଚରିତ୍ରରେ ଗୁପ୍ତ ମହତ୍ତ୍ୱ ବି ଥାଇପାରେ ।

 

ପାପର ପଙ୍କରେ ପବିତ୍ର ପଙ୍କଜ ମଥାଟେକି ହସିପାରେ । ତେବେ ବି ତମେ ହାରି ନାହଁ-। କଳଙ୍କର ଟିକା ପିନ୍ଧି ତମେ ବିଜୟିନୀ । ତମ ଜୀବନରେ ଆବେଗ ନାହିଁ, ନାହିଁବି ଅନୁରାଗ, ନାହିଁ ବି ପ୍ରତାରଣା । ତୁମେ ସତ୍ୟ ସୂର୍ଯ୍ୟପରି, ତମେ ଦୀର୍ଘଜୀବୀ ଅନ୍ଧକାର ପରି । ତେବେ ବି ସମାଜର ଶିର୍ଷାଶନରେ ତମର ସ୍ଥାନ ନାହିଁ । ସ୍ୱଦେହ ଧାରଣର ସ୍ୱର୍ଗ ସିଡ଼ିରେ ପାଣ୍ଡବ ପତ୍ନୀ ପାଞ୍ଚାଳୀ ପରି ପହିଲି ପାହାଚରେ ତୁମେ ଲେଉଟି ପଡ଼ିଛ ।

 

ସୃଷ୍ଟିର ପ୍ରଥମ ନାରୀ ବା ପୁରୁଷ, କେବେ ପାପ ପୁଣ୍ୟର ସୀମାରେଖା ଟାଣି ନ ଥିଲେ । ଧରା ଛୁଇଁବା ପରେ ବି ମଣିଷ ନିଷ୍ପାପ ଥାଏ । ସମାଜର ସିଂହଦ୍ୱାରରେ କେତେକ ନୀତିନିୟମର ଶୀଳାଲେଖା ଥାଏ । କିଏ କିଏ ସାଧାରଣ ଜୀବନ ବିତାଇ ଚାଲିଯାଏ । ଦେଖେ ନାହିଁ, ଜାଣେ ନାହିଁ-। ସେ ଗୋଷ୍ଠିର ଏକ ଭାରବାହୀ ମଣିଷ । ଆଉ କେହି ସମାଜର ପେପରୱେଟ୍‌ ତଳେ ନିଜକୁ ଚାପି ପାରନ୍ତି ନାହିଁ । ନିର୍ଭୀକା ଭାବରେ ନିଜକୁ ପୂର୍ଣ୍ଣ-ପ୍ରକାଶ କରିବାର ଉଦ୍ୟମ ତାଙ୍କୁ କରେ ଦୂର୍ଗାବତୀ, ଝାନ୍‌ସୀରାଣୀ, ଫ୍ଲରେନ୍‌ସ ନାଇଟିଙ୍ଗେଲ । କବିତା ଲେଖି ହୁଅନ୍ତି–କଳ୍ପଲତା, ଉତ୍କଳର ସରସ୍ୱତୀ । ଦୀପ୍ତିରେ, ଶାନ୍ତିରେ ସେମାନେ ସମାଜକୁ ନିଜର ସୌରଭ ପାଖକୁ ପ୍ରଭାବିତ କରନ୍ତି । ସେମାନେ ହୁଅନ୍ତି–ଇତିହାସର ସ୍ୱର୍ଣ୍ଣାକ୍ଷର । ଉତ୍ତର ପୁରୁଷ ସେଇ ପୃଷ୍ଠାକୁ ମୁଖସ୍ଥ କରି ପାଏ ଡିଗ୍ରୀ-

 

ତମେ ତ ସାବିତ୍ରୀ ନୁହଁ । ଯେହେତୁ ବିବାହ କରି ନ ଥିଲ । ତମେ ସୀତା ନୁହଁ । ରାବଣ ତମକୁ ଚୋରାଇ ପାରିନାହିଁ, କି ସମାଜକୁ ଡରି ତମେ ଅଗ୍ନୀ ପରୀକ୍ଷା ଦେଇନାହଁ । ତମକୁ ସମାଜ ଜାଣେ–ଅମ୍ବାପଲ୍ଲୀ ରୂପରେ, ଲକ୍ଷହୀରା ରୂପରେ ।

 

ତେବେ ବି ତମେ ପ୍ରତିବାଦ କରିନାହଁ । ତମେ ପ୍ରମାଣିତ କରିଛ, ଲକ୍ଷହୀରା, ଅମ୍ବାପଲ୍ଲୀକୁ ତ ଇତିହାସ ଅସ୍ୱୀକାର କରିନାହିଁ । ବାରନାରୀ ହେଲେ ବି ସେମାନେ ସମାଜକୁ ରୂପର ଲୋଧ୍ରରେଣୁ ଉପହାର ଦେଇ ପାଇଛନ୍ତି, ଏକ ଅନନ୍ୟା ଉପାଧି । ସେମାନଙ୍କୁ ସମାଜ ଯାହା ଦେଇଛି, ତା’ରି ଭିତରେ ସେ ଦେଇଛନ୍ତି ଉତ୍ତର ପୁରୁଷ ପାଇଁ ଗୋଟିଏ ଅପ୍ରିୟ ସତ୍ୟର ସ୍ପଷ୍ଟୋକ୍ତି ।

 

ସମାଜର ପାଦସ୍ପର୍ଶ ବୁର୍ଖା ଭିତରେ ଯିଏ ନିଶ୍ଚିନ୍ତରେ ନାରୀତ୍ୱକୁ ଫୁଟବଲ୍‍ ଭଳି ଖେଳି ପାରିଲା ସେ ହେଲା–ସତୀ, ସାଧ୍ୱୀ, ସୁଚରିତ୍ରା, ଆଉ ଯିଏ ଜୀବନ ପାଇଁ ସଂଗ୍ରାମ କରି ଅନେକଙ୍କ ସଂସ୍ପର୍ଶରେ ଆସିଲା ସେ ହେଲା–କଳଙ୍କିନୀ । ତମେ ନଷ୍ଟା ନୁହେଁ ବୋଲି ହୁଏତ ମୁଁ କହିପାରେ ମାତ୍ର ସମାଜ ଆଖିରେ ତମେ ଭ୍ରଷ୍ଟା, ଚରିତ୍ରହୀନା, ହୁଏତ ହୋଇପାର । ସେ ପାଇଁ କୌଣସି ଯୁକ୍ତିର ଆଶ୍ରୟ ମୁଁ ନେଇ ନାହିଁ । ନେବାର ବି ନୁହେଁ । କେବଳ ତମରି ନିଜ ଜୀବନର କେତୋଟି ଘଟଣା ସମ୍ବଳିତ ଏହି ‘‘ନିଶାର-ନିଶିଗନ୍ଧା’’ । ତା’ପରେ ସମାଜହିଁ ବିଚାର କରୁ । ତମେ, କ’ଣ ତମେ ଆଜି କେଉଁଠି ଅଛ କେହି କହିପାରୁନାହାନ୍ତି । ଭାବିବାକୁ କଷ୍ଟ ଲାଗୁଛି । ତମେ ବଞ୍ଚିଛ କି ନା’-। ତେବେ ବି ମୋର କର୍ତ୍ତବ୍ୟ ମୁଁ ସମ୍ପାଦିତ କରୁଛି । ତୁମର ଜୀବନ ମଞ୍ଚରେ ମୋର ମଧ୍ୟ, ଅବଦାନ ଅଛି । ମୋ ବିଷୟରେ ତମେ କ’ଣ ଲେଖିଛ ତା’ ବି ମୋର ଅଜ୍ଞାତ । ମୁଁ ଜାଣେ, ତମେ ମିଥ୍ୟା ଆଶ୍ରୟ ନେଇ ସତ୍ୟର ଅପଚୟ କରି ନ ଥିବ । ତମେ ମହୀୟସି । ନମିତା.....

 

ତୁମର ମନୁଷ୍ୟତା ପାଖରେ, ତମର କଳଙ୍କ ନିଷ୍ପ୍ରଭ, ଗୌଣ ହୋଇଛି । ଅନ୍ତତଃ ମୋରି ପାଖରେ–ସୁରଞ୍ଜନ ଆଖିରେ, ନମିତା ଏକ ସ୍ୱତନ୍ତ୍ର ଚରିତ୍ର ।

 

X X X

 

ଘଣ୍ଟାର ପେଣ୍ତୁଲମ୍‌ ହଲୁଛି ? ଗୋଲଡେନ୍‌ ଫ୍ରେମରେ ବ୍ଲାକ୍‌ ପେଣ୍ତଲୁମ୍‌ଟା ଦିଶୁଛି ଚମତ୍କାର । କଣ୍ଟା ଘୁମେଇଁଛି ଚାରିଟା ଉପରେ । ରାତ୍ରୀ ବିଦାୟ ମାଗୁଛି । କାକୁତି, ମିନତିରେ ଫେରିଲାବେଳେ କହୁଛି ମୁଁ ଯାଉଛି । ମୋର ବି ବିଦାୟ ବେଳା ! ହେଲେ କେହି ନାହିଁ,ଯାହାକୁ ମୁଁ ଦୁଇବୁନ୍ଦା ଲୁହରେ ବିଦାୟ ମାଗିବି ।

 

ଜୀବନ ଏକ ଛନ୍ଦହୀନ କବିତା ।

 

ଲେଖିକା ହୋଇବି ଏ ସତ୍ୟଟି ଆଜି ବୁଝିଲି । ଆଉ ବି ବୁଝିଲି ସେ କବିତାର ଛନ୍ଦହିଁ ହେଉଛି ଯନ୍ତ୍ରଣା ।

 

ଯେଉଁମାନେ ଛନ୍ଦହୀନ ଜୀବନରେ ଯତିପାତ ଉପଧା ମିଳନ ପାଇଁ ଚେଷ୍ଟା କରିଛନ୍ତି ସେମାନେ ଆମନ୍ତ୍ରଣ କରିଛନ୍ତି ଶେଷହୀନ ଯନ୍ତ୍ରଣା । ଜୀବନର ଏହି ଯନ୍ତ୍ରଣା ପାଖରେ ଆଜି ମୁଁ ପ୍ରଥମ ଥର ପାଇଁ ପରାଜିତା ହେଲି ।

 

ଜୀବନରେ କେହି ମତେ ଭଲପାଇ ନାହିଁ । ତେବେ ବି ମୁଁ ଏଇ ମୁହୂର୍ତ୍ତରେ ନିହାତି ଏକାକିନୀ ବୋଧ କରୁଛି । ଆକାଶ ଶୂନ୍ୟ । ଶୂନ୍ୟ ବି ବିରାଟ ପୃଥିବୀ ।

 

ହୃଦୟର ଆବେଦନ ନ ଥିଲେ, ଭାବନାର ଗଭୀରତା ପ୍ରକାଶିତ ପାଏ ନାହିଁ । ସେଇ ଗଭୀରତା ନେଇ ମୁଁ ଲେଖା ଲେଖୁଛି । ମୋର କେମିତି ଧାରଣା ହେଉଛି ନାରୀର ମନ ତା’ର ପ୍ରେମିକ ବୁଝେ ନାହିଁ । ପରିବାର ବୁଝେ ନାହିଁ । ବୁଝେ ନାହିଁ ସଂସାର । ଏକା ବୁଝେ ଦରଦୀ ଲେଖକ, ଯଦି ଚେଷ୍ଟା କରେ । ଯଦି କେହି ଜଣେ ହେଲେ ବି ଲେଖକ ବୁଝିପାରେ । ତେବେ ସହସ୍ର, ପାଠକ, ପାଠିକା ମୋର ଏ ଅବ୍ୟକ୍ତ ବ୍ୟଥା ବୁଝିବେ । ଜୀବନରେ ମୋର କେତେ କିଏ ଆସିଛନ୍ତି । କିନ୍ତୁ ମୁଁ କାହାକୁ ଭଲ ପାଇନାହିଁ । ଦୈହିକ ମିଳନ କେବେ ଭଲ ପାଇବା ନୁହେଁ । ଭଲ ପାଇବା ଏକ ନିଶା । ଅମରେନ୍ଦ୍ରଙ୍କର ପାଇଁ ମୋ ମନରେ ସେଇ ନିଶା ମତେ ଆଜି ତଡ଼ି ନେଉଛି ଅନେକ ଦୂରକୁ । କାହା ଆଖିରେ ମୁଁ କ’ଣ ଥିଲି ବୁଝିବାର ଚେଷ୍ଟା କରି ନାହିଁ । ମୋ ବିଷୟରେ ମୁଁ ଏତିକି ଜାଣିଥିଲି ମୁଁ ଥିଲି ପାହାଡ଼ି ଝରଣା ଭଳି କଳକଳନାଦିନୀ ବାଧାବନ୍ଧନ ହୀନା ଗୀତି କବିତା ।

 

ସୁନା ଦେହରେ ଖାଦ ନ ଦେଲେ ଗହଣା ଗଢ଼ାଯାଏ ନାହିଁ । ବାସ୍ତବ ସହ କଳ୍ପନାର ମିଶ୍ରଣ ନ କଲେ ଗଳ୍ପ, ଉପନ୍ୟାସର ସାର୍ଥକ ସୃଷ୍ଟି ହୁଏ ନାହିଁ । ମୋ’ ଜୀବନର ସମସ୍ତ ଘଟଣା ନିରାଟ ସତ୍ୟ ହେଲେ ବି ମୋ’ ଜୀବନସହ ଆସିଥିବା ଚରିତ୍ରଗୁଡ଼ିକ ଦେହରେ ମୁଁ ଜାଣି, ଜାଣି କଳ୍ପନା’ର କୁହୁକ ମିଶ୍ରଣ ଦେଇଛି ।

 

କେତେ ଲେଖା ଲେଖିଛି କାଳିରେ...

କେତେବି ଲେଖିଛି ଆଖିର ଲୁହରେ

 

କିନ୍ତୁ–ଏଇଟି ଲେଖୁଛି–ବିନ୍ଦୁ ବିନ୍ଦୁ ରକ୍ତରେ । ତେବେ ବି ସନ୍ଦେହ ଅଛି । ମୋର ଲହୁ ଲେଖାକୁ ସମାଜ ସତ୍ୟ ବୋଲି ବିଶ୍ୱାସ କରିବ ନାହିଁ । କାରଣ ନାରୀ, ଯଦି ନିର୍ଭୀକା ଭାବରେ ସମସ୍ତଙ୍କ ସହ ମିଶିପାରେ ଆଉ ସେ ରୂପସୀ ହୋଇଥାଏ ତାହାହେଲେ ସମାଜରେ ପ୍ରଳୟ ସୃଷ୍ଟି କରିବା ତା’ର ଧର୍ମ ହୋଇଥାଏ । ଏ ଯୁଗର ସମ୍ମିଳିତ ବ୍ୟଭିଚାର ବିରୁଦ୍ଧରେ ମୋର ଉତ୍ସର୍ଗିତ, ତ୍ୟାଗପୂତ, ଜୀବନ ଏକ ନିଷ୍ଫଳ ପ୍ରତିବାଦ ମାତ୍ର ।

 

ଅନେକ ମତେ ‘ନମି’ ଡାକୁଥିଲେ । ବୋଉ ଡାକୁଥିଲା, ‘ମୀତା’ଆଉ ବାପା ଡାକୁଥିଲେ ‘ନମିତା’।

 

ପ୍ରତ୍ୟେକ ବାପ’ମା’ ନିଜର ସନ୍ତାନକୁ ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଗଢ଼ନ୍ତି । କାହାର କଳ୍ପନା ‘ଗାନ୍ଧୀ, ଗୋପବନ୍ଧୁ’ କିଏ ବା ‘ମନ୍ତ୍ରୀ, ନେତା, କେହି ମୂଲିଆ, ବା ମେକାନିକ’ର ସ୍ୱପ୍ନ ମଧ୍ୟ ଦେଖିଥାନ୍ତି । କିଏ ଚାହେଁ ‘କବି’ କଣ୍ଠଶିଳ୍ପି । ତା’ର ପ୍ରଭାବରେ କିଏ ନିଜକୁ ପ୍ରତିକୂଳ ବା ଅନୁକୂଳ ଢେଉରେ ଗଡ଼ାଇ ନିଜକୁ ଗଢ଼େ ।

 

ପରାଧୀନ ଭାରତରେ ମୋର ଜନ୍ମ–ଭାରତ ସ୍ୱାଧୀନ ସଙ୍ଗୀତ ଗାଇ, ଅଗଷ୍ଟ ପନ୍ଦର ପାଳିବାବେଳକୁ, ମୁଁ ଗାଁ ଭାଗବତ ଟୁଙ୍ଗିରେ ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ପଢ଼ୁଥିଲି । ପାଞ୍ଚକୋଶ ଭିତରେ ନିମ୍ନ ପ୍ରାଇମେରୀ ସ୍କୁଲ ଖଣ୍ତିଏବି ନ ଥିଲା ସେତେବେଳେ । ମୋ ବୋଉ ମତେ ସେତେବେଳର ସଭ୍ୟତାକୁ ଅନୁକରଣ କରିବାକୁ ଚେଷ୍ଟା କରିଥିଲା । ନୂଆ ସ୍ୱାଧୀନ ଭାରତରେ ନୂଆ ସଭ୍ୟତା ପଶୁଥାଏ ଶ୍ରାବଣର ମହାନଦୀ ପରି କ୍ଷିପ୍ରଗତିରେ । ଲୋକମାନେ ଶୀଘ୍ର ମାନି ପାରୁ ନ ଥିଲେ ଏ ନିର୍ଲ୍ଲଜ ସଭ୍ୟତାକୁ । ଝିଅମାନେ ସ୍କୁଲ, କଲେଜରେ ପଢ଼ିବାର ସୁବିଧା ସୁଯୋଗ ନ ଥିଲା । ତେବେ ବି ବୋଉ, ମୋର ଚାହିଁଥିଲା ମୁଁ ପାଠ ପଢ଼େ, ସିଲେଇ ଶିଖେ, ବହିପଢ଼େ । ଆଉ ସେତେବେଳର ସମସ୍ତଙ୍କର ପାଖରେ ମୋର ଗୋଟାଏ ସ୍ୱତନ୍ତ୍ରତା ରହୁ କିନ୍ତୁ ହେଲାନାହିଁ । ବୋଉ ମୋର ଆଖି ବୁଜିଲା । ଚାଲିଗଲା । ଯେଉଁସ୍ଥାନକୁ ବିଜ୍ଞାନୀ ଯାଇ ପାରେ ନାହିଁ ଏରୋପ୍ଲେନରେ ବା ରକେଟ ମାଧ୍ୟମରେ । ମୁଁ ଆପେ ଅଟକି ଗଲି ହାଣ୍ଡିଶାଳରେ ।

 

ବ୍ୟାଧି ପାଇଁ ଔଷଧ ଅଛି । ମାତ୍ର ନିସହାୟତାର ଉପଶମ ନାହିଁ । ବୋଉ ମୃତ୍ୟୁ ପରେ ବାପା ଭାଙ୍ଗି ପଡ଼ିଲେ । ପ୍ରଚୁର ଭୂସମ୍ପତ୍ତିର ବିନିମୟରେ ତାଙ୍କର ନିଶ୍ଚିନ୍ତ ସୁସ୍ଥ ଦେହ ନଇଁଲା ଆପେ, ଆପେ । ବାପା ସତ୍ୟକାନ୍ତ ତାଙ୍କ ନାମରେ ଯଥାର୍ଥତା ପ୍ରତିପାଦିତ କରିଥିଲେ । ସେ ଥିଲେ ସ୍ୱାବଲମ୍ବୀ, ସ୍ୱାଭିମାନୀ, ଆଉ ସ୍ୱଳ୍ପ ଶିକ୍ଷିତ । ମାତ୍ର ଆଧ୍ୟାତ୍ମିକ ଜ୍ଞାନରେ ଥିଲେ ଗୋଟିଏ ନିରହଙ୍କାରୀ ମଣିଷ । ବଂଶ ମର୍ଯ୍ୟାଦାକୁ ଆଖି ଆଗରେ ରଖି ସେ ଚଳୁଥିଲେ । ସେ ପାଇଁ ଯାହା କ୍ଷତି ପଡ଼ୁ ପଛକେ । ଭୂସମ୍ପତ୍ତିରୁ ଖଣ୍ଡିଏ ଖଣ୍ଡିଏ ଖସିଥିଲା । ସେଥିପାଇଁ ବାପା ଦିନକ ପାଇଁ ବି ଦୁଃଖ କରି ନ ଥିଲେ, ଦୁଃଖ କରିଥିଲେ ବୋଉର ମୃତ୍ୟୁରେ । ଖୁବ୍‍ ଶୀଘ୍ର ସେ ବୋଉର ପଦାଙ୍କ ଅନୁସରଣ କଲେ । ଆମ ପାଇଁ ରଖିଥିଲେ କେବଳ ପୂର୍ବ ପୁରୁଷର ଘର ଖଣ୍ଡିକ । ତେବେ ବି ଶେଷ ନିଦ୍ରାରେ ଶୋଇବା ପୂର୍ବରୁ ସେ କହିଥିଲେ–

 

ମା’ ! ତୁ ମୋର ବଡ଼ ଝିଅ ନମିତା ? ବାପା, ହିସାବରେ ତୋ ପାଇଁ କିଛି ନ କରିଥିଲେ ବି ତୁ ମୋର ଅହଙ୍କାର ବୁନିଆଦିକୁ ବଞ୍ଚାଇ ରଖିବୁ । ଏଇ ବୁନିଆଦିକୁ ରଖିବା ପାଇଁ ମୁଁ ମୋର ଜୀବନ ଭିତରେ ସବୁକୁ ବିସର୍ଜନ ଦେଇଛି । ଅନ୍ୟାୟ କଷ୍ଟୋପାର୍ଜିତ ଧନରେ କୋଠା ତୋଳି ନାହିଁ-। କାର୍‌ କିଣିନାହିଁ । ବ୍ୟାଙ୍କ ବାଲାନ୍‌ସ ବଢ଼ାଇ ନାହିଁ । ଏସବୁ କରିବା ପାଇଁ ମୋର ପ୍ରଚୁର ଆୟ ଥିଲା । ତେବେ ଆଜି ଭାବୁଛି ମୁଁ ତୋ ପାଇଁ କିଛି ନ ରଖି ଗଲେବି ତତେ ମଣିଷ କରିଛି । ଜୀବନ ଯୁଦ୍ଧରେ ତତେ ଛାଡ଼ିଗଲାବେଳେ, ମୁଁ ନିଶ୍ଚିନ୍ତ ଅଛି । ତୁ ବେଶ୍‍ ଚାଲିପାରିବୁ । ସମାଜର ନାଲିଆଖି ତତେ ଧମକାଇ ପାରିବ ନାହିଁ । ତୋ ପାଇଁ ରଖିଯାଇଛି ଖାଲିଗୁଡ଼ାଏ ଆଶୀର୍ବାଦ । ଏ ଦୁଆରୁ କେହି କେବେ କିଛି ମାଗି ଫେରି ନାହିଁ । ସେଇ ମୋର ଗୋଟିଏ ଅନୁରୋଧ । ତୁ ଅନ୍ୟଠାରୁ ସାହାଯ୍ୟ ମାଗିକି ତୋର ଆଶ୍ରୟ ପ୍ରାର୍ଥୀକୁ ସାହାଯ୍ୟ କରିବୁ । ନିଜକୁ ବିଲୟ କରିବୁ ।

 

ପଛରେ ତୋର ଦୁଇଗୋଟି ଅବୁଝା ପକ୍ଷୀ ଶାବକ । ତାଙ୍କ ଉଡ଼ିବା ଅନେକ ବିଳମ୍ବ । ତୋର କର୍ତ୍ତବ୍ୟ ପର ତଳେ, ଅନୀତା ଓ ଚନ୍ଦ୍ରକାନ୍ତ ?

 

ଆଖି ବୁଜିଗଲା । ନିଦ ହେଲା ଅଭଙ୍ଗା । ବାପା ଅନେକଙ୍କ ପାଖରେ ନିଜର ସନ୍ତାନଙ୍କୁ ଛାଡ଼ି ଚାଲିଲେ ପଛକୁ ନ ଚାହିଁ । ସେଦିନ ମୁଁ କାନ୍ଦି ନ ଥିଲି । ଅନୀକୁ କୋଳରେ ଧରି କହିଥିଲି, ସମସ୍ତେ ମରନ୍ତି ଅନୀ । ବାପା ଆମର ଶାନ୍ତିରେ ମରିଛନ୍ତି । ଗାନ୍ଧୀ, ଗୋପବନ୍ଧୁଙ୍କର ସମସାମୟିକ-। ମଣିଷ ହୋଇ ତାଙ୍କର ଦେଶପ୍ରୀତି ଦେଖି ଶୁଣି, ପରାଧୀନତାର ଗଣ୍ତି ଭିତରେ ବି ସେ ଥିଲେ ନିର୍ଭୀକ, ନିର୍ଲ୍ଲୋଭୀ । ଆଉ ଏ ସ୍ୱାଧୀନତାର ସୁଦୃଢ଼, ସୁଶୃଙ୍ଖଳିତ କିଉ ଭିତରେ ସେ ପ୍ରଥମ ହୋଇ ନ ପାରି ଚାଲିଗଲେ ।

 

ଅନୀତା ବୁଝିଲା ନାହିଁ । କାନ୍ଦିଲା । ଚନ୍ଦ୍ରକାନ୍ତ ଚାହିଁଲା ହତାଶ୍‍ ଆଖିରେ । ଆଉ ମୁଁ ନମିତା’ ଭାବୁଥିଲୁ । ବାପାଙ୍କ ଶବ ପରମ୍ପରାକ୍ରମେ ଶୋଭାଯାତ୍ରାରେ ଯିବା କଥା । କାନ୍ଦିବାକୁ ସମୟ ନାହିଁ, ଭାବିବାକୁ ଅବସର ନାହିଁ । ପ୍ରଥମ କରି ବାହାରିଲି ଦାଣ୍ଡକୁ । ପାଦ ଛନ୍ଦି ହୋଇ ପଡ଼ୁଥାଏ । କଥା କହିଲାବେଳେ ତଣ୍ଟି ଶୁଖି ଆସୁଥାଏ । ଶବ ଉଠିଲା, ମାମୁଲି ଶୋଭାଯାତ୍ରାରେ । ଦଶାହ ପାଇଁ ଯାହା ଯୋଗାଡ଼ ହେଲା ତା’ ଜ୍ଞାନ୍ତି କୁଟୁମ୍ବଙ୍କ ପାଇଁ ଖୁବ୍‌ ସାମାନ୍ୟ ଥିଲା । କେତେଜଣ ଅନ୍ଧ, ଛୋଟା, ବିକଳାଙ୍ଗଙ୍କୁ ମୁଠାଏ ଖାଇବାକୁ ଦେଇସାରିବା ପରେ, ମୋର ଜାତିଆଣ ଗୋଷ୍ଠୀ ରାଗରେ ଚମକି ଉଠିଲେ । ମତେ ଜ୍ଞାତିରୁ କାଟି ବି ସେମାନେ ନିଶ୍ଚିନ୍ତ ରହିଲେ ନାହିଁ ।

 

ଦିନ ଯାଏ ମାତ୍ର ଦୁଃଖ ଯାଏନା । କେହି ନାହିଁ, କିଛି ନାହିଁ । ଘରର କେତେଖଣ୍ଡି ଆସବାବ, ବିକାଭଙ୍ଗା କରି ଚଳିଲୁ । ମୋର ପଡ଼ୋଶୀ ମଧୁ ନାୟକର ସ୍ତ୍ରୀ’ ବିଧବା ହୋଇ ଅନ୍ତସତ୍ତ୍ୱା ହେଲା । ଗାଁ’ର ମୁଖିଆମାନେ, ତା’ରି ଦୁଆରେ ବସି ତାକୁ ଏକ ଘରିକିଆ କଲେ । ନିଆଁପାଣି ବାସନ୍ଦ ହେଲା । ଦୋକାନୀ ଦୁଇ ପଇସାର ସଉଦା ଦେଲାନାହିଁ । ତେବେ ବି ସେ ନଇଁଲା ନାହିଁ । ତା’ର କୃତକର୍ମ ପାଇଁ ମନରେ ଘୃଣା ଆସିଥିଲା ହୁଏତ । ମାତ୍ର ତା’ର ବିପଦରେ ସାହାଯ୍ୟ କରିବାକୁ ମନହେଲା । ଅନୀ ଆଣିଲା ସଉଦା, ଚନ୍ଦ୍ର କିଣିଦେଲା ପରିବା, ଆଉ ମୁଁ କେବଳ ଦେଖୁଥିଲି । ପାପ ପାଇଁ ସମାଜ ଭିତରେ କେତେ ନିଷ୍ଠୁର ନୀତି ନିର୍ଦ୍ଦେଶ ରହିଛି । ଅଥଚ ପାପ ନ କରୁଛି କିଏ ? ସେମାନେ ଧନୀ, ଧନ ପାଖରେ ‘ପାପ’ର ଓଜନ ବୋଧହୁଏ କୋହଳ । ବହୁ କଷ୍ଟରେ ଆଣିଥିବା ଚାଉଳ ମୁଠାଏ ଭାଜୁଛି । ଅନୀ ଧରିଥିଲା ଗୋଟାଏ ତାଳପତ୍ର ଭୋଗେଇ, ଆଉ ଚନ୍ଦ୍ର ହାତରେ ଗୋଟିଏ ଶିଲଭର ଥାଳିଆ । ଦୁଇଟି ପିଲାଙ୍କର ଚାରୋଟି ଆଖି ଚାଉଳଭୁଜା ଉପରେ ସ୍ଥିର ହୋଇଥିଲା । ଆକାଶରେ ବର୍ଷାର ରଣସଜ୍ଜା । ଅନୀ ଦେହ ଛିଣ୍ଡା ଫ୍ରକର ଅନ୍ତରାଳରେ ଶୀତେଇ ଉଠୁଥାଏ । ଅଧାଓଦା କୁଟା କେରାକ ଜଳିବା ପୂର୍ବରୁ ଖାଲି, ଧୂଆଁରେ ଆଖି ନାକ ରୁନ୍ଧି ହେଉଥାଏ । ଆଖିରୁ ପାଣି ପୋଛି ଭୁଜା ମୁଠାକ ଅଜାଡ଼ିବାମାତ୍ରେ, ଭୋକ ବିକଳରେ ଅନୀ ଭୁଜା ମୁଠାଏ ପାଟିରେ ପୂରାଇ ଦେଲା । ହାତ ତ ତାତିଲା ଜିଭ ହେଲା ଫୋଟକା । ତାକୁ ବୁଝାଇ ବସିଲାବେଳକୁ, ମଧୁ ନାୟକର ବଡ଼ ଝିଅ କହିଲା ତା’ର ଦୁର୍ଦ୍ଦଶା, ଭୁଜା ମୁଠାକ ଉପରେ ତା’ର ଲୋଲୁପ ଦୃଷ୍ଟି । ପଚାରିବା ଦରକାର ନ ଥିଲା । ସେ ଯେ ଖାଇନାହିଁ ଏ କଥା ତା’ ମୁହଁ କହୁଥିଲା ।

 

ବର୍ଷା ବାହାରେ ମଥା ପିଟୁଛି । ପବନରେ ତେଲ ନ ଥିବା ଡିବିଟି ଲିଭିଗଲା । ସଦ୍ୟଲିଭା ଚୁଲିରେ କୁଟା କେରାଏ ପୂରାଇ ଫୁଙ୍କି ଫୁଙ୍କି ଡିବି ଲଗାଇ ଦେଖିଲି, ଅଭୁକ୍ତା ଅନୀ, କାନ୍ଦି କାନ୍ଦି ଶୋଇ ପଡ଼ିଛି । ଦେହ ଦୁର୍ବଳ, ମଥାର ବାଳଗୁଡ଼ିକ ତେଲର ଅଭାବରେ ଫୁରୁ ଫୁରୁ, କୋଳକୁ ଟେକି ଚାଲିଲି । ଅଛାଆଣୀ ଚାଳରେ ବଡ଼ ବଡ଼ ମେଲା । ଘର ମଝିରେ ପାଦେ ପାଣି । ଦାଣ୍ଡ ଘରଟି ଅପେକ୍ଷାକୃତ ଭଲ ଥିଲା । ଅନୀକୁ, ଛିଣ୍ଡାସପ ଉପରେ ଶୁଆଇ, ଚନ୍ଦ୍ରକୁ ବସାଇ ଗଲି ମଧୁ ନାୟକର ଘରକୁ ।

 

ପିଲାଟି ମଲାଣି ଦିନ ବାରଟାରୁ । ବର୍ଷା ଅନ୍ଧାର ଭିତରେ ଶବଧରି ବସିଥିବା ମଧୁ ନାୟକର ସ୍ତ୍ରୀକୁ ଦେଖି ଅଠର ବର୍ଷର ବଢ଼ିଲା ଦେହଟା ମୋର ଚମକି ଉଠିଲା । ବିଧବା ହୋଇ ପିଲା ଜନ୍ମ କରିଛି । ନିଜର ପାପକୁ ସେ ଲୁଚାଇ ନାହିଁ । ଚେର, ମୂଳି ଗିଳି ପେଟ ପିଲାକୁ ଖସାଇ ସତୀ ହେବାକୁ ଚେଷ୍ଟା କରିନାହିଁ । ଗାଁ’ବାଲାଏ ମେଳିବାନ୍ଧି ଅଟକାଇଛନ୍ତି । ଦୁଆରେ ବସିଛି ଚଉକିଆ ।

 

ମତେ ଦେଖି ସେ କେବଳ ଚାହିଁଲା ! କହିଲା, ତମେ କାହିଁକି ଆସିଲ ଅପା । ମୋ ଘରକୁ ଆସିଲେ ଯେ ଲୋକମାନଙ୍କର ଜାତି ଯାଏ । ସ୍ତବ୍‌ଧ ହେଲି । ସନ୍ତାନର ମୃତ୍ୟୁରେ ମାତୃତ୍ୱ ବାହୁନିବାକୁ ଅବସର ପାଉ ନାହିଁ । ଜାତିର ଧକ୍‌କାରେ ହୃଦୟ ପଥର ହୋଇଛି । ସର୍ବହରା ବଢ଼ିଲା ଝିଅଟାଏ ହେଲେ ବି ମୋର ତା’ ପ୍ରତି କର୍ତ୍ତବ୍ୟ ଅଛି । ପିଲାକୁ ଧରି ବର୍ଷାରେ ମଶାଣୀକୁ ଗଲି । ଗୋଟିଏ ମାତୃତ୍ୱ ନିଜ ହାତରେ ଗାତ ଖୋଳି ନିଜର ସନ୍ତାନକୁ ପୋତିବାବେଳେ ଭାବୁଥିଲି ଏ ବିଚାର କାହିଁକି ।

 

ଫେରିଲା ପରେ ମୁଁ ଯେ ହଠାତ୍‌ ଅଜାତିଆ ହୋଇଗଲି । ସମାଜର କର୍ଣ୍ଣଧାରମାନେ ମୋ ପାଇଁ ଦଣ୍ଡର ବିଧାନ ସେଇ ରାତିରେ କରିସାରିଥିଲେ । ତେବେ ବି ସମୟ କଟିଲା । ଚନ୍ଦ୍ର ସପ୍ତମ ଶ୍ରେଣୀର ଛାତ୍ର, ଅନୀ ପଢ଼େ ଚତୁର୍ଥରେ । ସେମାନେ ପାଠ ପଢ଼ିବେ, ଭାତ ଖାଇବେ, ଶାର୍ଟ, ଫ୍ରକ୍‌ ପିନ୍ଧିବେ । ରାତିରେ ନିଦ ହୁଏ ନାହିଁ । କବାଟ ଦେହରେ ଧକ୍‌କା ଶୁଭେ । ଦେହ ଥରେ, ଛାତି ହୁଏ ପଥର । ଯୌବନ ପାଲଟେ ବରଫ । ନିଜର ବୋଲି କେହି ନାହିଁ । ପ୍ରାୟ ଲୋକଙ୍କର କୋପଦୃଷ୍ଟି ଆମରି ଉପରେ । ହଇରାଣ ସହି ନ ପାରି ଯଦି ଚାଲି ଯାଆନ୍ତୁ, ତେବେ ଘରଖଣ୍ଡି, ଗାଁ ଜେଗା ଘର କାମରେ ଲାଗିପାରନ୍ତା ।

 

କେତେଜଣ ବି ଭିନ୍ନ ମତଲବରେ ଥାଆନ୍ତି । ଉପରେ ପଡ଼ି ସହାନୁଭୂତି ଦେଖାଇବାକୁ ଆସନ୍ତି । ସେମାନଙ୍କର ଆଖି ଥାଏ ମୋ’ ଯୌବନ ଉପରେ । ନା–ରାତି ପାହେ । ଅନ୍ଧାରର ଛାତି ଚିରି ହସି ଉଠେ ଶିଶୁ ସୂର୍ଯ୍ୟ ।

 

ଅନୀ ଖୋଜେ ଭୁଜା, ସିଲଟ ଓ ଖଡ଼ି–

 

ଚନ୍ଦ୍ର ଖୋଜେ ଭାତ, ଖାତା, କଲମ, ପେନ୍‍ସିଲ–

 

ମୁଣ୍ଡ ଘୂରିଲା ମାତ୍ର ଧୈର୍ଯ୍ୟ ଦୃଢ଼ ହେଲା । କ’ଣ ବା କରିବି । ଭାଙ୍ଗିଲି ଗୁଆ, ତିଆରି କଲି ଠୁଙ୍ଗା, ଦିନଯାକର ଅବିଶ୍ରାନ୍ତ ପରିଶ୍ରମରେ ବି ପେଟ ପୂରେ ନାହିଁ । ଅବଶୋଷ ଆସେ । ଯଦି ପାଠ ପଢ଼ିଥା’ନ୍ତି । ତେବେ ? ଅଗ୍ରଗାମୀ ମନ, ପଛକୁ ଫେରିବାକୁ ନାରାଜ । ଚାଲିଲା ସାଧନା । ମୁଁ ହେଲି ଲେଖିକା । ଯାହା ଅନେକଙ୍କର କଳ୍ପନା ବି ନ ଥିଲା, କ’ଣ ଲେଖେ । କ’ଣ ପଢ଼େ ତା’ ବାହାରକୁ ଯାଏ ନାହିଁ । ଲେଖେ ସାଇତି ରଖେ । ଜୀବନରେ ବଡ଼ ହେବାର ଆଶା ପ୍ରବଳ ହୁଏ । ମାତ୍ର ଖାତା, ବା କାଳି ଟୋପାଏ କିଣିବା ପାଇଁ ମତେ ଅନେକ କଷ୍ଟ କରିବାକୁ ପଡ଼େ । ତେବେ ବି ମୁଁ ଲେଖିଲି । ଅନୀ, ଚନ୍ଦ୍ର ପଢ଼ିଲେ । କାମ କଲୁ । କିନ୍ତୁ କାହା ଦୁଆରକୁ ଗଲୁନାହିଁ । ବଞ୍ଚିବା ପାଇଁ ମୁଁ ନିଜକୁ ପ୍ରସ୍ତୁତ କରିଥିଲି ।

 

ଅସୁସ୍ଥ ହେଲା ଅନୀ । ବର୍ଷାରେ ଭିଜି ସ୍କୁଲଯାଏ । ଟିଫିନ୍‌ ଛୁଟିରେ ଭୋକ ବିକଳରେ ଜାମୁକୋଳି ଗୋଟେଇ ଖାଏ । ଜାମା ପ୍ୟାଣ୍ଟ ଓଦା ହୋଇ ଦେହରେ ଶୁଖେ । ହେଲା ଜ୍ୱର, ଶୋଇଲା ସେ କମ୍ପି କମ୍ପି । ଡାକ୍ତର ଔଷଧ ପଥି ପାଇଁ ପାଖରେ ପଇସା ନାହିଁ । ଦେହରେ ଗହଣା ନାହିଁ । ଦେହ କାଠ ହୋଇଛି, ଆଖିରେ ଲୁହ ନାହିଁ । ତେବେ କ’ଣ ଅନୀ ମରିବ ? ଡାକ୍ତରଖାନାର ନାଲି ଧଳା ମିକ୍‍ସଚର ପିଇ ତ ଅନୀ ଭଲ ହେଉ ନାହିଁ ।

 

ଶୁଣ ନମିତା ? ଅନୀତା କ୍ଲାସ’ ଆସୁନାହିଁ କାହିଁକି ?

 

ମିଇ ସ୍କୁଲର ପଣ୍ଡିତେ ଗେଟ୍‌ ପାଖରୁ ପଚାରିଲେ ।

 

ତା’ର ଦେହ ଖରାପ ସାର୍‌ ! ନମସ୍କାର କରି କହିଲି ।

 

କ’ଣ ହେଲା ତା’ର । ବର୍ଷା ସମୟ, ଲୋକମାନେ ଚାରିଆଡ଼େ ଜ୍ୱରରେ ପଟାଳି ପଡ଼ିଛନ୍ତି ?

 

ମୁଁ ଦେଖିଲ, ପଣ୍ତିତଙ୍କ ମୁହଁରେ ସମବେଦନା । ଧୀର ଅଥଚ ସ୍ପଷ୍ଟ କଣ୍ଠରେ କହିଲି ମତେ ସାହାଯ୍ୟ କରିବେ ?

 

କି ପ୍ରକାର ସାହାଯ୍ୟ ନମିତା ?

 

କାମ କରିବି ? ଯେ କୌଣସି କାମ ହେଲେ ବି ଚଳିବ ?

 

ପଣ୍ତିତଙ୍କ ଆଖି ପାଣିଚିଆ ଦିଶିଲା । ବୋଧହୁଏ ରାୟ ବଂଶର ଏ ଦୈନ୍ୟତା ଦେଖି । ମୁଁ ଖବର ଦେବି ନମିତା ?

 

ଅନୀ ଭଲ ହେଲା । ମୁଁ ଚାକିରି ପାଇଲି, ଗାର୍ଲସ ସ୍କୁଲରେ । ହେଡ଼୍‌ମିଷ୍ଟ୍ରେସଙ୍କ ପାଖରେ-। ରାନ୍ଧିବି, ପାଣି କାଢ଼ିବି । କାଚିବି ଲୁଗା ନେବି ଛୁଆର ଯତ୍ନ । ଖାଇ ପିଇ ମାସକୁ କୋଡ଼ିଏ ଟଙ୍କା-

 

କିଛିଦିନ ଚଳିଗଲୁ ଦୁଃଖରେ । ଅନୀ ପଢ଼ିଲା ପଞ୍ଚମରେ, ଚନ୍ଦ୍ର ଗଲା ହାଇସ୍କୁଲକୁ । ପୁଣି ଆସିଲା ଅସମୟର ଦିନ । ମିଷ୍ଟ୍ରେସ ବଦଳି ହେଲେ । ଯିବା ପୂର୍ବରୁ ମତେ ରଖିଗଲେ ତାଙ୍କର ବଡ଼ ଭଉଣୀ ପାଖରେ କଟକରେ, ସେଇ କାମ । ମାତ୍ର ଦରମା ତିରିଶ ଟଙ୍କା । ଦିନଯାକ କାମ କରେ, ରାତିରେ ଚିଠି ଲେଖେ, ମ୍ୟାଗାଜିନ୍‌ ପଢ଼େ, ପେପର ଓଲଟାଏ । ଛିଣ୍ଡା କାଗଜରେ ଲେଖେ କବିତା-

 

ପ୍ରତିଭା ଲୁଚି ରହେନା । ସାଧାରଣ ଚାକରାଣୀମାନଙ୍କ ଭଳି ମୋର କଥାବାର୍ତ୍ତା, ଚାଲିଚଳନ ନ ଥିଲା । ପରିସ୍ଥିତିରେ ପଡ଼ି ଯେଉଁ କାମ କଲେ ବି ସେଥିପାଇଁ ମନରେ ଗ୍ଳାନି ନ ଥିଲା-। ମୂଲ୍ୟବାନ ଶାଢ଼ି, ବ୍ଲାଉସ ନ ଥିଲେ ବି ପରିଷ୍କାର ଥିଲା । ନ ଜାଣିବା ଲୋକ ହଠାତ୍‌ ଘରର ଲୋକ ଭାବି ନିଜକୁ ଭ୍ରମରେ ପକାଉ ଥିଲେ । ମୁଁ ନିଜ ଘର ଭଳି ଘରଗୁଡ଼ିକ ସଜାଉ ଥିଲି । ଆଉ ଏକାନ୍ତ ଆନୁଗତ୍ୟରେ ପରିବାରର ସମସ୍ତଙ୍କୁ ମୁଗ୍‌ଧ ରଖିଥିଲି । ଅବସରବେଳେ, ଭାବୁଥିଲି ଅନୀ ଓ ଚନ୍ଦ୍ର କଥା । କିନ୍ତୁ ପରିବାର ବୋଲି କିଛି ନ ଥିଲା ।

 

ମାଲିକଙ୍କର ଝିଅ ଶିପ୍ରା ? ସେ ମୋତେ ଖୁବ୍‍ ଭଲ ପାଉଥିଲା । ବୟସ କିଛିଟା ସାନ । ତେବେ ବି ନିଜର ସମ୍ମାନ ଦୃଷ୍ଟିରୁ ସେ ମତେ ଡାକେ ନମିତା । ହୁଏତ ଅପା ବୋଲି ଡାକିବାକୁ ପଛେଇ ଥିଲା । ଯେହେତୁ ମୁଁ ଥିଲି ଗୋଟିଏ ଚାକରାଣୀ ।

 

ଶିପ୍ରା’ର ଅନେକ ବନ୍ଧୁ ବାନ୍ଧବୀ ସମସ୍ତଙ୍କୁ ମୁଁ ଚା’ଜଳଖିଆ, ସିଗାରେଟ୍‍ ସର୍ବତ୍‍ ଦେଇଛି-। ଦିନେ ଆସିଲେ ସୁରଜ ମହମ୍ମଦ । ସେ ଶିପ୍ରା’ର ଅତି ଇଣ୍ଟିମେଣ୍ଟ । ଶିପ୍ରାଠାରୁ ଶୁଣି ସେ ମତେ ସାହାଯ୍ୟ କଲେ । ମୋର ଲେଖାଗୁଡ଼ିକ ତାଙ୍କରି ପ୍ରଚେଷ୍ଟାରେ ଛୋଟ ଛୋଟ ମ୍ୟାଗାଜିନରେ ସ୍ଥାନ ପାଇଲା । ଦୁଇଗୁଣ ଉତ୍ସାହ ନେଇ ମୁଁ ଲେଖାଲେଖି କଲି । ସେଇ ପରିପ୍ରେକ୍ଷୀରେ ପରିଚିତ ହେଲେ ଦୀପଙ୍କର ।

 

କିନ୍ତୁ ସବୁ ଦିନେ ଓଲଟ ପାଲଟ ହେଲା । ଅନି ଲେଖିଲା ଚିଠି ବଡ଼ ବଡ଼ ବେଖାପ ଅକ୍ଷର ଭିତରେ । ମୁଁ ଦେଖିଲି କାନ୍ଦୁରୀ ଅବୁଝି ଅନୀର ମୁହଁ । ତୁ ଚାଲିଆ ଅପା’ ଆମର ପଇସା ଦରକାର ନାହିଁ । ଗାଁ ଲୋକମାନେ ତତେ କେତେ ଖରାପ ଭାବୁଛନ୍ତି । କହୁଛନ୍ତି–ତୁ କୁଆଡ଼େ କଟକରେ ବାହାହୋଇ ରହିଲୁଣି । ନାଇଁ ଅପା, ଆମେ ଆଉ ଏତେ କଷ୍ଟରେ ଚଳିପାରିବୁ ନାହିଁ । ତୁ ସେଠାରେ ମଜାରେ ଅଛୁ । ଆମକଥା ତୋ’ର ମନେପଡ଼ିବ କାହିଁକି ? ଛାତି ଆହୁରି ପଥର ହେଲା-। ଫେରିଲି, ମାତ୍ର ଆସିବା ପୂର୍ବରୁ ଚନ୍ଦ୍ର ପାଇଁ କିଛି ଗୋଟାଏ କରିବା ପାଇଁ ଅନୁରୋଧ କରିଥିଲି-

 

ଗାଁ’କୁ ଆସି ଦେଖିଲି ସମସ୍ତଙ୍କ ମୁହଁରେ କୌତୂହଳ । ଆଖିରେ ଅନେକ ଅସୁମାରୀ ପ୍ରଶ୍ନ । ସକାଳର ପ୍ରଥମ ସୂର୍ଯ୍ୟ, ଦେଖିବା ପୂର୍ବରୁ କାନ୍ଥରୁ ଚକଖଡ଼ିର ଅଶ୍ଳୀଳ ଲେଖା ପ୍ରତ୍ୟେହ ଲିଭାଇବାକୁ ପଡ଼ିଲା ମତେ, ପଇସା ଓ ସମୟ ନଷ୍ଟ କରି । କେତେ ବେନାମୀ ଚିଠି ଆସିଲା ମୋର ଧୈର୍ଯ୍ୟ ନଷ୍ଟ କରିବା ପାଇଁ । ତେବେ ବି ପ୍ରତିବାଦ କରିନାହିଁ । ଆଖିରୁ ଲୁହ ଢାଳି ସମୟ ନଷ୍ଟ କରିନାହିଁ । ବରଂ କୁତ୍ସା ଶୁଣି ମୋର ଜିଦ୍‍ ବଢ଼ିଲା । ନା, ସେମାନେ ମତେ ଯାହା ଭାବିଲେ ବି, ମୁଁ କେବେ ତା’ ନୁହଁ । ଏ ସତ୍ୟତା ମୁଁ ଦିନେ ହେଲେ ବି ଉନ୍ମୋଚିତ କରିବି ।

 

ଚନ୍ଦ୍ର ଚାକିରି ପାଇଲା, କ୍ୟାପିଟାଲରେ । ଅଫିସ ପିଅନ୍‍ ଦରମା ଷାଠିଏ ଟଙ୍କା; ଇଚ୍ଛା କରିବି ଘରକୁ ଆସିପାରେ ନାହିଁ । ଘରୋଇ ଚାକର ପରି । ସେ ଏସ୍‍.ଡି.ଓ ବସାରେ କାମ କରେ । ଅନୀ ବଡ଼ ହେଲାଣି, ଗାର୍ଲସ ସ୍କୁଲରେ ପଢ଼େ । ସାଙ୍ଗ ଝିଅମାନଙ୍କ ଫେସନ ଦେଖି ମନ ଦୁଃଖ କରେ । ଥିବା ଭିତରେ ନିଜକୁ ସଜାଏ । ସିନେମା ଗୀତ’କୁ ଖାତାରେ ଟିପେ । ତା’ଦେହରେ ବସନ୍ତ’ର ଫଗୁ ହୋରି । କଥାରେ ଚାଲିରେ ବନ୍ୟ ଝରଣା ଭଳି ସେ କଳ କଳ, ଛଳ ଛଳ । କିନ୍ତୁ ମୋ ମନରେ କେବଳ ଗୋଟିଏ ନିଶା । ନିଜକୁ ଏଇ ଗ୍ରାମ୍ୟ ପରିବେଶରୁ କିଛିଟା ସ୍ୱତନ୍ତ୍ର କରିବି । ଦେହକୁ ଚାହିଁଲି, ନା ସମସ୍ତ ଦୈନ୍ୟତା ଭିତରେ ମୁଁ ଯୌବନକୁ ଶାଢ଼ି, ବ୍ଲାଉସ ଭିତରେ ମୋଡ଼ି ମୋଡ଼ି ରଖିଛି । ମନରେ ଭୋଗର ତୃଷ୍ଣା ଅନେକଟା ନାହିଁ । କେବଳ ଗୋଟାଏ ନିଶା–ନିଜକୁ ପ୍ରତିଷ୍ଠିତ କରିବି । ଅନ୍ୟମାନେ ମତେ ଯାହା ଭାବନ୍ତି, ମୁଁ କେବେ ତା’ ଚେଷ୍ଟା କରି ବି ହୋଇନାହିଁ । ଯଦି ହେବାର ଥା’ନ୍ତା, ତେବେ ହୋଇଥା’ନ୍ତା ସେଇଦିନ । ଯେଉଁଦିନ ମଳୟ ହସିଥିଲା, ଫଗୁଣ ନାଚୁଥିଲା, ପୂର୍ଣ୍ଣମୀ କୋଳରେ ଶୋଇଥିଲା ସଜ ଚାନ୍ଦ ।

 

ମୁଁ ସେତିକିବେଳେ ନେଉଥିଲି ଏଇ ଶପଥ । ଯାହା ଅନେକ ବାର ପୁନରାବୃତ୍ତି ହୋଇଥିଲା । ମୋ’ ଘରକୁ ଆସିଥିଲେ ସୁରଜ ମହମ୍ମଦ । ଆଶ୍ଚର୍ଯ୍ୟ ହେବାର କଥା, ତେବେ ବି କେଜାଣି କାହିଁକି, ସୁରଜ ମତେ ଲାଗିଲେ ଆପଣାର ଭଳି । ମୋର ମନେହେଲା ସୁରଜ, ଯେପରି ମୋର ବଡ଼ ଭାଇ । ତାଙ୍କ ବ୍ୟବହାର ବି ଅନେକଟା ସେମିତି ଥିଲା ।

 

ବର୍ତ୍ତମାନ କବିତା ଲେଖୁଛ !

 

ହଁ । କବିତା ଅପେକ୍ଷା ଗଳ୍ପ ବି ଆରମ୍ଭ କରିଛି !

 

କେଉଁ ବିଷୟରେ ?

 

ଜୀବନ ଯନ୍ତ୍ରଣାକୁ ବାଦ୍‍ ଦେଲେ କବିତାର ଅର୍ଥ କ’ଣ ?

 

 

ତେବେ ମୋ’ ମତରେ ପ୍ରେମ’ ବାଦ୍‍ ଦେଲେ କବିତା ଅସମ୍ପୂର୍ଣ୍ଣ । କବିତା ଲେଖି କେହି ଜୀବନ ଯନ୍ତ୍ରଣାକୁ ଅନୁଭବ କରେନାହିଁ । ମାତ୍ର ପ୍ରେମ କଲେ ଜୀବନକୁ ଦେଖି ପାରିଲେ ତମେ ସାର୍ଥକ କବିତା ସୃଷ୍ଟି କରିବ । ମୋର ବିଶ୍ୱାସ ତମେ ଏଥର ଅନୁଭବ କରିବ । ତମଠାରେ ସେଭଳି ବିଶିଷ୍ଟତା ଅଛି । ସତେ ନମି ! ତମେ ମତେ କେଜାଣି କାହିଁକି ଭଲ ଲାଗ ।

 

କେଜାଣି, ମୁଁ ତ ଜାଣିପାରୁନାହିଁ ।

 

ତମେ ତ କେବେ ପୁରୁଷର ଆଖି ନେଇ ନିଜକୁ ଦେଖି ନାହଁ । ଆକାଶ ପରି ତମ ରୂପ ସେ ସୀମାହୀନ । ସତେ ନମିତା ! ମୁଁ ନିଜକୁ ଉତ୍ତପ୍ତ ମନେକରୁଛି । ଏ ପରିବେଶ, ଏ ଆକାଶର ଚାନ୍ଦୁଆ ତଳେ, ତମେ ଆଉ ମୁଁ ! ଯିଏ ଜଳାଏ, ସେ ଲିଭାଇବାକୁ ବିଳମ୍ବ କରେ କାହିଁକି ?

 

ଶୁଣ ସୁରଜ ! ସ୍ନାୟୁର ଶାନ୍ତି ପାଇଁ ବିଶ୍ରାମ ପ୍ରୟୋଜନ । ଉତ୍ତେଜନା ନୁହେଁ । ତା’ ବ୍ୟତୀତ, ମୋର ଦେହଟା ଏ ପର୍ଯ୍ୟନ୍ତ ପୁରୁଷର ସ୍ପର୍ଶ ଖୋଜି ନାହିଁ ।

 

ସେ ସ୍ପର୍ଶ ମୁଁ ଦେବି ନମିତା ! ମତେ ତମେ କଥା ଦିଅ । ପ୍ରଥମ ଦେଖାରୁ ତମକୁ ଆପଣାର କରିବାକୁ ମନ ହେଲା । ରହିପାରିଲି ନାହିଁ ନମିତା ତମକୁ ନ ଦେଖି !

 

ତମ ମୁହଁରୁ ଏ କଥା ଶୁଣିଲା ପରେ, ମତେ ଲାଗିଲା ! ଏଇ ତେବେ ପ୍ରେମ । ଯାହା ତମେ ମତେ ଶିକ୍ଷା ଦେବାକୁ ଚାହୁଁଛ !

 

ହଁ ! ନମିତା ! ଜାତି ଭେଦ ଡେଇଁ ସେ ପ୍ରେମ ମୋର କେବଳ ତମରି ପାଇଁ !

 

ସ୍ଥିର ହୁଅ ସୁରଜ, ଜୀବନରେ ମୁଁ ସମସ୍ତଙ୍କୁ ବିଶ୍ୱାସ କରିଛି । ତେବେ ତମ ପ୍ରତି ମୋର ଗୋଟିଏ ସ୍ୱତନ୍ତ୍ର ଶ୍ରଦ୍ଧା ଆସିଛି । ସତକୁହ ତମେ କ’ଣ ଚାହଁ ମୋଠୁଁ । ଯାହାପାଇଁ ତମେ ଧାଇଁ ଆସିଛ ଏତେଦୂର ।

 

ମୁଁ ଚାହେଁ, ନମିତା ! ତମ ପାଖରେ ମତେ କେବଳ କିଛି ସମୟ ପାଇଁ ପୁରୁଷ ହେବାକୁ ଦିଅ । ତମର ଏଇ ଚିରନ୍ତନ ରାଣୀର ରୂପ...

 

ମନର ବିହୁନେ ଏ ସବୁ ଅର୍ଥହୀନ । ତମେ ବି’ତ କମ୍‍ ସୁନ୍ଦର ନୁହଁ, ତମକୁ ତୋଷାମଦ କରୁନାହିଁ । ତମେ ନିଶ୍ଚିତଭାବେ ସୁନ୍ଦର । ତେବେ ବି ତମେ, ମତେ କ’ଣ ବା ଦେଇପାରିବ । ତା’ବୋଲି ତମକୁ ମୁଁ ଦରିଦ୍ର କହୁନାହିଁ । ତମେ, ସବୁ ଦିଗରୁ ଐଶ୍ୱର୍ଯ୍ୟମୟ । କିନ୍ତୁ ସେ ଐଶ୍ୱର୍ଯ୍ୟ ଦରକାରରେ ଆସିବ ନାହିଁ ।

 

ହୁଏତ ତମ କଥା ସତ, ତଥାପି ଅପ୍ରିୟ ।

 

ମୁଁ କିଛି ଭୁଲ୍‍ କହିନାହିଁ, ସୁରଜ ! ହଜାର ଜଣକ ପାଖରେ କୃପଣ ହୋଇ ହଠାତ୍‍ ଜଣକ ପାଖରେ ଦାନଶୀଳ ଭାବରେ ସବୁ ଅଜାଡ଼ି ଦେବାର ଖିଆଲ ମୋ’ଭାଗ୍ୟରେ ଯୁଟିନାହିଁ, କି ଯୁଟିବ ନାହିଁ ।

 

ମୋର ଅନେକ ଦୁଃଖ ନମିତା...ସେ ଏକ ସୁଦୀର୍ଘ କାହାଣୀ । ତା’ବ୍ୟତୀତ ନିଜର ଅନ୍ୟସହ ପ୍ରେମ ଗଳ୍ପକୁ କୌଣସି ନାରୀକୁ କହିବା ଅଶୋଭନୀୟ, କର୍କଶ ।

 

ମୁଁ ତୁମର ପ୍ରେମିକା ନୁହେଁ ସୁରଜ । ସ୍ନାୟୁର ଶାନ୍ତି ପାଇଁ ପୃଥିବୀରେ ଅନେକ ଝିଅ ଅଛନ୍ତି । କିନ୍ତୁ ତମ ବିଫଳତା କାହାଣୀରେ ଯଦି ମତେ ଅଂଶୀଦାର କର ମୁଁ ଖୁସି ହେବି । ମୁଁ ପ୍ରେମରେ ବିଶ୍ୱାସ କରେ ନାହିଁ ।

 

ମୁଁ ଗୋଟିଏ ଝିଅକୁ ଭଲ ପାଏ ନମିତା । ଆଉ ଆଶ୍ଚର୍ଯ୍ୟ, ସେ ମତେ ବର୍ତ୍ତମାନ ଅସହ୍ୟ ବେଦନା ଦେଉଛି ।

 

ବେଶ୍, ସେ ଝିଅ ଯଦି ତମ ପାଖକୁ ଆସେ ।

 

ଆସିବ ନାହିଁ, ନମିତା ? ଆଜିକାଲି ସେ ଚିଠିର ଉତ୍ତର ଦିଏ ନାହିଁ । ମୁଁ କିନ୍ତୁ ତାକୁ ହିଁ ଚାହେଁ.....

 

ସେ ଦାୟିତ୍ୱ ମୋର ସୁରଜ । ଜୀବନରେ ତମରି ପାଇଁ ମୁଁ ଲେଖିବି । ପ୍ରେମ ପାଇଁ ଚିଠି, କବିତା । ଦେଖିବି, ସେ ଝିଅର ହୃଦୟ ଅଛି କି ନା ।

 

ମଣିଷ ପାଖରେ ହୃଦୟ ନିଶ୍ଚୟ ଥାଏ । ତେବେ ତମପରି ମୂଲ୍ୟବାନ ହୃଦୟ ନ ମିଳି ପାରେ ।

 

ଶୁଣ, ସୁରଜ ! ତମର ଭଉଣୀ ଅଛନ୍ତି କି ନା ଜାଣେନା । କିନ୍ତୁ ମୁଁ ତମକୁ ଭାଇ ଭଳି ଭଲପାଏ ।

 

ସତରେ ନମିତା ! ତମେ ମୋର ଭଉଣୀ ହିଁ ହୋଇପାର । ସୁରଜ ମୁଠେଇ ଧରିଲେ ମୋରି ହାତ । କହିଲେ–ଜଗତରେ ସବୁ ସହିହୁଏ । ମାତ୍ର ମାତୃତ୍ୱର ଅବମାନନା ନୁହେଁ....ତମ ଲେଖା ପାଇଁ ମତେ କରିବାକୁ ଅନୁମତି ଦିଅ ।

 

ସୁରଜ ଚାଲିଗଲେ । କେତେ କବିତା, କେତେ ଚିଠି ମୁଁ ଲେଖିଛି ସୁରଜଙ୍କ ପାଇଁ । ଅବଶୋଷରେ ସୁରଜ ସେଇ ଛବି ନାମଧାରୀ ଝିଅକୁ ବିବାହ କଲେ । କିନ୍ତୁ ! ମୋ ନାମରେ ଅପପ୍ରଚାରର ସୀମା ଟପିଲା । ଆଉ ସେଇ ଅପପ୍ରଚାରକୁ ବିଶ୍ୱାସ କରିଥିଲା ସାନ ଭଉଣୀ ଅନୀ ।

 

ଚାହିଁଲି ଅନୀ ମୁହଁକୁ, କହିଲେ ଅନୀ ! ତୁମକୁ ଛାଡ଼ି ମୁଁ ନିଜକୁ କେବେ ଭାବିନାହିଁ । ତୁ ସନ୍ଦେହ କଲେ ମୁଁ ଦୁଃଖ ପାଇବି ।

 

ହେଲେ, ଅପା । ସେ ମହମଡ଼ିୟାନ । ଆମ ଘରେ ଆସିଥିଲା କାହିଁକି । ପୁଣି ରହିଲା ବା କିପରି । ଲୋକମାନେ କ’ଣ କହୁଛନ୍ତି ।

 

କାହାକଥା ଶୁଣିଥିଲେ ଆମେ ବଞ୍ଚି ନ ଥାନ୍ତେ ଅନୀ । ରାୟ ବଂଶର ମର୍ଯ୍ୟାଦା ରଖିବା ପାଇଁକି ମୁଁ ନିଜକୁ ହଜାଇ ଦେଇଛି ।

 

ତେବେ ଏତେ ଚିଠି, କବିତା ତା’ ପାଖକୁ ଲେଖିବା କ’ଣ ଦରକାର ।

 

ସେ ଅନେକ କଥା ଅନୀ । ମୁଁ ଜାଣେ, ମୋର କବିତା ଚିଠି, ପୋଷ୍ଟ ଅଫିସରୁ ଚୋରିକରି ସମସ୍ତେ ଅପପ୍ରଚାର କରୁଛନ୍ତି । ଯାହାକୁ ମୁଁ ଲେଖିଥିଲି, ଛବି’ ପାଖକୁ, ତାକୁ ସୁରଜ କପିକରି ପଠାଇ ଥା’ନ୍ତେ ।

 

ସୁରଜ ପାଠ ପଢ଼ିଛନ୍ତି । ଚିଠି ସେ ଲେଖି ପାରିଥା’ନ୍ତେ ।

 

ଲେଖିଥା’ନ୍ତେ–କିନ୍ତୁ ଗୋଟାଏ ଲେଖକର ଚିଠି ପରି ଲେଖିପାରିବେ ନାହିଁ । ଲେଖା ମାଧ୍ୟମରେ ଦୁଃଖ ପ୍ରକାଶ କରିବା ସମସ୍ତେ ପାରନ୍ତି ନାହିଁ ।

 

କିନ୍ତୁ ସୁରଜ ଯେ ନିଜେ ଏ ଅପପ୍ରଚାରର ଅଂଶୀଦାର, ସେ ନିଜେ କହେ । ତୁ କୁଆଡ଼େ ତାକୁ ଭଲପାଉ ।

 

ଥାଉ ଅନୀ, ତୁ ମତେ ବିଶ୍ୱାସ କରିପାରୁ । ମୁଁ ଭଲ ପାଇପାରେ । ମାତ୍ର ପ୍ରେମ କରିପାରେ ନାହିଁ । ସୁରଜ ମହମ୍ମଦ ବିଜାତି ହେଲେ ବି, ସେ ମୋର ଭାଇ । ତେଣୁ ମୁଁ ତାଙ୍କୁ ଭଲ ପାଇଥିଲି । ସେ ଯଦି ମତେ କଳଙ୍କିନୀ ବୋଲି କହିଲେ, ମୋର ଦୁଃଖ କରିବାର ନାହିଁ ।

 

ଅନୀ ଚାଲିଗଲା । ମନକୁ ପଚାରିଲି କ’ଣ ହାରି ଯିବି ? ନା–ସେଇ ଜିଦ୍‌ । ଜୀବନରେ ଜୁଆ ଖେଳରେ ହାରି ବନବାସ କରିବାରେ ଆଦର୍ଶ ଥାଇପାରେ । ମାତ୍ର ଜୀବନର ସଂଜ୍ଞା ଦବ କିଏ-? ପାଦହେଲା ଚଞ୍ଚଳ କାହାର ଅପଶବ୍ଦ ଶୁଣିବାର ଅବସର ନ ରଖି । ମୁଁ ଚାଲିଲି । ମରୁରେ ମଳୟର ସନ୍ଧାନ କରି । ପାଖରେ ଦୁଇଟି ସଭ୍ୟ ଚଷମା ପିନ୍ଧା ନିର୍ବଳ ନିସାହସୀ ଯୌବନ ଅନଭିଜ୍ଞ ଚନ୍ଦ୍ର ଓ ଅନୀ ।

 

ମୁଁ ସକାଳର ନିର୍ଲ୍ଲୋଭ ଚିତ୍ରକୁ ଦେଖୁଥିଲି । ଅନୀ କହିଲା–ଅପା ତତେ ବ୍ରଜ ବଡ଼ବାପା ଡାକୁଛନ୍ତି ।

 

ଆଶ୍ଚର୍ଯ୍ୟ ହେଲି । ବ୍ରଜ ବଡ଼ବାପା ବୋଲି ଅନୀ ଯାହାକୁ କୁଟୁମ୍ୱର ଆପଣାର ମଣିଷ ବୋଲି ଭାବେ । ସେ କିନ୍ତୁ ପ୍ରକୃତରେ ଥିଲେ ଗାଁର ହର୍ତ୍ତାକର୍ତ୍ତା । ମାଲିମକଦ୍ଦମା, ଗାଁ ସାହିର ନ୍ୟାୟ, ନିଶାପ ତାଙ୍କରି ତୁଣ୍ଡର କଥାକୁ ଅପେକ୍ଷା ରଖେ, ତା’ ବ୍ୟତୀତ–ସ୍କୁଲ ସେକ୍ରେଟାରୀ, ପଞ୍ଚାୟତ ମେମ୍ୱର ଭାବରେ ସ୍ୱତନ୍ତ୍ର ସମ୍ମାନ ସେ ଆଶା କରନ୍ତି । ସେଇ କରିଥିଲେ ନିଆଁପାଣି ବାସନ୍ଦ । ପୁଣି ଆଜି କାହିଁକି ?

 

ଦେଖିଲି ଦାଣ୍ଡଦୁଆର ତଳେ, ବ୍ରଜ ବଡ଼ବାପାଙ୍କ ବ୍ୟତୀତ ଆଉ କେତେ ଜଣ । ବ୍ରଜ ବଡ଼ବାପା କହିଲେ–ଦେଖ ନମିତା ! ତମକୁ ଯାହା କହିବା କଥା ସେ ସବୁ ମାତ୍ର କେତେ ପଦ ଭିତରେ ସାରୁଛି ।

 

କୁହନ୍ତୁ–ଆପଣଙ୍କ କଥାକୁ ମୁଁ ଅପେକ୍ଷା କରୁଛି ।

 

ଏ ଗାଁ’ରେ, ଏ ସାହିରେ ଚଳିବାକୁ ହେଲେ କେତେ ନୀତି ମାନିବାକୁ ହୁଏ । ଯାହା ତମେ ଅମାନ୍ୟ କରି, ଆମମନଙ୍କ ମୁହଁରେ କାଳି ଲିପିଛ ।

 

ନୀତି ନିୟମ ମୁଁ ମାନିନାହିଁ । ମାତ୍ର ଆପଣଙ୍କ ଦଣ୍ଡ ମାନିଛି ।

 

ମୁସଲମାନକୁ ଘରେ ରଖିବା, ଆମ ହିନ୍ଦୁ ଘରେ ମନା । ତା’ ବ୍ୟତୀତ ତମେ, ବଡ଼ଝିଅ-। ଲୋକମାନେ କ’ଣ କହୁଛନ୍ତି, ଶୁଣିଛ ।

 

ଶୁଣିବାରେ ମୁଁ ଅଭ୍ୟସ୍ତ ନୁହେଁ । ଗାନ୍ଧୀ-ବାଦ କହେ–ଈଶ୍ୱର ଯାହା; ଆଲ୍ଲା ବି ସେୟା । ଈଶ୍ୱର ଯଦି ଏକ–ମଣିଷ ଫରକ ରଖିବ ନିଜ ଭାଇ ପାଖରୁ କାହିଁକି ? ସୁରଜ ନମାଜ କରେ, ଇଦ୍‌ ପାଳେ, ଆଉ ମୁଁ ଗୀତା ପଢ଼େ । ଆଉ ମନ୍ଦିରରେ ଅଭଡ଼ା ଖାଏ । ତା’ ମୋ ଭିତରେ ଫରକ ରହୁ, ଆପଣ ଚାହିଁ ପାରନ୍ତି । ମାତ୍ର ଭାରତବର୍ଷର ଆଦର୍ଶ ଚାହେଁ ନାହିଁ ।

 

ତେବେ, ତମକୁ ଏ ଘର ଛାଡ଼ି ଦେବାକୁ ହେବ ।

 

ଛାଡ଼ି ଦେବି ! ଯଦି ଉପଯୁକ୍ତ ବା ଅନୁରୂପ ଘର ଖଣ୍ଡିଏ ମତେ ଦେବେ । ତେବେ ଯୁଆଡ଼େ ଗଲେ ବି ମୁଁ ମଣିଷକୁ କେବଳ ମଣିଷ ଭାବରେ ଭେଟିବି ।

 

ତମର ସମାଜରେ ସ୍ଥାନ ନ ରହିପାରେ ।

 

ଏଭଳି ସମାଜକୁ ମୁଁ ଅସ୍ୱୀକାର କରେ । ଆପଣମାନେ ନିଶ୍ଚିନ୍ତ ଥାନ୍ତୁ ।

 

କିନ୍ତୁ ସମାଜକୁ ଛାଡ଼ି ତମେ ପାଦେ ବି ଚାଲି ପାରିବ ନାହିଁ । ସେ ମୁସଲମାନ ତମ ନାମରେ ଯାହା କହୁଛି ତା’ ଶୁଣିଥିଲେ, ତମେ ବୋଧହୁଏ ତା’ ପାଇଁ ସମାଜ ପାଖରେ ବିଦ୍ରୋହୀ ହୁଅନ୍ତ ନାହିଁ ।

 

ସୁରଜ ମହମ୍ମଦ; ଯଦି ହଜାରବାର ମତେ ଖରାପ ବୋଲି ଡେଙ୍ଗୁରା ପିଟେ ତେବେ ମୁଁ କହିବି, ସେ ଭଲ । ସେ ଚେଷ୍ଟା କରି ବି ଖରାପ ହୋଇପାରିବ ନାହିଁ । ସେ ମତେ କହିଛି । ସବୁ ସେ ସହି ପାରିବ ମାତ୍ର ମାତୃଜାତିର ଅବମାନନା ନୁହେଁ ।

 

ତମେ ୟା ଭିତରେ ଲେଖିକା ହୋଇଛ । ୟେ ବୋଧହୁଏ ସଦ୍ୟ ପରିଣତି ।

 

ଲେଖିକା କେବେ ପରିଣତିର ଅପେକ୍ଷା କରେନାହିଁ । ତା’ ନୀତି ହିଁ ତା’ର ଆଦର୍ଶ ।

 

ଆମ ଗାଁ’ର ଅନେକ ଝିଅ, ବୋହୂ ବି.ଏ., ଏମ୍‌.ଏ. ପଢ଼ିଛନ୍ତି । କେତେ ସମ୍ମାନ ତାଙ୍କର-

 

ଅଧ୍ୟାପିକା ହୋଇ ଆରାଧନା ପାଇବା ବୋଧହୁଏ ସମସ୍ତେ ଚାହାନ୍ତି ନାହିଁ । କଳାକୁ ସାଉଁଟି କଳଙ୍କରେ କର୍ଦ୍ଦମାକ୍ତ ହେବା ଇଚ୍ଛା ବିଲ୍‌କୁଲ୍‌ ସ୍ୱତନ୍ତ୍ର ।

 

ଫେରି ଆସିଲି ଘରକୁ ।

 

ଅନୀ କହିଲା–ସତରେ ଅପା ! ତୁ ସେଇ ପଠାଣଟାକୁ ବାହାହବୁ ?

 

ନିଜର ଜୀବନର ଲକ୍ଷ୍ୟ ସ୍ଥିର କର, ଅନୀ । ମୋ’ ଲକ୍ଷ୍ୟ ଏବେ ବି ଅପୂର୍ଣ୍ଣ ।

 

ନିୟୁ କ୍ୟାପିଟାଲ୍‌, ଦିଶୁଥାଏ ସୋ କେଶ୍‍ର ମଡ଼େଲ୍‌ପରି । ବୋଲଡ୍ରୋଜରର ଚୁମ୍ବନରେ-। ନଇଁଲା ରାସ୍ତାରେ ବବ୍‌କଟ୍‌ ଲଳନାମାନଙ୍କର ପରେଟ୍‌ ଥାଏ ପ୍ରାରମ୍ଭିକ ଅବସ୍ଥାରେ ।

 

ପି.ଏଚ୍‌.ଡି. ପିଅନର ଭଉଣୀ ମୁଁ ନମିତା ରାୟ । ଆଜିକାଲି ଆଉ ମତେ ଚାକରାଣୀ କାମ କରିବାକୁ ପଡ଼େ ନାହିଁ । ଘରେ ବସି, ଠୁଙ୍ଗା ତିଆରି କରେ, ଗୁଆ ଭାଙ୍ଗେ, ଇଂରାଜୀ ବହି ଘୋଷେ । ଇଂରାଜୀ, ହିନ୍ଦୀ ହସ୍ତାକ୍ଷର ଲେଖେ, କବିତା ଲେଖେ, ବି କ୍ଷୁଦ୍ରଗଳ୍ପ ଲେଖେ । ପୋଷାକ ପତ୍ର ଉପରେ ସାମାନ୍ୟ ଉନ୍ନତି ଥିଲା । ଅମ୍ବର ଚରଖା ଟ୍ରେନିଂ ପାଇଁ ଭୂବନେଶ୍ୱର ଯାଇଥାଏ । ପ୍ରଥମ ଥର ପାଇଁ ଯାଇ ଥିବାରୁ କ୍ୟାପିଟାଲର ନବ ବର୍ଦ୍ଧିଷ୍ଣୁ ରୂପ ମତେ ଆନନ୍ଦ ଦେଉଥିଲା । ପାଖରେ ପଇସା ନାହିଁ । ମନରେ ସାହସ ଅଛି । ଦେହରେ ପଲ୍ଲୀବାଳାର ପ୍ରାକୃତିକ ସୁଷମା । କଣ୍ଠରେ ନିଷ୍ଠାର ମାଙ୍ଗଳିକ । ଆଖିରେ ବଡ଼ ହେବାର ସ୍ୱପ୍ନ । ସ୍ପନ୍ଦନରେ ବଞ୍ଚିବାର ଜୟଢକ୍‌କା । ଯୌବନ ଅନାଦୃତା ହୋଇ ବି ଫେରି ନ ଥିଲା ।

 

ଏବେ ବି ଅନୀ ପାଠ ପଢ଼ୁଛି। ତା’ର ଶେଷ ବର୍ଷ । ଅମ୍ବର ଚରଖା ଟ୍ରେନିଂ ପାଇ ନିଜେ ମୁଁ ଚଳି ପାରିବି । ଉଠିଲି ଅଫିସ ବାରଣ୍ଡାକୁ । ନମସ୍କାର କଲି ।

 

ଟ୍ରେନିଂ ଅଫିସର କହିଲେ–ସାର୍ଟିଫିକେଟ୍‌ ନ ଥିଲେ ଆମେ ରଖିପାରିବୁ ନାହିଁ । ସାର୍ଟିଫିକେଟ୍‍ ନ ଥିଲେ ବି ମୋର ଯୋଗ୍ୟତା ଅନ୍ତତଃ ମାଟ୍ରିକ୍ୟୁଲେସନର । ଆପଣ ପରୀକ୍ଷା କରିପାରନ୍ତି । ମୋର ଚାକିରି ନିହାତି ପ୍ରୟୋଜନ ।

 

ବୁଝୁଛି । ତେବେ ଫଲସ୍‌ ସାର୍ଟିଫିକେଟ୍‌ ଖଣ୍ଡେ ଆଣ । ରଖିଦେବି ।

 

ଚାକିରି ମୋର ପ୍ରୟୋଜନ ଏହା ନିରାଟ ସତ୍ୟ ହେଲେ ବି ମୁଁ ନିଜକୁ ଠକି ପାରିବି ନାହିଁ-। ସ୍ୱାଧୀନ ଭାରତ । ଗାନ୍ଧୀ ଜବାହାରଙ୍କ ଦେଶ । ମୋ’ ଦେଶର ଗୋଟିଏ ସଦ୍ୟ ସଂସ୍ଥା ନିଷ୍ପାପ ଅବସ୍ଥାରେ ଶୁଭ ଦେଲାବେଳେ ମୁଁ ତା’ର ଅଭ୍ୟନ୍ତରରେ ଲାଞ୍ଚ, ମିଛର ବୋଧିଦ୍ରୁମ ପୋତି ପାରିବି ନାହିଁ । ନମସ୍କାର । ‘କେଦାର-ଗୌରୀ’ର ନିଶ୍ୱାସରେ ସେଦିନ ଥିଲା ବାସୀ ବଉଳର ଭୀରୁ ଆମେଜ-। ଗୋଧୂଳି ଘୁମୋଉଁ ଥିଲା ପାର୍କର କ୍ରୋଟେନ୍‌ କଟିଂ ଉପରେ । ପଛରୁ ପ୍ରୌଢ଼ ଅଫିସରଟି ଗୋଟାଏ ଅବଶୋଷ କଣ୍ଠରେ ମିଶାଇ କହିଲେ–

 

ଆଦର୍ଶର ଏ ଓଜନୀ ଭାର ନେଇ, ଏ ସ୍ୱାଧୀନ ରାଜରାସ୍ତାରେ ତମେ ଚାଲି ପାରିବ ନାହିଁ । ସ୍ୱାଧୀନତାର ସେ ଶିଶୁ ସୂର୍ଯ୍ୟକୁ, କ୍ଷମତାର ରାହୁ ଅନେକ ଆଗରୁ ଗ୍ରାସି ଗଲେଣି । ତମେ ଚାଲିଛ ଆଦର୍ଶବାଦକୁ ସାଙ୍ଗରେ ନେଇ ?

 

ଶୁଣିବାର ଶକ୍ତି ମୋର ନ ଥିଲା ।

 

ଚନ୍ଦ୍ର ପାଖକୁ ଗଲି । ଫେରିବି ଭାବି ରାତିରେ ଶୋଇଲି ଜ୍ୱରରେ । ଦିନେ, ଦି’ଦିନ, ଚାରି ଦିନ । ଫ୍ଲୁ ବ୍ୟାପିଥାଏ ସହରରେ । ଚନ୍ଦ୍ର ଅଫିସର ଦମ୍ପତି ମୋ’ ପ୍ରତି ସମ୍ବେଦନଶୀଳ ଥିଲେ । ଚନ୍ଦ୍ର ସନ୍ଧ୍ୟାରେ ଗଲା ତାଳଚେର । ବିଛଣାରେ ଏକା । ରାତି ଶୋଇଥାଏ ଶୁକ୍ଳା ଚତୁର୍ଦ୍ଦଶୀର ଜରିଶେଯରେ । ଦରଜା ବୋଧହୁଏ ସାମାନ୍ୟ ଠେଲାରେ ଖୋଲିଯାଏ । ତା’ ମତେ ଜଣା ନ ଥିଲା-। ମୁଣ୍ଡରେ ଫ୍ଲୁ’ର ଯନ୍ତ୍ରଣାକୁ ନିଶ୍ଚିନ୍ତରେ ଦୌଡ଼ ଆରମ୍ଭ କରିବାର ସୁବିଧା ଦେଇ ପଡ଼ିଥାଏ-। ଗୋଟାଏ ପ୍ଲାଷ୍ଟିକ୍‌ କଣ୍ଢେଇ ପରି । ମନ ଭାବୁଥାଏ, ଆହା ମୁଣ୍ଡ ଟିକିଏ ଚିପି ଦେବାକୁ ଏ ଜନ ପ୍ରାଚୁର୍ଯ୍ୟ ଭାରତବର୍ଷରେ ଗୋଟାଏ ହେଲେ କେହି ନାହିଁ । ଆଖିରେ ଆଖିଏ ତନ୍ଦ୍ରା ନେଇ କେତେବେଳେ ରାତିର ଶେଯରେ ମୋର ଶହେ ତିନି ଡିଗ୍ରୀ ଦେହଟା ତାତି’ରେ ଭାଜି ହେଉଥିଲା ସେତେବେଳେ ଆହୁରି ଗରମ ଓଠ ଦିଫାଳି ମୋ’ କପାଳ ଉପରେ ଲାଗିଗଲା ।

 

ଆଖି ଖୋଲି ଗଲା । ଦେଖିଲି ନାଇଟ୍‌ ଡ୍ରେସ’ର ସ୍ୱଳ୍ପତା ଭିତରେ ଏସ.ଡ଼ି.ଓ.ସୁଲଳିତ ବୋଷ । କମ୍ପୁଛନ୍ତି ମ୍ୟାଲେରୀୟା ରୋଗୀ ପରି ।

 

ଆପଣ ଏତେ ରାତିରେ ! ଆଉ କଷ୍ଟ କଲେ କାହିଁକି । ମୁଁ ଭଲ ଅଛି ।

 

ସ୍ୱାସ୍ଥ୍ୟର ଯତ୍ନ ନିଅ–ନମିତା ! ସୌନ୍ଦର୍ଯ୍ୟ ପ୍ରତି ଅବହେଳା ସାହିତ୍ୟିକା ପାଇଁ ଚରମ ଅପରାଧ ।

 

ପରିଷ୍କାର ଆଖିରେ ଦେଖିଲି ସୁଲଳିତଙ୍କୁ ! ସଞ୍ଜ ପହରର ଚାଉଁ ଚାଉଁକା ନିଦ । ସଞ୍ଜ ଆଗର ଡାଆଣିଆ ଖରାପରି ବର୍ଣ୍ଣିଳ ଅନୁପମ ସୁନ୍ଦର ।

 

ସେ କହିଲେ–ତମର ନାଁ ମୁଁ ଦୈନିକ ପେପର୍‌ ପୃଷ୍ଠାରେ ଦେଖିଥିଲି । ତମକୁ ଆଜି ଜାଣିଲି ଯେ ସେଇ ନମିତା ରାୟ, ଆମ ଚନ୍ଦ୍ର’ର ବଡ଼ ଭଉଣୀ । ବାସ୍ତବିକ୍‌ ଭଲ ଲଗିଲା ଏ ପରିଚୟ । ଆଶ୍ଚର୍ଯ୍ୟ ଲାଗେ, ତମେ ଏତେ ସୁନ୍ଦର ଲେଖ । ଅଥଚ ତମକୁ କେହି ଜାଣନ୍ତି ନାହିଁ । ତମର ଅନ୍ତତଃ ବିଭିନ୍ନ ସାହିତ୍ୟ ଆସରରେ ଯୋଗଦେବା ଉଚିତ । ସହରରେ ଏ ସବୁ ପାଇଁ ଚାନ୍‍ସ ପାଇବ ।

 

କ୍ଷମା କରନ୍ତୁ ସାର୍‌ । ନିଜ ବିଷୟରେ ପ୍ରଦର୍ଶନୀ ଖୋଲି ମୋ କବିତା ପ୍ରତି ଅନ୍ୟାୟ କରିବା ମୁଁ ଆଦୌ ସହିପାରେନି ।

 

ହୁଏତ ଆତ୍ମସମ୍ମାନକୁ ବାଧୁଛି ? ନଚେତ୍‌ ନିଜକୁ ବିଜ୍ଞାପିତ କରିବାକୁ ନ ଚାହେଁ କିଏ ? ସେବେ ତମର କବିତା ମତେ ପର୍ସନାଲି ଭଲ ଲାଗେନାହିଁ । ସତେକି ଯେପରି ପାଗଳର ପ୍ରଳାପ ପରି । ଅର୍ଥହୀନ, ମୂଲ୍ୟହରା ।

 

ମୋ କବିତା । ସାଙ୍ଗେ ସାଙ୍ଗେ ଭଲ ଲାଗେ ଆପଣଙ୍କୁ, ପୁଣି ପରକ୍ଷଣରେ ଲାଗେ ପ୍ରଳାପ ଭଳି । ଏ ତୃପ୍ତି ପ୍ରତି ଭବିଷ୍ୟତରେ ମୁଁ ଲକ୍ଷ୍ୟ ନିଶ୍ଚିତ ଦେବି । ଯା’ନ୍ତୁ ଶୋଇବେ ? ନିରୁତ୍ତାପ କଣ୍ଠର କେତେପଦ କଥାରେ ସୁଲଳିତ ପାଲଟି ଗଲେ ଯେପରି କ୍ଳୀବ । ସେ ଫେରିଗଲେ ।

 

ସକାଳର ମୁଲାୟମ ସୂର୍ଯ୍ୟ ଲିଙ୍ଗରାଜଙ୍କ ଦେଉଳ ଚୂଡ଼ାରେ ହସିବା ପୂର୍ବରୁ ମୁଁ ଫେରି ଆସିଥିଲି ବସ୍‌ଷ୍ଟାଣ୍ଡକୁ ।

 

ଦୁଇଦିନ ପରେ ଯେତେବେଳେ ଅନୀ’ର ହେଡ଼୍‌ମାଷ୍ଟ୍ରେ କହୁଥିଲେ–

 

ଅନୀ’ଟା କ୍ଲାସରେ ଦୁର୍ବଳ ? ନିହାତି କମରେ ଆଲଜେବ୍ରା’ରେ ତାକୁ ଟିଉସନ୍‌ ନ କଲେ ଡେଭ୍‌ଲପ୍‌ କରିପାରିବ ନାହିଁ ।

 

କିନ୍ତୁ ମୁଁ ଦେଖୁଥିଲି ଖାଲି ଟଙ୍କାର ପ୍ରୟୋଜନ । ଖିଆଲି, ବିଳାସପ୍ରିୟ ଅନୀ, ମୁଣ୍ଡରେ ଆଲଜେବ୍ରାର ଜଟିଳ ଫର୍ମୁଲାଗୁଡ଼ାକ କେମିତି ସରଳ ହେବ । ସେ ପାଇଁ ପ୍ରୟୋଜନ ଅର୍ଥ ସେ ପାଇବ କେଉଁଠୁ । ଟିଉସନ୍‌ ପାଇଁ ଟଙ୍କାର ବଜେଟ୍‌, ତା’ ଖର୍ଚ୍ଚ ଲିଷ୍ଟରେ ତ ନାହିଁ ।

 

ଚନ୍ଦ୍ର ଫେରିଲା । ମୁହଁରେ ହରେଇ ଥିବାର ନୈରାଶ୍ୟ । ସେ ପିଅନ ଚାକିରିରୁ ରିଜାଇନ୍‌ ଦେଇଥିଲା । ଗଭୀର ଆତ୍ମପ୍ରତ୍ୟୟକୁ ଆଖି ଆଗରେ ରଖି ଏସ୍‌.ଡି.ଓ.ଙ୍କ ଦୁର୍ବ୍ୟବହାରର ମୁକାବିଲା କରିଥିଲା ।

 

ମୁଁ ଚନ୍ଦ୍ର’କୁ କିଛି କହି ନ ଥିଲି । କେବଳ ଜାଣିଲି ଚନ୍ଦ୍ର’ର ଚାକିରି ପାଖରେ ମୋ’ ଦେହର ବାଜି ଲାଗିଥିଲା । ମୁଁ ଦେଲି ନାହିଁ । ହାରିଗଲା ମୋ’ ଭାଇ ?

 

ଇଉକାଲି ପଟାସ୍, ବୁଗେନ୍‌ଭିଲ୍ଲା ସେପାଖରେ ଲତାୟତ ସୌନ୍ଦର୍ଯ୍ୟ ଓ ଧାରୁଆ ପତ୍ରଗୁଡ଼ିକ ମନିପ୍ଲାଣ୍ଟର’ ତୀର୍ଯ୍ୟକ ଚେରମାନ କାଚର ସ୍ୱଚ୍ଛ ପାଣିରେ ବିଛେଇ ହୋଇପଡ଼ିଛି । ଆଲୋକର ଇନ୍ଦ୍ରଧନୁ ପଡ଼ିଛି । ଏ ସଞ୍ଜର ମୃତ୍ୟୁ ନାହିଁ । କେତେ ଉଲଗ୍ନ ଫୁଲର ସମାରୋହ । ଚାହିଁଲି ସେପାଖକୁ । ଭେନସ୍‌ର ଗୋଟାଏ ଲଙ୍ଗଳା ମୂର୍ତ୍ତି । ବଡ଼ଲୋକମାନଙ୍କର କି ଯେ ଖିଆଲ, ଅଯଥା ଗୁଡ଼ାଏ ସେଣ୍ଟିମେଣ୍ଟାଲିଟି ।

 

ମୁଁ ନିଶ୍ଚୟ ସୌମେନ୍‌ ବୋଷଙ୍କ ସହ କଥା କହୁଛି ।

 

...ହଁ ମୁଁ ସୌମେନ୍‌ ବୋଷ । ମାତ୍ର ଆପଣ ?

 

ଆପଣଙ୍କ ସହ ପରିଚୟ ମୋର ପ୍ରଥମ । ଦେଖନ୍ତୁ ଏଇ ପର୍ଶଟା ପାଇଁ ମୁଁ ଏଠାକୁ ଆସିବାକୁ ବାଧ୍ୟହେଲି ।

 

ସୌମେନ୍‌ ଚମକି ଉଠିଗଲେ । ନିଜର କୋଟ୍‌ପକେଟ ଅଣ୍ଡାଳି କହିଲେ–ଆପଣ ମୋର ଅନେକ ଉପକାର କଲେ । ଟଙ୍କା’କୁ ବାଦଦେଲେ ଦୁଇତିନି ଖଣ୍ଡ ମୂଲ୍ୟବାନ କାଗଜ ଏଥିରେ ଥିଲା-। ସେଗୁଡ଼ିକ ହଜିଥିଲେ....କିନ୍ତୁ.... ଆପଣ ପାଇଲେ କେମିତି ?

 

ବସ୍‌ଭିତରୁ ମୋର ବ୍ୟାଗ୍‌ପାଖରେ ପଡ଼ିଥିଲା । ଖୋଲି ଦେଖିଲି କାର୍ଡ଼ ଖଣ୍ଡିଏ ଅଛି । ଯେଉଁଥିରୁ ଆଡ୍ରେଶ ଯୋଗାଡ଼ କରି ଆସିବା ସମ୍ଭବ ହେଲା । ପ୍ରଥମେ ଆପଣ ଦେଖନ୍ତୁ, ମନିପର୍ଶ’ର ସବୁ ଠିକ୍‌ ଅଛି କି ନା ।

 

ଆପଣଙ୍କର କୌଣସି ପରିଚୟ ତ ମୋ ପାଖରେ ଦେଉ ନାହାନ୍ତି । ତେବେ ଆପଣ ଆଜି ପ୍ରମାଣିତ କରାଇ ଦେଲେ ଯେ ଦୁନିଆରେ ଆଜି ବି ସତ୍‌ ଏବଂ ମହତ୍‌ ଲୋକ କିଛି ଅଛନ୍ତି ।

 

ହସି କହିଲି–ଯାହା ହେଉ, ସେତିକି କେବଳ ସାନ୍ତ୍ୱନା ।

 

ନା ସାନ୍ତ୍ୱନା ନୁହେଁ । ମଣିଷ ସମ୍ୱନ୍ଧରେ ମୋ’ ଚିନ୍ତାଧାରାକୁ ଆପଣ ବଦଳାଇ ଦେଇଛନ୍ତି । ଆପଣଙ୍କର ଏ ଉପକାର ମନେରହିବା ଭଳି । ବଦଳରେ...

 

କ’ଣ ଟଙ୍କା ଦେବେ, ସୌମେନ୍‌ବାବୁ । କେତେ ଟଙ୍କା । ପର୍ଶରେ ଯାହା ଅଛି ତା’ଠାରୁ ବେଶି । କ୍ଷମା କରନ୍ତୁ । ମୁଁ ଯାହା କରିଛି, କେବଳ କରଣୀୟହିଁ କରିଛି । ମତେ ଯିବାକୁ ଦିଅନ୍ତୁ ?

 

କିନ୍ତୁ, କପେ କଫି, ଅନ୍ତତଃ....

 

କିଛି ଭାବିବେ ନାହିଁ । ମୁଁ ଚା’ କିମ୍ୱା କଫି ଖାଏ ନାହିଁ । ବରଂ ଗ୍ଲାସେ ପାଣି ।

 

ସୌମେନ୍‌ ସରବତ୍ ପାଇଁ ବରାଦ ଦେଇ କହିଲେ–ଆପଣଙ୍କ ପରିଚୟ ଦେବା ପାଇଁ, ମତେ କିଛି କହନ୍ତୁ ।

 

ମୁଁ ନମିତା ରାୟ । ଉର୍ବଶୀ’ରେ କାମପାଇଁ ଆସିଥିଲେ

 

ଉର୍ବଶୀ’ରେ....

 

ହଁ,ସେଲ୍‌ସମ୍ୟାନ୍‌ ପାଇଁ ।

 

କ’ଣ ହେଲା–

 

ନା–ଆଶା ଅନେକଟା କମ୍‌ ।

 

ଅନ୍ୟକିଛି କରିପାରିଥା’ନ୍ତେ ତ ?

 

ସାର୍ଟିଫିକେଟ୍‌ ନାହିଁ ।

 

ଇଂଲିଶ ଜାଣନ୍ତି ?

 

ହଁ–ସେଇ ପାଇଁ ପ୍ରାଇଭେଟ ଷ୍ଟ୍ରୋରରେ ମୋର ଆଶା ଥିଲା ।

 

ଉର୍ବଶୀ’ର ମ୍ୟାନେଜର ବାବାଙ୍କର ବନ୍ଧୁ । ଆପଣ ଚାଲନ୍ତୁ । ମୁଁ ବାବାଙ୍କୁ କହୁଛି ।

 

ଷ୍ଟେଟସ୍‌ମ୍ୟାନ ଦେଖୁଥିଲେ ସୌମେନ୍‌’ର ବାବା, ସୁଲଳିତ । ସୌମେନ୍‌ ସବୁ କହିଗଲେ ଗୋଟି ଗୋଟି କରି । ମନିପର୍ଶ ଓ ସେଥିରେ ମୂଲ୍ୟବାନ କାଗଜ କଥା ବି ଭୁଲିଲେ ନାହିଁ ।

 

କାଗଜ ଉପରୁ ମୁହଁ ଟେକିଲେ ସୁଲଳିତ । ସୌମେନ୍‌ ପାଖରେ, ସେ ଦିଶୁଥିଲେ ଭାଇ ଭଳି । ଅନେକ ଆଗରୁ ଚିହ୍ନି ପାରିଥିଲି ସୁଲଳିତଙ୍କୁ । ଯିଏ, ମୋ’ଭାଇ ଚନ୍ଦ୍ରକାନ୍ତକୁ ରିଜାଇନ୍‌ ପାଇଁ ବାଧ୍ୟ କରିଥିଲେ ।

 

ନମସ୍କାର କରି ଉଠି ଆସିଲି ।

 

ସୌମେନ୍‌ କହୁଥିଲେ–ଜାଣନ୍ତି ବାବା, ପ୍ରାୟ ଦୁଇ ହଜାରରୁ କିଛି ବେଶି ଟଙ୍କା ଥିଲା ପର୍ଶରେ । ଆପଣ ଉର୍ବଶୀ’କୁ ଫୋନ୍‌ କରନ୍ତୁ, ମ୍ୟାନେଜର ଆପଣଙ୍କ କଥା ରଖିବେ ।

 

ଉର୍ବଶୀ’ରେ ଚାକିରି ପାଇଲି । ଚନ୍ଦ୍ରକୁ ପଠାଇଲି ଟି.ସି.ପାଇଁ । ଅନୀର ମ୍ୟାଟ୍ରିକ୍‌ ଶେଷ ବର୍ଷ । ତାକୁ ହଷ୍ଟେଲରେ ରଖିବା ପାଇଁ ପଇସା ମତେ ମିଳୁଥିଲା । କେବଳ ଏଇ କାମ ଭିତରେ କେତୋଟି ଦିନ କଟିଗଲା । ବେଳେ ବେଳେ ସୌମେନ୍‌ ଆସନ୍ତି । ନିଜକଥା ଭାବିବାକୁ ମତେ ସମୟ ନ ମିଳିବାବେଳେ, ମୋ କଥା ଅନେକ ଭାବନ୍ତି । ମୁଁ ଥିଲି ଗୋଟାଏ ଅଧା ଦେଖା ମିଠା ସ୍ୱପ୍ନ ପରି । କେତେ ହାତର ଇଙ୍ଗିତ ମୋରି ପାଇଁ ଲମ୍ୱି ଆସେ । କିନ୍ତୁ କୌଣସି ଗୋଟିଏ ହାତ ଭିତରେ ନ ଥାଏ ଗଭୀରତାର ପ୍ରଶାନ୍ତି । ଆଶ୍ରୟର ଅଭୟ କବଚ । କେବଳ କ୍ଷଣକର କୁଟୀଳ ଭୃଭଙ୍ଗୀ । ଫୁଲ କହେ–ଫୁଟିବା ମୋର ଧର୍ମ । ମୁଁ ଫୁଟିବି । ମଧୁପ କହେ ଲୁଟିବା ମୋର ପୌରୁଷ ମୁଁ ଲୁଟିବି-। ମୁଁ ସେମିତି ଫୁଟିବାର ଧର୍ମନେଇ ଫୁଟିଥିଲି । ମାତ୍ର ଲୋଟାଇ, ଲୁଟାଇ ଦେଇ ନ ଥିଲି ।

 

ଜୀବନର ଚକାଖଣ୍ଡି ଗଡ଼ିଚାଲେ । କେତେ ମୁହଁ ଦିଶେ । ଲିଭିଯାଏ । କେତେ ପୁଣି ଆଦୌ ଲିଭେ ନାହିଁ । ଦୀପଙ୍କର’ର ମୁହଁ ମୁଁ ଦେଖିଲି ଗୋଟିଏ ଉଦାସ ସନ୍ଧ୍ୟାରେ । ପୂର୍ବର ପରିଚୟ ଥିଲା କାଳି କଲମରେ ।

 

ମୁକୁଳା ଆକାଶ କ୍ଷିପ୍ର ଗତିରେ ପିନ୍ଧୁଥିଲା ଧଳା ବାଦଲର ଶାଢ଼ି । ବର୍ଷା ଭିଜା ଆକାଶରେ ଥଲା ଜୀବନ ପାଇଁ ଅନେକ ଉଷ୍ମତା । ଦୀପଙ୍କର କହିଲେ–ଆଦିମ ଭୁବନେଶ୍ୱର ଆକାଶରେ ତମେ ଚନ୍ଦ୍ର କେବେ ଦେଖିଛ; ନମିତା ? ତା’ର ଦେହରେ ଯେପରି ହଜାର ବୋତଲ ସାମ୍ଫେନ’ର ଆମେଜ । ଆଜି ଚାଲନା–ରାଜା-ରାଣୀ ମନ୍ଦିର ବାଉଣ୍ଡରୀ ଭିତରେ ଆମେ ଚାରି ଆଖିରେ ସେ ଫରାସୀ ସାମ୍ଫେନ୍‌ ପିଇବା, ସତେ ନମିତା ? ମୋ ଜୀବନରେ ଅନେକ ରିକ୍ତ ମୁହୂର୍ତ୍ତି ଆସେ । ସେଇ ମୁହୂର୍ତ୍ତଗୁଡ଼ାକୁ ପ୍ରାଣ ପ୍ରାଚୁର୍ଯ୍ୟରେ ଭରିଦିଏ ତମର ପୁଷ୍ପିଳ ସ୍ମୃତି ! ତମର ହସ, କଥା କହିବାର ଭଙ୍ଗୀ । ତମରି ପାଖରେ ସମୟଗୁଡ଼ାକ ଚଞ୍ଚଳ ହୁଏ । ଛନ୍ଦ ମଧୁର ହୁଏ ।

 

ମୁଁ ଚାହିଁଲି ନିଜର ଦେହକୁ । ଦୀପଙ୍କର ଯେମିତି ମୋ ଭିତରର ଅର୍ଦ୍ଧସୁପ୍ତ କାମନାକୁ ଜୀବନ୍ୟାସ ଦେବାପାଇଁ ପ୍ରତିଜ୍ଞାବଦ୍ଧ । ଅବହେଳା ଆଉ ଅଜ୍ଞାତରେ ଯେଉଁ କାମନା ପଥର ପ୍ରତିମା ପାଲଟିଛି !

 

ଦୀପଙ୍କର ଚାହୁଁଛନ୍ତି, ସ୍ପର୍ଶରେ ତାକୁ ଜୀବନ୍ତ କରିବେ ।

 

ଦୀପଙ୍କର ଚେକ୍‌ ଟେରିଲିନ୍‌ ଶାର୍ଟ ତଳେ ମନଟା ଯେ କ’ଣ ଚାହୁଁଥିଲା ବୁଝିବାରେ ଆଉ କିଛି ବାକି ନ ଥିଲା ।

 

କିଛି ଗୋଟାଏ କୁହ । ନମିତା । ତମ ପାଇଁ ମୋର ମନରେ ଆଜି ଦୁର୍ଜୟ ଝଡ଼ । ତମେ ସତରେ ଗୋଟାଏ ଅଚଖା ଅମୃତ ମୋ ପାଇଁ ।

 

କିନ୍ତୁ ମୁଁ ଅମୃତରେ ବିଶ୍ୱାସ କରେ ନାହିଁ କି ମୁଁ ସ୍ୱର୍ଗର ଉର୍ବଶୀର କଳ୍ପନା ଭିତରେ ନିଜକୁ ହଜାଇ ଦିଏନାହିଁ ।

 

ଉର୍ବଶୀ’କୁ ଯଦି ତମେ କେବଳ ରୂପମୟୀ ଭାବି ନିଜକୁ ହେୟ କରୁଥାଅ, ତେବେ ମୁଁ କହିବି ତା’ ଭୁଲ୍‍ । ଯେହେତୁ ସୁନ୍ଦର’ର ପ୍ରଭାବ ଅପେକ୍ଷା ଅସୁନ୍ଦରର ପ୍ରଭାବ ଜୀବନରେ ବେଶି । ଆନନ୍ଦ ହୁଏତ ସୁନ୍ଦର ହୋଇପାରେ । ମାତ୍ର ବ୍ୟଥା ତ ଅନସ୍ୱୀକାର୍ଯ୍ୟ । ଆଉ ବ୍ୟଥାର ଗଭୀରତା ଯେଉଁ ଏକକ କାଠିରେ ମାପିହୁଏ ତାହା ହେଉଛି ହୃଦୟ । ସେଇ ହୃଦୟ ମୋର, ତମର ହୃଦୟ ପାଖରେ ସ୍ୱୀକୃତି ମାଗୁଛି ।

ମୋର ଯେ ହୃଦୟ ନାହିଁ ଦୀପଙ୍କର ।

ଅଛି ନମିତା । କିନ୍ତୁ ସେ ଚେଉଁ ନାହିଁ । ଶୋଇଯାଇଛି । ପ୍ରିୟଜନର ଡାକ ସେ ଶୁଣି ପାରୁନାହିଁ । ପ୍ରେମ’ର ପ୍ରତିଧ୍ୱନି ତା’ର ପାଖରୁ ଫେରି ଆସୁଛି ।

.....ପ୍ରେମ କରିବା ପାଇଁ କ’ଣ ଦରକାର ?

ଧୈର୍ଯ୍ୟ ଓ ନିଶଙ୍କୋଚତା ।

ଏ ଦୁଇଟା ମୋର ପୂର୍ଣ୍ଣ ମାତ୍ରାରେ ଥାଇ ବି, ମୁଁ ପ୍ରେମର ଅପେକ୍ଷା ରଖି ନାହିଁ ।

କିନ୍ତୁ ଆଶ୍ଚର୍ଯ୍ୟ ଲାଗେ । ପ୍ରେମହୀନ ଜୀବନ ବିରାଟ ଶୂନ୍ୟତାରେ ଭରପୁର । ପ୍ରେମହିଁ ମନୁଷ୍ୟକୁ ନୂତନ ଦୀଗ୍‍ଦର୍ଶନ ଦିଏ । ଯେ ପ୍ରେମ କରିପାରେନା, ସେ ଜୀବନରେ କିଛି କରିପାରିବ ନାହିଁ । ଯୁଗେ ଯୁଗେ ମନୀଷୀମାନେ, ଏହାହିଁ ପ୍ରଚାର କରିଯାଇଛନ୍ତି । ଆଉ ବନ୍ଧୁର ପ୍ରେମ ଅପେକ୍ଷା, ପ୍ରେମିକାର ପ୍ରେମ; କିମ୍ୱା ବାନ୍ଧବୀର ପ୍ରେମ ଅପେକ୍ଷା ପ୍ରେମିକର ପ୍ରେମ ଅଧିକ ମହନୀୟ-। ବନ୍ଧୁ’ର ପ୍ରେମ,କେବଳ ଜଣକର ମାନସିକ ସ୍ୱୀକୃତି । ଅଥଚ ପ୍ରଣୟୀ ଓ ପ୍ରଣୟିନୀ’ର ପ୍ରେମ, ତା’ର ମନ ଓ ଦେହର ସମ୍ମିଳିତ ଅଙ୍ଗୀକାର । ତମରି ପାଇଁ ଗୋଟାଏ ହିଂସ୍ର, ଆନନ୍ଦ, ବନ୍ୟ ଅଗ୍ନିର ଅଶ୍ଳୀଳ ତରଙ୍ଗ ପରି ମୋ’ ଶିରା ଶିରାରେ ଉତ୍ତରଳ, ସଙ୍ଗୀତ ବାରମ୍ୱାର ରଚନା କରିଛି ।

ଥାଉ ଦୀପଙ୍କର । ପ୍ରେମର ମହାକାବ୍ୟ ପଢ଼ିବା ପାଇଁ ଆଜି ଆଉ ସମୟ ନାହିଁ । ହଠାତ୍‌ ଫୋନ୍‌ କରି ଡାକିବାର କାରଣଟି ଏପର୍ଯ୍ୟନ୍ତ ବି କହିନାହଁ ।

ଦୀପଙ୍କର ରେଡ଼ିୟମ୍‌ ଡାୟଲ ଉପରେ ଆଖି ବୁଲାଇଲେ । କାଲି ଗୋଟାଏ ସାହିତ୍ୟ ଆସରରେ ମୋର ସଭାପତିତ୍ୱ କରିବାର ଅଛି । ମୋର ଅନୁରୋଧ ତମେ ନିଶ୍ଚୟ ଯିବ ।

କ’ଣ ନିଜକୁ ବିଜ୍ଞାପିତ କରିବା ପାଇଁ ।

ନା ନିଜର ଅଭିଜ୍ଞତା ପାଇଁ । ବିନା ଖାଦ୍ୟରେ ମଣିଷ ବଞ୍ଚିପାରେନା । ଆଉ ବିନା ଅନୁଭବରେ ଲେଖକ ଲେଖିପାରେନା ।

ମୁଁ ଭାବେ । ମୁଁ ବୋଧହୁଏ ପାରିଛି ।

ତମ ଲେଖା ସେଇଥି ପାଇଁ ଦାମ୍ଭିକତା ଓ ନୈତିକତାର ଶୈଳୀ ପାଇଛି । ପାଇ ନାହିଁ ରୋମାନ୍‌ସର ଗୋଟାଏ ବିନ୍ଦୁ ।

ତେବେ ଯିବି କେବଳ ଅନୁଭବ ପାଇଁ । ଦେଖିବି ନିଜକୁ ବିଜ୍ଞାପିତ କରିବାର ବିଷ’ କେତେ ମିଠା ।

ତମର ଚିନ୍ତାଶକ୍ତି ପ୍ରଖର ନମିତା । ଆଉ ତା’ର ପ୍ରମାଣ ମୁଁ କାଲି ଦେବି । ତେବେ ମୁଁ ଭାବେ ପ୍ରତିଷ୍ଠା ଏଭଳି ଗୋଟାଏ ନିଶା ସେ ନିଶା ଥରେ ମଣିଷର ସତ୍ତାକୁ ଗ୍ରାସି ଗଲେ ଆଉ ନିସ୍ତାର ନାହିଁ । ଆଉ ସେଇ ପ୍ରତିଷ୍ଠା ମୋହରେ, ମଣିଷ ସବୁ କ୍ଷେତ୍ରରେ ବିବେକର ବେକ ଚିପେ ।

ମୋ ବିବେକ କେବେ କୌଣସି ପ୍ରଲୋଭନ ପାଖରେ ପରାଜିତ ହୋଇନି ।

 

ପ୍ରଲୋଭନ ଆଉ ପ୍ରତିଷ୍ଠା କେବେ ଏକ ନୁହେଁ । ତେବେ ଧରିନିଅ ତମେ ଯଦି ସାହିତ୍ୟ କ୍ଷେତ୍ରରେ କିଛି ପ୍ରତିଷ୍ଠା ପାଇଲ ତେବେ ?

 

ତା’ ଯଦି ମୋ’ ସାଧନା ମାଧ୍ୟମରେ ଆସିଥାଏ ତେବେ ସ୍ୱୀକୃତି ଦେବି । ଅନ୍ୟଥା ତାହା ମୋର ପ୍ରୟୋଜନର ବାହାରେ ।

 

ମନ–ସମୁଦ୍ର

 

ଏଥିରୁ ଜିନିଷ ଖୋଜି ପାଇବା କି ମୁସ୍କିଲ୍‌ । ସେଠାରେ ବାରମ୍ୱାର ଜାହାଜ ଲାଗିଛି, ଚାଲିଯାଇଛି । ନିର୍ଲ୍ଲଜ ଲହରୀମାନେ ହୁଏତ ମଥା ପିଟି ହୁଅନ୍ତି । ରକ୍ତ ମାଂସର ସହର ଟପି ମନ-ସମୁଦ୍ର ପାଖରେ କିନ୍ତୁ ଟିକିଏ ବି ଆଶଙ୍କା ନାହିଁ ।

 

ଅନେକ ଘର୍ମାକ୍ତ ଦିନ...

 

ଉର୍ବଶୀ’ର ସେଲ୍‍ସଓମ୍ୟାନ୍‌ ଜୀବନ । ଅସ୍ୱାସ୍ଥ୍ୟକର ଘର ଭିତରେ ମୁଠାଏ ଖାଇ କବିତା ଲେଖାର ସେ ଯେଉଁ ଏକନିଷ୍ଠ ସାଧନା, ଅନ୍ୟପାଇଁ ନିଶ୍ଚିତରେ ଆତ୍ମହତ୍ୟା ଥିଲା । ମୁଁ କିନ୍ତୁ ଠିକ୍‌ ଥିଲି । ଅନୀ ପଢ଼ୁଛି, ଚନ୍ଦ୍ର ଟ୍ରେନିଂରେ । ଭଙ୍ଗା ଘର । ଅନେକ କର୍ତ୍ତବ୍ୟର ବୋଝ ମଥାରେ ଧରି ସମୟ ଯାଏ । ଉଦ୍ଦେଶ୍ୟ ହୀନ ଅପରାହ୍ନ । ଦିନର ସଳିତା ଅଧା ପ୍ରାୟ ଜଳି ଯାଇ ଥାଏ । ନିଜକୁ ପ୍ରସ୍ତୁତ କଲି ସାହିତ୍ୟ ଆସର ପାଇଁ । ଯଥାସାଧ୍ୟ ନିଜକୁ ସାମାନ୍ୟ ପୋଷାକ ଭିତରେ ସଜାଇଲି । ବାହାରି ପଡ଼ିଲି ବାହାରକୁ । ମନେପଡ଼ିଲା, ଦୀପଙ୍କର କହିଥିଲେ–ଗୋଟାଏ ଅନ୍ତତଃ କବିତା ପାଇଁ-

 

ସନ୍ଧ୍ୟା ପାଇଁ ଏବେ ବି ସମୟ ଅଛି । ଗୋଟାଏ କିଛି ଲେଖାଯାଇପାରେ ।

 

ବାହାରେ ପୃଥିବୀର ସିଲହଟ । ଅନେକ କଥା ଲେଖିବାକୁ ଅଛି । ହସ ଅଶ୍ରୁ । ବ୍ୟଥା ଓ ଉଲ୍ଲାସ ଅନେକ ମୁଁ ଦେଖିଛି । ବସ୍‌ର ଭଙ୍ଗାକାଚ ତା’ ଭିତରେ ଅନେକ ମୁହଁର ଭଗ୍ନାଂଶ । କାଚ ଗିଲାସ ପାଖରେ ଚେପେଟା ଟିପ ପରି ବିକୃତ ଓ ବିକଳାଙ୍ଗ ।

 

ମୁଁ କେବଳ ଜୀବନ ହିଁ ବୁଝେ । ଆଉ ଜୀବନ ବ୍ୟତୀତ କବିତାର କଳ୍ପନା ଅବାନ୍ତର ।

 

ଆକାଶରେ ପୂର୍ଣ୍ଣ ଯୌବନା ବର୍ଦ୍ଧିଷ୍ଣୁ ଚନ୍ଦ୍ର ।

 

କ୍ୟାପିଟାଲର ଛାତିରେ ରାତ୍ରୀର ଚମକ ଲାଗିଛି ମଞ୍ଚ ନାୟୀକାର ଅଙ୍ଗସଜ୍ଜା ପରି । ରାତ୍ରୀ ମନୋରଞ୍ଜକ ଦିଶୁଛି । ଷ୍ଟ୍ରିଟ୍ ଲାଇଟ୍‌ର ତଳେ, ପରିଷ୍କୃତ ପିଚୁ ରାସ୍ତାଟି ଲମ୍ୱି ଯାଇଛି; ଗୌରାଙ୍ଗ ଓଡ଼ିଆ ଝିଅ’ର ବିଳମ୍ୱିତ ବେଣୀ ପରି ।

 

ପାଦ ଅଟକି ଗଲା ମଧୁମାଳତୀର ଲତାୟିତ ପୋର୍ଟିକୋ ତଳେ । ଶ୍ୟାମଳ ରଙ୍ଗ ଏକ ଯୁବକର ପିଠିରୁ ରକ୍ତ କେତେଧାର ବହିବାର ଉପକ୍ରମ କରୁଥିଲା । ଶିଷ୍ଟତାର ଅପବ୍ୟବହାର କରି ପ୍ରହାର ଉଦ୍ୟତ ଭଦ୍ରଲୋକଙ୍କର ହାତ ଧରି ପକାଇଲି ।

 

ଅପେକ୍ଷା କରନ୍ତୁ । ଭାରତର ଅପରାଧୀ ପାଇଁ ପୋଲିସ୍‌ ଷ୍ଟେସନ ଅଛି । ଭଦ୍ରଲୋକ ରାଗରେ ଅନ୍ଧ ଥିଲେ । ଗୋଟାଏ ବାରବୁଲା ମାଗିଖିଆକୁ ଶାସନ କରିବା ପାଇଁ ଲକ୍ଷପତି ବିନୟ ମହାନ୍ତିର ସେକ୍ରେଟାରୀ ପୋଲିସ୍‍ ଷ୍ଟେସନ ଯିବନାହିଁ ।

 

ଦେଖନ୍ତୁ ! କିନ୍ତୁ ଆପଣ ବିନୟ ମହାନ୍ତି ନୁହଁନ୍ତି । ନିଜର ଯାହା ନାହିଁ; ତାହା ଅନ୍ୟଠାରୁ ମାଗିଆଣି ଗର୍ବ କରିବାର ନୀତିକୁ ସମସ୍ତେ ସହଜରେ ମାନିପାରନ୍ତି ନାହିଁ । ମଣିଷ’ର ଭୁଲ୍‍କୁ ମାଡ଼ଦ୍ୱାରା ପରିବର୍ତ୍ତନ କରାଯାଏ ନାହିଁ । ତେବେ କହିବେ କି ଏଇ ମାଡ଼ଖିଆ ମଣିଷ’ର ଭୁଲ୍‍ କ’ଣ-?

 

ଟିଉସନ କରୁଥିଲା–ବର୍ତ୍ତମାନ ଚୋରି କରିବା ଆରମ୍ଭ କଲାଣି ।

 

ପ୍ରମାଣ....

 

ପକେଟରେ ।

 

ବେଶ୍‌ ! ତାହା ତ ଆପଣ ବିନା ଦ୍ୱିଧାରେ ନେଇପାରିଥା’ନ୍ତେ ।

 

ଟଙ୍କା ତକ ଆମେ ପାଇସାରିଛୁ । ମାତ୍ର ଘଣ୍ଟାଟି ? ବାବୁ କ’ଣ କରିଛନ୍ତି, ମାନିବାକୁ ନାରାଜ । ଅଗତ୍ୟା ମାଡ଼ ବ୍ୟତୀତ କ’ଣ ଦିଆଯାଇ ପାରିଥା’ନ୍ତା ?

 

ଘଣ୍ଟାର ଆନୁମାନିକ ମୂଲ୍ୟ କୁହନ୍ତୁ !

 

ଦୁଇ ଶହରୁ ବେଶି । କିନ୍ତୁ କାହିଁକି ଆପଣଙ୍କର ଅଯଥା ହସ୍ତକ୍ଷେପ ।

 

ନିଅନ୍ତୁ, ମୋ’ ଘଣ୍ଟାଟି । ଦାମ୍ ବୋଧହୁଏ ସମାନ ହେବ । ଯଦି ଆଉ କିଛି ବେଶି ହୁଏ ତେବେ ମୁଁ ପରେ ।

 

କିନ୍ତୁ....ଜୟନ୍ତ’ର ଆପଣ କିଏ ?

 

କିଛି ନୁହେଁ । କେବଳ ମଣିଷ ପାଖରେ ଆଉ ଗୋଟାଏ ମଣିଷ ?

 

ଜୟନ୍ତଙ୍କୁ ସାଙ୍ଗରେ ଧରି ବାହାରକୁ ଆସି ଦେଖିଲି–ଜୟନ୍ତ ଅସୁସ୍ଥ । ଆଉ ତାହା ଯେପରି ଦୀର୍ଘ ଦିନର । ଚାଲିବାର କ୍ଷମତା ପାଦରେ ନାହିଁ ।

 

କ’ଣ ବା କରିବି । ପାଖରେ ଯଥେଷ୍ଟ ପଇସା ନାହିଁ । ରିକ୍‍ସା ଖଣ୍ଡିଏ ପାଇଁ ଚେଷ୍ଟାକରି ହତାଶ୍‍ ହେଲି । ଅନ୍ତତଃ ଷ୍ଟାଣ୍ଡ ପର୍ଯ୍ୟନ୍ତ ଚାଲିଗଲେ; ଯାହା ଗୋଟାଏ ମିଳିବ ନିଶ୍ଚୟ ।

 

ଫେରି ଦେଖିଲି–ଜୟନ୍ତ କୃଷ୍ଣଚୂଡ଼ା ଗଛରେ ଦେହଭରା ଦେଇ ଗୋଟିଏ କରୁଣ ପୋଜରେ ଠିଆ ହୋଇଛି । ଦେହରେ ଜୀବନ ଅଛି । ମାତ୍ର ସଂଜ୍ଞା ନାହିଁ ।

 

କାର୍‍ଟି ସଶବ୍ଦେ ଗଡ଼ି ଆସୁଛି ଦେଖି, ଅଟକାଇବାକୁ ଚେଷ୍ଟାକଲି । ଯାହାହେଲେ ବି ଜୟନ୍ତ ବର୍ତ୍ତମାନ ହସ୍ପିଟାଲ ଯିବା ଜରୁରୀ । ଭୁଲିଗଲି, ଦୀପଙ୍କରଙ୍କ ଅନୁରୋଧ । ପାସୋରୀ ଦେଲି, ସାହିତ୍ୟ ଆସରରେ ଯୋଗଦବାକୁ । ଅଭିଭୂତ ହେଲି, ଯୁବକ’ର ଯନ୍ତ୍ରଣାରେ । ସେଇ କ୍ରୋଡ଼ାଗତ ଚକ୍ଷୁ, ବିବର୍ଣ୍ଣ ରୂପ, ନିସ୍ତେଜ ଶରୀର, ଅସହାୟ ଜୀବନ ।

 

କାର୍‍ ଅଟକି ଗଲା । ଆରୋହୀ ଥିଲେ–ଦୀପଙ୍କର ଓ ଅନ୍ୟ କେତେଜଣ । ମୋର ଅନୁରୋଧ ଅଗ୍ରାହ୍ୟ ପରେ, କହିଲେ–ଚେଷ୍ଟା କରିବ ଆସିବାକୁ । ତେବେ, ଜୀବନର ପ୍ରତିଷ୍ଠା ପାଇଁ, ସେବା ନୁହେଁ, ସ୍ୱାର୍ଥ ?

 

ଗାଡ଼ି ଚାଲିଗଲା । ଆଃ....ଦୀପଙ୍କର । ସମଗ୍ର ମନୁଷ୍ୟତା ତରଫରୁ ଭଗବାନଙ୍କ ପାଖରେ ତୁମ ପାଇଁ ମୁଁ କ୍ଷମା ଚାହୁଁଛି । ତୁମର ଏ ଔଦ୍ଧତ୍ୟ ପାଇଁ, ଏ ଅବଜ୍ଞା ପାଇଁ ।

 

ରିକ୍‍ସାରେ ବସିଲି । କୋଳରେ ଜୟନ୍ତ’ଙ୍କର ମୁଣ୍ଡ । ରିକ୍‍ସାର ଗତିସହ ଦୋହଲି ଉଠୁଛି । ହାତ ଦେଇ ବନ୍ଦ କରି କହିଲି–ଆସ୍ତେ ଆସ୍ତେ ଚଲା । ଛାତି ବିଦାରୀ ଅକାରଣରେ ଦୀର୍ଘଶ୍ୱାସ ଉଠିଲା । ଜୟନ୍ତ’ଙ୍କର ମୁହଁଟି ଶାନ୍ତ, ନୀରବ ଭାବରେ ପଡ଼ି ରହିଥାଏ ମୋରି କୋଳରେ-

 

ଗୋଟିଏ ପୂର୍ଣ୍ଣ ଯୌବନା ନାରୀ କୋଳରେ ସୌମ୍ୟ ପୁରୁଷର ମୁଣ୍ଡ । ରିକ୍‍ସା ଅଟକିଲା ନର୍ସିଂ ହୋମରେ । ଷ୍ଟ୍ରେଚରରେ ବୋହି ନିଆଗଲା ନିର୍ଦ୍ଦିଷ୍ଟ କୋଠରୀକୁ । ଡାକ୍ତର ଆସିଲେ, ପରୀକ୍ଷା କଲେ । ପ୍ରାଇଭେଟ୍‍ ଡାକ୍ତର, ଫିସ୍ ସନ୍ତୋଷଜନକ ଭାବରେ କଡ଼ା । ଜୟନ୍ତ ଯେ ଶୀଘ୍ର ସରକାରୀ ଡାକ୍ତରଖାନାରେ ସିଟ୍‌ ପାଇବେ, ଏ ଆଶା ନ କରି ମୁଁ ଠିକ୍ କରିଥିଲି ସେଦିନ ।

 

ଜୀବନରେ ଅନେକ ଶାରିରୀକ ଯନ୍ତ୍ରଣା, ମାନସିକ ଅଶାନ୍ତି ଭୋଗିଛି । କିନ୍ତୁ କେତେଘଣ୍ଟା ପ୍ରତୀକ୍ଷାର, କଷ୍ଟ ଯେପରି ଶେଷହୀନ ମୋ ପାଇଁ ଥିଲା ।

 

ପରୀକ୍ଷାର ରିପୋର୍ଟ ପାଇ ମୁଁ ସେଦିନ ରୋଗର ନାଁ’ଟାକୁ କେତେଥର ଉଚ୍ଚାରଣ କଲି । ଥାଇସିସ୍‍ର ପ୍ରଥମ ପଦକ୍ଷେପ । ରୋଗୀ ଦୀର୍ଘଦିନ ଜ୍ୱରରେ ଆକ୍ରାନ୍ତ । ତେବେ ବି ଆଶଙ୍କାର କାରଣ ନାହିଁ । ମାତ୍ର କେତେଟା ଦିନ ପରେ ରୋଗୀ ନର୍ସିଂ ହେମ୍‍ରୁ ଚାଲିଯାଇପାରେ । ମାତ୍ର ଟ୍ରିଟମେଣ୍ଟ ଦୀର୍ଘଦିନ ଧରି ଅବ୍ୟାହତ ରହିବ । ଖାଦ୍ୟପେୟ ମଧ୍ୟ ନିର୍ଭୁଲ ରଖିବାକୁ ହେବ ।

 

ଜୟନ୍ତ ନିସ୍ତେଜ ଭାବରେ ବିଛଣାରେ ପଡ଼ିଥା’ନ୍ତି । କାହା ବିରୁଦ୍ଧରେ ଅଭିଯୋଗ ନାହିଁ । ଜୀବନରେ କିଛି ପାଇବାର ଆଶା କରି ହାରିଯିବାର ଗ୍ଳାନି ମୁହଁରେ ସୁସ୍ପଷ୍ଟ । ମରୁଭୂମିର ମୁଠାଏ ବାଲିପରି ମୂଲ୍ୟହୀନ, ଗନ୍ଧହୀନ, ଅର୍ଥହୀନ ।

 

କପାଳ’ରୁ ବାଳ କେରାଏ ସଜାଡ଼ି ଦେଇ ଡାକିଲି ଜୟନ୍ତ ।

 

କଷ୍ଟରେ ଜୟନ୍ତ ଆଖି ଖୋଲିଲେ । ସକରୁଣ ଦୃଷ୍ଟି ।

 

ଶୋଇବା ପାଇଁ ଚେଷ୍ଟାକର ।

 

ସରଳ ଛୁଆର ନିରୀହତା ନେଇ ଜୟନ୍ତ ଆଖି ବୁଜିଲେ !

 

ଚାଦର ଢାଙ୍କି ଦେଖିଲି, ସମୟ ହେଲାଣି । ଦୀପଙ୍କର’ଙ୍କୁ କଥା ଦେଇଛି ଯିବାକୁ ହେବ । ଅଫିସରେ ଆସି ଫର୍ମ ପୂରଣ କଲି । ଅଭିଭାବକ ଜାଗାରେ ଲେଖିଲି ମୋର ନାମ । ପ୍ରୟୋଜନ ପାଇଁ କେଉଁ ଠିକଣାରେ ଖବର ଦେବେ, ସେ ଠିକଣାରେ ଲେଖିଲି, ଉର୍ବଶୀର ଫୋନ୍ ନମ୍ବର । ଡାକ୍ତର ଫିସ୍‌ ନର୍ସିଂହୋମ୍‍ର ଆଡ୍‍ମିସନ୍‌ ପାଇଁ ଅଗ୍ରୀମ ବାବତରେ ମୋରି ବେକର ସରୁ ନେକଲେସ୍‌’ଟି ଦେଲି । ଆସିବା ପୂର୍ବରୁ ଅନୁରୋଧ କଲି ଡାକ୍ତରଙ୍କୁ ।

 

ଦେଖନ୍ତୁ ! ଚେଷ୍ଟାକରି ଏହାଙ୍କୁ ଆରୋଗ୍ୟ କରାନ୍ତୁ । ତା’ପାଇଁ ଯାହା କରଣୀୟ ସବୁ ମୁଁ କରିବି । ଅନିଚ୍ଛାରେ ପାଦ ଓଟାରୀ ରିକ୍‍ସାରେ ବସିଲି । ସନ୍ଧ୍ୟାବେଳର ସଜ୍ଜିତ ଦେହ ଅନେକଟା ନଷ୍ଟ ହୋଇଥିଲା ।

 

ମୁହଁରେ କୃତ୍ରିମ ଗାମ୍ଭୀର୍ଯ୍ୟ ଭରି ସାହିତ୍ୟ ଆସରରେ ପାଦଦେଇ ଦେଖିଲି, ଲେଖକଙ୍କ ଅପେକ୍ଷା ଲେଖିକା ଅନେକ ବେଶି । ଆଉ ସେମାନଙ୍କୁ ଦେଖି ମନେହେଲା, ସେମାନେ ନିଜର ପ୍ରତିଭାକୁ ବିଜ୍ଞାପିତ କରିବା ଅପେକ୍ଷା, ନିଜର ରୂପକୁ ବିଜ୍ଞାପିତ କରିବାରେ ଯଥେଷ୍ଟ ପରିଶ୍ରମ କରିଛନ୍ତି ।

 

ଅଥଚ ମୁଁ ହାତରୁ ଘଣ୍ଟା’, ବେକର ନେକଲେସ୍‍ଟା ସଦ୍ୟ କାଢ଼ି ଦେଇଥିଲି । ସୂତା ଶାଢ଼ିରୁ ଇସ୍ତ୍ରୀ ଭାଙ୍ଗ ଟିକକ ଭାଙ୍ଗି ଯାଇଥିଲା । ମୁହଁରେ ପରସ୍ତ ପରସ୍ତ କ୍ଳାନ୍ତି ।

 

ମତେ ଦେଖି ଦୀପଙ୍କରଙ୍କର ଆଖି ଉଜ୍ଜ୍ୱଳି ଉଠିଲା । ଅନ୍ୟ କେତେଜଣଙ୍କୁ ସେ ଆଖିର ଇଶାରାରେ ଯେପରି କିଛି ଗୋଟାଏ ଇଙ୍ଗିତ ଦେଲେ । ସତେକି ମୋ ସମ୍ୱନ୍ଧରେ ସଦ୍ୟ ଗୋଟାଏ କିଛି ଆଲୋଚନା ହୋଇଯାଇଛି । ମୁଁ ଲକ୍ଷ୍ୟ କଲି ସମସ୍ତଙ୍କ ଆଖିରେ ମୋ ପାଇଁ ଅନ୍ୟମାନଙ୍କ ଅପେକ୍ଷା ନୂତନତ୍ୱର ଆଗ୍ରହ । ଅନ୍ୟମାନେ ବାରମ୍ବାର ଦେଖା ସାକ୍ଷାତ୍‍ ଭିତରେ ଆଖି ପାଇଁ ଆକର୍ଷଣ ହରେଇ ସାରିଛନ୍ତି ।

 

ଦୀପଙ୍କର ସବୁରି ଅଲକ୍ଷ୍ୟରେ ମତେ ଚୁପ୍‌କରି କହିଲେ–ଏଠାରେ ସଙ୍କୋଚ କରିବାର କିଛି ନାହିଁ । ଅନେକ ଝିଅ ଅଛନ୍ତି, ତମେ କିନ୍ତୁ ବହୁତ ଡେରି କରିଦେଲ ।

 

ଅନିବାର୍ଯ୍ୟ କାରଣ ପାଇଁ, ସଭାପତି ତାଙ୍କର ଆସିବା ଅନୁପସ୍ଥିତ ରଖିଲେ । ତେଣୁ ମୁଁ ଆଜିର ଏ ସାହିତ୍ୟ ଅନୁଷ୍ଠାନର ସଭାପତି । ମୁଁ ତା’ ବ୍ୟତୀତ ତୁମକୁ ଆଜି ନିଶ୍ଚୟ ସମସ୍ତଙ୍କ ଅପେକ୍ଷା ସ୍ୱତନ୍ତ୍ର କରିବି । ତମେ ନୂଆ କଲମ ଧରିଛ । ତମ ପାଇଁ ମୁଁ ଗୋଟିଏ କବିତା ରଖିଛି–ନିଅ !

 

କିନ୍ତୁ ଦୀପଙ୍କର...

 

ଆଉ, କିନ୍ତୁ’ ଭିତରେ ନିଜକୁ ରଖନାହିଁ । ଜୀବନକୁ ଦେଖିପାରିଲେ, ଅନୁଭବ କରିପାରିଲେ–କବି ହୁଅନ୍ତି । ଖାଲି କବିତା ଲେଖି ହୁଅନ୍ତି ନାହିଁ ।

 

ଦୀପଙ୍କର ଚାଲିଗଲେ । ଯେପରି ମୋ ପାଇଁ ସେ ନିଜକୁ ଓ ଅନ୍ୟମାନଙ୍କୁ ପ୍ରସ୍ତୁତ କରିଥିଲେ ।

 

ଆବୃତ୍ତି ସରିଗଲା । ଶେଷାଂଶରେ ପାଠୋତ୍ସବର ସଭାପତିଙ୍କ ସହ ସମ୍ମିଳନୀର ଉଦ୍ୟୋକ୍ତା ତଥା ପତ୍ରିକାର ସମ୍ପାଦକ, ସାହିତ୍ୟିକମାନଙ୍କୁପ ରିଚିତ କରାଇ ଦେଲେ ।

 

ଏ ହେଉଛନ୍ତି–ନମିତା ରାୟ ।

 

ଦୀପଙ୍କର ପାଠୋତ୍ସବର ସଭାପତି ।

 

ଆଉ ସମ୍ପାଦକ, ନିର୍ମଲେନ୍ଦୁ ଦାସ ।

 

ବାସ୍ତବିକ୍, କୁମାରୀ ରାୟ ଗୋଟିଏ ଗଭୀର ଦର୍ଶନ ତାଙ୍କ କବିତାରେ ବାଢ଼ିଛନ୍ତି । ବିଶ୍ୱକବି ଲଖିଥିଲେ–‘ମରିତେ ଚାହିଁନା ଆମି ସୁନ୍ଦର ଭୁବନେ’ କିନ୍ତୁ କୁମାରୀ ରାୟ ଲେଖିଛନ୍ତି–ମୁଁ ଜୀବନକୁ ଭଲପାଏ, ମୋର ସ୍ନେହଶୀଳ ଆଦରଣୀୟ ପୃଥିବୀକୁ ମୋର ପ୍ରାଣଠାରୁ ବଳି ମୁଁ ଭଲପାଏ । ମୁଁ ଜାଣେ ମୋର ମୃତ୍ୟୁ ଆସିବ । କିନ୍ତୁ ମୁଁ କ’ଣ, ଏସୁନ୍ଦର ଧରାକୁ ଛାଡ଼ି ଏକା ଚାଲିଯିବି । ’

 

‘ହେ ! ପରମେଶ୍ୱର ମତେ ଏ ମାଟିରୁ ପୁଳାଏ ଦିଅ । ଏ ଆକାଶରୁ ମେଞ୍ଚାଏ ଦିଅ । ଏ ସାଗରରୁ ବିନ୍ଦୁଏ ଦିଅ । ଏ ମଣିଷରୁ ମାତ୍ର ଜଣକୁ ଦିଅ । ମୋର ମଧୁର ଜୀବନର ସ୍ମାରକରୂପେ । ମୁଁ ଏଗୁଡ଼ିକ ନେଇଯିବି, ସେ ଜଗତକୁ, ଯେଉଁଠାକୁ ମୃତ୍ୟୁ ପରେ ଯିବି ।’

 

ବାସ୍ତବିକ୍ କୁମାରୀ ରାୟଙ୍କଠାରୁ ସାହିତ୍ୟ ସମାଜ ଅନେକ କିଛି ଆଶାକରେ । ଆଶାକରୁ, ସେ ଜୀବନରେ ଉତ୍ତରୋତ୍ତର ଉନ୍ନତି କରିବେ । ଆଜି ମୁଁ ଆଶୀର୍ବାଦ କରୁଛି–ଅନ୍ତରର ଶୁଭକାମନା ଜଣାଇଁ ।

 

ମୁଁ କେମିତ ଗୋଟାଏ ନିସ୍ପୃହତାର ଶୀକାର ହୋଇଥିଲି, ମୋ’ ପ୍ରତି ଅତିରଞ୍ଜିତ ସ୍ତାବକତାରେ ମତେ ଆଦୌ ଆନନ୍ଦ ଦେଇ ନ ଥିଲା । ଅବଶ୍ୟ ବିରକ୍ତ ହୋଇ ନ ଥିଲି । ସ୍ଥିର ପାଲଟି ଗଲି, କବିତା’ଟି ପ୍ରଥମରୁ ମୋର ନ ଥିଲା । ଆଉ ସେଇ କବିତାଟି ସେଦିନ ହେଲା ପ୍ରଥମ-

 

ଦୀପଙ୍କର ଉଠିଲେ ।

 

ମୁଁ ଚାହିଁଲି ।

 

ସେ ହସିଲେ ।

 

କୁମାରୀ ରାୟ’ଙ୍କ ଲେଖା ସମ୍ପର୍କରେ ମୁଁ ଏତିକି କହିବି–ତାଙ୍କ’ ଲେଖା ‘ପୁଷ୍ପିତା’କୁ ବାଦ୍‍ ଦେଲେ, ଅନେକ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଆସୁଛି । ତା’ ବ୍ୟତୀତ ତାଙ୍କର କେତେ ଖଣ୍ଡି ଉପନ୍ୟାସ ପ୍ରକାଶୋନ୍ମୁଖୀ । ପୁଷ୍ପିତା’ର ସମ୍ପାଦକ–କୁମାରୀ ରାୟଙ୍କ ଲେଖାକୁ ଅଗ୍ରାଧିକାର ଦେଇ ପ୍ରଶଂସାର ପାତ୍ର ହୋଇଛନ୍ତି । ସ୍କୁଲ ଜୀବନରୁ ସେ ଲେଖା ଆରମ୍ଭ କରିଥିଲେ, କଲେଜ ମ୍ୟାଗାଜିନରେ ତାଙ୍କର ଗଳ୍ପ, ପ୍ରବନ୍ଧ ଓ କବିତା ମଧ୍ୟ ପ୍ରକାଶ ପାଇଛି । ତାଙ୍କର ଅନ୍ୟତମ ଯୋଗ୍ୟତା ହେଲା–ସେ ସୁନ୍ଦର ଭଜନ, ଆଧୁନିକକୁ ନୂତନ ଶୈଳୀରେ ଲେଖି ପାରନ୍ତି । ତାଙ୍କର କଲମ ଯଶସ୍ୱୀ ହେଉ ।

 

ମନେହେଲା ଏହା ଯେପରି ମତେ ପରୋକ୍ଷ ଅପମାନ । ଆଉ ମୋର ଜୀବନାନନ୍ଦ ଆଦର୍ଶ ଭାଙ୍ଗିବା ପାଇଁ ଦୀପଙ୍କର ଦୃଢ଼ପ୍ରତିଜ୍ଞ !

 

ଠିଆ ହେଲି, କହିଲି ଧନ୍ୟବାଦ ! ଆଜିର ସାହିତ୍ୟ ଆସରରେ ମୋର କିଛି ବକ୍ତବ୍ୟ ନାହିଁ । ମାତ୍ର କିଛିଟା କୈଫିୟତ ଅଛି । ଗୋଟାଏ କ୍ଷମା ପ୍ରାର୍ଥନା ଅଛି । ମହତ୍ତ୍ୱ ଦକ୍ଷତାଠାରୁ ଦୂରେଇ ରହି ପାରେନା । ମୋ କବିତାକୁ ଆପଣ ସମ୍ମାନ ଦେଲାବେଳେ ଭୁଲି ଯା’ନ୍ତୁ ନାହିଁ । ଦରିଦ୍ର ଓଡ଼ିଶା ଭିତରେ ମୁଁ ଗୋଟିଏ ମାତ୍ର ମହିଳା ଲେଖିକା ହୋଇଛି, ମାତ୍ର ଚାହାଳିରେ ପଢ଼ି । ସେ କବିତାଟି ମୋର ନୁହେଁ । ଏଣୁ ଏ ସମ୍ମାନର ଅଧିକାରୀ ମୁଁ ହୋଇପାରେନା । ସାହିତ୍ୟ ମଣ୍ଡଳୀ’କୁ ନମସ୍କାର କରି ଉଠି ଆସିଲି ।

 

ଚାହିଁଥା’ନ୍ତି ଦୀପଙ୍କର ।

 

ଚାହିଁଥା’ନ୍ତି ଅନ୍ୟମାନେ ।

 

ହଠାତ୍ ଲାଇନ୍‍ଟା ଦପ୍ କରି କଟିଗଲା । ମୁଁ ଅନୁଭବ କଲି ମୋ ହାତ ପାପୁଲି ଚିପିଧରି କେହିଜଣେ ଚୁପୁ ଚୁପୁ କହିଲେ–ଗ୍ରେଟ୍, ନମିତା ? ତମେ ରିଏଲି ଗ୍ରେଟ୍ ?

 

ଚିଠି ? ଅନୀତାର ଚିଠି ? ଗାର୍ଲସ ହାଇସ୍କୁଳ ହଷ୍ଟେଲରୁ ଚିଠି ଲଖିଛି ସେ ?

 

ଅପା;

 

ଟଙ୍କା ପଠାଇବାବେଳେ, ତୁ କ’ଣ ଚିଠି ଲେଖିବାକୁ ଭୁଲିଯାଉ ? ତେବେ ଖୁସି ହେବୁ, ଯେ ପରୀକ୍ଷାରେ ମୁଁ ଭଲ କରିଛି । ଛୁଟି ହେଲାଣି, ଘରେ ଏକା ରହିବାକୁ ଭଲ ଲାଗୁନାହିଁ । ତୁ ଶୀଘ୍ର ଆସେ । ନଚେତ୍ ମତେ ସେଠାକୁ ନେଇଯାଆ । ଯଦି ଆସିବାକୁ ଅସୁବିଧା ଥାଏ; ତେବେ ମୋ ପାଖକୁ ଟଙ୍କାପଠା ? ମୁଁ ଯିବି । ଭାଇ, ଛୁଟିରେ ଗୋଟାଏ ଦିନ ଆସିଥିଲେ । ତାଙ୍କର ଶାର୍ଟ, ପ୍ୟାଣ୍ଟ ଚିରି ଗଲାଣି । କିଛି ଟଙ୍କା ପଠାଇଲେ ସେ କନା କିଣିବେ । ଇତି । ‘ଅନୀ’

 

ସମସ୍ତଙ୍କର ଦରକାର ଟଙ୍କା । ଜୟନ୍ତ–ଡାକ୍ତରଖାନାରେ, ଅନୀ–ଗାଁ’ରେ, ଆଉ ଚନ୍ଦ୍ର–ଟ୍ରେନିଂରେ । ସେଲ୍‍ସଓମ୍ୟାନ୍‍ର ଚାକିରି ଖଣ୍ଡେ । ଦରମା ମାତ୍ର ଦୁଇଶହ । ଆଜିକାଲି ଜଳଖିଆ ବଦଳରେ ଗ୍ଲାସେ ଚାହା ପିଇ ସମୟ ଯାଏ । ମୁଠାଏ ଫୁଟାଇ ଖାଇବାକୁ ବେଳନାହିଁ । କାନର ରିଙ୍ଗ୍ ଦୁଇଟିହିଁ ସମ୍ବଳ । ବିକିଲି ପଠେଇଲି ଟଙ୍କା । ଅନୀ’କୁ ଆସିବା ପାଇଁ ଚିଠି ଲେଖି ପୋଷ୍ଟିଂକରି ଚାଲିଲି ନର୍ସିଂହୋମ୍‌କୁ ।

 

କେମିତି ଅଛ ଜୟନ୍ତ ।

 

ଭଲ–ମାଡ଼ର ଆଘାତ ତ କମ୍‌ ଥିଲା ।

 

କଥାର ଦିଗ ପରିବର୍ତ୍ତନ କଲି । କେହି ଆତ୍ମୀୟ ନିଶ୍ଚୟ ଅଛନ୍ତି ?

 

ନା ସମସ୍ତେ ଯାଇଛନ୍ତି, ମତେ ଛାଡ଼ି ।

 

ତେବେ ! ଲକ୍ଷ୍ୟ ଜୀବନର କ’ଣ ?

 

କିଛି ନାହିଁ । କିନ୍ତୁ ଦିନେ ଅନେକ ଥିଲା । ପାଠ ପଢ଼ିବି, ଚାକିରି କରିବି, ବିବାହ କରିବି-। ଗୋଟିଏ ଛୋଟ ସଂସାର ଆଉ ମୁଁ.....

 

ତା’ପରେ.....

 

ଜମି ବିକି ବି.ଏ. ପାଶ୍ କଲି । ଘର ବିକି ଇଣ୍ଟର୍‍ଭ୍ୟୁରେ ଯୋଗ ଦେଲି । ଟଙ୍କା ସରିଲା, ବାଧ୍ୟ ହେଲି....

 

କ’ଣ ଚୋରି କରିବାକୁ ?

 

ନା, ଟିଉସନ୍ । ଖାଇ ପିଇ ଦରମା ମାତ୍ର ପଚିଶି ଟଙ୍କା ।

 

ତେବେ ଏତେ ଅସୁସ୍ଥତା କାହିଁକି ?

 

ଜୀବନ ପ୍ରତି ବିତୃଷ୍ଣା....

 

ତେବେ ମାଡ଼ ଖାଇ ପ୍ରତିବାଦ କଲନାହିଁ କାହିଁକି ?

 

ଅନ୍ୟାୟ ପ୍ରତିବାଦ ପାଇଁ ମାଡ଼ ଖାଇ ପାରେ । ମାତ୍ର ଜୁଲମ୍ ପାଖରେ ମାଡ଼ ଦିଏ ।

 

ଘଣ୍ଟା ତମ ପକେଟରେ ଥିଲା ?

 

ହଁ ! ମୋର ଛାତ୍ରୀର ସେ ଘଣ୍ଟା । ଆଉ ତାକୁ ମତେ ସେ ଦେଇଥିଲେ ଅଏଲିଂପାଇଁ ।

 

ତମେ ସେ କଥା ନ କହିଲ କାହିଁକି ?

 

ସେ ବିରାଟ ଷଡ଼ଯନ୍ତ୍ର ? ସେକ୍ରେଟାରୀଙ୍କ ଗୁପ୍ତ ପ୍ରଣୟ ମୋ ଆଖିରେ ପଡ଼ିଥିଲା । ତେଣୁ ସେ ଚାହୁଁ ନ ଥିଲେ ମୋର ଉପସ୍ଥିତି । ମୁଁ ଚୋର ପାଲଟି ଗଲି ।

 

ବେଶ୍....ବର୍ତ୍ତମାନ କ’ଣ କରିବ ?

 

ଜାଣେନା....କ’ଣ ପାଇଁ ମୁଁ ବଞ୍ଚିଲି । ଜୀବନକୁ ମୁଁ କ୍ଷୟ କରିଛି ତିଳ ତିଳ କରି । କେତେ ଆଶା ମୋର ଏ ଜୀବନ ପାଇଁ ଅପୂର୍ଣ୍ଣ ରହିଲା । ଭାବିଥିଲି ଦିନେ ଜନ୍ମ ହୋଇଥିଲି, ସମସ୍ତଙ୍କର କେତେ ସୁଖର ସ୍ୱପ୍ନ ହୋଇ ....କିନ୍ତୁ କ’ଣ ହେଲା, କୁଆଡ଼େ ଗଲା । ତେବେ ଯଦି ମୁଁ ପାଠ ନ ପଢ଼ି ଥା’ନ୍ତି ? ବି.ଏ. ପାଶ୍‍ କରି ଟିଉସନ୍ ମାଷ୍ଟରର ସେ ହେୟ ଘୃଣ୍ୟ ଜୀବନ ! ନା ମୋର ବଞ୍ଚିବାରେ ଇଚ୍ଛା ନାହିଁ । ମୁଁ ଭଲ ହୋବାକୁ ଚାହେଁନା । ମୋ ମନର କେଉଁ କୋଣରେ ନିଆଁ ଜଳୁଛି, ତାକୁ ଔଷଧ ଲିଭାଇ ପାରିବ ନାହିଁ । ମୋର କେହି ନାହିଁ । କିଛି ନାହିଁ । ଏ ଜୀବନ ଅଲୋଡ଼ା । ଏ ଜନ୍ମ ବୃଥା ।

 

‘ବୃଥା’ ଗୋଟାଏ ଶବ୍ଦ ମାତ୍ର । ତା’ ଉପରେ ଗୁରୁତ୍ୱ ଦିଅ ନାହିଁ, ଜୟନ୍ତ । ତେବେ ତମେ ଯାହା ଆଜି ଠିକ୍ ବୋଲି ଭାବୁଛ, ତା’ ମିଛ ବା ନ ହେବ କାହିଁକି ? ତେବେ ମନକୁ ଭୁଲାଇବା ପାଇଁ ଗୋଟିଏ ଜିନିଷ ଉପରେ ବିଶ୍ୱାସ କରିବା ଉଚିତ । ତା’ ହେଉଛି ଭାଗ୍ୟ । ଆସ୍ଥା ରଖ ହୁଏତ ଭାଗ୍ୟର ପରିବର୍ତ୍ତନ ହେବ । ଯାହା ଆଜି ତମ ପାଇଁ ନିଷ୍ଠରୁ ସତ୍ୟ ହୋଇଛି ତା’ ହେବ ନିରାଟ ମିଛ-

 

ବର୍ତ୍ତମାନ ଏଇ ସାନ୍ତ୍ୱନାଠାରୁ ମତେ ଭଲ ଲାଗିବାର ଜିନିଷ କିଛି ନାହିଁ । କିନ୍ତୁ ଜାଣିପାରିଲି ନାହିଁ, ମୋ ପାଇଁ ଏଇ ମହିମାମୟୀ’ଙ୍କର ପରିଚୟ ?

 

ନମିତା ରାୟ । ଆପାତତଃ କ୍ୟାପିଟାଲରେ ରହେ ।

 

ଜୟନ୍ତ ଚାହିଁ ରହିଲେ ମୋ’ରି ମୁହଁକୁ । ମୋ ମୁହଁରେ ବୋଧହୁଏ କିଛି ଗୋଟାଏ ବିଶେଷତ୍ୱ ଥାଏ । ଯେଉଁଥିପାଇଁ ଅନେକ ମତେ ବିଶ୍ୱାସ କରନ୍ତି । ଅଳ୍ପ ସମୟ ଭିତରେ ଖୋଲି ଦିଅନ୍ତି ଗୋପନୀୟ ସତ୍ୟକୁ । ଆଉ ମୁଁ ତା’ର ସମ୍ମାନ ସବୁବେଳେ ଦେଇଥାଏ ।

 

କିଛି କୁହ ଜୟନ୍ତ । ତମର ଦେହ ପାଇଁ ଅନ୍ତତଃ ଉଦ୍‍ବିଗ୍ନ ।

 

ମୁଁ ଭଲ ହେବାକୁ ଚାହେଁନା; ନମିତା ! ଦାରିଦ୍ର୍ୟ ଆଉ ବ୍ୟର୍ଥତା ଅଳ୍ପାୟୁ ଜୀବନ ପାଇଁ ବହୁ ଆଗରୁ କାମନା ଜଣାଇଛି ।

 

ଆଶା ନେଇ ମଣିଷ ବଞ୍ଚେ । ଜିଇଁବାର ପାଥେୟ ଲୋଡ଼େ । ଆଶାକୁ ବାଦ୍ ଦେଲେ ଜୀବନ ଗୋଟାଏ ଭାର ଭଳି ଲାଗେ, ଜୟନ୍ତ !

 

ଜୟନ୍ତ–ହସିଲେ । ରୁଗ୍‍ଣ ପାଣ୍ଡୁର ମୁଖରେ ହସଟା ଚମତ୍କାର ଦେଖାଗଲା ।

 

ଆଶା ମୋର ଅସରନ୍ତି ଥିଲା, ନମିତା ? ତେବେ ଆପେ ଆପେ ସେ ମରିଗଲା । ମୋର ବୋଲି କହିବାକୁ ଆଜି ଆଉ କିଛି ନାହିଁ ?

 

ଅଛି, ଜୟନ୍ତ ! ତମେ ନିଶ୍ଚିତ ଥାଅ, ଅନ୍ତତଃ ମୋ କଥାରେ...ଟ୍ରେନ୍, ବସରେ ସହଯାତ୍ରୀମାନେ ଆପଣା ଭିତରେ ବହୁତ ଖେଲାଖୋଲି କଥା ହୁଅନ୍ତି । କିଏ କେଉଁଠାରେ ଓହ୍ଲାଇଯାଆନ୍ତି, କଥା ରହିଯାଏ ଅତୀତ ହୋଇ । ଜୀବନର ଶେଷ ପର୍ଯ୍ୟନ୍ତ ଆଉଥରେ ଦେଖା ବି ହୁଏ ନାହିଁ । ସେଇ ମନ ନେଇ ଆଜି ମୁଁ ତମ ପାଖରେ ଯଥେଷ୍ଟ ପରିଷ୍କାର । ମୋ ଜୀବନରେ କେତେ ପରିଚୟ ଅଛି । କିଏ କୁଆଡ଼େ ବାଟ ଭାଙ୍ଗି ଚାଲିଯାଇ ଅଛନ୍ତି । ସେମିତି ଗୋଟିଏ ଦୁର୍ଦ୍ଦିନରେ ଏଇ ପରିଚୟ । କିଏ କୁଆଡ଼େ ଯିବ । କିଏ ରହିବ କେଉଁଠାରେ । ଯଦିବା କେବେ ଦେଖା ହେବ କେହି କାହାକୁ ଚିହ୍ନିବି ପାରିବା ନାହିଁ । ତେବେ ବି ବର୍ତ୍ତମାନ ପାଇଁ ନମିତା ତମେ ହିଁ ମୋ ପାଇଁ ଏକମାତ୍ର ଶାନ୍ତି ? ଜୀବନରେ ମୋର ଅସମାପ୍ତ ଝଡ଼ । ଆଉ ତା’ରି ଭିତରେ ମୁଁ ଏକ ନୀଡ଼ହରା ପକ୍ଷୀ । ମମତାହୀନ ଜୀବନ ମୁତ୍ୟୁ କାମନା ନ କରି କ’ଣ କରିଥା’ନ୍ତା ।

 

ଡାକ୍ତର ଆସିଲେ । ଜୟନ୍ତ’ଙ୍କୁ ଔଷଧ, ଇଞ୍ଜେକ୍‍ସନ୍‍ ଦିଆଗଲା । ନେକେଲେସ୍’ର ଦାମ୍‍ଟା ଡାକ୍ତରଙ୍କର ଔଷଧପାଇଁ ଉଦ୍ଦିଷ୍ଟ ଥିଲା । ଡାକ୍ତର ଫେରିଗଲେ ।

 

ମୁଁ ବସିଲି ଜୟନ୍ତ’ର ବେଡ଼୍‍ ଉପରେ । କପାଳରେ ହାତ ରଖିଲି, ନା ଉତ୍ତାପ ନାହିଁ । କପାଳ ସାଉଁଳି କହିଲି, ତମେ ଭାବନା ମୁକ୍ତ ହୁଅ, ଜୟନ୍ତ । ତମର କେହି ନ ଥିଲେ ବି ମୁଁ ଅନ୍ତତଃ ଅଛି । ତମ ପାଇଁ ମୁ ସବୁ କରିବି । କେବଳ ତମେ ଶୀଘ୍ର ସୁସ୍ଥ ହୁଅ ।

 

ଜୟନ୍ତ, ଭାବାବେଶରେ ମୋର ହାତ ପାପୁଲିକୁ ଚାପି ଧରିଲେ, କପାଳ ଉପରେ । ଦେଖିଲି, ଜୟନ୍ତ’ ଶାର୍ଟ ଖଣ୍ଡି ଶତଛିନ୍ନ । ଆଖିରେ ଗୁଡ଼ାଏ ଆଶ୍ୱାସନା ଭରି କହିଲି, ଜୟନ୍ତ ତମେ ଶୋଇବାକୁ ଚେଷ୍ଟାକର ।

 

ଜୟନ୍ତ ଚାହିଁଲେ କାନ୍ଥ ଘଣ୍ଟାକୁ ।

 

ଦଶଟା ବାଜିଲାଣି । ଚାରିଟା ପରେ ଆସିଥିଲ, ନିହାତି ସ୍ୱାର୍ଥପର ଭାବରେ, ମୁଁ ଖାଇ ଶୋଇବି, ଆଉ ତମେ ଭୋକରେ ବସି ରହିବ । ତେବେ ତମକୁ ‘ଯାଅ’ ବୋଲି କହିବାକୁ କଷ୍ଟ ଲାଗୁଛି । ବାସ୍ତବିକ୍‌ ରୋଗ ଯନ୍ତ୍ରଣା ବେଳେବେଳେ ଭଲ ଲାଗେ । ଯଦି ମନ ବୁଝିଲା ଭଳି କେହିଜଣେ ପାଖରେ ବସିଥାଏ ।

 

‘ପାଗଳାମି’ କରନା, ଜୟନ୍ତ ! ତମେ ଅସୁସ୍ଥ । ତମର ପୂର୍ଣ୍ଣ ବିଶ୍ରାମ ଲୋଡ଼ା । ମୋର ବର୍ତ୍ତମାନ ପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟର ଡକରା ନ ଥିଲେ ବି ମତେ ଯିବାକୁହିଁ ପଡ଼ିବ ।

 

Unknown

ତମେ ଚାଲିଗଲେ ମତେ ଭଲ ଲାଗୁନାହିଁ । ମୁଁ ଭାବୁଛି–ତମେ ଚାଲିଗଲେ ମତେ ତମରି ପଛରେ ଯିବାକୁ ଦିଅ ।

 

ଆଃ...ଜୟନ୍ତ ? ବାସ୍ତବିକ୍‌ ତମେ ଖିଆଲି । ପ୍ରଥମେ ତମର ମନେରଖିବା କଥା, ତମେ ସୁସ୍ଥ ନୁହଁ । ତା’ ବ୍ୟତୀତ ମୁଁ ପୁଣି କାଲି ଆସିବି । ତମ ପାଇଁ ମତେ କେତେ ଚିନ୍ତା କରିବାକୁ ପଡ଼େ-

 

ତମର କ’ଣ କେହି ନାହିଁ ? ଯାହା ପାଇଁ ଚିନ୍ତା କରିବା କଥା...

 

ଅଛନ୍ତି...ଜୟନ୍ତ ? ସାନ ଭାଇ ଓ ଭଉଣୀ । ସେମାନେ ଏବେ ବି, ମୋର ଉପାର୍ଜକ ଉପରେ ନିର୍ଭର କରନ୍ତି । ତା’ ବ୍ୟତୀତ ଆଉ କହିଲାଭଳି ମୋର କେହି କିଛି ନାହିଁ । ବର୍ତ୍ତମାନ...ଉର୍ବଶୀରେ ସେଲ୍‌ସଓମ୍ୟାନ୍‌ । ରାତିରେ ହିଁ କିଛିଟା ସମୟ ମିଳେ । ଆଜି ଦିନଟା ଛୁଟି ଆଣିଥିଲି ।

 

ତେବେ ମୋ’ ପାଇଁ ଏ ଅଯଥା ଖର୍ଚ୍ଚ...

 

ଥାଉ...ଜୟନ୍ତ । ତମେ ପ୍ରଥମେ ଭଲ ହୁଅ । ପରେ ସେ ସବୁ !

 

ଜୟନ୍ତ ଔଷଧ ପ୍ରକ୍ରିୟାରେ ଆଖି ବୁଜିଲେ ।

 

ଜୟନ୍ତର ଇତିବୃତ୍ତ ମୋର ଗଭୀର ତନ୍ତ୍ରୀରେ ଚମକ ସୃଷ୍ଟି କରୁଥାଏ । ସେଇ ଅଭିମାନୀ ଜୀବନ ସାହାହୀନ ପକ୍ଷୀ ଶାବକ ପରି । କାଗଜ ଠୁଙ୍ଗା ବିକା ଜୀବନର ଗଭୀର ଆତ୍ମପ୍ରତ୍ୟୟ । ମୋ’ରି ଜୀବନର ରୂପାନ୍ତର ଏଇ ଜୟନ୍ତ ।

 

ଚାଲି ଆସିବାକୁ ପାଦ ବଢ଼ାଇ ବି ଆସି ପାରିଲି ନାହିଁ । ଜୟନ୍ତ’ର ବିଛଣା ପାଖରେ ଠିଆ ହୋଇ ଗୋଟାଏ ନିଷ୍ପତ୍ତି ନେବାର ଦୃଢ଼ତା ନେଇ ଭାବିଲି ଜୀବନର ଏଇ ଅଳ୍ପ ପାହାଚ ପରେ ମୁଁ ପଡ଼ିଯିବି, ଏଇ ନିଷ୍ପତ୍ତି ପାଲରେ । ଏଇ ପୁରୁଷ ଉପରେ ଏତେଶୀଘ୍ର ନିଜର ପ୍ରତ୍ୟୟ ହରାଇ ବସିବି । ଏଇ ଆଶା ନେଇ କ’ଣ ମୁଁ ଜୟନ୍ତକୁ ବଞ୍ଚାଇବାର ଶପଥ ନେଇଛି ? ନା, ନା କିଛି ପାଇବାର ଆଶା ନାହିଁ । ବିନିମୟ ପ୍ରଶ୍ନ ଅବାନ୍ତର । କେବଳ ଅହଙ୍କାରର ବିଜୟ । ନିଜର ଅତୀତ ଉପରେ ବର୍ତ୍ତମାନର । ଦିନେ ମୁଁ ଏଇପରି ନିଃସ୍ୱ ଥିଲି । ଆଜି ମୁଁ ଉପାର୍ଜନ କ୍ଷମ ହେଲେ ବି, ସେ ଦିନର ସେଇ ଜୀବନ ପ୍ରତି ଶ୍ରଦ୍ଧା ସମ୍ମାନ ରହିବା ଥିଲା ମୋର ବଡ଼ ନିଶା । ସେଇ ନିଶା ପାଖରେ ଜୟନ୍ତଙ୍କର ନିଃସ୍ୱତାର ଆଜି ପରୀକ୍ଷା ।

 

ନର୍ସିଂ ହୋମ୍‌ରୁ ବାହାରି ଆସିଲି । କ୍ରୋଟେନ୍‌ ବୁଦା ଉପରେ ଜମି ଆସୁଥିଲା ମଳିନ ଜ୍ୟୋତ୍ସ୍ନା । ଆକାଶ ପିନ୍ଧୁଥିଲା ଧଳା ବାଦଲର ଶାଢ଼ି । କ୍ଷିପ୍ର ଗତିରେ ବର୍ଷା ଟୋପା କେଇଟି ମଥା ଉପରେ ବିଞ୍ଚି ହୋଇ ପଡ଼ିଲା । ପାଖରେ ପଇସା ଥଲେ ବି ସେଦିନ ଭିଜି ଭିଜି ଯିବା ମୋର ପ୍ରୟୋଜନ ଥିଲା । ଯେହେତୁ ମୋର ଆୟ ଅପେକ୍ଷା ବ୍ୟୟ ଥିଲା ଯଥେଷ୍ଟ ବେଶି । ଜନ-ଯାନର ଗହଳି ଡେଇଁ ପାଦ ଚାଲୁଥିଲା । ମାତ୍ର ମନ ଆଗରେ ନାଚୁଥଲା ଗୋଟିଏ ମୁହଁ । ସେ ମୁହଁ ଜୟନ୍ତଙ୍କର ।

 

ଜୀବନରେ ମୋର ଗୋଟିଏ ମୂଲ୍ୟବାନ ଅନୁଭୂତି ଆସିଲା ସେଇ ମୁହୂର୍ତ୍ତରେ । ଯୌବନର ଏ ଅବୁଝା କ୍ରନ୍ଦନ ନେଇ ଦାରିଦ୍ରତାର ରାଜପଥରେ ଚାଲିବାରେ ବି ମନରେ ଭଲ ପାଇବାର ଉଜାଣୀ ଯମୁନା ଛୁଟେ । ମୁଁ ଜାଣିନଥିଲି । ଜଣକୁ ସବୁ ପ୍ରକାର ସାହାଯ୍ୟ ପ୍ରଦର୍ଶନର ଅନ୍ତରାଳରେ, ଭଲ ପାଇବାର ଅମୁହାଁ ଦେଉଳ ଖୋଲିଯାଏ ଅତି ସନ୍ତର୍ପଣରେ ।

 

ଦୂରରୁ ଜଣକୁ ଆର୍ଥିକ ସାହାଯ୍ୟ ଅପେକ୍ଷା ପାଖରେ ରହି ଜଣକୁ ମାନସିକ ସାହାଯ୍ୟରେ ଏହାର କ୍ଷିପ୍ରତା ଓ ତିବ୍ରତା ଖୁବ୍‌ ସନ୍ତୋଷଜନକ । ଜୟନ୍ତ ଯଦି ମୋ ପାଇଁ ଅପେକ୍ଷା କରନ୍ତେ...ନା ମନ ଭିତରୁ ପୁଣି ଯେପରି କିଏ କହି ଉଠିଲା, ଏବେ ବି ଆଶା ଅସମ୍ପୂର୍ଣ୍ଣ । ଅନୀ, ଚନ୍ଦ୍ର...ସେମାନଙ୍କର ବିବାହ ।

 

ପାଦର ଗତି ସହ ଭାବନାର ଗତି ମଧ୍ୟ ସମାନ ତାଳ ଦେଇ ଚାଲିଥାଏ । ସିନେମାର ସେକେଣ୍ଡ ସୋ ଆରମ୍ଭ ପୂର୍ବରୁ । ସ୍ୱାଗତ ସଙ୍ଗୀତ ବିଞ୍ଚୁଥିଲା ଲାଉଡ଼୍‌ସ୍ପିକର । ବିନ୍ଦୁସାଗରରେ ବର୍ଷା ଟୋପାର ସଙ୍ଘାତରେ ଚନ୍ଦ୍ରମା ହଲୁଛି, ଥରୁଛି ।

 

ପାଖ ୟୁରୋପିୟାନ୍‌ ଅପ୍‌ଷ୍ଟେୟାର୍‌ରୁ ଗୁମୁରି ଉଠୁଛି ଭାୟୋଲିନ୍‌ର ଅଭ୍ୟସ୍ତ କାନ୍ଦଣା । ଗ୍ଲାସ୍‍ ଗେଣ୍ଡୁରୁ କାହାଳିଆ ପାଖୁଡ଼ାରେ ବର୍ଷାଟୋପା ଭ୍ରମ ଆଣୁଛି ଅଭ୍ର କଣିକାର ।

 

ଆଗରେ ଦୀପଙ୍କର’ର କୋଠା । ରୁମ୍‍’ର ଆଲୋକ ଅନିର୍ବାପିତ । ନୀଳ ପ୍ଲାଷ୍ଟିକ୍‌ ପେଣ୍ଟ୍‌ କରା କୋଠରୀଟି ଦୂରକୁ ଦିଶୁଥିଲା ଛାୟା ଛବି ପରି । ମନରେ ପହଁରି ଗଲା ଗୋଟିଏ କ୍ଷୀଣ ଧାରଣା ଯଦି ମୁଁ ଦୀପଙ୍କର କଥାରେ ସମ୍ମତି ପ୍ରଦାନ କରିଥା’ନ୍ତି, ତେବେ ଏଇ କୋଠରୀଟିରେ ସାଜିଥାନ୍ତି, ନବବଧୂ । ବାଲକୋନି ଉପରୁ ବିନ୍ଦୁସାଗରର ପ୍ରଶସ୍ଥ ଛାତିରୁ ଚହଲା ଚନ୍ଦ୍ର ଦେଖି ଲେଖନ୍ତି କବିତା । ନିରୋଳା ଭୂବନେଶ୍ୱରଟା ବାସ୍ତବିକ୍‌ ମୋହମୟ । ତା’ପରେ ଦୀପଙ୍କର...

 

ଟିକେ ଦୟାକରି ଶୁଣିବେ । କୋମଳ କଣ୍ଠ ଶୁଣି ବୁଲି ଚାହିଁଲି । ସୁ-ଗୌର ଦେହଟିଏ ରୋଲିଂ ଗେଟ୍‌କୁ ଆଶ୍ରୟ କରି, କାହାକୁ ଯେପରି ଅପେକ୍ଷା କରିଛି । ପାଦ ଅଟକାଇ ଅପେକ୍ଷା କଲି-

 

ମତେ ସାହାଯ୍ୟ କରନ୍ତୁ ! ମୁଁ ହଠାତ୍‌ ଅସୁସ୍ଥ ହେଲି । କଣ୍ଠଟି ନାରୀ’ର ଭଳି ମନେହେଲା-। ଚନ୍ଦ୍ରର ମର୍କୋରୀ ବଲ୍‌ବ ତଳୁ ଲକ୍ଷ୍ୟକଲି, ହ୍ୱାଇଟ୍‌ ବେଲ୍‌ବଟମ୍‌, ଆଉ ଚେକ୍‌ ହାଓ୍ୱାଇନ୍‌ ତଳେ ସାହାଯ୍ୟ ମାଗୁଥିବା ମଣିଷଟି ନିଶ୍ଚିତରେ ଗୋଟିଏ ନାରୀ । ବବ୍‌ହେୟାର୍‌ତକ ସେମ୍ଫୁରେ ତୈଳାକ୍ତ ହରାଇଛନ୍ତି । ଗୌର ଗୋଟାଳିଆ ମଣିବନ୍ଧରେ ସ୍କୋୟାର୍‌ ଘଣ୍ଟା, ମୁହଁରେ ପର୍ଯ୍ୟାପ୍ତ ସ୍ନୋ ପାଉଡ଼ର ବୋଳାପରେ ପ୍ରାକୃତିକ ଲାଲିମାତକ ଲିଭି ଗଲାଣି । ଓଠ ଦି’ଫାଳି ଲିପ୍‌ଷ୍ଟିକ୍‌ ଅଭାବରେ ଦିଶୁଛି, ଖଟା କମଳା ପରି । ବ୍ରାସିଅର ବନ୍ଧନ ଭିତରେ, ନାରୀଟି ଦିଶୁଛି ସୋ କେଶ୍‌ର ଏକ ମଡେଲ୍‌-

 

ତେବେ ଶତାବ୍ଦୀର ଉଗ୍ର ଆଧୁନିକା ନାରୀ, ଏତେ ଅସହାୟ କାହିଁକି । ପାଖକୁ ଗଲି, ବାସ୍ତବରେ ସେ ଦୁର୍ବଳା ଓ ନିଃସହାୟା ।

 

କାତର କଣ୍ଠରେ ନାରୀଟି ଚିତ୍କାର କରି ରୋଲିଂ ଗେଟ୍‍’କୁ ଜାବୁଡ଼ି ଧରିଲା । କି ଅଜଣା ବେଦନାରେ ନାରୀ’ଟି ମାଡ଼ଖିଆ ସାପ ପରି ମୋଡ଼ି ହେଉଥିଲା । ଭାବି ପାରିଲି ନାହିଁ, କ’ଣ ହୋଇପାରେ । ନାରୀଟି କିୟତ୍‍ ସମୟ ପରେ ଆଶ୍ୱସ୍ତ ହେଲା ଏବଂ କାତର କଣ୍ଠରେ କହିଲା–ମୁଁ ସାଧନା ସେନ୍‌ଗୁପ୍ତ । ମୋ’ ଘର ଦିନେ ଥିଲା ଓଡ଼ିଶା ବାହାରେ । ମୁଁ ଏଠାରେ ଏକ ଅଫିସରେ ଚାକିରି କରେ । ମତେ ଯେ କୌଣସି ନର୍ସିଂ ହୋମ୍‌କୁ ନେଇ ଯା’ନ୍ତୁ ।

 

ମୋ ପାଖରେ କିନ୍ତୁ ମାତ୍ର ଦୁଇଟି ଟଙ୍କା ଥିଲା । ସେତିକି ସମ୍ବଳ ଧରି, ମୁଁ ଯେ କ’ଣ କରିପାରିବି, ଭାବିବାକୁ ଲାଗିଲି । ମୋର ଧୈର୍ଯ୍ୟ ଭାଙ୍ଗିବାରେ ‘ପରିସ୍ଥିତି’ ଯେପରି ଦୃଢ଼ପରିକର ।

 

ସାଧନା ସେନ୍‌ଗୁପ୍ତ, ଚିତ୍କାର କରି ଉଠିଲା ।

 

ବର୍ଷା’ର ବେଗ ବଢ଼ିବାରେ ଲାଗିଲା ।

 

ଦୀପଙ୍କର ବେଡ଼୍‍ରୁମ୍‌ର ଲାଇଟ୍‌ ହଠାତ୍‌ ନିର୍ବାପିତ ହେଲା । ଜାଣିଲି ସାଧନା ପ୍ରସବ ଯନ୍ତ୍ରଣା ଭୋଗୁଛି । ତେବେ ବଙ୍ଗବାଳା କପାଳରେ ପରମ୍ପରା ଘୋଷିତ ସିନ୍ଦୁର ବନ୍ଧ ନାହିଁ । ମନର ସନ୍ଦେହକୁ ଚପାଇ ସାଧନାକୁ ନେଲି । ତା’ର ଅଲୋଡ଼ା ମାତୃତ୍ୱ ବାହୁନି ଉଠିଲା ସାତ ନମ୍ବର ବେଡ଼ରେ । କୁମାରୀ ଜଠରର ପିତୃ ଅପରିଚିତ ସନ୍ତାନ ପାଇଁ କେହି ଜନ୍ମାଷ୍ଟମୀ ପାଳନ କଲେ ନାହିଁ-। ସାଧନା’ ପ୍ରତାରିତା, ଆଉ ତା’ର ସନ୍ତାନକୁ ଅସ୍ୱୀକାର କରିଥିବା ସାହସୀ ବ୍ୟକ୍ତିଟି ସମାଜର ଜଣେ ଜାଣିଲା ଭଳି ମଣିଷ । କୌଣସି ଏକ ଜନପ୍ରିୟ ପତ୍ରିକାର ଏଡ଼ିଟର୍‌ ।

 

ମୁଁ ଅନାୟାସରେ ବୁଝିନେଲି, ସେ ବ୍ୟକ୍ତିଟି ଦୀପଙ୍କର ବ୍ୟତୀତ ଅନ୍ୟକେହି ନୁହେଁ । ଯେଉଁ ଦୀପଙ୍କର ରୋଲିଂଗେଟରେ ସାଧନା’ର ଅଲୋଡ଼ା ମାତୃତ୍ୱ ମଥା ପିଟୁଥିଲା । ଯେଉଁ ଦୀପଙ୍କର, ଅନୁମତି ମାଗୁଥିଲେ ମନ୍ଦିର ବେଢ଼ାରେ ରାତ୍ରୀ ବିହାର ପାଇଁ ।

 

ଦୀପଙ୍କରର ସ୍ମରଣରେ ମୋର ମନ ଥରିଲା ନାହିଁ । ଦେହଟା’ଇଁ ଥରିଲା । ଆଃ...ଦୀପଙ୍କର, ତୁମ ପାଇଁ ମୁଁ ଈଶ୍ୱରଙ୍କ ପାଖରେ କ୍ଷମା ମାଗୁଛି । ପିଲାଟି ମା’କୁ କଳଙ୍କଶୂନ୍ୟ କରି ଚାଲିଗଲା । ସାଧନା ଦୁର୍ବଳ, ବାଧ୍ୟରେ ତାକୁ ଆଣିଲି ଘରକୁ । ସାଧନା ଶିକ୍ଷିତା । ଜୀବନର ପ୍ରଥମ ଭୁଲ୍‍ ପାଇଁ ସେ ଅନୁତପ୍ତା । ଘରେ ବିମାତା ଓ ତା’ର ଦୁଶ୍ଚରିତ୍ର ଦୁଇ ପୁଅ । ଯାହାକୁ ସାଧନା ସାନ ଭାଇ ଭାବି ସ୍ନେହ କରେ । ସେ ପରିବାର ଭିତରେ ତା’ର ସ୍ଥାନ ନାହିଁ । ବାପା ଥିଲାବେଳେ ଅର୍ଥର ପ୍ରାଚୁର୍ଯ୍ୟତା ଭିତରେ ସେ ପ୍ରିୟୁନିଭରସିଟିରେ ଫେଲ୍‌ ସାଟିଫିକେଟ୍‌ ନେଇ ହେଲା କଣ୍ଠଶିଳ୍ପୀ-। ହାଇସ୍କୁଲ ଡ୍ରାମାର ପ୍ରଚ୍ଛଦପଟ୍ଟ ଗାୟିକା । କଲେଜ କ୍ୟାରିଅରରେ ହୋଇଥିଲା ନାମଜାଦାଗାୟିକା ତା’ପରେ ବିଭିନ୍ନ ସଙ୍ଗୀତ ଆସରରେ ଯୋଗଦେଇ ସେ ପଡ଼ିଲା ଦୀପଙ୍କର’ର ପ୍ରେମରେ । ଦୀପଙ୍କର ବିବାହିତ । ନିଜର ଅପରୂପା-ସ୍ତ୍ରୀ’କୁ ପ୍ରତ୍ୟାଖ୍ୟାନ କରି ଝିଅମାନଙ୍କୁ ନେଇ ଗୋଟିଏ ଖେଳୁଓ୍ୟାଡ଼ର ଜୀବନ କଟାଉ ଥିଲେ ।

 

ସେ ପ୍ରତିଶ୍ରୁତି ଦେଇଥିଲେ, ସାଧନାକୁ ବିବାହ କରିବେ । ସାଧନା କପାଳରେ ସିନ୍ଦୁରଗାର ଲେଖା ହେବା ପୂର୍ବରୁ କୋଳକୁ ଆସିଲା ସନ୍ତାନ । ଦୀପଙ୍କର ସେଦିନ ସାଧନାର ଚଲାପଥରେ ନିଜର ଆଖି ପର୍ଯ୍ୟନ୍ତ ପକାଇ ନଥି ଲେ । ପତ୍ରିକା ପୃଷ୍ଠାରେ ସାଧନା କଣ୍ଠର ଶତମୁଖି ସମୀକ୍ଷା କରି, ସାଧନାର କୌମାର୍ଯ୍ୟର ସମୀକ୍ଷା ବି କରି, ସେ ପାଲଟି ଗଲେ ଗୋଟିଏ ନିଷ୍ପାପ ପୁରୁଷ । ଆଉ ସାଧନା, କଳଙ୍କର ବରଷାତି ପିନ୍ଧି, ସାମାଜର ସଡ଼କରେ ପରିତ୍ୟକ୍ତାର ଚିତ୍କାର କଲା-। ଦୀପଙ୍କର ରୋଲିଂ ଗେଟ୍‌ପାଖରୁ ସେଦିନ ସାଧନାକୁ ଆଣିବାର ଦୃଶ୍ୟ ମୋ ଛାତିରେ ଲେଖାଥିଲା ପଥରରେ ଗାର ପରି ।

 

ମୋର ଦୈନ୍ୟ ଦୋହଲା ପରିବାରରେ ସାଧନା ଗୋଟିଏ ଅଚାନକ ଝଡ଼ର ଝଙ୍କାର ହୋଇଥିଲା । ତେବେ ବି ସାଧନା ପୂର୍ଣ୍ଣ ପ୍ରଶାନ୍ତିରେ ସମୟକୁ ସ୍ୱାଗତ କଲା । ବେଲ୍‌ବଟମ୍‌ ଭିତରେ ସେ ଦୀପଙ୍କରର ଦଂଶିତା ଦେହକୁ ଫିଙ୍ଗିଦେଇ ହ୍ୟାଣ୍ଡ୍‌ଲୁମ୍‌ ଦେହକୁ ନେଇ ନବ-କଳେବର ପାଇଲା-। କିନ୍ତୁ...

 

ମୋ ପରାଜିତ ସ୍ତାବଳ ଦଳ ।

 

ମତେ ସମାଜରୁ ବାଛନ୍ଦ କରିଥିବା ଧର୍ମବକଗୋଷ୍ଠୀ, ମୋର ଉଦ୍ଧତତାକୁ ଯେଉଁମାନେ କଳଙ୍କର ଆଖ୍ୟା ଦେଇଥାନ୍ତି ସେମାନେ ରାଗରେ ଅଗ୍ନିଶର୍ମା ପାଲଟି ଗଲେ ।

 

ସାଧନାକୁ ମୋ ଜୀବନର ଆଧୁନିକ ବ୍ୟଭିଚାରର ସହକର୍ମିଣୀ ବୋଲି ସମସ୍ତେ ନିର୍ବିଚାରରେ ମତ ପ୍ରକାଶ କଲେ ।

 

ମାତ୍ର ସେମାନଙ୍କର କହିବାକୁ ଥିଲେ ମଧ୍ୟ, କରିବାର କିଛି ନ ଥିଲା ମତେ ଜାତିଆଣ ଗୋଷ୍ଠୀରୁ ପୃଥକ୍‍ କରିବା ପରେ । ମୋ ଜୀବନର ନିୟନ୍ତ୍ରଣ କରିବାର ନିର୍ଦ୍ଦେଶ ସେମାନଙ୍କର ନ ଥାଇପାରେ, ମାତ୍ର କାନ୍ଥ ଓ କବାଟରେ ଅଶ୍ଳୀଳ ମନ୍ତବ୍ୟ ଧୈର୍ଯ୍ୟଚ୍ୟୁତିରୁ ମୋର ଅନେକ ବେଶିଥିଲା ।

 

ଅପପ୍ରଚାରର ସୀମା ନ ଥିଲା । ଅଭାବର ଅନ୍ତ ନ ଥିଲା । ଜୟନ୍ତ ନର୍ସିଂହୋମରେ, ଘରେ ଅନୀତା ଓ ସାଧନା । ପୁଣି ଫେରିଲି କ୍ୟାପିଟାଲ । ଉର୍ବଶୀ’ର ଅବିଶ୍ରାମ ଜୀବନ । ଜୟନ୍ତ ଭଲ ହେଲେ । ସେ ପାଇଁ ମତେ ଅନେକ କିଛି କଷ୍ଟ କରିବାକୁ ପଡ଼ିଲା । ଖାଦ୍ୟ ଓ ଯତ୍ନ ଅଭାବରୁ ଦେହ ହେଲା ଦୁର୍ବଳ । ଚନ୍ଦ୍ର ଫେରିଲା ଟ୍ରେନିଂରୁ । ମୁଁ ଫେରିଲି କ୍ୟାପିଟାଲରୁ । ସାଙ୍ଗରେ ଜୟନ୍ତ ।

 

ଆକାଶରେ ତୃତୀୟ ପଞ୍ଚବାର୍ଷିକ ଯୋଜନାର ସଭ୍ୟ ସୂର୍ଯ୍ୟ । ଫୁଲରେ ଆଧୁନିକତାର ୟୁଡ଼ି କୋଲନ । ପବନରେ ହିମାଳୟା ବୁକେ’ର ମୃଦୁ, ଅଥଚ ଆକର୍ଷଣୀୟ ସୁଗନ୍ଧ । ଆଉ ମଣିଷ ମନରେ ଖାଲି ବଡ଼ ହେବାର ନିଶା, ଗ୍ରାସି ଯିବାର ଅନନ୍ତ କ୍ଷୁଧା ।

 

ଜୟନ୍ତ’ଙ୍କ ପାଇଁ ଏକ ସରକାରୀ ଫାର୍ମରେ ଚାକିରି ସମ୍ପର୍କରେ ଯାଇ ଫେରୁଥିଲି । କ୍ଳାନ୍ତ ମନ, ଶ୍ରାନ୍ତ ଦେହ ନେଇ, ଘରେ ଯେତେବେଳେ ପଶିଲି, ସାଧନା ଗୋଟିଏ ଅଶୁଭ ଇଙ୍ଗିତ ଦେଲା-

 

ମୁଁ ଶୁଣିଲି । ଅଭୁକ୍ତ ପେଟ ପାଇଁ ଖାଦ୍ୟ ହୁଏତ ସାମାନ୍ୟ ଥିଲା । ମାତ୍ର ସମୟ ନ ଥିଲା-। ଚନ୍ଦ୍ର ଏଥର ନିଜର ଦାୟିତ୍ୱ ମୁଣ୍ଡେଇବାର ଯନ୍ତ୍ରଣା ଜାଣିଲାଣି, ବାକି ଅଛି ଅନୀ ।

 

ସେ ଦିନର ସେଇ ଆଠ ବରଷର କାନ୍ଦୁରୀ ଅନୀ, ଆଜି ଅଠରଟି ବସନ୍ତକୁ ସ୍ୱାଗତ କରିଛି । ବୟସର ସଜ ଶେଯରେ ଶୋଇ ସେ ଦେଖୁଛି ସୁଖ ରାତ୍ରୀର ସ୍ୱପ୍ନ ।

 

ସେଇ ଅନୀ’ର ଆଜି ଥିଲା ଗାର୍ଲସ ହାଇସ୍କୁଲରେ କ୍ଲର୍କ ପାଇଁ ଇଣ୍ଟରଭ୍ୟୁ ।

 

ମଫସଲରେ ଗାର୍ଲସ ହାଇସ୍କୁଲର ସ୍ୱଳ୍ପତା ଦୃଷ୍ଟିରୁ, ସାଧାରଣ ଝିଅମାନେ ମାଟ୍ରିକ୍ୟୁଲେସନ୍‌ ପରୀକ୍ଷା ଦେବାର ସୁଯୋଗ ପାଉ ନ ଥିଲେ । ଆଉ ଯିଏବା ପାଉଥିଲେ ସେମାନେ ହାଇସ୍କୁଲର କଠୋର ଗଣ୍ଡି ଭିତରୁ ଚାହୁଁଥିଲେ ମୁକ୍ତି । କଲେଜର ମଉଜିଆ ଜୀବନର ଆକାର୍ଷଣର ତୀବ୍ରତାକୁ ଅସ୍ୱୀକାର କରିବାକୁ ପ୍ରାୟ ଝିଅ ଅନାଗ୍ରହୀ ଥିଲେ । ସେ ଦୃଷ୍ଟିରୁ, ଅନୀ ଯେ ମ୍ୟାନେଜିଂ କମିଟିର ପରିଚାଳନାରେ ଥିବା ପ୍ରାଇଭେଟ୍‌ ସ୍କୁଲରେ କିରାଣୀ ଚାକିରି ଖଣ୍ଡି ବିନା ପରିଶ୍ରମରେ ପାଇବ ଏ ଧାରଣା ନେଇ ମୁଁ ପ୍ରାୟ ନିଶ୍ଚିନ୍ତ ଥିଲି ।

 

ସାଧନା ହିଁ ପ୍ରଥମେ ମତେ ଏ ସମ୍ପର୍କରେ ଗୁରୁତ୍ୱର ସୂଚନା ଦେଲା ।

 

ମାନେଜିଂ କମିଟିର ପ୍ରତ୍ୟେକ ସଭ୍ୟ ଆମରି ପଡ଼ୋଶୀ ଓ କେତେଜଣ ଜ୍ଞାତି, କୁଟୁମ୍ବର ମଧ୍ୟ ଥିଲେ । ଓଡ଼ିଆ ମନନେଇ ସେମାନେ ଅନ୍ୟପ୍ରତି ଅସହିଷ୍ଣୁ । ସେମାନଙ୍କର ଏକ ଚାଟିଆ ଶାସନକୁ ମୁଁ ସମର୍ଥନ ନ କରି ପ୍ରତ୍ୟାଖ୍ୟାନ କରିଛି । କିଛି ନ କହି ଫେରିଲି, ଅନୀ ପାଖକୁ ।

 

ଏପ୍ରିଲ୍‌ ଆକାଶରେ ସୁର୍ଯ୍ୟ ବୁଣୁଛନ୍ତି ଖାଲି ଡହକିଆ ଖରା । ସ୍କୁଲ ଗେଟ୍‌ପାଖରେ ଲାଲ କୃଷ୍ଣଚୂଡ଼ା ଖରାଦେହରୁ ଉତ୍ତାପ ସଂଗ୍ରହ କରୁଛି । ଖରା ସିଝା ପାଦକୁ ପାଇପ୍‌ ଝରା ପାଣିରେ ଭିଜାଇବାକୁ ଅବସର ମଳିଲା ନାହିଁ ।

 

ଦୀର୍ଘ ପ୍ରସ୍ଥ ସ୍କୋୟାର୍‌ ଟେବୁଲ ଉପରେ ଘିଅ ରଙ୍ଗର ସମ୍ବଲପୁରୀ ଢାଙ୍କୁଣିଟି ତାପ ଦଗ୍‌ଧ ପବନରେ ତଳକୁ ଝୁଲି ଝୁଲି ଦୋହଲୁଛି ।

 

ସେକ୍ରେଟାରୀ ମତେ ଦେଖିଲେ । ଅନେକ ଦିନରୁ ସଂଗୃହୀତ ରାଗଗୁଡ଼ାକ, ଉପୁଚି ଉଠିଲେ ସୁଯୋଗ ଦେଖି ।

 

ଅନୀ’ ଡୋର ସ୍କ୍ରିନ୍‌ ପାଖରେ ଠିଆ ହୋଇଥିଲା ଅଦାଲତର ଆସାମୀ ପରି । ମତେ ଦେଖି ସେ ବୋଧହୁଏ କିଛିଟା ଆଶା ପାଇବା ପରି ଲାଗିଲା । ମୁଁ ଟେବୁଲ ପାଖରେ ଠିଆ ହେଲି । ଅନୀ’ ସପକ୍ଷରେ ଓକିଲ ପରି ।

 

...ନମସ୍କାର । ଅନୀତା’ର ଇଣ୍ଟରଭ୍ୟୁର ଫଳାଫଳ ଶୁଣିବାକୁ ଆସିଥିଲି ।

 

‘ପ୍ରଥମରୁହିଁ ’ ଅନୀତା ରାୟର ଦରଖାସ୍ତ ଆମର ହସ୍ତଗତ ହୋଇନାହିଁ । ଆଉ ଫଳାଫଳ ଅବାନ୍ତର ପ୍ରଶ୍ନ ।

 

...ଦେଖନ୍ତୁ, ଆପଣମାନେ ମୋର ମାନ୍ୟ ସ୍ଥାନୀୟ । ମିଛ କହି ମୋ ପାଖରେ ନିଜକୁ ଛୋଟ କରନ୍ତୁ ନାହିଁ । ଦରଖାସ୍ତ ମୁଁ ନିଜେ ପିଅନ ହାତରେ ଟେବୁଲ ଉପରେ ରଖାଇଛି । ଆଉ ସେକ୍ରେଟାରୀ ପଠାଇଥିବା ଇଣ୍ଟରଭ୍ୟୁ କାର୍ଡ଼ ଖଣ୍ଡି ବର୍ତ୍ତମାନ ବି ମୋ ପାଖରେ ଅଛି ।

 

‘ଦେଖ’ ଆମର ମାତ୍ର ଗୋଟିଏ ପୋଷ୍ଟ ପାଇଁ ପାଞ୍ଚୋଟି ପ୍ରାର୍ଥି ଓ ପ୍ରାର୍ଥିନୀ ଆସିଛନ୍ତି ।

 

‘ବେଶ୍‌ ତ’ ଇଣ୍ଟରଭ୍ୟୁରେ ଫେଲ୍‌ ହେଲେ ଅନୀତା ରାୟ ପାଇଁ ମୁଁ ଅନୁରୋଧ ବି କରିବି ନାହିଁ । ଯଦି ପାଶ୍‍ କରେ, ତା’ର ଯୋଗ୍ୟତା ଦାବି ସେ ନିଶ୍ଚୟ କରିବ ।

 

ସେକ୍ରେଟାରୀ ବୋଧହୁଏ ପ୍ରସ୍ତୁତ ନ ଥିଲେ ଏ ସ୍ପଷ୍ଟ ଉତ୍ତର ପାଇଁ । ସେ ନୀତିବାଣୀର ଉଦାରତା ଓ ଉପଦେଶ ଦେଇ କହିଲେ–

 

–ତମେ–ନମିତା ? ତମରି ପାଇଁ ଆମ ସମାଜ ଭିତରେ ଅନେକ ପ୍ରତିଧ୍ୱନିର ଝଙ୍କାର । ତମେ ପ୍ରତି ପାଦରେ ଅସଂଖ୍ୟ ନୀତି ପାଦପକୁ ଚକଟି ଦେଇଛ । ଏଇ ଗାଆଁରେ ପ୍ରତି ପରିବାରରେ ତମରି ପରି ଦଶ ପଚିଶଟା ଝିଅ ଅଛନ୍ତି । ମାତ୍ର ତମ ପରି ଏତେ ଅପପ୍ରଚାରର ମୁକ୍ତ କଣ୍ଠ କାହାପାଇଁ ଝଙ୍କାରୀ ଉଠୁଛି । ଅନ୍ୟମାନେ ଦେଶାଚାର କୁଳାଚାର ମାନି ସଂସାର କରିଗଲାବେଳେ, ତମେ ଗ୍ରାମ୍ୟ ଜୀବନର ଅଣୁ-ପରମାଣୁରେ ବିଞ୍ଚୁଛ କଳଙ୍କର କଳାରେଣୁ ।

 

–ସେ ପାଇଁ ଯାହା ଦଣ୍ଡ ଆପଣମାନେ ସ୍ଥିରୀକୃତ କରିଛନ୍ତି–ତାହା ମୁଁ ଅକ୍ଷରେ ଅକ୍ଷରେ ପାଳନ କରିଛି । ଆଉ ମୋର କଳଙ୍କ, ଯାହା ଆପଣଙ୍କ ଆଖିରେ, ତାହା ମୋ ପାଖରେ ନିର୍ଭୁଲ ମାନବିକତା । ଜୀବନର ପାପପୁଣ୍ୟକୁ ସମାଜର ତତ୍କାଳୀନ ମୂଲ୍ୟବୋଧରେ ବିଚାର ନ କରି ମନୁଷ୍ୟର ତରାଜୁରେ ତଉଲି ଦେଖିବି । ମୁଁ ଯଦି ସାମଜରେ କଳଙ୍କ ବୋଳିଥାଏ ତେବେ ସେଥିରେ ମୋର କ୍ଷୁଣ୍ଣ ହେବାର ଆଶଙ୍କା ଏତେ ଟିକେ ବି ନାହିଁ ।

 

–ସେଦିନ ମଧୁ ନାହାକର ବିଧବା ସ୍ତ୍ରୀ’ର ଜାରଜ ସନ୍ତାନକୁ ସତୀଗଡ଼ିଆକୁ ପୋତିବାକୁ ନ ନେଇ, ଆମେ ଆମ ବଳିଷ୍ଠ ଜାତିଆଣ ସଭାରେ ଚରମ ନିଷ୍ପତ୍ତି ନେବାବେଳେ, ତମେ ଗୋଟିଏ ଝିଅ ହୋଇ କଳା କିଟି କିଟି ବର୍ଷା ରାତିରେ ବାସିମଡ଼ାଟାକୁ ନିଜେ ଉଠାଇ ନେବାର ପରାମର୍ଶ ଦେଲ ଓ ସାଙ୍ଗରେ ଯାଇ ଆମ ମୁହଁରେ କଳା ବୋଳିଲ । ତେବେ ଆମ ଜାତି ଭିତରେ ଆଉ ନୀତି-ନିୟମ ରହିଲା କ’ଣ । ଯାହା ମନ ଯାହା ହେବ, ସେ ତା’ କରିବ । ରାସ୍ତା ସୁଗମ ହୋଇଗଲା ।

 

–ପ୍ରତ୍ୟେକ ମଣିଷର ଜୀବନ ଗ୍ରନ୍ଥରେ ଭୁଲ୍‍ର ପରିଚ୍ଛେଦ ନିଶ୍ଚୟ ଅଛି । ତେବେ ତାହା କ’ଣ ଜୋରଜବରଦସ୍ତ ରୋକା ଯାଇପାରେ । ଜାରଜ ହେଲେ ବି, ସେ ଗୋଟାଏ ମହାମୂଲ୍ୟ ଜୀବନ । ମା’ କୋଳରେ ସେ ପଚିସଢ଼ି ଗନ୍ଧ କଲାବେଳେ ଆପଣମାନେ ଚାଳ ଚାଳକୁ ଲଗାଇ ଭାତ ଖା’ନ୍ତେ କିପରି । ଭୁଲ୍‍’ର ଦଣ୍ଡ, ଭୁଲରେ ଦିଆହୁଏ ନାହିଁ ।

 

–ସାଧନା ସେନ୍‌ଗୁପ୍ତ ଭଳି ଗୋଟିଏ ଅଜ୍ଞାତ କୁଳଶୀଳା, ରୂପସୀକୁ ନିଜଘରେ ସ୍ଥାନଦେବା କେତେଦୂର ଲୋକ ଚକ୍ଷୁରେ ସୁନ୍ଦର ?

 

–ସେଇ ଲୋକ ଚକ୍ଷୁରେ ଘୃଣ୍ୟ ପାଲଟି ଯିବାରୁ ତାକୁ ମୁଁ ଆଶ୍ରୟ ଦେଇଛି । ହୁଏତ ସେଇ ଆଶ୍ରୟ ନ ପାଇ ସେ ମରି ନ ଥା’ନ୍ତା ଅବଶ୍ୟ । ତେବେ ତା’ର ପରାଜିତ ମନଟା ବିଦ୍ରୋହୀ ହୋଇଥାନ୍ତା । ସେ ପାଲଟି ଥା’ନ୍ତା, କଲଗ୍ୟାର୍ଲ ଅଥବା କୁଖ୍ୟାତ ଗଳିର ରାତ୍ରୀ ନାୟିକା । ସମାଜରେ ବିଞ୍ଚିଥା’ନ୍ତା ଗୁଡ଼ାଏ ଦୂରାରୋଗ୍ୟ ବ୍ୟାଧିର ଜୀବାଣୁ । ମଣିଷ କେବେ କୁଳହରା ହୋଇପାରେନା । ପରିବେଶହିଁ ମଣିଷକୁ ଭୁଲ୍‍ବାଟରେ ଚଲାଇ ଶିଖାଏ । ତେବେ ସେସବୁ ଆଜି ଆଉ କାହିଁକି । ଜାତିରେ ମୁଁ ବାଛନ୍ଦ ହୋଇଛି, ବାହା ପୁଆଣୀରେ ମତେ ମୁଠାଏ କେହି ଖାଇବାକୁ ଦେଇନାହିଁ । ଆପଦ ବିପଦରେ ମୋ ପରିବାରକୁ କେହି ତୁଣ୍ଡରେ ପଦେ ଆହା କହିନାହିଁ । ନିଆଁପାଣି ପର୍ଯ୍ୟନ୍ତ ମତେ ମନା କରାଯାଇଛି । ତେବେ ବି ଏ ସବୁ ଭିତରେ ମୁଁ ବଞ୍ଚିଛି, ଅନେକ ଆଗ୍ରହ ନେଇ । କୋଶ କୋଶ ଦୂରରୁ ମୁଁ ବଜାର ସଉଦା ଆଣିଛି । ସର୍ବସାଧାରଣ କୂଅରୁ ପାଣି ଆଣିଛି । ଗାଆଁର ଯଥେଷ୍ଟ ଦୂରରେ ଥିବା ନଈ ପଥର ଉପରେ ବସି ଲୁଗା କାଚିଛି । ସେ ପାଇଁ ମୋର ଦୁଃଖ ନାହିଁ । କିନ୍ତୁ ସାହାଯ୍ୟ ଯେ କେହି ମାଗିଲେ ମୁଁ ନିଶ୍ଚୟ ଦେବି ।

 

–ତେବେ ତମେ କ’ଣ ସାହାଯ୍ୟ ମାଗୁଛ ? ତମର କଲା କାର୍ଯ୍ୟ ପାଇଁ ଅନୁତାପ କରୁଛ-?

 

–ମୁଁ ପାପ କରିନାହିଁ । ଅନୁତାପ କରିବି କାହିଁକି ? ପାପ’ ସଂଜ୍ଞା ଯେ କ’ଣ, ତାହା ଏ ପର୍ଯ୍ୟନ୍ତ ମୋର ବିଚାର ପରିଧି ପାଖରେ ପହଞ୍ଚି ନାହିଁ । ମୁଁ ଚାହେଁ ମୋର ଦାବି ।

 

–କ’ଣ ବିପ୍ଳବ କରି । ବିଦ୍ରୋହର କଳାଝଣ୍ଡା ଧରି । ସେକ୍ରେଟାରୀ ରୁମାଲରେ ମୁହଁ ପୋଛିଲେ ।

 

–‘ବଞ୍ଚିବା ଅର୍ଥହିଁ ବିପ୍ଳବ’ । ମାଟି ଭିତରେ ମଞ୍ଜି ବି ବିପ୍ଳବ କରି ମାଟି ଉପରକୁ ଉଠେ । ଯଦି ନ ଉଠିପାରେ ଆମେ ତାକୁ କହୁ ମଲାମଞ୍ଜି । ତେଣୁ ମୁଁ ବିଚାର ଚାହେଁ । ଅନେକ କହିଥିଲି... ନିରାଶରେ ଫେରିଲି, ପଛେ ପଛେ ଅନୀ ।

 

ତା’ପରେ ଦିନେ ଅଲିଅଳି ଫଗୁଣ ସକାଳରେ କୋଇଲି କଣ୍ଠରେ ମାଙ୍ଗଳିକ ସାହାନାଇ ଚମକି ଉଠିଲା । ସାଧନା, ଚନ୍ଦ୍ର ପାଖରେ ଠିଆ ହୋଇ ଦିଶୁଥିଲା ପବିତ୍ର ସରସିଜ ପରି । ବାଢ଼ୁଅ ପାଣିର ଶାଢ଼ି ପାଲଟା ପରି । ସେ ପାଲଟି ଯାଇଥିଲା–ଅକ୍ଷତା, ଅଚୁମ୍ବିତା, ଅଳସୀ, ମଞ୍ଜୁଳ ଯୌବନା ଦେବ-ବାଳା । ହୋମର ପବିତ୍ର ଶିଖା ଭିତରେ ମୋରି ସାନଭାଇ ଚନ୍ଦ୍ରକାନ୍ତ ରାୟ, ପୂର୍ଣ୍ଣ ଆକର୍ଷଣରେ ବାନ୍ଧିଲା ବଙ୍ଗବାଳା ସାଧନା ସେନ୍‌ଗୁପ୍ତକୁ । ଆଉ ମୁଁ କେବଳ ଦେଖୁଥିଲି ମନଶ୍ଚକ୍ଷୁରେ; ଅନୀ’ର ଯୁଗ୍ମଜୀବନ...ତା’ପରେ...ମୁଁ–ମୋର ଗୋଟିଏ ଛୋଟ ନୀଡ଼ । ତେବେ କାହାନ୍ତି ମୋର ସେଇ ବାଞ୍ଛିତ ପୁରୁଷ । ଆଖି ଆଗରେ ଦିଶିଲା ଜୟନ୍ତ ମଲ୍ଲିକ୍‍’ର ମୁହଁ–ଯାହାକୁ ମୁଁ ବଞ୍ଚାଇବାର ଶପଥ ନେଇଥିଲି ଦିନେ । ବୟସର ଧୂଲିବୋଳା ଦର୍ପଣରେ ମୁଁ ନିଜର ପ୍ରତିବିମ୍ବକୁ ଚାହିଁ ପ୍ରଶ୍ନ କଲି–ପ୍ରେମରେ ପଡ଼ିଯାଇ ନାହିଁ ତ ?

 

ଖରା ଝାଉଁଳା ପୃଥିବୀ ଦିଶୁଥିଲା ଗୋଟିଏ ସୁନ୍ଦରୀ ଝିଅର ମଉଳା ମୁହଁ ପରି । ମୋ ପରିବାରର ଦୈନ୍ୟ ପଖଳା ରୂପ ଦେହରେ ସାମାନ୍ୟ ଉତ୍ସାହର ଭାୟୋଲିନ୍‍ ବାଜୁଥାଏ । ଅନୀ ପୋଷ୍ଟିଂ ହୋଇଛି–ତା’ର ଦରମା ଶହେ ଟଙ୍କାରୁ କିଛି ବେଶି । ଚନ୍ଦ୍ର ଟ୍ରେନିଂରୁ ଫେରି କେତୋଟି ପିଲାଙ୍କୁ ଟିଉସନ୍‌ କରୁଛି । ସେବି କିଛି ପାଏ । ଆଉ ସାଧନା ସେକ୍ରେଟାରୀଏଟରେ ୟୁ.ଡ଼ି.କ୍ଲର୍କ । ତିନି ମାସର ଛୁଟି ପରେ ସେ ପୁଣି ଜଏନିଂ ଦେଲାଣି ।

 

ଦିନେ ଯେଉଁ ଚାଳରୁ ପାଣି ଝରି କାନ୍ଥ ଓଦା କରୁଥିଲା, ସେଇ କାନ୍ଥର ଅଙ୍ଗେ ଅଙ୍ଗେ ସ୍ୱଚ୍ଛଳତାର ରଙ୍ଗ ଲାଗିଲା । ଗରୀବ ଥିଲେ ବି, ମୁଁ ପିଲାବେଳରୁ ଆଧୁନିକ ପରିବାର ଭିତରେ ବଢ଼ିଥିଲି । ମିଷ୍ଟ୍ରେସ୍‌ଙ୍କ ପାଖରେ ଚାକରାଣୀ ହେଲେ ବି, ଦିନେ ମୁଁ ଗୋଟିଏ ଆଧୁନିକ ରୁଚିପୂର୍ଣ୍ଣ ଘର ଗଢ଼ିବାର କଳ୍ପନାରେ ମଜ୍ଜିଥିଲି ସାମାନ୍ୟ ସ୍ୱଚ୍ଛଳତା ଭିତରେ । ମୁଁ ପଲ୍ଲୀ ଗ୍ରାମର ଆଢ଼ୁଆଳରେ ଗୋଟିଏ ଆଧୁନିକ ପରିବାର ତଥା ରୁଚିର ବର୍ଣ୍ଣବିଭା ଉକୁଟାଇବାରେ ଲାଗିଗଲି ।

ସାଧନା ଏଣିକି ରଙ୍ଗିନ୍‌ ଚୁମ୍‌କି ବସା ଶାଢ଼ି ଭିତରେ, ପପୁଲାର ସାୟା ବ୍ୟବହାର କଲାଣି । ଆଉ... ଅନୀତା ପିନ୍ଧିଲାଣି ହାଇହିଲ୍‌ ଚଟି, ଆଉ ଚନ୍ଦ୍ର’ ହାତରେ ବାନ୍ଧିଲାଣି ଲାରେକ୍‌ସ ଘଣ୍ଟା । କଟନ୍‌ ପ୍ୟାଣ୍ଟରେ, ଚକୋଲେଟ୍‍ ସ୍ୟାଣ୍ଡାଲ୍‌ ମାଡ଼ି ସେ ଫୁଲ୍‍ ଚେକ୍‌ହାୱାଇନରେ ଛିଞ୍ଚିଲାଣି କାନ୍ତା’ର ଅତର ବିନ୍ଦୁ ।

ଅଥଚ ମୁଁ ଥିଲି, ସେଇ ମିଲ୍‌ଶାଢ଼ିର ଅନ୍ତରାଳରେ ଜୀବନ ଯୁଦ୍ଧରତା ଜଣେ ସୈନିକ । ମୋ’ ବୟସରେ ନଥି ଲା ବସନ୍ତର କଳରୋଳ । ମୋ’ରୂପରେ ନ ଥିଲା କସମେଟିକସ୍‌ର ବହୁଳ ପ୍ରଲେପ । ମୁଁ କେବଳ ନୀଳ ଆକାଶର ବିସ୍ତୃତ ନୀଳିମା ଭିତରେ ପକ୍ଷ ଆନ୍ଦୋଳି ଉଡ଼ିଯାଉଥିବା, ସେ ଦିନର ଶାବକ ଅନୀ ଓ ଚନ୍ଦ୍ରକୁ ଚାହିଁ ଶାନ୍ତିରେ ନିଃଶ୍ୱାସ ମାରୁଥିଲି । ଯାହାହେଉ ଭାତ ପାଇଁ ଏଣିକି ଚିନ୍ତା ନାହିଁ । ପଚିଶି ବର୍ଷର ଅଭିଜ୍ଞତା ପୁଞ୍ଜିକରି ମୁଁ ନିଶ୍ଚିନ୍ତରେ ଆରମ୍ଭ କଲି ବାଣୀ ଆରାଧନାର ସ୍ତବ ବନ୍ଦନା । ପିଲାଦିନରୁ ଚାହାଳି ପରେ ମୁଁ ସ୍କୁଲ ହତା ଦେଖି ନ ଥିଲି । ମାଟି ବଂଶର କରଣ ମାଷ୍ଟରଙ୍କର ଛାଟ ବାଜିଥିଲା ମୋରି ପିଠିରେ । ଦିନଯାକ ଉର୍ବଶୀ’ର ଅବିଶ୍ରାମ ଖଟଣି ପରେ ବି ମୁଁ ପଢ଼ିଲି ଉପନ୍ୟାସ, ନଭେଲ୍‌, ନାଟକ, ଡିଟେକ୍‍ଟିଭ । ଘୋଷିଲି ଏ.ବି.ସି.ଡ଼ି., କିଣିଲି ଡିକ୍‌ସନାରୀ । ପ୍ରଥମେ ଆରମ୍ଭ କଲି ‘ଉପନ୍ୟାସ’ । ସବୁଥିରେ ବି ସେଇ ବ୍ୟଥା, ହାହାକାର ସର୍ବହରାର କାହାଣୀ । ଜୀବନ ଯନ୍ତ୍ରଣାର ବାସ୍ତବ ସ୍ପର୍ଶ, ମୋ ଲେଖାର ଧାରାକୁ ଚେଷ୍ଟା କରିବି ଆୟତ୍ତ କରିପାରିଲି ନାହିଁ । ମୋ ଲେଖା ହେଲା ଦୁଃଖ ଧର୍ମୀ ।

କ୍ୟାପିଟାଲର ଛାତିଟା ଭୟଙ୍କର ଭାବରେ ନିଛାଟିଆ । ସବୁ ମଣିଷଗୁଡ଼ିକ ଦଶଟାରୁ ଚାରିଟା ଯାଏ ଅଫିସ ଚେୟାର କୋଳରେ ବନ୍ଧା ହୋଇଛନ୍ତି । ଟ୍ରେନ୍‌ଡବା ପରି ଲାଲ ରଙ୍ଗର କ୍ୱାଟର୍‌ଗୁଡ଼ିକ ଡେଇଁ ଡେଇଁ, ମୁଁ ଚାଲିଥାଏ ଉର୍ବଶୀ ଆଡ଼େ । ପାଦର ଚଟି ତାତି ଯାଉଥାଏ ଖରା ତେଜରେ ।

ଦୀପଙ୍କର...

ଆରେ ନମିତା...ଯେ...

ନମସ୍କାର । ହଁ ଅଚାନକ ଆମର ପୁଣି ଦେଖା ହେଲା ।

ଏ ଦେଖା ଅନ୍ତତଃ...ମୁଁ ଆଶା କରିଥିଲି ।

ମୋର କେତୋଟି କବିତା କ’ଣ ଅପ୍ରକାଶ୍ୟ ରହିବ ?

...ପଠାଉ ନାହଁ ତ ? ତମେ ତ ଆଜିକାଲି ଚିଠି ବି ଲେଖୁନା ।

ଆମେ ଏକା ସହରରେ ବର୍ତ୍ତମାନ ବି ରହୁଛେ । ଆଉ ଚିଠି କାହିଁକି ?

...ପର୍ଶ ଖୋଲି କବିତା କେତୋଟି ବଢ଼ାଇ ଦେଲି ।

ନିହାତି ନୀରସ ଲାଗୁଛି । ଖାଲି ଅଲୋଡ଼ା ଆଦର୍ଶବାଦ ! ବୋରିଂ ।

...ପେଟରେ ଭାତ ନ ଥିଲାବେଳେ, ପ୍ରେମ କବିତା କ’ଣ ସମ୍ଭବ ।

କ’ଣ ହେଲା ତମର, ଏକବାରେ ଭାଙ୍ଗି ପଡ଼ିଛ ।

...କିଛି ନାହିଁ ? ତେବେ... ତମର ମନେଅଛି–ଦୀପଙ୍କର ! ରାଜା-ରାଣୀ ମନ୍ଦିର ବେଢ଼ାରେ ସାମ୍ପେନ ଆକାଶକୁ ଚାରି ଆଖିରେ ଦେଖିବା ପାଇଁ ! କିନ୍ତୁ ମୁଁ ଚାଖିଲି ସାଧନା ସେନଗୁପ୍ତ’ର ଅଲୋଡ଼ା ମାତୃତ୍ୱର ଅମୃତକୁ । ତେବେ ବି ତମ ପ୍ରତି ମୋର ଆଗ୍ରହ କମିନାହିଁ । ତମେ ମୋ’ କବିତାର ସମ୍ପାଦକ, ପୁଣି ପରିଚିତା ସୂଚୀସ୍ମୀତା’ର ସ୍ୱାମୀ ।

ଦୀପଙ୍କର–ସେଦିନ ଚାଲିଗଲେ, ଗୁଳିଖିଆ ବାଘ ପରି । ମୋର ଅପ୍ରିୟ ସତ୍ୟ ତାଙ୍କୁ ହିଂସ୍ର ତଥା ଅପମାନିତ କରିଥିଲା । ସେଇ ମୁହୂର୍ତ୍ତରେ ଭାବିଲି..ଆଃ...ଦୀପଙ୍କର । କେତୋଟି କବିତା ପ୍ରକାଶ ପାଖରେ, ନାରୀ ଦେହକୁ ଭୋଗ କରିବା କଳ୍ପନା କାହିଁକି ଶିଖିଲ । ତମେ ସବୁ ଅପାତ୍ର । ତମଠାରେ ପୁଷ୍ପିତ ସାହିତ୍ୟ ସଂସ୍ଥାକୁ ସୁବାସିତ କରିବାର ଦକ୍ଷତା ନାହିଁ । ମୁଁ ଲେଖା ପ୍ରକାଶ କରି ନିଜକୁ ପ୍ରତିଷ୍ଠିତ କରିବା ପାଖରେ କେଉଁଦିନ ଦେହକୁ ବାଜି ରଖିନାହିଁ । ଚେଷ୍ଟା କରିଛି, ସାଧନାର ଇତିହୀନ ପଥରେ ପାଦ ଦେଇଛି । ତମେ ଆଉ ମୋ ଲେଖା ପ୍ରକାଶ କରିବ ନାହିଁ ମୁଁ ଜାଣେ । ପେଣ୍ଡୁଲମ୍‌ଟା ହଲି ହଲି ସମୟ ସଙ୍କେତ ଦେଲା ତିନିଟା । ଉର୍ବଶୀ’ର ଟିଫିନ୍ ଛୁଟି ସରିଗଲା । ଏଥର ଆରମ୍ଭ ହେବ, ପ୍ରକୃତ ବ୍ୟସ୍ତତା । ଉଠିଲି ଚେୟାର ଛାଡ଼ି, ଦେଖିଲି ଆଗରେ–ଜୟନ୍ତ ।

ଆଜି ବୋଧେ ତମର ଛୁଟି ନାହିଁ । ହଠାତ୍‌ ଅସମୟରେ ।

ନା ଦେହଟା ଭଲ ନାହିଁ । ତେଣୁ ଆଜି ଦିନଟା ଛୁଟି ନେଇଛି ।

ମୁଁ ପ୍ରଥମେ କହିଥିଲି–ତମର କିଛିଦିନ ବିଶ୍ରାମ ଲୋଡ଼ା । ତା’ ବ୍ୟତୀତ ପ୍ରାଇଭେଟ୍‌ କମ୍ପାନୀରେ ପରିଶ୍ରମ ଅନେକ ବେଶି । ତମେ ମାନିଲ ନାହିଁ । ଆଚ୍ଛା ବର୍ତ୍ତମାନ କିପରି ଲାଗୁଛି ।

ବେସ୍ତ ହେବାର ନାହିଁ । କହିବାକୁ ଗଲେ ମୋର ମନ ଭଲ ରହୁନି ।

କହିଁକି ?

ସତ କହିବାକୁ ଗଲେ–ମୁଁ ତମ କଥାହିଁ ଭବୁଛି ।

–ଯାହାହେଉ ଖୁସି ହେଲି । ଜଣେ ହେଲେ ବି ମତେ ଭାବିପାରେ । ତେବେ ପ୍ରଥମେ ନିଜର ସ୍ଥିତି, ସ୍ଥାୟିତ୍ୱ ଦୃଢ଼ କରି ନିଅ । ଶରୀରକୁ ସୁସ୍ଥ କର । ପରେ ଭାବିବ । ଯେତେପାର, ନିଜ ଅପେକ୍ଷା, ଯାହାକୁ ମୁଁ ବେଶି ଭଲ ପାଏ ସେ ଦେହ ମନ ଉପରେ ଅତ୍ୟାଚାରକୁ ମୁଁ ପସନ୍ଦ କରିପାରିବି ନାହିଁ ।

କିଛି ଖାଇଚ ? ପ୍ରଶ୍ନଟା ମାମୁଲି ହେଲେ ବି ଗଭୀର ।

ଜୟନ୍ତ ନୀରବ ।

ପର୍ଶ ଖୋଲି ଟଙ୍କା ଦଶୋଟି ବଢ଼ାଇ କହିଲି–ଯାଅ ଜଳଖିଆ ଖାଇ ନିଅ । ତମ ସାଙ୍ଗରେ କଥା ହେବାକୁ ମତେ ବର୍ତ୍ତମାନ ସମୟ ନାହିଁ । କିଛି କପଡ଼ା ପସନ୍ଦ କରି କିଣିନିଅ–ପ୍ୟାଣ୍ଟ ଓ ଶାର୍ଟ ପାଇଁ । ମୁଁ ପରେ ବିଲ୍‌ ଶୁଝିଦେବି । ନିଜର ବେଶ ପୋଷାକ ପ୍ରତି ଏତେ ଅଯତ୍ନ ହେଲେ ଚଳିବ କିମିତି ।

ଜୟନ୍ତ ସଙ୍କୋଚ କଲେ ବୋଧହୁଏ ।

....ତମେ ଦରମା ପାଇ ନ ଥିବ । ମୁଁ ଜାଣେ–ନିଅ ?

କିନ୍ତୁ...ତମେ ଏଇ କେତେଦିନ କିପରି ଚଳିବ ।

....ଥାଉ ଜୟନ୍ତ ? ସେ କଥା । ମୋ କଥା କେହି ଭାବୁ, ମୁଁ ଚାହେଁନା । ପଶିଗଲି ରୁମ୍‌ ଭିତରକୁ । ଜୟନ୍ତ ନିଜର ପ୍ୟାଣ୍ଟ, ଶାର୍ଟ ପାଇଁ ପଶିଲେ ଅନ୍ୟ ରୁମରେ ।

ବ୍ୟସ୍ତତା ଭିତରେ ରାତି ବାଜିଲା ବାର, ଉର୍ବଶୀ ବନ୍ଦ ହେଲା । ମୁଁ ବାହାରି ଆସିଲି । କେଜାଣି କାହିଁକି ଭାରି କ୍ଳାନ୍ତ ଲାଗିଲା । ଆଗରୁ ଝୁଲିଝୁଲି ଆସୁଛି ରିକ୍‌ସା ଖଣ୍ଡିଏ । ବସିପଡ଼ି ଦେଖିଲି, ଗ୍ରନ୍‌ରଙ୍ଗର ଫାଇଲ୍‌ଟିଏ, ବାଁ’ପଟ ସିଟରେ ଲାଗି ରହିଯାଇଛି । ବୋଧହୁଏ ସାଙ୍ଗେ ସାଙ୍ଗେ କେହି ତରତରରେ ଓହ୍ଲାଇ ଯାଇଛି, ଆଉ ଗଲାବେଳେ ଛାଡ଼ି ଯାଇଛି, ଫାଇଲ୍‌ଟି । ନିଶ୍ଚୁପରେ ଫାଇଲ୍‌ଟି ଧରି ଓହ୍ଲାଇ ପଡ଼ିଲି ।

 

ନିଜର କାମ ସାରି ବିଛଣା ଧରିବା ପରେ ପରେ କମ୍ପିତ ହାତରେ ଖୋଲିଲି ଫାଇଲ୍‌ଟି । ପରିଷ୍କାର ଆଲୁଅ ତଳେ ସୁନ୍ଦର ଇଂରାଜୀରେ ଲେଖାଥିଲା–ସୁରଞ୍ଜନ ମହାପାତ୍ର, ଜୟନ୍ତୀ ମହଲ, ରାଜପ୍ରୀୟା ଲେନ୍‌ । ଭିତରେ କେବଳ କେତେଗୁଡ଼ିଏ କାଗଜ । କେତୋଟି କବିତା, ପଢ଼ିଲି ଭଲ ଲଗିଲା । ଲେଖକ ସୁରଞ୍ଜନଙ୍କର ଉପନ୍ୟାସ ମୁଁ ପଢ଼ିଥିଲି । ତା’ପରେ ଗୋଟିଏ କ୍ଷୁଦ୍ର ଗଳ୍ପ । କରମାଡ଼ି ଲେଖାଟି ପଢ଼ିବାକୁ ଆରମ୍ଭ କଲି । ଗଳ୍ପଟିର ନାମ ନାହିଁ । ଗଳ୍ପଟି ଥିଲା ଠିକ୍‌ ଏହିପରି....

 

....ଆକାଶ ସେଦିନ ନୀଳ, ଥିଲା କି ନା ଜାଣେନା । ମୁଁ କିନ୍ତୁ ଦେଖିଲି ନୀଳ ଆଖି ଦୁଇଟି, ଯାହା ମୋର ଏକ୍ଷୁଦ୍ର ଗଳ୍ପର ପ୍ରଧାନ ଉପଜୀବ୍ୟ । ସନ୍ଧ୍ୟାରେ ରାସ୍ତାରେ ଘୂରୁ ଘୂରୁ ହଠାତ୍‌ ପର୍‌ଫ୍ୟୁମ୍‌ ଦୋକାନକୁ ପଶିଗଲି । ଏତେ ଦେକାନ ଥାଉଁ ସେ ଦୋକାନକୁ ପଶିବାର ବିଶେଷ କିଛି କାରଣ ନ ଥିଲା । ସେଣ୍ଟ, ପାଉଡ଼ର ବ୍ୟବହାର କରିବା ମୋର ପ୍ରିୟ ଅଭ୍ୟାସ ନୁହେଁ ।

 

କିନ୍ତୁ....ମୋର ଘ୍ରାଣ ଶକ୍ତିଟା ଟିକେ ପ୍ରଖର । ରାସ୍ତା, ଘାଟ, ବସ୍‌, ଟ୍ରେନ୍‌ ବା ଲୋକ ଗହଳି ଭିତରେ ଟିକିଏ ଭଲ ଗନ୍ଧର ସନ୍ଧାନ ପାଇଲେ ମୋର ଚେତନା ଜାଗିଉଠେ । ମନେ ମନେ ଖୋଜି ନିଏ, ସେ ଗନ୍ଧର ଉତ୍ସ । ପୁରୁଷ ହେଉ ବା ନାରୀ ହେଉ, ତାହାର ଚେହେରା ଓ ରଙ୍ଗ, କଣ୍ଠସ୍ୱର ଓ ବ୍ୟକ୍ତିତ୍ୱ ସଙ୍ଗେ ମିଳାଇ ନିଏ ଗନ୍ଧର ଆମୋଦତାକୁ । ଯଦି ଖାପ ଖାଇଗଲା ତେବେ ଅସୀମ ଆନନ୍ଦରେ ମନେ ମନେ ଅଭିନନ୍ଦନ କରେ ତାହାର ରୁଚିବୋଧ ପାଇଁ । ସେହିପରି ପାର୍ଶ୍ୱବର୍ତ୍ତିନୀ କେହି ଉଗ୍ର ଆଧୁନିକା ତରୁଣୀର ଅଙ୍ଗାବରଣରୁ ଯଦି ଭାସି ଆସେ କୌଣସି ଶସ୍ତା ଉଗ୍ରଗନ୍ଧ ମୁଁ ଆତଙ୍କିତ ହୋଇପଡ଼େ । ବିଚିତ୍ର ଗୋଟାଏ ଚେତନାରେ ମୋର ଦେହ ଶିର୍‌ ଶିର୍‌ କରି ଉଠେ । ଯେତେ ସୌନ୍ଦର୍ଯ୍ୟମୟୀ ହେଲେ ବି, ସେ ନାରୀକୁ ମୁଁ ମନେ ମନେ ଘୃଣା କରେ ବା ଦୟା କରେ । ମୋର ଏହା ଏକ ଅଦ୍ଭୁତ ଧାରଣା ଦୃଢ଼ ହୋଇଯାଇଛି ଯେ ଅନ୍ତରର ନିର୍ମଳତାର ପରିପ୍ରକାଶ ଦେହର ସୌରଭରେ–ଯେଉଁ ସୌରଭ ନିର୍ଭର କରେ ଠିକ୍‌ ଠିକ୍‍ ସାବୁନ, ସେଣ୍ଟ, ପାଉଡ଼ରର ରୁଚିସମ୍ପନ୍ନ ନିର୍ବାଚନ ଉପରେ ।

 

ଉର୍ବଶୀ’ର ପର୍‌ଫ୍ୟୁମ୍‌ ସପ୍‌’କୁ ଉଠି ଯିବାର ଆଉ ଏକ କାରଣ ଥିଲା । ସୁସଜ୍ଜିତ ଦୋକାନଟିଏ–କାଚ ଆଲମାରି, କାଚ କାଉଁଣ୍ଟର୍‌ ନିଅନ୍‌ ଆଲୋକରେ ଝଲମଲ କରୁଛି । କାଉଁଣ୍ଟର୍‌ ପଛପଟେ ଲାବଣ୍ୟମୟୀ ଏକ ତରୁଣୀ । ବାହାର ପଟେ କେତେକ ନାରୀ-ପୁରୁଷ କ୍ରେତା କାଉଁଣ୍ଟର୍‌ ଉପରକୁ ଝୁଙ୍କି ପଡ଼ିଛନ୍ତି । ତରୁଣୀଟି କ୍ଷିପ୍ର ହସ୍ତରେ ସେଣ୍ଟ, ପାଉଡ଼ର, ସ୍ନୋ, ସାବୁନ, ଟସର ବାହାର କରି ଆଗ କାଉଁଣ୍ଟରରେ ଗଦା କରୁଛନ୍ତି । ଅନୁଚ୍ଚ ଅଥଚ ପରିଷ୍କାର କଣ୍ଠରେ କ୍ରେତାମାନଙ୍କ ପ୍ରୟୋଜନ ବୁଝୁଛନ୍ତି । ଝୁରୁଝୁରୁ ଅଫିମ କଳା ବାଳଗୁଡ଼ିକ ପଙ୍ଖା ପବନରେ କପାଳ ଉପରେ ଲୋଟି ପଡ଼ୁଛି । ମଝିରେ ମଝିରେ ହାତଟେକି ସଜାଡ଼ି ନେଉଛନ୍ତି । ଗୌର ମଣିବନ୍ଧରେ ଛୋଟ ଘଣ୍ଟାଟି ଚିକ୍‌ ଚିକ୍‌ କରୁଛି ।

 

କାଉଣ୍ଟର୍‌ର ଏକ କୋଣରେ ଠିଆ ହୋଇ କେଜାଣି କାହିଁକି, ସେଇ ବ୍ୟସ୍ତ ତରୁଣୀକୁ ଲକ୍ଷ୍ୟ କରିବାକୁ ଭାରି ଭଲ ଲାଗିଲା । ମନେହେଲା, ଯେପରି କେଉଁଠାରେ ଦେଖିଛି । ଚମତ୍କାର ରଙ୍ଗ, ଅଦ୍ଭୁତ ମସୃଣ ତ୍ୱକ ସାରା ଅଙ୍ଗରୁ ଲାବଣ୍ୟ ଝରିପଡ଼ୁଛି । ମୋ ପାଖକୁ ଆସି ତରୁଣୀଟି ସ୍ପଷ୍ଟ ଗଳାରେ ପଚାରିଲେ ମୋର କ’ଣ ଦରକାର । ଏକ ନାମହୀନ ମଧୁର ଗନ୍ଧରେ ମୋର ଚେତନା ଯେପରି ଜିଇଁ ଉଠିଲା ।

 

କହିଲି ମୋର ଗୋଟିଏ ସେଣ୍ଟ ଦରକାର ।

 

କେଉଁ ସେଣ୍ଟ–ୟୁଡ଼ି କୋଲନ୍‌, ହିମାଳୟା ବକେଟ୍‌, ମିସ୍‌ଚିଫ୍‌ ।

 

ସେ ଦାୟିତ୍ୱ ଆପଣଙ୍କର । ଯେଉଁଟି ଭଲ, ସେଇଟି ହିଁ ଦିଅନ୍ତୁ ।

 

ଆଚ୍ଛା–ତରୁଣୀଙ୍କ ପତଳା ଓଠ ଦି’ଫାଳିରେ ମୃଦୁ ହସ ଉପୁଚି ଠିଲା । ବଡ଼ ବଡ଼ ସ୍ଲାଇଡ଼ିଂଡୋର ଆଡ଼େଇ, ଆଞ୍ଜୁଳାଏ ଶିଶି ଆଣି, ମୋ ଆଗରେ ଥୋଇଲେ, ପ୍ରତ୍ୟେକଟି ବିଦେଶୀ-। ମହାର୍ଘ । ପ୍ରାୟ ସମସ୍ତ ଶିଶିର ଠିପି ଖୋଲି ମୋ ନାକ ପାଖରେ ଟେକି ଧରିଲେ । ମଧୁର କଣ୍ଠରେ ପ୍ରତ୍ୟେକଟିର ବିଶେଷତ୍ୱ ପରିବେଷଣ କଲେ ।

 

ନା–କେଉଁ ଗୋଟାକ ମୋର ମନୋନୀତ ନୁହେଁ । ମୋର ନାସାରନ୍ଧ୍ର ଦେଇ ଯେଉଁ ସୁଗନ୍ଧ, ମୋର ଚେତନାକୁ ଜାଗ୍ରତ କରିଛି, ତା’ର ସନ୍ଧାନ ଏଇ ବିଦେଶୀ ମହାର୍ଘ ସେଣ୍ଟରେ ମିଳୁନାହିଁ । କେତେ ଦେଖିଲି ଶୁଙ୍ଘିଲି, ଆହୁରି ଆଞ୍ଜୁଳାଏ ଶିଶି ଆଣିଲେ ତରୁଣୀ ।

 

ନା–ମୁଁ ଯାହା ଖୋଜୁଛି ତା’ ପାଉନାହିଁ । ଅଥଚ ମୋ’ ନାକରେ ସମଗ୍ର ଚେତନାରେ ସେ ଗନ୍ଧ ଭରି ରହିଛି । ହଠାତ୍‌ ମୋର ଧାରଣା ହେଲା, ତରୁଣୀ–ବୋଧହୁଏ ସେଇଟି ବ୍ୟବହାର କରିଛନ୍ତି । କଣ୍ଠରେ ଯଥା ସମ୍ଭବ କୋମଳତା ଫୁଟାଇ କହିଲି–ଯଦି କିଛି ମନେ ନ କରନ୍ତି । ଆପଣ ଯେଉଁ ସେଣ୍ଟ ବ୍ୟବହାର କରିଛନ୍ତି, ମୋର ଠିକ୍‌ ସେଇଟି ଦରକାର ।

 

ତରୁଣୀ ଅପ୍ରତିଭ ହେଲେ ନାହିଁ । କହିଲେ, କିନ୍ତୁ....ତା’ଠାରୁ ଖୁବ୍‌ ଭଲ ଓ ନାମକରା ସେଣ୍ଟ ତ ମୁଁ ଆପଣଙ୍କୁ ଦେଖାଇଛି ।

 

ମୋର କିନ୍ତୁ ସେଇଟି ହିଁ ଦରକାର ।

 

ଆଚ୍ଛା, ଆଉ କ’ଣ ଦେବି । ସେଣ୍ଟ ଗୋଟାଏ ତ ।

 

ହଁ, ସେଣ୍ଟ ଗୋଟାଏ, ଆଉ ଏଇ ପାଉଡ଼ର ଟିଣ ଗୋଟାଏ ଏମିତି କିଛି ? ପାକେଟ୍‌ ବଢ଼େଇ ଦେଲେ ତରୁଣୀ–ଟଙ୍କା ଦେଇ ଫେରି ଆସିଲି ।

 

ଫ୍ଲୁରୋସେଣ୍ଟ ବତୀ ତଳେ ପ୍ୟାକେଟ୍‌ ଖୋଲି ଦେଖିଲି, ପାଉଡ଼ର, ସ୍ନୋ ବ୍ୟତୀତ ଚାରୋଟି ସେଣ୍ଟ ଶିଶି । ମାତ୍ର ଦାମ୍‍ ମୁଁ ଦେଇଛି ଗୋଟିକର ତେବେ କ’ଣ ଭୁଲରେ....ତିନୋଟି ସେଣ୍ଟର ଦାମ୍‌ କିପରି ବୁଝାଇବେ ତରୁଣୀ । ତା’ ପରଦିନ ଗଲି, ଗଲି ବି ଆହୁରି ଅନେକ ଥର । ନା ତରୁଣୀ ନାହାନ୍ତି, କାହାକୁ ବା ପଚାରିବି । ତରୁଣୀଙ୍କର ନାମ ଯେ ମୁଁ ଜାଣିନାହିଁ । କେଜାଣି କାହିଁକି ତାଙ୍କୁ ଥରେ ଦେଖିବାକୁ ଭାରି ଇଚ୍ଛା ଜୀବନର ଅଜସ୍ର ଆକାଙ୍‌କ୍ଷା ପରି । ତା’ ଯେପରି ମୋ ପାଇଁ ଅପରିହାର୍ଯ୍ୟ । ଗୁଡ଼ାଏ ଅବଶୋଷ ନେଇ ମୋର ଦିନ ବିତେ । ଜାଣେନା ଏ ବ୍ୟଥା କ’ଣ ପାଇଁ...’’...ଏହିଠାରୁ ଗଳ୍ପର ଅଚାନକ ସମାପ୍ତି ।

 

ତା’ପରେ ଆଉତକ ପୃଷ୍ଠାଖାଲି । ମୋର ଆଖି ଆଗରେ ଖୋଲିଗଲା ଅତୀତର କେତୋଟି ପର୍ଯ୍ୟାୟ । ହଁ ଦିନେ ମୁଁ ଭଦ୍ରଲୋକ ଜଣଙ୍କୁ ଜାଣି ଜାଣି ସେଣ୍ଟ ତିନୋଟି ଦେଇଥିଲି । ଅବଶ୍ୟ ଦାମ୍‌ ଦେଇଥିଲି ହାତରୁ । ଜୟନ୍ତ ପାଇଁ ରଖିଥିବା ସେଣ୍ଟରୁ ଜୀବନରେ ପ୍ରଥମ ଥର ପାଇଁ ସେଦିନ ସେଣ୍ଟ ବ୍ୟବହାର କରିଥିଲି । ଫାଇଲ୍‌ ଉପରୁ ଠିକଣା ଦେଖି ଠିକ୍‌ କଲି । ବୋଧହୁଏ ଏ ଭଦ୍ରଲୋକ ଛାଡ଼ି ଯାଇଛନ୍ତି । କାଲି ତାଙ୍କର ଠିକଣାରେ ଫାଇଲ୍‍ଟି ପହଞ୍ଚାଇ ଦେବାକୁ ହେବ ।

 

ଶୋଇବା ପାଇଁ ପ୍ରସ୍ତୁତି ଆରମ୍ଭ କଲି । ନିଦ ହେଲାନି । ନାମହୀନ ଗଳ୍ପର ସ୍ରଷ୍ଟା ସୁରଞ୍ଜନ ମତେ କାହିଁକି ନାୟିକା କରିଛନ୍ତି ବୁଝିପାରିଲିନି । ସୁରଞ୍ଜନ ସହିତ ମୋର ପରିଚୟ ପର୍ବଟା ନିହାତି ନାଟକୀୟ ହେଲେ ବି ରୋମାଞ୍ଚକର ।

 

ଠକ୍‌ ଠକ୍‌ ସହ ଝଞ୍ଜିରର ଝଣ ଝଣ ଶବ୍ଦ ।

 

କବାଟ ଖୋଲିଲି, ଆଲୋକ ଭିତରେ ଦେଖିଲି ଜୟନ୍ତ । ଭିତରକୁ ଆସି ମୋରି ବିଛଣାରେ ବସି ପଡ଼ିଲେ ସେ । ଯେହେତୁ ମୋର ଗୋଟିଏ କୋଠରୀ ଭିତରେ ପଟା ଖଟ ଖଣ୍ତିକ ବ୍ୟତୀତ ଚେୟାର ଖଣ୍ତିଏ ନ ଥିଲା । ସନ୍ଧ୍ୟାବେଳେ ଜୟନ୍ତ ମତେ ଦେଖା କରିଥିଲେ । କପଡ଼ା ଓ ସେଣ୍ଟ ଇତ୍ୟାଦି ନେଇ ଫେରିଥିଲେ । ଭୁବନେଶ୍ୱରରେ ଏକ ପ୍ରାଇଭେଟ୍‌ ମଟର ପାର୍ଟସ୍‌ ଦୋକାନରେ ସେ କିରାଣୀ । ମୋର ବସାଠାରୁ ଦୂରତ୍ୱ ପ୍ରାୟ ମାଇଲ୍‌କରୁ କମ୍‌ ନୁହେଁ । ଏତେ ରାତିରେ ତେବେ ଜୟନ୍ତ ପୁଣି କ’ଣ ପାଇଁ, କି ଅସୁବିଧାରେ ।

 

‘ତମେ ଅସୁସ୍ଥ ଜୟନ୍ତ’, ଡାକ୍ତରଖାନାରୁ ଆସିଲେ ବି ତମକୁ ପ୍ରାୟ ଦୁଇବର୍ଷ ଡାକ୍ତର ନିର୍ଦ୍ଦେଶ ମାନି ଚଳିବାକୁ ପଡ଼ିବ । ରାତ୍ରୀ ଅନିଦ୍ରା, ଥଣ୍ତା ତମ ପାଇଁ କ୍ଷତିକାରକ ।

 

ଖାଲି ଦେହ କଥା ମୋର ସବୁବେଳେ ଭାବିଲ । ମନକଥା ଟିକେ ଭାବିବାକୁ ଚେଷ୍ଟାକର-

 

ଜୟନ୍ତ କଥାରେ ଆଶ୍ଚର୍ଯ୍ୟ ହେଲି, ଚାହିଁଲି ତାଙ୍କ ମୁହଁରେ ଯେମିତି ଗୋଟାଏ ଉଗ୍ର ଆକୁଳତା, ଆଖିରେ ବ୍ୟଗ୍ର ବ୍ୟାକୁଳ ଦୃଷ୍ଟି । ବନ୍ଧଭଙ୍ଗା ନଦୀପରି ସଂଯମ ହରେଇ ଧାଇଁ ଯିବାର ସ୍ପଷ୍ପ ରେଖା ଫୁଟିଛି ଚାହାଁଣିରେ ।

 

କିଛି କହିବାକୁ ଯଦି ଆସିଥାଅ, ତେବେ ନିଶ୍ଚିନ୍ତରେ କୁହ ଜୟନ୍ତ । ମୋ ପାଖରେ ତମର ମୌନତା ଅଚିନ୍ତନୀୟ ?

 

ତମ ନାମରେ ଅନେକ କିଛି ମୁଁ ଶୁଣିଛି ।

 

ସେ ପାଇଁ ମୁଁ କ’ଣ କରିବି । କାହାତୁଣ୍ତ ବନ୍ଦ କରିବାର ଉପାୟ ମତେ ଜଣାନାହିଁ ।

 

ତମେ ଚାକିରି ଛାଡ଼ି ଦିଅ ନମିତା । ଘରେ ଅନ୍ୟମାନେ ଉପାର୍ଜନକ୍ଷମବେଳେ, ତମେ ଏ ଚାକିରି କରନାହିଁ । ଅନ୍ତତଃ ଏ ଇଚ୍ଛା ମୋର ।

 

ବେଶ୍‌, କେବଳ ତମରି ପାଇଁ ମୁଁ କାଲି ହିଁ ଚାକିରି ଛାଡ଼ିଯିବି । କିନ୍ତୁ ଜୟନ୍ତ, ଶୁଣା କଥାରେ ବିଶ୍ୱାସ କର କାହିଁକି ?

 

ମତେ ଭୁଲ୍‍ ବୁଝନା, ଶୁଣା କଥାରେ ମୁଁ ବିଶ୍ୱାସ କରିନାହିଁ ।

 

ତେବେ ହଠାତ୍‌ ଏ ଝୁଙ୍କ୍‌ କାହିଁକି । କ’ଣ ପାଇଁ ଅଯଥା ସନ୍ଦେହ ?

 

ତମକୁ କେହି କହୁ, ମୁଁ ଚାହେଁନା ? ନା, ସତ କହୁଛି ମୁଁ ସହିପାରେ ନାହିଁ ।

 

କିନ୍ତୁ ସେତିକିରେ ଯଦି ସମସ୍ତ ସମସ୍ୟାର ସମାଧାନ ହୁଅନ୍ତା ତେବେ...

 

ନ ହଉ ନମିତା, ତେବେ ମୁଁ ଭାବିଛି ତମେ ବର୍ତ୍ତମାନ ନିଶ୍ଚିନ୍ତ ହୋଇପାର ।

 

ମୋର ନିଜର ଖର୍ଚ୍ଚ ଅଛି । ବଞ୍ଚିବା ପାଇଁ ମୁଠାଏ ଖାଇବାକୁ ପଡ଼ିବ, ତା’ ବ୍ୟତୀତ ଅନୀ’ର ଦାୟିତ୍ୱ । ଆଉ ମୋର ଶେଷ କର୍ତ୍ତବ୍ୟ ଅସମାପ୍ତ । କାହା ପାଖରେ ହାତପାତି ମୁଁ ଚଳିପାରିବି ନାହିଁ ।

 

ତମେ ନମିତା ହାତ ପାତିବ ନାହିଁ । ତମର ଦାୟିତ୍ୱ ମତେ ମୁଣ୍ତାଇବାର ଆନନ୍ଦ ଦିଅ । ଆଜି ତମରି ସେବାପାଇଁ ମୋର ଜୀବନ ଜୀଇଁ ମଧୁରତା ଚାଖିଛି ।

 

ତମ ଜୀବନର ଲକ୍ଷ୍ୟ ଖୁବ୍‌ ବିସ୍ତୃତ । ସଂସାର, ସନ୍ତାନ, ଯେଉଁ ସ୍ୱପ୍ନ ନର୍ସିଂହୋମରେ ଦେଖୁଥିଲ, ତମେ ସୁସ୍ଥହେବ, ସମ୍ମାନିତ ହେବ । ଏ କାମ ମୋର ତମ ପାଇଁ ଏବେ ବି ଅଛି । ପ୍ରାଇଭେଟ୍‌ ସର୍ଭିସ ଉପରେ ଆସ୍ଥା ରଖିବା ବୋକାମି ।

 

ମୁଁ ଜାଣେ ନମିତା...ତେବେ ମୋ ଦାୟିତ୍ୱ ମୁଁ ଏଣିକି ସମ୍ଭାଳି ପାରିବି । ମୁଁ ଶପଥ କରୁଛି, ତମରି ପାଇଁ ? ହଁ କେବଳ ତମରି ପାଇଁ ମୁଁ ନିଜକୁ ତମରି ମନୋନିତ କରି ଗଢ଼ିବି ।

 

‘ଜୟନ୍ତ’...ମୋ ଛାତିରେ ପୁଣି ନିଶା’ର ପାଲଟା ସୁଅ ବହିଲା ।

 

ହଁ, ନମିତା ? ଦେବୀ କେବେ ମୁଁ ଦେଖି ନାହିଁ । ଭଗବାନରେ ମୋର ବିଶ୍ୱାସ ନାହିଁ । ଯଦି କେହି କେବେ ଥା’ନ୍ତି, ତେବେ ତମେ ମୋ ପାଇଁ ସେଇ ଅବତାର ।

 

...ବର୍ତ୍ତମାନ ପାଇଁ ତମର ଏ କଥାଠାରୁ ମତେ ଆଉକିଛି ଭଲ ଲାଗିବାର ଜିନିଷ ନାହିଁ ! ତେବେ ଜୟନ୍ତ ? ଗଭୀର ସ୍ନେହ କେବେ ପ୍ରକାଶ ପାଏ ନାହିଁ । ପ୍ରକୃତ ସ୍ନେହ ପ୍ରବଣ ବ୍ୟକ୍ତି, ତାହା ଅପ୍ରକାଶିତ ରଖି ସେ ପଦାର୍ଥଟିର ସମ୍ମାନ ରଖିବାକୁ ପସନ୍ଦ କରନ୍ତି । ତେଣୁ ତମେ ମତେ ଦେବୀ ବା ପରମେଶ୍ୱରୀ ଭାବି ଆଡ଼୍‌ଭଟାଇଜମେଣ୍ଟ କରିପାର । ତେବେ ମୋର ଆଶଙ୍କା ହୁଏ ତମକୁ ଖୁବ୍‌ଶୀଘ୍ର ରାଞ୍ଚି ପଠାଇବାକୁ ତମର ସହକର୍ମୀମାନେ ନିଶ୍ଚୟ ଆପତ୍ତି କରିବେ ନାହିଁ । ଆକାଶର ରଙ୍ଗ ବଦଳା ଆମ ଆଖିରେ ଆନନ୍ଦ ଦିଏ । ମାତ୍ର ଜୀବନାନନ୍ଦ ଆଦର୍ଶର ରୂପ ବଦଳା ମଣିଷକୁ କରେ ନିସ୍ତରଙ୍ଗ ଶାମୁକା ।

 

ମୋ ସିଦ୍ଧାନ୍ତ ଅବିଚଳ ନମିତା ! ଏ ବିଶ୍ୱାସ ତମେ ଅନ୍ତତଃ ରଖିପାର । ବିଶ୍ୱସୃଷ୍ଟିର ଯେକୌଣସି ପଦାର୍ଥ ଅପେକ୍ଷା ତମେ ମୋ ପାଖରେ ମହାର୍ହ ।

 

ମତେ ତମେ କେତେ ବା ଜାଣିଛ ଜୟନ୍ତ ? ଯଦି ସମାନ୍ତରାଳ ଭାବରେ ମୋ ଗତିପଥ ପର୍ଯ୍ୟବେକ୍ଷଣ କରିବ, ତେବେ ଜାଣିବ ମୁଁ ମିଥ୍ୟା ଅସତ୍ୟ । ତମେ ମୋ ଜୀବନର ଦୀପ୍ତ ଆଭା ଦେଖିଛ । ମାତ୍ର ଦେଖିନାହଁ ତା’ରି ଭିତରେ କଳା କିଟି କିଟି ଗୋଟାଏ ଗହ୍ୱର, ଯାହା ଦୁନିଆ ଆଖିରେ ଅନ୍ଧକାର ଅପରିଷ୍କାର । ତା’ରି ଭିତରେ ଅଛି ସ୍କୁଲ ହଷ୍ଟେଲର ଚାକରାଣୀ ଜୀବନ, ସ୍କୁଲ ମାଳି, ପିଅନମାନଙ୍କର ଅଶ୍ଳୀଳ ଇଙ୍ଗିତ । କଟକ ସହରରେ ଡାକ୍ତର ପରିବାର ଭିତରେ ବନ୍ଦୀ ଜୀବନ । ପେସେଣ୍ଟ୍‌ମାନଙ୍କର କୌତୂହଳୀ ପ୍ରଶ୍ନିଳ ଆଖିରେ ଅସୁମାରୀ ପ୍ରଶ୍ୱ । କ୍ୟାପିଟାଲ୍‌ ଏସ୍‌.ଡି.ଓ. କ୍ୱାଟର୍ସରେ ପିଅନ ଚନ୍ଦ୍ରକାନ୍ତର ଭଉଣୀ ନିମତା ରାୟର ରୁଗ୍‌ଣ ଜୀବନ । ଦୁଇଟି ତୃଷିତ ଓଠର ପରଶ । ସମ୍ପାଦକ’ଙ୍କ ଆଖିପାଖରେ ବି ନମିତା ରାୟର ଯୌବନର ଚାଲେଞ୍ଜ । ନା ଜୟନ୍ତ ତମେ ସେ ସବୁ ନ ଜାଣି ଭଲ କରିଛ । ତେବେ ସାଧନା, ମଧୁନାୟକର ସ୍ତ୍ରୀ’ ଆଉ କେତେକ ଯେଉଁମାନେ ସମାଜରୁ ଲାଇସେନ୍‌ସ ପାଇଛନ୍ତି ଘୃଣ୍ୟ ବୋଲି ଯେଉଁମାନେ ପାପକୁ ନ ଲୁଚାଇ ପାରି ପାପୀ ହୁଅନ୍ତି ସେମାନଙ୍କ ପାଖରେ ନମିତା ନିଶ୍ଚୟ ଦେବୀ । ଉତ୍ତେଜନାରେ ବେକ ପାଖରେ, କପାଳ ଉପରେ ଝାଳ କଣ୍ଟି ହୋଇ ଆସିଲା, ଲୁଗା ପଣତରେ ବେକ ପୋଛିଲି ବେକଟା ଖାଲି । ନେକଲେସ୍‌ଟା ବିକା ଯାଇଛି ଜୟନ୍ତଙ୍କ ପାଇଁ । ଏଇ ଜୟନ୍ତ, ଯିଏ ବର୍ତ୍ତମାନ ତା’ରି ବିଛଣାରେ ବସି କଥା କହୁଛି, ଯୁକ୍ତି ବାଢ଼ୁଛି । ମନରେ ପୂର୍ବ ନିଶାର ପ୍ରଭାବ ସଞ୍ଚରି ଗଲା । ଯେଉଁ ନିଶାରେ ମୁଁ ନିଜର ପ୍ରାଣ ପର୍ଯ୍ୟନ୍ତ ପାସୋରି ପକାଏ । କହିଲି–

 

ଶୋଇପଡ଼ ଜୟନ୍ତ ! ଏତେ ରାତିରେ ତମେ ଯିବା ଭଲ ନୁହେଁ–

 

କିନ୍ତୁ,ମାତ୍ର ଗୋଟିଏ ରୁମ୍‌ । ତମେ...

 

ମୁଁ କଷ୍ଟ ସହିବାରେ ଅଭ୍ୟସ୍ତ । ଏଇ ତଳେ ଶପ ବିଛେଇ ମୁଁ ଶୋଇପଡ଼ୁଛି । ଅନ୍ୟର ଶୁଣା କଥାରେ ତମେ ସନ୍ଦେହ କରିଛ ବା କ୍ଷୁବ୍ଧ ହୋଇଚ୍ଛ । ଆଜି ନିଜେ ଥର୍ମାମିଟର ଭଳି ତମେ ମାପି ନିଅ ନମିତାର ଚାରିତ୍ରିକ ଦୃଢ଼ତା କେତେ । ସେ ସରଳ ହୋଇପାରେ, ମାତ୍ର ଚପଳ ନୁହେଁ । ସ୍ୱଚ୍ଛନ୍ଦତା ଅର୍ଥ–ଆତ୍ମସମର୍ପଣ ନୁହେଁ । ଯାହା ନ ବୁଝି ମତେ ବାଧ୍ୟରେ କଳଙ୍କ ବୋଝ ଦିଆଯାଇଛି ।

 

...ତେବେ ନମିତା ! ତମକୁ ନେଇ ମୋର ଯେଉଁ ସ୍ୱପ୍ନ । ଜୟନ୍ତ କଣ୍ଠରେ ଆଶାହତ ଅନୁଯୋଗ ।

 

...ଅହେତୁକ ଆଶାର ମୂଲ୍ୟ କ’ଣ ବା ଅଛି ।

 

ତେବେ କ’ଣ ମୁଁ ତମକୁ ପାଇବି ନାହିଁ ।

 

...ପାଇବ ଜୟନ୍ତ ! ଯେପରି ଜଣେ ବନ୍ଧୁକୁ ବନ୍ଧୁ ପାଏ । କିନ୍ତୁ ସତ୍ତା ନୁହେଁ, ନିଜତ୍ୱ ନୁହେଁ-

 

ତମେ ତେବେ ମତେ ବିଶ୍ୱାସ କର ନାହିଁ ।

 

...କରେ ? ମୁଁ ଚାହେଁ ପବିତ୍ର ସମ୍ପର୍କ । ଯାହା ଜୀବନାବଧି ରଖିହବ । ଉଚ୍ଛୃଙ୍ଖଳତାଠାରୁ ଅନେକ ଦୂରରେ ଯେଉଁ ସମ୍ପର୍କ ।

 

କିନ୍ତୁ ? କାହିଁକି ? ଏତେ ବିରାଗ, ବିତୃଷ୍ଣା ।

 

...ସେଇଟା ସ୍ୱଭାବ । ଗୋଟାଏ କମପ୍ଲେକ୍‌ସ୍‌ ବୋଲି କହିପାର ।

 

ତେବେ ଏତେ ରୂପ, ଏତେ ଆକର୍ଷଣ କାହାପାଇଁ । ମୁଁ ଏବେ ନ ପାଏ । ତେବେ କେହି ତ ପାଇବ । କହିବ କି କିଏ ସେ ଭାଗ୍ୟବାନ ।

 

...ମୁଁ ଯଦି କହେ, ତମେ ସେ ଭାଗ୍ୟବାନ ହୁଅ ବୋଲି ? ହଁ ଜୟନ୍ତ ! ଯଦି ଅପେକ୍ଷା କର । ଅନିର୍ଦ୍ଦିଷ୍ଟ ଅପେକ୍ଷା ପାରିବ ?

 

ପାରିବି ନମିତା ! ବେଶ୍‌ ପାରିବି ! ଯଦି ତାହା ଅନନ୍ତ କାଳପାଇଁ ଅପେକ୍ଷା ହୁଏ ତେବେ ବି ପାରିବି ?

 

ସୁନ୍ଦର ଡ୍ରଇଁରୁମ୍‌ ନୀଳ ପ୍ଲାଷ୍ଟିକ୍‌ପେଣ୍ଟ, ମୋଜାଇକ୍‌ ଫ୍ଲୋର, ଲତାୟିତ ମନିପ୍ଲାଣ୍ଟ ଗୁଡ଼େଇ ହୋଇ କୃତ୍ରିମ କୁଞ୍ଜବନର ଅବହାଓ୍ୱା ଆଣିଛି । ଟେବୁଲ ଉପରେ ପେନ୍ଥାଏ ଫୁଲ ଗୋଟାଏ ଭାସ୍‌ ଭିତରେ, ଭାସ୍‌ଉପରେ ଚିତ୍ର ଅଛି, ଏକ ସୁଦର୍ଶନ ପୁରୁଷ କୋଳରେ ଏକ ସୁରମ୍ୟା ନାରୀ । ବସିଲି, ସୋଫାସଜ୍ଜିତ ରୁମରେ ସଦ୍ୟ ଟୟଲେଟ୍‌ର ସୁରଭୀ ।

 

ଯାହାହେଉ ଫାଇଲ୍‌ଟିର ପ୍ରାପ୍ତି ପାଇଁ ଧନ୍ୟବାଦ । ଆଜି ମୋର ଭାଗ୍ୟ ?

 

...ହେଲା ନାହିଁ ଆଜ୍ଞା, ଏହା ସାଧାରଣ ଗୃହସ୍ଥର ଅଭିନନ୍ଦନ । ଆପଣ ଜଣେ ଲେଖକ । ସ୍ୱାଗତରେ କିଛି ନୂତନତ୍ୱର ଆଶା ମୁଁ କରୁଥିଲି ।

 

ସମ୍ଭବତଃ ଗତ କେତେବର୍ଷ ଭିତରେ ମତେ ଲେଖକ ସମ୍ୱୋଧନ କେହି କରି ନ ଥିଲେ-। ସୁରଞ୍ଜନଙ୍କ କଣ୍ଠରେ ଲେଖକ ଜୀବନକୁ ପାସୋରିବାର ଅବଶୋଷ । ପ୍ରକାଶକ ହିସାବରେ ମୋର ସମ୍ମାନ ସନ୍ତୋଷଜନକ । ମାତ୍ର ମୋ’ ଲେଖକ ଜୀବନ ସଲୀଳ ସମାଧି ନେଉଛି-

 

ତେବେ ଗୋଟିଏ ନୂଆ ପରିଚୟ ପାଇଲି; ଲେଖକ ବୋଲି । ସମ୍ମାନ କରିଥିଲି । ମାତ୍ର ମୋ ଉପନ୍ୟାସର ପ୍ରକାଶକଙ୍କୁ ଆଉଥରେ ନମସ୍କାର କରୁଛି ।

 

କିନ୍ତୁ ଆପଣଙ୍କର ପରିଚୟ ?

 

ମୁଁ ସେଇ ଉର୍ବଶୀର ସେଲ୍‌ସଓମ୍ୟାନ୍ ।

 

ତାହା ମୁଁ ପ୍ରଥମରୁ ଦେଖି ଚିହ୍ନିପାରିଛି । ସେଇଥିପାଇଁ କହିଲି, ମୋର ଭାଗ୍ୟ ବୋଲି ।

 

ମୁଁ ନମିତା ରାୟ ।

 

ଠିକ୍‌ ତମର ଲେଖା ମୁଁ ପ୍ରକାଶ କରିଛି, ମାତ୍ର ଦେଖାଟା ଚମତ୍କାର ଭାବରେ ହେଲା । ତେବେ ମୁଁ ଆପଣଙ୍କୁ ଅନେକବାର ଖୋଜିଛି ।

 

ଜାଣେ ସେଣ୍ଟ’ର ଦାମ୍‌ ଦେବାକୁ ।

 

ହଁ ! ତା’ ବ୍ୟତୀତ ଆପଣଙ୍କ ଉପନ୍ୟାସର ରୟାଲଟି ବି ଆପଣ ମାଗି ନାହାନ୍ତି । କି ନେଇ ବି ନାହାନ୍ତି । କେବେ କେବେ ଚିଠି ଲେଖୁଛନ୍ତି ଯାହା ଉପରେ ବିଭିନ୍ନ ପୋଷ୍ଟ ଅଫିସର ମୋହର । ଯାହା ହେଉ ମୁଁ ଚିଠିର ଉତ୍ତର ଦେଇ ନାହିଁ ।

 

ଲେଖା ମୋ’ପାଇଁ ଆନନ୍ଦ, ଆଦର୍ଶ ବୋଲି ଭାବି ପାରନ୍ତି । ଲେଖକର ଶ୍ରମ ଯାହା ତା’ପାଇଁ ବିଶ୍ୱକୋଷର ସମସ୍ତ ଅର୍ଥ କ୍ଷତିପୂରଣ ନୁହେଁ । ଲେଖାକୁ ମୁଁ ବ୍ୟବସାୟିକ ଭିତରେ ଭାବିନାହିଁ ।

 

ତେବେ କିଛି ହେଲେ ଆପଣଙ୍କୁ ଦେବା ମୋର କର୍ତ୍ତବ୍ୟ ।

 

ନିହାତି ଯେବେ ଦେବାର ଆଗ୍ରହ, ତେବେ ମୁଁ କହିବି ମୋର ଅନ୍ୟ ଏକ ଉପନ୍ୟାସ ପ୍ରକାଶ କରନ୍ତୁ । ଅବଶ୍ୟ ତା’ ଯଦି ଆପଣଙ୍କର କ୍ଷତି ନ କରେ ।

 

ନା, ପ୍ରଥମ ଲେଖା ହେଲେ ବି ବଜାରରେ କାଟତି ହୋଇଛି । ଆପଣଙ୍କର ଇଚ୍ଛା ମୁଁ ପୂର୍ଣ୍ଣ କରିବି । ତେବେ ମୋର ଏ ଫାଇଲ୍‌ଟି ଦେଇଥିବା ପାଇଁ...

 

କ’ଣ କିଛି ଦେବାକୁ ଚାହାନ୍ତି । ଧନ୍ୟବାଦ, ନା, ରଖନ୍ତୁ ସମୟ ହେଲେ ଆପେ ଆସି ନେଇ ଯିବି । ମୁଁ ଉଠେ ଏଥର ।

 

ଟିକେ ଚା–କିମ୍ୱା–ସର୍ବତ ?

 

ନା, ସୁର ବାବୁ । ସମୟ ହେଲେ, ଆଉଥରେ ଆସି କିଛି ମାଗିକରି ଖାଇ ଯିବି । ଉଠିଲି, ଆସିଲି, ଦେଖିଲି ପଛରେ ମୋର ଗୌରକାନ୍ତି ତରୁଣ ସୁରଞ୍ଜନ । ଯାହାର ମୁହଁରେ ଗୁଡ଼ାଏ ଆଶ୍ୱାସର ପ୍ରଲେପ ।

 

ସକାଳ ଆସେ ଦୀର୍ଘ କାର୍ଯ୍ୟସୂଚୀର ଫର୍ଦ୍ଦନେଇ । ସକାଳର କଅଁଳ ସୂର୍ଯ୍ୟ ଜହ୍ନିଫୁଲିଆ ଖରା ଦାଣ୍ଡ ବାଲିକୁ ଛୁଇଁବା ପୂର୍ବରୁ, ମତେ ବାସି କାମ ସାରି ଗାଧୋଇବାକୁ ପଡ଼େ । ତା’ପରେ ଅଳସେଇ ଅନୀ’ ପାଇଁ ଚା’ କପେ ଠିକ୍‌ ଅଠଟାରେ ନ ହେଲେ ସେ ଦିନଟାସାରା ଘରେ ମହାଭାରତ ସୃଷ୍ଟି କରିବ । ଦଶଟାରେ ଭାତ ଖାଇ ଅନୀ ଯିବ ସ୍କୁଲ, ଚନ୍ଦ୍ର ଖେଳିବୁଲି ଫେରିବ ବାରଟାରେ । ଆଜିକାଲି ସେ ଗୋଟିଏ ମସଲା ଗୋଦାମରେ, ଗୁମାସ୍ତା କାମ କରେ । ଟ୍ରେନିଂ ପରେ ପୋଷ୍ଟିଂ ହେବାର ବେକାର ସମୟ ପାଇଁ ମୁଁ ସେତକ ବହୁ କଷ୍ଟରେ ଯୋଗାଡ଼ କରିଥିଲି । ଚନ୍ଦ୍ର ଶୁଖିଲା ଭାତ, ଅଣ୍ତା ତରକାରୀ ଖାଇଲାବେଳେ ମୋ ଉଦ୍ଦେଶ୍ୟରେ କେତେପଦ କଡ଼ା ମିଠା କଥା ଫିଙ୍ଗି ଦିଏ ।

 

ଧୋବା ଇସ୍ତ୍ରୀ ଲୁଗା ନ ଦେଲେ, ମତେ ଲୁଗା ସଫା କରିବାକୁ ପଡ଼େ । ଅନୀ’ର ବ୍ଲାଉସ୍‌, ଚନ୍ଦ୍ର’ର ପ୍ୟାଣ୍ଟ, ସାଧନା’ର ଶାଢ଼ି ଇସ୍ତ୍ରୀ କରିବାକୁ ପଡ଼େ । ସାଧନାର ଶୋଇବା ଘରଟିକୁ ସଜେଇବାକୁ ପଡ଼େ । ନ ହେଲେ କ୍ୟାପିଟାଲରୁ ଶନିବାର ସନ୍ଧ୍ୟାରେ ପହଞ୍ଚି ସୋମବାର ସକାଳେ ବସ୍‌ ଧରିବା ପର୍ଯ୍ୟନ୍ତ ମୋ ଅପାରଗତାର ଖୁଣ୍ଟା ଶୁଣିବାକୁ ପଡ଼େ । ସାଧନା କହେ ମୁଁ କୁଆଡ଼େ ଜିନିଷର ମୂଲ୍ୟ ବୁଝେ ନାହିଁ ଦରଦାମ୍‌ ବୃଦ୍ଧିବେଳେ ମୁଁ ଘରେ ବସି ନିରୋଜକାରୀ ହୋଇ ଜିନିଷପତ୍ରର ଯତ୍ନ ନ ନେଇଥିବା କଥା ସାଧନା ମତେ କଥା ଛଳରେ ଦିନକେ ଶହେଅଶୀଥର କହେ । ସେ କ୍ୱାଟର୍ସ ପାଇଲାଣି । ତା’ର କର୍ତ୍ତବ୍ୟ ନିଷ୍ଠାରେ ସେ ଖୁବ୍‌ ଶୀଘ୍ର ପ୍ରମୋସନ ପାଇବ । ସେ ଆଉ ଘରକୁ ଆସି ବସ୍ ଖର୍ଚ୍ଚ ଦେବନାହିଁ । ଚନ୍ଦ୍ର ମଧ୍ୟ ତା’ରି ପାଖରେ ରହିବ । ଚେଷ୍ଟାକଲେ ଚନ୍ଦ୍ର ସେଇଠି ଚାକିରି ପାଇବ । ସବୁ ଶୁଣେ ମୁଁ ଅନୁଭବ କରେ ମୋର ଯେପରି ଏ ଘରେ କେହି ନାହିଁ, କିଛି ନାହିଁ । ମୋ କଥା ଭାବିବାକୁ କାହାରି ବେଳ ନାହିଁ । ଚିନ୍ତାକରି କେହି ସମୟ ନଷ୍ଟ କରନ୍ତି ନାହିଁ । ମୁଁ ଯେପରି ଏ ଘରର ଗୋଟାଏ ପରିତ୍ୟକ୍ତ ଡଷ୍ଟବିନ୍‌ । ଯାହାର ସ୍ଥିତି ସତ୍ୟ ହେଲେ ବି ଗ୍ରହଣୀୟ ନୁହେଁ । ମୁଁ କାନ୍ଦି ପାରେ ନାହିଁ । ମାତ୍ର ହସି ବି ପାରେ ନାହିଁ । ଅନୁଭବ କରେ, ଚନ୍ଦ୍ର କୋଠରୀରେ ରାତ୍ରୀଗନ୍ଧା ଫୁଲ ଫୁଟିବାର ଅଳସଲଗ୍ନରେ ଖିଲି ଖିଲି ହସ । ଚାପା କଣ୍ଠର କଥା କାନ୍ଥ ଡେଇଁ ବାହାରକୁ ଆସେ । ଆଉ ସକାଳର ଅଳିଆ ଗଦା ଭିତରେ ଥାଏ ବ୍ରିଟାନିଆ ବିସ୍କୁଟର ଜରି, ନଚେତ୍‌ ବାରମଜାର ତେଲଭିଜା ଠୁଙ୍ଗା, କଦଳୀ କମଳାର ଚୋପା ଭିତରେ, ମକଚା ଲାଲ, ଧଳା, ଗୋଲାପ ବି ପଡ଼ିଥାଏ । ବିଛଣାରେ ଥାଏ ଯୌବନ ଖେଳର ସ୍ପଷ୍ଟ ସ୍ୱାକ୍ଷର ।

 

ଅନୀ କୋଠରୀରେ ଆଜିକାଲି ଟ୍ରାନଜିଷ୍ଟରରେ ସିଲୋନ୍‌ ସେଣ୍ଟର ଖୋଲାଯାଏ । ବେଳେବେଳେ ଗାୟକ ଗାୟୀକାଙ୍କ କଣ୍ଠରେ, କଣ୍ଠ ମିଳାଇ ଅନୀ ଗାଏ ସିନେମାର ସୁଗମ ସଙ୍ଗୀତ-। କେଉଁ ଶାଢ଼ିସହ କେଉଁ ବ୍ଲାଉସ୍‌ ପିନ୍ଧିଲେ ସେ ସୁନ୍ଦର ଦିଶିବ, ତାକୁ ସେ ରାତିର ନିବୁଜ କୋଠରୀ ଭିତରେ ପିନ୍ଧି ପରୀକ୍ଷା କରେ । ବେଳେବେଳେ ରାଇଟିଂ ପ୍ୟାଡ୍‍ଟାଣି ଚିଠି ଲେଖେ । ଓଜନିଆ ଲଫାପାରେ ଜୟନ୍ତ ଚିଠିଲେଖେ ଅନୀ ପାଖକୁ । ଜୟନ୍ତକୁ କଥା ଦେଇଥିଲି ବୋଲି ଚାକିରି ଛାଡ଼ିଲି-। ଅସୀମ ଆନନ୍ଦରେ ଜୟନ୍ତ ମତେ ସାଥିରେ ଧରି ଆସିଥିଲେ ଗାଁକୁ । ଆଉ ଫେରିଗଲାବେଳେ କହିଲେ–ନମିତା, ଅନୀ ପରି ତମେ ଯଦି ହସି ପାରନ୍ତ ମତେ ଭାରି ଭଲ ଲାଗନ୍ତା । ତମ ଭଉଣୀ ହେଲେ ବି ଅନୀ ଯେମିତି ଏକବାରେ ସ୍ୱତନ୍ତ୍ର । ତମେ ଗମ୍ଭୀର । ଆଉ ସେ ଚପଳ । ମୁଁ କିଛି କହି ନ ଥିଲି । ନୀରବ ରହିଲି । ନା ଏଥର ମୋ ପାଇଁ ଗୋଟିଏ ପୁରୁଷ ଆବଶ୍ୟକ । ବାପାଙ୍କ ମୃତ୍ୟୁକାଳୀନ ଅନୁରୋଧ ମୁଁ ରକ୍ଷା କରିଛି । ମୁଁ ଶୁଏ ନାହିଁ ଭାବେ, ପାଏ ନାହିଁ ଖୋଜେ କେହି ନ ଥିଲେ ବି ଜଣକୁ ମନରେ, କଳ୍ପନାରେ ରଖି କବିତା ଲେଖେ । ଜୟନ୍ତର ନଇଁଲା ଉଦାସ ଆଖି, ଶ୍ୟାମ ଦେହର ଛବି ଆଖି ଆଗରେ ଲେଖି ହୁଏ । ପୁଣି ପରକ୍ଷଣରେ ମନ ଘୃଣାରେ ଝଣ କରିଉଠେ । ନା, ଜୟନ୍ତ ଭଲପାଇ ଜାଣେନା । ଯିଏ ମିନିଟ୍‌ ପରେ ମନର ପରିବର୍ତ୍ତନ କରେ ତା’ ଉପରେ କୌଣସି ନାରୀ ଆସ୍ଥା ନ ରଖିବା ଭଲ । ସେ କେବେ ବିଶ୍ୱସ୍ତ ନ ହୋଇପାରେ । ମନେପଡ଼ିଯାଏ ଦୀପଙ୍କରର ଶାନ୍ତ ସୌମ୍ୟ ଚେହେରା । ଦେହରେ ଔଜଲ୍ୟ ଅଛି । ମାତ୍ର ମନରେ-? ଦୀପଙ୍କର ଯଦି ତାଙ୍କର ମନକୁ ଅନ୍ତତଃ ଏକମୁଖି କରିଥା’ନ୍ତେ । ଯିଏ ନିଜର ସ୍ତ୍ରୀକୁ ସମ୍ମାନ ଦେଇନାହିଁ ସେ ଯେ କୌଣସି ନାରୀର ଶତ୍ରୁ । ତାଙ୍କ ଚରିତ୍ରର ସ୍ପଷ୍ଟ ଦର୍ଶନ ପରେ ମୋ ମନ ଭାଙ୍ଗି ଟୁକୁରା ଟୁକୁରା ହୋଇଥିଲା । ଅଥଚ ଏକାନ୍ତ ଭାବରେ ଦୀପଙ୍କର ପ୍ରତି ମୋର ଶ୍ରଦ୍ଧା ଆଉ ସମ୍ମାନ ଥିଲା । ଜୀବନରେ ପ୍ରଥମ ମଣିଷ ଚିହ୍ନିବାରେ ପରାଜୟ ମୋର ଦୟନୀୟ ଭାବରେ ଘଟିଗଲା । ଦୀପଙ୍କର ଚାହିଁଥିଲେ ମୋର କବିତା କେତୋଟି ପ୍ରକାଶ କରି ମତେ ଟାଣିନେବେ ବ୍ୟଭିଚାରର ସ୍ୱପ୍ନ ଶିଉଳିକୁ । ମୁଁ ନିଜକୁ ସହଜ କରିଥିଲି । ଆଶା କରୁଥିଲି ଦୀପଙ୍କର ନିଜ ସ୍ତ୍ରୀ’ର ଅଭାବ ଅନୁଭବ କରିବେ । ମାତ୍ର ନା, ସେ ଲକ୍ଷ ଫୁଲର ମଧୁଚଖା ଅଳି ମନନେଇ ଦୀପଙ୍କର ସ୍ୱାମୀ ହୋଇପାରିଲେ ନାହିଁ ।

 

ପବନରେ ବଉଳର ଗନ୍ଧ ବୋଳି ଆସିଲା ବସନ୍ତ । ଚନ୍ଦ୍ର କ୍ୟାପିଟାଲରେ, ସାଧନା ପାଖରେ । ଗୋଦାମର ଗୁମାସ୍ତା ଚାକିରି ଖଣ୍ଡି ସେ ଛାଡ଼ିଦେଲା । ପାଖରେ କୌଣିସି ଏକ ସ୍କୁଲରେ ତା’ର ପୋଷ୍ଟିଂ ହେଲା ।

 

ସାଧନା ହେଲା ସନ୍ତାନ ସମ୍ଭବା । ଆଉ ହଠାତ୍‌ ଦିନେ ଅନୀ ଚାହିଁଲା ଜୟନ୍ତଙ୍କର ସ୍ତ୍ରୀତ୍ୱ...ହେଲା । ବାଜିଲା ମାଙ୍ଗଳିକ ଶାହାନାଇ । ଅନୀ’ର ବିବାହ ପାଇଁ ଚନ୍ଦ୍ର ଓ ସାଧନା ଗୋଟାଏ ପଇସା ମଧ୍ୟ ଦେଲେ ନାହିଁ । ବରଂ ଜୟନ୍ତ ହରିଜନ ବୋଲି ଦୃଢ଼ ପ୍ରତିବାଦ କଲେ । ମୁଁ ନୀରବ ରହିଲି । ଅନୀ ମୁହଁ ଶୁଖେଇଲା । ମୋ ଛାତିରେ ଉଠିଲା ସେଇ ନିଶାର ଉଜାଣୀ ଯମୁନା । ଚାହିଁଲା ଚନ୍ଦ୍ର’ ମୁହଁକୁ, ସାଧନା ମୁହଁକୁ । ଖାଣ୍ଟି ଖଣ୍ଡାୟତ ପୁଅ ଯଦି ବଙ୍ଗୀୟବାଳାକୁ କୁଳବଧୂର ସମ୍ମାନ ଦିଏ, ତେବେ ଜୟନ୍ତ ମଲ୍ଲିକ’କୁ ଅନୀତା ରାୟର ବିବାହ ନିଷିଦ୍ଧ ହେବ କେଉଁ ମର୍ମରେ ।

 

ବିକିଲି ଘରର ଫର୍ଣ୍ଣିଚର୍‌ କେତେଖଣ୍ଡି । ସମାଜର ଟାହିଟାପରା ଭିତରେ ବି ଜୟନ୍ତ ଧରିଲା ଅନୀ’ର ହାତ ଅସବର୍ଣ୍ଣ ବିବାହ । ଲୋକମାନଙ୍କୁ ସମାଲୋଚନା ପାଇଁ ଉତ୍ସାହିତ କଲା । ତେବେ ବି ମୋର କର୍ତ୍ତବ୍ୟରେ ମୁଁ ସ୍ଥିର । ଜୟନ୍ତର ରକ୍ତ ଲାଲ, ହରିଜନ ବୋଲି କଳା ନୁହେଁ କି ନୀଳ ବି ନୁହେଁ । ପିତୃ-ମାତୃ ହରା ଜଇଆ ମଳିକ ସମୟ ସ୍ରୋତରେ ଲାଗିଲା ମିସନାରୀ ସ୍କୁଲରେ-। ଆଉ ତା’ର ନାମଟା ବି ବଦଳି ଗଲା । ଜୟନ୍ତ ମଲ୍ଲିକ, ବି.ଏ. ପାଶ୍‌ କରି ଚାକିରି ନ ପାଇ ଟିଉସନ୍‌, ବିନା କାରଣରେ ମାଡ଼, ନର୍ସିଂହୋମ ।

 

ମୁଁ ଖୁସି ହେଲି, ଯାହାହଉ ଅନୀ’ ଖୁସିରେ ରହିବ । ଚନ୍ଦ୍ର ଆସିଲା ନାହିଁ । ଆସିଲା ନାହିଁ ବି ସାଧନା । ଚିଠି ଖଣ୍ଡକରେ ଲେଖିଦେଲେ ହରିଜନ ପିଲାକୁ ଅନୀ ବିବାହ କରିବା ସମ୍ୱାଦ ପାଇବା ପରେ, ସେମାନେ ଧରି ନେଇଛନ୍ତି, ଅନୀତା ବୋଲି ଯେଉଁ ସାନ ଭଉଣୀ ଥିଲା, ସେ ମରିଯାଇଛି । ସେମାନେ ଜୀବିତାବସ୍ଥାରେ ରାୟ ବଂଶର ଭିଟାମାଟି ଉପରେ ପାଦ ଦେବେ ନାହିଁ । କ୍ୟାପିଟାଲରେ ଘର କିଣିବା ପାଇଁ ସେ ରାୟ ବଂଶର ଶେଷ ସମ୍ୱଳ ଘରଡିହ ଖଣ୍ଡି ବିକି ଦେବାର ଶେଷ ସିଦ୍ଧାନ୍ତ ନେଇଛନ୍ତି ଯଦି ମୁଁ ଚାହେଁ ତେବେ ତାଙ୍କରି ପାଖରେ ଯାଇ ରହିପାରେ ।

 

ହସିଲି...ଯାହାହଉ ଈଶ୍ୱର ତାକୁ ଏତେ ବିଳମ୍ବରେ ଦାୟିତ୍ୱ ମୁକ୍ତ କରିଛନ୍ତି । ସାଧନା ଓ ଚନ୍ଦ୍ର ପାଖରେ ତା’ର ଉପସ୍ଥିତିର ଆଉ ଆବଶ୍ୟକ ନାହିଁ । ଅନୀ ଯିବ, ଯିବ ବି ଜୟନ୍ତ ।

 

ସକାଳର କାକର ଟୋପା ପରି ଆଖିରେ ମୋର ଲୁହ ଦି’ବୁନ୍ଦା ଜକେଇ ପୁଣି ମରିଗଲା ଆଖି କୋଣରେ । ଯେମିତି ସୂର୍ଯ୍ୟଙ୍କ ତା’ପରେ କାକର ପାଲଟେ ବାସ୍ପ । ସେମିତି ମୋର ଲୁହଗୁଡ଼ାକ ପାଲଟି ଗଲା ଓଜନିଆଁ ଦୀର୍ଘଶ୍ୱାସ । ଜୟନ୍ତଙ୍କର ରେଲଓ୍ୱେରେ ଜଏନିଂ । ବୁକିଂ କ୍ଲର୍କ । ଷ୍ଟାଟିଂ ତିନି ଶହରୁ ପାଞ୍ଚ ଶହ ପର୍ଯ୍ୟନ୍ତ । ପ୍ରମୋସନ ବି ଅଛି । ନା ଅନୀ’ର ଭବିଷ୍ୟତ ଉଜ୍ଜ୍ୱଳ । ଟ୍ରେନ୍‌ର ଗତି ସହ ଅନୀ ଆଖି ଦୁଇଟା ଦୂରେଇ ଗଲା । ଲିଭିଗଲା ବି ଜୟନ୍ତ ମଲ୍ଲିକର ଅସହାୟ ଆଖିର କାକୁତି । ଜୀବନର ଗୋଟିଏ ଅଚଳ ଅଙ୍ଗ ବହନ କରି, ମୁଁ ପଛ ଟ୍ରେନରେ ଗୋଟାଏ ଖିଆଲରେ ବସି ପଡ଼ିଲି । ମନେହେଲା କର୍ତ୍ତବ୍ୟରେ ଯେପରି ମୁଁ ଅବହେଳା ନରିଛି । ଯୌତୁକ ପ୍ରଥାକୁ ମୁଁ ଆକଣ୍ଠ ଘୃଣା କରେ । ତେବେ ବି ଅନୀ’ର ବ୍ୟବହାର୍ଯ୍ୟ ପଦାର୍ଥ ଭରା ଟ୍ରଙ୍କ, ରେଡ଼ିଓ, ଜୟନ୍ତଙ୍କର ଆଟାଚି ଇତ୍ୟାଦି ନେଇ ନିର୍ଦ୍ଦଷ୍ଟ ସ୍ଥାନରେ ପହଞ୍ଚାଇବାର କଥା । ଯେତେହେଲେ ମୁଁ ଅନୀ’ର ଅପା । ସେମାନେ ମତେ ସାଙ୍ଗରେ ନ ଡାକିଲେ, ବୋଲି ମୁଁ ନ ଯାଇ ଏତେ ଭୁଲ୍‍ କରିବାର ପ୍ରାୟଶ୍ଚିତସ୍ୱରୂପ ପଛ ଟ୍ରେନରେ ବସିପଡ଼ିଲି । ଆଗ ଟ୍ରେନ୍‍ଟି ପଛ ଟ୍ରେନ୍‍ର ମାତ୍ର ଘଣ୍ଟାକର ବ୍ୟବଧାନ ।

 

ରାତି ଯେତେବେଳେ ଗଛ ସନ୍ଧିରେ ସାନ୍ଧ୍ର ହୋଇ ଆସୁଥିଲା ସେତେବେଳେ ଅନେକ ଖୋଜା ପରେ, ରେଲଓ୍ୱେ କଲୋନୀର ନିର୍ଦ୍ଦିଷ୍ଟ ଦ୍ୱାର ପାଖରେ ପହଞ୍ଚିଲି । ସଦ୍ୟ ସଜ୍ଜିତ ବିଛଣା ପାଖରେ ଅନୀ ଠିଆହୋଇ ହସୁଥିଲା ଆଉ ଜୟନ୍ତ ଟ୍ରଙ୍କରୁ ଡେସ୍‍ କାଢ଼ି ସଜାଉ ଥିଲେ ବ୍ରାକେଟ୍‌ ଦେହରେ ।

 

ସ୍କ୍ରୀନ୍‌ ଆଢ଼ୁଆଳରେ ଯୁଗ୍ମ ଜୀବନ ପାଇଁ ମୋ ମନରେ ଅଶୁଖା ଆଶୀର୍ବାଦ ଧାରା ଝରି ପଡ଼ିବାବେଳେ ଜୟନ୍ତ କହିଲେ–

 

‘ଅନୀ’, ଜୀବନରେ ଏତେ ସୁଖର କଳ୍ପନା ମୁଁ କରି ନ ଥିଲି । ତମେ ମୋ ଜୀବନର ପ୍ରଥମ ସଙ୍ଗୀତ । ତେବେ ମୁଁ ଭାବୁଥିଲି ମୁଁ ଅର୍ଥହୀନ; ଗୌରବ ହୀନ, ପୁଣି ଛୋଟ ଜାତି । ତମର ସ୍ୱାଗତ ପାଇଁ ମୋର କିଛି ନ ଥିଲା । ସେତେବେଳେ ମୁଁ ଥିଲି ତମ ଅପା’ଙ୍କର ଆଶ୍ରୟ ପ୍ରାର୍ଥୀ ।

 

ତମେ ଯେଉଁଦିନ ଅପା’ ସହ ଆସିଥିଲ, ସେଇଦିନ ହିଁ ତମକୁ ମୁଁ ଚାହିଁଥିଲି । ତମେ ହିଁ ଥିଲ ମୋ କଳ୍ପନାର ପୁରୁଷ ।

 

...ଅପା’ଙ୍କ ପାଖରେ ସେଦିନ ତମେ ଥିଲ ହାସ୍ୟମୟୀ ସୂର୍ଯ୍ୟମୁଖି ।

 

ଅପା’କୁ ଡାକିଲ ନାହିଁ ।

 

ତମେ ବି ତ ଡାକିଥା’ନ୍ତ ଅନୀ ।

 

କେଜାଣି କାହିଁକ ଡାକିବାକୁ ମନ ହେଲାନାହିଁ ।

 

ଅପା ଆସିଥିଲେ କ’ଣ ନିର୍ଜ୍ଜନ କମ୍ପାଟମେଣ୍ଟରେ ମିଶିପାରିଥା’ନ୍ତେ । ଆଜି ଆମ ବିବାହର ଚତୁର୍ଥ ଦିନ । ଆମ ମିଳନ ପୃଥିବୀରେ ଅପା’ଙ୍କର ପଦ ସଞ୍ଚାର ମୋ ଅନୁରୋଧର ଅନ୍ତରାୟ । ତେବେ ବି ତାଙ୍କ ପାଇଁ ମୋ ମନରେ ଦୟା ଆସେ ।

 

ହାୟ ବିଚାରୀ...

 

ପାଦ ଫେରାଇଲି ପଛକୁ । ଅନ୍ଧାରିଆ ଆକାଶକୁ ପଚାରିଲି । ତେବେ ଜୟନ୍ତ, ଅନୀ, ଚନ୍ଦ୍ର, ସାଧନା ସତେ କେବଳ ଦୟା କରନ୍ତି । ମୋର ବୋଧହୁଏ ଏ ମଣିଷଙ୍କ ପାଖରୁ ଖାଲି ଦୟାହିଁ ପ୍ରାପ୍ୟ, ଦାବି ନୁହେଁ, କି ଦାନ ବି ନୁହେଁ, ଖାଲି ଦୟା । ରେଲଓ୍ୱେ ଲାଇଟ୍‌ ପୋଷ୍ଟ ପାଖରେ ଅନୀ’ କ୍ୱାଟରକୁ ଥରେ ଚାହିଁ ଟ୍ରେନ୍‌ ଧରିଲି । କେହି ନାହିଁ । କିଛି ନାହିଁ । ଘର ବିକ୍ରି କରିବ ଚନ୍ଦ୍ର । ଫର୍ଣ୍ଣିଚର୍‌ ବିକ୍ରି ହୋଇଛି । ଅନୀ ତା’ର ବ୍ୟବହାର୍ଯ୍ୟ ପଦାର୍ଥ ନେଇ ଯାଇଛି । ପାଶ୍‍ ବୁକ୍‌ରୁ ଟଙ୍କା କେତେ ଶହ, କେତେ ଖଣ୍ଡ ପୁରୁଣା ଶାଢ଼ି, ବ୍ଲାଉସ୍‌ ବେଡ୍‌ସିଟ୍‌ ପର୍ଯ୍ୟନ୍ତ ଅନୀ ଛାଡ଼ି ଯାଇ ନାହିଁ । ଘଣ୍ଟା, ନେକେଲେସ୍‌ ଯାଇଛି ଜୟନ୍ତ’ଙ୍କ ପାଇଁ । ମୁଁ କେବଳଇଁ ଏକା ନୀଳ ଆକାଶର ଅସରନ୍ତି ପଥର ନିସଙ୍ଗ ବିହଙ୍ଗୀ ।

 

ଟ୍ରେନ୍‌ ଚାଲିଗଲା । ଆକାଶରୁ ଅନ୍ଧାର ଠେଲି ଉଠି ଆସୁଥିଲା ଚନ୍ଦ୍ର । ସହଯାତ୍ରୀ ମାତ୍ର ଦୁଇଜଣ । ପୁଣି ଜଣେ ଅର୍ଦ୍ଧ ସୁପ୍ତ ଓ ଅନ୍ୟଟି ତାଙ୍କର ତ ? ମୁଁ କେବଳ ଦେଖୁଥିଲି ମୋ ଜୀବନର ପାଖରେ ଆସିଥିବା ମଣିଷମାନଙ୍କର ରୂପକୁ କଳ୍ପନାରେ । ମନକୁ ଅର୍ନ୍ତଦୃଷ୍ଟି ଦେଇ ଦେଖୁଥିଲି ସମ୍ପୂର୍ଣ୍ଣ ଅନ୍ୟମନସ୍କ ଭାବରେ ।

 

...ଶୁଣିବେ ?

 

...ନିଶ୍ଚୟ ? କୁହନ୍ତୁ । ମୁଁ ସ୍ୱଭାବିକ ଅବସ୍ଥାକୁ ଫେରିଲି ।

 

ମତେ ସାହଯ୍ୟ କରିବେ । ଅବଶ୍ୟ ଯଦି ଆପଣଙ୍କର ବ୍ୟସ୍ତତା ନ ଥାଏ ।

 

...ଦେଖନ୍ତୁ ମୋର ବ୍ୟସ୍ତତା ନାହିଁ, ନାହିଁ ବି କୌଣସି ଆକର୍ଷଣର ବନ୍ଧନ । ଭାରତବର୍ଷର କୋଣ ଅନୁକୋଣରେ ଯେକୌଣସି କାମ କରି ବଞ୍ଚିବା ମୋର ବର୍ତ୍ତମାନର ଲକ୍ଷ୍ୟ । ତେବେ କାହାରି ଦାନ ବା ଦୟାର ସୀମା ପର୍ଯ୍ୟନ୍ତ ମୁଁ ସ୍ପର୍ଶ କରିବି ନାହିଁ । ବର୍ତ୍ତମାନ ମୋ ପାଖରେ ଟିକେଟ ବ୍ୟତୀତ କିଛି ନାହିଁ । ସେ କ୍ଷେତ୍ରରେ...ଆପଣଙ୍କୁ ସାହାଯ୍ୟ...

 

ଭଦ୍ରଲୋକ ଅଟାଚି ଖୋଲିଲେ, ବଢ଼ାଇ ଦେଲେ ଶହେ ଟଙ୍କିଆ ନୋଟ କେତେ ଖଣ୍ଡ ।

 

...କିନ୍ତୁ ? କହିଲେ ନାହିଁ ତ ? ଆପଣଙ୍କୁ ମୁଁ କି ସାହାଯ୍ୟ କରିବି । ଯାହାପାଇଁ ଆପଣ ବିନା ଦ୍ୱିଧାରେ ଜଣେ ଅପରିଚିତା ନାରୀକୁ ଏତେ ଟଙ୍କା ଧରାଇ ଦେଲେ ।

 

‘ଦେଖନ୍ତୁ’ ଆପଣଙ୍କର ସାହାଯ୍ୟ ତୁଳନାରେ ଏହା ଅନେକ କମ୍‍ । ମୁଁ ଜଣେ ଡାକ୍ତର । ମାନେ ମାନସିକ ବ୍ୟାଧିରେ ।

 

ଆପଣଙ୍କର ପ୍ରଫେସନ୍‌ ସମ୍ୱନ୍ଧରେ ମୋର ଧାରଣା ଆସିବା ପୂର୍ବରୁ ଭାବୁଛି ମୁଁ ନର୍ସ ନୁହେଁ କି ପେସେଣ୍ଟ ବି ନୁହେଁ ।

 

ଦୟାକରି ମୋ କଥାକୁ ସିରିଏସ୍‌ଲି ନିଅନ୍ତୁ...ମିସ୍‌....

 

...ନମିତା ? ନମିତା ରାୟ । ହଁ କୁହନ୍ତୁ ।

 

ପ୍ରଥମରୁ ଆପଣଙ୍କୁ ଦେଖି ମୋର ମନେହେଲା ଆପଣ ହିଁ ପାରିବେ । ଏଇ ଦେଖନ୍ତୁ । ବର୍ଥ ଉପରେ ଶୋଇଥିବା ଲୋକଟିକୁ ।

 

...ହଁ ଦେଖୁଛି ଦୀର୍ଘ ଦେହ, ସୌମ୍ୟ ଚେହେରା । କୌଣସି ସମ୍ଭ୍ରାନ୍ତ ବଂଶର ଛାପ ମୁହଁ ଉପରେ । ତେବେ ସୁସ୍ଥ ଭଳି ମନେ ନ ହେଲେ ଅସୁସ୍ଥତାର ଲକ୍ଷଣ ନାହିଁ ।

 

...ତାଙ୍କର ମାନସିକ ବିକୃତି । ଆଉ ସେ ମୋର ଖାଲି ପେସେଣ୍ଟ ନୁହଁନ୍ତି, ରିଲେଟିଭ । ଦିନେ ମୋର ସ୍ତ୍ରୀ’କୁ ଟ୍ରେନ୍‌ ଚକାତଳୁ ଟେକି ଆଣିଥିଲା ନିଜ ଜୀବନକୁ ବିପନ୍ନ କରି । ଆପଣ ମଦର ଇଣ୍ତିଆ ଫିଲ୍ମ ଦେଖିଛନ୍ତି କି ନା, ତେବେ ଜଳନ୍ତା କୋଠାରୁ ନର୍ଗୀସ୍‌ଙ୍କୁ ସୁନିଲଦତ୍ତ ଟେକି ଆଣିବାର ସେ ଯେଉଁ ଦୃଶ୍ୟ । ସେଦିନ ଅମରେନ୍ଦ୍ର ଛାତିରେ ନିବେଦିତାକୁ ଦେଖି ମନେପଡ଼ିଥିଲା । ବାସ୍ତବିକ୍‌ ଅମରେନ୍ଦ୍ରର ସାହସ ଅତୁଳନୀୟ । ଡକ୍ଟର ଚୁପ୍‌ ରହିଲେ ଯେପରି ସେ ଦୃଶ୍ୟ ସେ ଆଖି ଆଗକୁ ଆଣିବା ଚେଷ୍ଟା କରୁଛନ୍ତି ।

 

କଥାର ଖିଅ ଯୋଡ଼ି କହିଲି, ହଁ କୁହନ୍ତୁ ।

 

ପ୍ରତ୍ୟେକ ମଣିଷ ହିଁ ପାଗଳ । ଆଉ ପାଗଳର ଷ୍ଟୋରୀ ବି ବିଚିତ୍ର । ଆପଣଙ୍କୁ ବୋରିଂ ଲାଗିପାରେ ... ନମିତା ଦେବୀ ।

...ନମିତା ଡାକିଲେ ବି ଚଳିବ । ହଁ ଡକ୍ଟର....ସ୍ୱୀକାର କରୁଛି ପ୍ରତ୍ୟେକ ଲୋକର ଜୀବନ-ଗଳ୍ପର ସାମଗ୍ରୀ । ତେବେ ବି ଶୁଣିବାରେ ମୋର ବିରକ୍ତି ନାହିଁ । ବରଂ ଆଗ୍ରହ ଅଛି । ତା’ ବ୍ୟତୀତ ଟ୍ରେନରେ ବସିବା ବିରକ୍ତି ବି କଟିଯିବ ।

ଆଜି ଅମରେନ୍ଦ୍ର’ର ଅତୀତ ପୃଷ୍ଠା ଖୋଲିଲେ ଯନ୍ତ୍ରଣା ଲାଗେ । ତେବେ ବି କେବଳ ତା’ରି ମଙ୍ଗଳ ପାଇଁ ତ’ କେଶ୍‌ ହିଷ୍ଟ୍ରି ମୁଁ ଆପଣଙ୍କୁ ଦେବି । ଏଇ ଅମରେନ୍ଦ୍ର । ଏହାର ପରମ୍ଫରା ଗୌରବୋଜ୍ଜ୍ୱଳ । ଇତିହାସରେ ଦଳବେହେରା ଖୋର୍ଦ୍ଧା, ତାପଙ୍ଗ ଇତ୍ୟାଦି ଆପଣ ପଢ଼ିଥିବେ । ସେଇ ବିଦ୍ରୋହର ମୁଖ୍ୟ ଅଂଶୀଦାର ଭାବରେ ଏ ବଂଶର ମର୍ଯ୍ୟଦା ଅଧୁନାତନ ଜୀଇଁ ରହିଛି । ସେଇ ବଂଶର ଜ୍ୱଳନ୍ତ ଶିଖା ଏଇ ଅମରେନ୍ଦ୍ର । ଆଉ ତା’ର ସ୍ନାୟୁରେ ଅକ୍ଷୟ ଦେଶ ପ୍ରମ । ଫଳସ୍ୱରୂପ ସେ ସମସ୍ତଙ୍କ କଥାକୁ ଅଗ୍ରାହ୍ୟ କରି ମିଲଟାରୀରେ ଯୋଗ ଦେଲା । ନିଜର ଦକ୍ଷତାରେ ସେ କର୍ଣ୍ଣେଲ୍‍ । ଯାହା ଏତେ କମ୍‌ ବୟସରେ କେହି ପାଇ ନାହାନ୍ତି । ନିଜର କର୍ତ୍ତବ୍ୟ ପାଖରେ ନିଜ ପ୍ରାଣକୁ ସେ ବାଜି ଲଗାଏ । ଚୀନ୍‌, ଭାରତର ଯୁଦ୍ଧ । ଅମରେନ୍ଦ୍ର କେତୋଟି ସିକ୍ରେଟ୍‍ ଡକୁମେଣ୍ଟ ଦାୟିତ୍ୱରେ ଥାଏ । ଯେଉଁ ଡକୁମେଣ୍ଟ, ସ୍ପାଇ ହାତରୁ ଉଦ୍ଧାର କରିବାକୁ ସେ ହୋଇଥାଏ ରକ୍ତାକ୍ତ, କ୍ଷତ, ବିକ୍ଷତ । ମିଲଟାରୀ ହସ୍ପିଟାଲର ସ୍ୱତନ୍ତ୍ର କଟେଜରେ ସେ ଦେଖିଥଲା ସକାଳର ସୂର୍ଯ୍ୟ । ଆର୍ମି କ୍ୱାଟର୍ସ ଛୁଇଁବା ପରେ ସେ ନିଶ୍ଚିନ୍ତ ହେବ । ଚୀନା ଡ୍ରାଗନ୍‌ଗୁଡ଼ାକଙ୍କୁ ଗୋଟି ଗୋଟି କରି ମାରି ଗଡ଼ାଇ ଦେଇ ସେମାନେ ଦେଶର ଅଖଣ୍ଡତା ରକ୍ଷା କରିବେ । ଛାତିର ଅସହ୍ୟ ଯନ୍ତ୍ରଣା । ଅବାରିତ ରକ୍ତସ୍ରାବର ଦୁର୍ବଳତା ସତ୍ତ୍ୱେ ଅମରେନ୍ଦ୍ର ନିଜର ବିଜୟରେ ଉତ୍‌ଫୁଲ ଥିଲା ।

ମାତ୍ର ହେଲା ନାହିଁ, ହସ୍ପିଟାଲ ନର୍ସ ଉଷା ସେନ୍‌ ସେଇ ସିକ୍ରେଟ୍‍ ମ୍ୟାପ୍‍ତକ କୌଶଳରେ ଚୋରାଇ ନେଲା । ପରେ ଅବଶ୍ୟ ଉଷା ସେନ୍‍ ଧରା ହେଲା, ମ୍ୟାପ୍‌ ହସ୍ତାନ୍ତର ହେବା ପୂର୍ବରୁ ।

ଅମରେନ୍ଦ୍ର ହୁଏତ ଉଷା ସେନ୍‌କୁ ସମସ୍ତ ନର୍ସ ବ୍ୟତୀତ ସ୍ୱତନ୍ତ୍ର ଭାବରେ ଭଲ ପାଉଥିଲା-। ଅମରେନ୍ଦ୍ର ଉଷାକୁ ସମସ୍ତ ପ୍ରକାର ସ୍ନେହ ସୌହାର୍ଦ୍ଧ୍ୟ ଦେଇ ଆପଣାର କରିବାବେଳେ ‘ଉଷା’ କଲା ବିଶ୍ୱାସଘାତକତା ।

ଅମରେଦ୍ରର ସରଳ ଦୟାର୍ଦ୍ର ଦୃଢ଼ ଅଭିମାନୀ ମନ ସହିଲା ନାହିଁ । ମେଡ଼ିକାଲ ନର୍ସ ଉଷା ସେନ୍‌ର ଏ ଧୋକ୍‌କା । ସେଇ ଦିନରୁ ସେ ନାରୀଙ୍କୁ ଘୃଣା କରିବା ଆରମ୍ଭ କଲା

ଏ କ୍ଷେତ୍ରରେ ମୁଁ ବା କ’ଣ କରିପାରେ ? କହିଲେ ନାହିଁ ତ ?

ମୁଁ ଚାଲେଞ୍ଜ କରୁଛି ନମିତା ଦେବୀ, ଆପାଣ ନିଶ୍ଚୟ ପାରିବେ । ତା’ ବ୍ୟତୀତ ଆପଣଙ୍କୁ ଦେଖି ଅମରେଦ୍ର ଚାହିଁଛି, ଚିତ୍କାର କରିନାହିଁ । ମୋର ମନସ୍ତତ୍ତ୍ୱ ଯଦି ନିର୍ଭୁଲ ଥାଏ, ତେବେ...ସତ କହିବାକୁ ଗଲେ ଆପଣଙ୍କ ମୁହଁ ଉପରେ ଗୋଟାଏ କିଛି ଅଛି, ଯାହା ଚୁମ୍ୱକ ଭଲି ମନକୁ ଆକର୍ଷଣ କରେ ।

ଦେଖନ୍ତୁ–ପ୍ରତ୍ୟେକ ହୀନତାର ମଧ୍ୟ ସମ୍ମାନ ଅଛି । ଏ ସମ୍ମାନର କଳ୍ପନା ହୁଏତ ପ୍ରେରଣା ପାଇଁ, ହୁଏତ ହୀନତାକୁ ସହ୍ୟ କରିବା ପାଇଁ ସୃଷ୍ଟ । ଯଦି ଏହି ସମ୍ମାନ ଉପରେ ଆଞ୍ଚ ଆସେ, ହୀନତା ସହସା ହୁଏ ଉନ୍ମୋଚିତ । ବ୍ୟକ୍ତି ବିଚଳିତ ହୁଏ । ମୋର କର୍ତ୍ତବ୍ୟ ମୁଁ ବୁଝେ, ମୋର କ’ଣ ଅଛି ସେ କଥା ଭାବେ ନାହିଁ । ବୁଝେ ନାହଁ । ଏଇ ମୁହୂର୍ତ୍ତରୁ ଅମରେନ୍ଦ୍ରଙ୍କର ଦାୟିତ୍ୱ ନେଲି । ଯାହ କହିବେ ତାହା କରିବି, କେବଳ ମୋର ନିଜତ୍ୱ ବ୍ୟତୀତ ତା’ ପୂର୍ବରୁ ମୋର ଚଳିବାର ଧନ୍ଦା ଖୋଜିବାକୁ ପଡ଼ିବ । ଅନ୍ତତଃ ମୁଠାଏ ଭାତ ପାଇଁ ।

ଆପଣ ମୋ’ଠାରୁ ପାରିଶ୍ରମିକ ପାଇବେ । ରହିବେ କ୍ୱାଟର୍ସରେ । ମୋର ସ୍ୱତନ୍ତ୍ର କ୍ୱାଟର୍ସ ଷ୍ଟାଫ୍‌ଙ୍କ ପାଇଁ ପ୍ରସ୍ତୁତ ଥାଏ ।

କ୍ଷମା କରିବେ । ଅମରେନ୍ଦ୍ରଙ୍କ ପାଇଁ ମୁଁ ଯାହା କରିବି କେବଳ ତା’ ମୋର କର୍ତ୍ତବ୍ୟ । ଗୋଟିଏ ମଣିଷ ହିସାବରେ ମଣିଷ ପାଇଁ । ହଁ କେବଳ ମନୁଷ୍ୟତାର ପରିଚୟ । ମୋ ପାଇଁ ମୋର କର୍ତ୍ତବ୍ୟ ହେଲା, କାମ କରିବି ପଇସା ନେବି ।

ଆଃ ! ଆପଣଙ୍କୁ ମୁଁ ଟଙ୍କା ଦେବାକୁ କହୁନାହିଁ । ଆପଣ ନର୍ସ ନୁହଁନ୍ତି । ଗୋଟିଏ ମାନସିକ ରୋଗୀର ସେବା କରିବା ଅନେକ ଆୟାସ ସାଧ୍ୟ । ଆଗ ଷ୍ଟେସନରେ ମୁଁ ଅନ୍ୟ କମ୍ପାଟମେଣ୍ଟକୁ ଓହ୍ଲାଇ ଯାଉଛି । ମୋର ଏକ୍‌ସପେରିମେଣ୍ଟ ଏଇ ଟ୍ରେନରେ ହିଁ ଆରମ୍ଭ ହେଉ । ଅମରେନ୍ଦ୍ର ଉପରେ ଆପଣଙ୍କର ଏକାନ୍ତ ଉପସ୍ଥିତି କି ପ୍ରଭାବ ପକାଉଛି ଦେଖିବାର କଥା । ଭୟ କରିବାର କାରଣ ନାହିଁ । ତା’ର ରାଇଫଲରେ ଗୁଳିନାହିଁ । ଆଉ ସେ ଶାରିରୀକ ଆକ୍ରମଣ କରେ ନାହିଁ ।

ଗୋଟିଏ ଷ୍ଟେସନରେ ଓହ୍ଲେଇ ଗଲେ ଡକ୍ଟର ।

ଟ୍ରେନ୍‌ ଚାଲିଲା । ଗୋଟିଏ ନିବୁଜ କମ୍ପାଟମେଣ୍ଟ ଭିତରେ ଶାୟୀତ ଅମରେନ୍ଦ୍ର, ଆଉ ଜାଗ୍ରତ ମୁଁ । ସୁପ୍ତ ମଣିଷର ଆକର୍ଷଣ ଟିକେ ତୀବ୍ର ବୋଲି ସେଇ ମୁହୂର୍ତ୍ତରେ ମନେହେଲା । ଅଯତ୍ନ କେଶ, ନମ୍ର ଅଧର, ମୁଦା ନେତ୍ର, ଶାନ୍ତଶିଷ୍ଟ ପୁରୁଷ । ଶୁଭ୍ର ଆବରଣରେ ଆପାଦ ବକ୍ଷ ଆଚ୍ଛାଦିତ । ଚନ୍ଦ୍ରାୟୀତ ରାତ୍ରୀର ଶୀତଳ ସମୀର ଶାୟିତ ଶରୀରରେ ଗୋଟିଏ ଗୋଟିଏ କ୍ଷୀଣ ଆଲୋଡ଼ନ ସୃଷ୍ଟି କରୁଥାଏ । ବାତାୟନ ଡେଇଁ କାକଜ୍ୟୋତ୍ସ୍ନା ଶରୀରକୁ ଦେଉଥାଏ ସ୍ନିଗ୍‌ଧ ପ୍ରଲେପ । ଏ ରାତ୍ରୀ, ଏ ଆକାଶ, ଏ ଚନ୍ଦ୍ରିକା ଭିତରେ ମୁଁ ଲକ୍ଷ୍ୟ କରୁଥିଲି, ନିଷ୍ପଲକ ଆଖିରେ ସେଇ ଅମରେନ୍ଦ୍ର ନାମଧାରୀ ପୁରୁଷକୁ । ମାଂସପେଶୀର ବନ୍ଧୁରତା । ସରଳତା ତ ସୌମ୍ୟ ସ୍ୱାସ୍ଥ୍ୟର ସଂଜ୍ଞା, କ’ଣ ବା ବିଶିଷ୍ଟତା ଅଛି । କେତେ ପୁରୁଷ ତ ଆଖି ଆଗରେ ଦେଖା ଯାଇଛନ୍ତି । ପରିଚିତ ହୋଇଛନ୍ତି । ପୁଣି ପାସୋରି ଯାଇଛନ୍ତି । କ’ଣ ପାର୍ଥକ୍ୟ । ଅବଶ୍ୟ କିଛଟା ନିଶ୍ଚୟ ଅଛି ? ଭିନ୍ନ ଶରୀରର । ନୂତନତ୍ୱର ନିଶ୍ଚିତ ଦାବି ।

ଷ୍ଟେସନ ପରେ ଷ୍ଟେସନ ଚାଲି ଯାଉଥାଏ । ରାତ୍ରୀର ଛାତି ଚିରି ନିର୍ଭୀକ ଭାବରେ ଚାଲିଥାଏ ଟ୍ରେନ୍‌ଟି । ମନହେଲା, ମଣିଷ ମନରେ ଗୋଟାଏ ପ୍ରକାର ପଦାର୍ଥ ଅଛି । ଯାହା କେହି ଦେଖିପାରନ୍ତି ନାହିଁ । ସେ ନିଶ୍ଚିନ୍ତରେ ଶୋଇଥାଏ । ଯେତେବେଳେ ସେ ଉଠେ, ଖୁବ୍‌ ଚଞ୍ଚଳ ହୁଏ । ମଣିଷ ହୁଏ ଚଞ୍ଚଳ । ଏହି ଚାଞ୍ଚଲ୍ୟ ଯଦି ଦୀର୍ଘସ୍ଥାୟୀ ହୁଏ, ବ୍ୟକ୍ତିର ସାଧାରଣ ମାନ, ବିଚାର, ବୁଦ୍ଧି ଏହାର ପାଖରେ ପରାଜିତ ହୁଏ । ଏହାରି ପ୍ରଭାବରେ ବଶବର୍ତ୍ତୀ ହୋଇ ସେ ଛାଡ଼େ ମାନ, ସମ୍ମାନ, ଧନ ଏପରିକି ଜୀବନ ମଧ୍ୟ । ମନସ୍ତାତ୍ତ୍ୱିକ ପାଖରେ ଏହାର ଆନ୍ୟନାମ ପ୍ରେମ । ସେଇ ପ୍ରେମ ବୋଧହୁଏ ସେଦିନ ମୋ ଜୀବନରେ ଆସିଥିଲା ।

ଅମରେନ୍ଦ୍ର ଉଠିଲେ, ତାଙ୍କର ଆଖି ପଡ଼ିଲା ମୋ ଉପରେ । ସେ ସାଙ୍ଗେ ସାଙ୍ଗେ ଚିତ୍କାର କରି ଉଠିଲେ ହ୍ୟାଣ୍ଡସ୍‌ ଅପ୍‌ ?

ମୁଁ ଦେଖୁଥିଲି ଅମରେନ୍ଦ୍ରଙ୍କୁ, ଦେହରେ ମିଲଟାରୀ ୟୁନିଫର୍ମ । ସାଗରର ଢେଉପରି ବାଳଗୁଡ଼ାକ କପାଳ ଉପରେ ଝୁଙ୍କି ପଡ଼ିଥିଲା । ହାଇଟ୍‌ ଥିଲା ଖୁବ୍‌ ସନ୍ତୋଷଜନକ । ଛଅ ଫୁଟରୁ କିଛି କମ୍‌ । ରଙ୍ଗରେ ମରୁଭୂମିର ନିଷ୍ପ୍ରାଣ ଶୁଭ୍ରତା ନ ଥିଲେ ବି ଶ୍ରାବଣର ଶ୍ୟାମକାନ୍ତ ଅମରେନ୍ଦ୍ରଙ୍କ ଦେହରେ ସୌନ୍ଦର୍ଯ୍ୟର ବର୍ଣ୍ଣବିଭା ଉକୁଟାଇ ଥିଲା ।

ମୁହୂର୍ତ୍ତକରେ ନିଜକୁ ପ୍ରସ୍ତୁତ କରି କହିଲି, ମରିବାକୁ ମୋର ଡର ନାହିଁ । ହାତ ଉପରକୁ ନ ଟେକିଲେ ବି ତମେ ମତେ ବିନା ପ୍ରସ୍ତୁତିରେ ଏ ନିବୁଜ୍‌ କମ୍ପାଟମେଣ୍ଟରେ ମାରି ପାର ।

...ହଁ ମାରିବି ? ମୁଁ ଅମରେନ୍ଦ୍ରେ ହରିଚନ୍ଦନ... ମୁଁ କର୍ଣ୍ଣେଲ୍‌ । ମୋର ଖେଳନା ଏ ରିଭଲଭର । ଏଇ ହାତରେ ଅମ୍ବାପଲ୍ଲୀ’ର ବଂଶଧରଙ୍କୁ ନିଷ୍କରୁଣ ଭାବରେ ହତ୍ୟା କରିବି.. ରେଡ଼ି... ୱାନ... ଟୁ... ଥ୍ରୀ...

ହସି ପାରିଲି ନାହିଁ । ଅମରେନ୍ଦ୍ର ମନରେ ନାରୀ ପ୍ରତି କେତେ ଯେ ଘୃଣା ଭରି ରହିଛି । ତାହା ସେଇ ମୁହୂର୍ତ୍ତରେ ଅନୁଭବ କଲି । ମନେହେଲା, ଅମରେନ୍ଦ୍ର ଯେପରି ମୋର ଅତୀତ । ମୁଁ କ’ଣ ଦିନେ ଦୀପଙ୍କରକୁ ବିଶ୍ୱାସ କରି ନ ଥିଲି । ସୁରଜ ମହମ୍ମଦକୁ ଦେଇ ନ ଥିଲି ଭକ୍ତି । ଆଉ ଜୟନ୍ତ ମଲ୍ଲିକକୁ ଅଜାଡ଼ି ନ ଥିଲି ସ୍ନେହ । ସେମାନେ ମତେ କ’ଣ ଦେଲେ, ଖାଲି ମେଞ୍ଚା ମେଞ୍ଚା ଦୟା, ଅନୁଶୋଚନା ।

ଶୁଣ ଅମରେନ୍ଦ୍ର, ତମେ ମତେ ମାରିପାରିବ ନାହିଁ । ତମେ କାଓ୍ୱାର୍ଡ଼, ହଁ ଏକଯାକ୍ଟଲି ଦୁର୍ବଳ ।

...ଷ୍ଟପ୍‌ । ଇଚ୍ଛା କଲେ ତମକୁ ଚଳନ୍ତା ଟ୍ରେନ୍‍ରୁ ତଳକୁ ଫିଙ୍ଗି ଦେବି ।

‘ସୁନ୍ଦର...ସାହସ’ ହେଲେ ଅମରେନ୍ଦ୍ର ପୁରୁଷ କୋଳରେ ନାରୀର ମୃତ୍ୟର ଯେଉଁ ଆନନ୍ଦ... ତାହା ମୁଁ ଅନୁଭବ କରିବାକୁ ପ୍ରସ୍ତୁତ ଅଛି । କିନ୍ତୁ କାହିଁକି ? ତମକୁ ମୁଁ ବଞ୍ଚାଇବାକୁ ଚେଷ୍ଟା କଲାବେଳେ ତମେ ମତେ ମାରିବ କାହିଁକି । ଗୋଟାଏ ଝିଅର ବିଶ୍ୱାସ ଘାତକତା ପାଇଁ ତମେ ପର୍ଶୁରାମଙ୍କର ନିକ୍ଷେତ୍ରୀୟ ଶପଥ ନେଲ କାହିଁକି ? ସମସ୍ତେ ଉଷା ସେନ୍‌ ନୁହନ୍ତି ।

...ବନ୍ଦ କର । ମୁଁ କବି ନୁହେଁ, ତୁମ କଣ୍ଠର ଏଇ ଦରଦର ଉଦାସିଆ ବାକ୍‌ଶୈଳୀରେ ମତେ ଭୁଲାଇ ପାରିବ ନାହିଁ । ମୁଁ ପଚାରୁଛି ମିଲଟାରୀର ରିଜର୍ଭ କମ୍ପାଟମେଣ୍ଟରେ ତମକୁ ବସିବାର ସାହାସ ଦେଲା କିଏ ?

ସାହାସ କେହି ଦେଇ ନାହିଁ । ସେଇଟା ମୋର ଐଶୀ ଦତ୍ତ ବୋଲି ତମେ ଧରି ନେଇପାର ।

...ବର୍ତ୍ତମାନ ବାହାରି ଯାଅ...ଯାଅ...କହୁଛି ।

ଟ୍ରେନ୍‌ଟା ଚାଲୁଛି ଅମରେନ୍ଦ୍ର । ଏକଥା ତମ ଭଳି ବିଚକ୍ଷଣ ଲୋକକୁ ବୁଝାଇବାକୁ ପଡ଼ିବ ନାହିଁ ! ତମେ ଜଣେ ମିଲଟାରୀ ମ୍ୟାନ୍‌ । ଟ୍ରେନ୍‌ରୁ ଡେଇଁବାର ଅବଶ୍ୟମ୍ଭାବୀ ଫଳ ତମକୁ ଅଜଣା ନ ଥିବ ।

...ନାରୀ ସୁନ୍ଦର କହିପାରେ । ଆଉ ସେଇଥି ପାଇଁ ସେ ସର୍ବନାଶ କରେ ପୁରୁଷର । ବିଜୟିନୀର ବୈଜୟନ୍ତୀ ତଳେ ଖାଲି ଚେନା ଚେନା ପ୍ରତାରଣା ।

ଉଷା ସେନ୍‌ ଭଳି ନାରୀହିଁ ତମେ ଦେଖିଛ ଅମରେନ୍ଦ୍ର । କିନ୍ତୁ ଦେଖିଛ କି ନାରୀ’ର ଆଖିତଳେ ନିରୀହ ତ୍ୟାଗର ଦୃଷ୍ଟି । ...ତମେ ସୀମା ଟପୁଛ । ଜାଣିପାରେ କି ପରିଚୟ ।

ଅନାବଶ୍ୟକ, ଗୋଟିଏ ସହଯାତ୍ରିଣୀ ।

...ସ୍ୱୀକାର କରୁଛି ତମେ ଲଜିକାଲ । ଶିକ୍ଷା କ’ଣ ?

ଶିକ୍ଷା ଯଦି ମଣିଷକୁ ପାଗଳ କରେ; ତେବେ ମୁଁ କହିବି ମୋର ଶିକ୍ଷା ନାହିଁ ।

...ପାଗଳାମି ମଣିଷର ଅସ୍ତି ମଜ୍ଜାଗତ । ଶିକ୍ଷାକୁ ତା’ ସହ ସାମିଲ କରିବା ବୋକାମି ।

ତମପରି କେହି ପାଗଳ ପାଲଟି ନାହାନ୍ତି । ତମେ ଭାରତର ଯବାନ୍‌ । ତମର ନିଷ୍ଠା ପାଖରେ, ତମର ସ୍ୱାର୍ଥ ବେଶି । ତେଣୁ ତମେ ଧୈର୍ଯ୍ୟହରା ହୋଇ ଆତ୍ମହତ୍ୟା କରୁଛ ।

ଅମରେନ୍ଦ୍ର ଚିତ୍କାର କରି ଉଠି ଆସିଲେ ବର୍ଥରୁ । ମୋ ବେକ ପାଖରେ ତାଙ୍କର ଦଶଟି ଆଙ୍ଗୁଠି ଯନ୍ତାପରି ଚାହିଁ ରହିଲା । ଚାହିଁଲି ଅମରେନ୍ଦ୍ରଙ୍କୁ । ଆଖି ମୋର ପଚାରିଲା ସତରେ ଅମରେନ୍ଦ୍ର ତମେ ଆଉ ଭଲ ହେବ ନାହିଁ । ତମ ପ୍ରତି ମୋର ଅହେତୁକ ଦୁର୍ବଳତା ଖୁବ୍‌ ଶୀଘ୍ର ମୁଁ ଅନୁଭବ କରୁଛି ।

...ଅମରେନ୍ଦ୍ର ଚାହିଁଲେ ମୋର ମୁହଁକୁ । ମୋରି ଆଖିକୁ । ଚାରୋଟି ଆଖି ହେଲା ସ୍ଥିର, ଦୀର୍ଘକ୍ଷଣ ଧରି ।

ଅମରେନ୍ଦ୍ରଙ୍କର ଆଖି ହେଲା ଶାନ୍ତ । ଓଠ ଥରିଲା ମତେ ଦୁଇ ହାତରେ ଠେଲି ଦେଇ ସେ ବର୍ଥରେ ଜୋରରେ ଶୋଇପଡ଼ିଲେ । ଯେପରି ସେ ଦୁର୍ବଳ, କ୍ଳାନ୍ତ ।

ମୁଁ ଗୋଟିଏ ପ୍ରକାର ସୁସ୍ଥ ଥିଲି । ଯେ ପର୍ଯ୍ୟନ୍ତ ମତେ ଅମରେନ୍ଦ୍ର କଥା କହୁଥିଲେ । ସେ ଶୋଇବା ପରେ ନିହାତି ଗୋଟାଏ ଶୂନ୍ୟତା ମୋର ମନକୁ ଗ୍ରାସିଗଲା ।

ଆକାଶରେ ଚନ୍ଦ୍ର ଦୌଡ଼ୁଥିଲା ଟ୍ରେନ୍‌ର ଗତିସହ ପାଦ ମିଳାଇ । ଶାୟିତ ଅମରେନ୍ଦ୍ରଙ୍କୁ ଚାହିଁଲି । କ’ଣ ବା ସ୍ୱତନ୍ତ୍ର ଅନ୍ୟମାନଙ୍କଠାରୁ ? ବିଶେଷତ୍ୱ ହୋଇଛି ପରିବେଶ । ଅନ୍ଧାର ଆଲୋକର ଲୁଚକାଳି ଖେଳ ପଡ଼ୁଛି ଅମରେନ୍ଦ୍ରଙ୍କ ମୁହଁରେ । ରାତ୍ରୀ ବଢ଼ୁଥିଲା ଯୁବତୀର ଯୌବନ ଭଳି । ଉଠିଗଲି । ଅମରେନ୍ଦ୍ରଙ୍କର ମୁଦା ଆଖି ଦେଖି ଦେଖି ଶାଲ୍‌ଟି ଢାଙ୍କି ଦେଲି ଦେହରେ, ବାଜିଲା ହାତ । ଅମରେନ୍ଦ୍ର ଆଖି ଖୋଲି ପୁଣି ବୁଜିଲେ । ତାଙ୍କର ମୁହଁରୁ ଜଣାପଡ଼ୁଥିଲା ମୋ ଏକାନ୍ତ ସାହଚର୍ଯ୍ୟରେ ସେ ଅସୁଖୀ ।

ପଚାରିଲି । ଏକାକି ମୋ ସାଙ୍ଗରେ ରହିବାକୁ ଯଦି ଆପତ୍ତି ଥାଏ ତେବେ ମୁଁ ଅନ୍ୟ ଷ୍ଟେସନରେ ଅନ୍ୟ କମ୍ପାଟମେଣ୍ଟକୁ ଓହ୍ଲାଇ ଯିବି ।

...ଯିବାକୁତ ଅନେକ ଆଗରୁ କହିଛି । ତେବେ ବର୍ତ୍ତମାନ ଭାବୁଛି, ତମେ ରହିପାର । ସଙ୍କୋଚ ନୁହେଁ, ବିରକ୍ତ ଲାଗୁଛି ଏଥିରେ ଦ୍ୱିରୁକ୍ତି ନାହିଁ । କିନ୍ତୁ ମୁଁ ନୁହେଁ ସେଥିପାଇଁ ଅନ୍ୟଜଣେ ରହିଲେ ଭଲ । ତମେ ରହିପାର । କିନ୍ତୁ ଅନଧିକାର ଚର୍ଚ୍ଚା କରିବ ନାହିଁ ।

ସାମାନ୍ୟ କ୍ଷୁବଧ୍‌ ହେଲି, ଅମରେନ୍ଦ୍ର’ଙ୍କ କଥାରେ । କହିଲି, କଠିଣ କଥା କହିବାରେ ଦକ୍ଷତା ଅଛି ବୋଲି ସ୍ୱୀକାର କରୁଛି ।

...ଆଉ ମଧ୍ୟ ସ୍ୱୀକାର କରିପାରେ ଯେ ମୁଁ ସ୍ପଷ୍ଟ । କିଛି ଅବାନ୍ତରର ପ୍ରଶ୍ରୟ ଦିଏ ନାହିଁ । କଥାରେ ବା କାମରେ ।

ଯାହାହେଉ ସହଯାତ୍ରୀରୁ ଆମେ ସମଧର୍ମୀ ପାଲଟି ଗଲେ । ତେବେ ତମର ଦାମ୍ଭୀକତାକୁ ସମ୍ମାନ କଲେ ବି ମୋ ଜୀବନର ଏ ପରାଜୟକୁ ମୁଁ ଘୃଣା କରେ ।

 

...ପୁଣି ଚିତ୍କାର କରି ଉଠିଲେ ଅମରେନ୍ଦ୍ର । ଶାନ୍ତ, ଘୃଣା ଯେପରି ଉତ୍‌ଫଣ ତମ୍ପ ପରି ଗର୍ଜି ଉଠିଲା । ତମର ଅତୀତ ଓ ବର୍ତ୍ତମାନ ସହ ମୋର ପରିଚୟ ନାହିଁ । ତେବେ ବି ତମେ ମତେ ଯେଉଁ କାରଣରୁ ଘୃଣା କରିବାକୁ ଆରମ୍ଭ କରିଛ ମୁଁ ସେଇ କାରଣରୁ ତମକୁ ହେୟ ଭାବି ପାରିବି । ଅମରେନ୍ଦ୍ରଙ୍କ କଣ୍ଠରେ ଉତ୍ତେଜନାର ଉଷ୍ମତା ।

 

ମୁଁ ଏପରି ଆଘାତ ପାଇବାର ଆଶା କରି ନ ଥିଲି । କହିଲି ଘୃଣାତ ତମକୁ ମୁଁ କରିନାହିଁ-। କରିବାର ମଧ୍ୟ ନୁହେଁ । କେବଳ ମୁଁ ତମର ଦେହ ଓ ମନର ପାର୍ଥକ୍ୟ ଓ ତା’ର ପରାଜୟତା କଥା ଚିନ୍ତା କରି କହିଥିଲି । ନମିତା ରାୟ, ଜୀବନରେ ଘୃଣା କରିବାର ଶିଖିନାହିଁ ।

 

...ଓ ! ତମେ ତେବେ ନମିତା ରାୟ ।

 

ହଁ ତମେ ନମିତା, ନମି, ମିତା ବୋଲି ଡାକିପାର ।

 

କୌଣସି ନାରୀକୁ ମୁଁ ତା’ର ନାମଧରି ଡାକେ ନାହିଁ । ସେମାନେ ମୋ ଆଖିରେ ଘୃଣ୍ୟ-। ହଁ ! ନରକର କୀଟଠାରୁ ଆହୁରି ଘୃଣ୍ୟ ।

 

...ମାତୃଜାତିର ଅବମାନନା କରି କେହି କେବେ ବଞ୍ଚିନାହିଁ । ପ୍ରଥମେ ତମେ ଗୋଟିଏ ନାରୀ’ର ଜରାୟୁ ଚୌଚୀର କରି ଜନ୍ମ ହୋଇଛ । ଆଉ ତାରି ଛାତିରୁ ଅମୃତ ପିଇ ଦୁନିଆଁରେ ମଣିଷ ହୋଇଛ । ନାରୀ ନରକର କୀଟ ହେଲେ ବି ତା’ର ରୂପାନ୍ତର ଅଛି । ସେ ଜନନୀ, ଭଗିନୀ, ଜାୟା, ସହଧର୍ମିଣୀ ଓ ସହକର୍ମିଣୀ ।

 

ଜନନୀ ପ୍ରାଣରେ ତ୍ୟାଗର ବର୍ତ୍ତିକା ଜଳିବାବେଳେ, ଜାୟା ଚାହେଁ ଭୋଗ । ତା’ ଆଖିରେ ଖାଲି ସ୍ୱର୍ଥପରତାର ଖାଣ୍ଡବାନଳ । ଖାଲି ଲୁଟି ନେବାର ନିଶା । କାମିନୀ, କାଞ୍ଚନ ଜୀବନରେ ପ୍ରତିଷ୍ଠାର ଅନ୍ତରାୟ । ଏ ଧାରଣା ମୋର କେହି ବି ପରିବର୍ତ୍ତନ କରିପାରିବ ନାହିଁ । ତମେ ସେଇ ଅମ୍ବାପଲ୍ଲୀର....

 

...ଆତ୍ମାଭିମାନକୁ କାଟିଲା, ମୋର ଛାତି ଭିତରଟା ଟଣ ଟଣ କରି ଉଠିଲା । ଅମରେନ୍ଦ୍ର ଅମ୍ବାପଲ୍ଲୀ’ର ମଧ୍ୟ ଅନେକ ଗର୍ବର ଅବଦାନ ଅଛି ! ଇତିହାସରେ । ଯିଶୁ, ବୁଦ୍ଧ’ଙ୍କ କଥା ଜାଣିଛି, ଶୁଣିଛ କି ଯିଶୁ’ଙ୍କ ପାଖରେ ମାଡ଼ିଲୋନାଙ୍କୁ । ସେ ମଧ୍ୟ ବାରନାରୀ ଥିଲେ । ଯିଶୁ ତାଙ୍କୁ ଗ୍ରହଣ କରିଥିଲେ । ତାଙ୍କ ନାମରେ ଧର୍ମ ମନ୍ଦିର ସ୍ଥାପି ଯାଇଛନ୍ତି । ଆଉ ଅମ୍ବାପଲ୍ଲୀ ? ଯାହାଙ୍କର ଆତିଥ୍ୟ ପାଇଁ ବିମ୍ବିସାରଙ୍କ ପ୍ରାସାଦର ଆତିଥ୍ୟ ଅବଜ୍ଞା କରିଥିଲେ ସ୍ୱୟଂ ବୁଦ୍ଧ ।

 

ମୁଁ ବୁଦ୍ଧ ନୁହେଁ କି ଯିଶୁ ବି ନୁହେଁ । ଯଦି କ୍ଷଣକ ପାଇଁ ହୋଇପାରନ୍ତି ତେବେ ସର୍ବ ପ୍ରଥମେ ତମକୁ ହିଁ ମୁକ୍ତି ଦିଅନ୍ତି ।

 

...ତମେ ନରଦେବତା ରାମଚନ୍ଦ୍ର ନୁହଁ । କି ମୁଁ ଶାପଗ୍ରସ୍ତା ଅହଲ୍ୟା ବି ନୁହେଁ । ମୁକ୍ତି ଦେବା ତମ ସାମର୍ଥ୍ୟର ବାହାରେ । ଆଉ ମୋର ମଧ୍ୟ ମୁକ୍ତି କାମନା ନାହଁ କର୍ଣ୍ଣେଲ୍‍ ସାହେବ । ମୁଁ ଅଭିଶପ୍ତା ନୁହେଁ । ଜୀବନର ପ୍ରଜ୍ଞା ମୁଁ ବୁଝେ । ଅଭିଶାପକୁ ମୁଁ ହୁଏତ ଶ୍ରଦ୍ଧା କରେ । ମାତ୍ର ପାଗଳାମିକୁ କ୍ଷମା କରିପାରେ ନାହିଁ । ତମେ ପାଗଳ, ବରଂ ମୁଁ ଭାବେ ତମେ ହିଁ ଅଭିଶପ୍ତ ।

 

ନମିତା ? ଅମରେନ୍ଦ୍ର ପୁଣିଥରେ ବର୍ଥରୁ ଉଠି ପଡ଼ିଲେ । ସୁଠାମ ବିଳମ୍ବିତ ବାହୁରେ ସେ ଯେପରି ପେଶି ଦେବ ମୋର ରୁଜୁଦେହକୁ, ଚୁନା କରିଦେବ ମୋର ପଞ୍ଜରା ହାଡ଼ କେତେ ଖଣ୍ଡକୁ-

 

ଅମରେନ୍ଦ୍ର ଆଖିଖୋଲି ପୁଣି ବୁଜି ଦେଲେ । ଆସ୍ତେ ଆସ୍ତେ କପାଳକୁ ସାଉଁଳି ଦେଲି । ଟ୍ରେନ୍‌ର ଗତି ସହ ମଥାଟି ହଲୁଥାଏ । ହାତ ଦେଇ ଅଟକାଇଲି, ଯେପରି କଷ୍ଟ ନ ହୁଏ । ଅକାରଣରେ ଦୀର୍ଘନିଶ୍ୱାସ ଛାତି ଓଟାରି ମିଶିଗଲା ଅନନ୍ତ ବ୍ୟାପ୍ତତା ଭିତରେ । ଅମରେନ୍ଦ୍ରଙ୍କର ମୁହଁ ଶାନ୍ତ, ନୀରବ ନିଶ୍ଚଳ ଭାବରେ ପଡ଼ି ରହିଥାଏ ମୋରି କୋଳରେ ।

 

ଶାଢ଼ିକୁ ସଜାଡ଼ି ଦେଲି । କପାଳ ଉପରୁ ଅଲରା ବାଳକୁ ସଜାଡ଼ି ନିଜକୁ ସଚେତନ କଲି-। ଆଖି ଡେଇଁଲା ଅପରାଜିତା ଆକାଶକୁ । ତା’ରି ଭିତରେ ଉଜ୍ୱଳି ଦିଶିଲା ବାପାଙ୍କର ଆତ୍ମପ୍ରତ୍ୟୟ ଭରା ଝାଉଁଳା ମୁହଁ । ଜୟନ୍ତ ମଲ୍ଲିକର କାକୁତିପୂର୍ଣ୍ଣ ଦୃଷ୍ଟି, ସାଧନାର ଅସହାୟ ଅଧର-। ଆଉ ଆଜିର ଏଇ ଅମରେନ୍ଦ୍ରଙ୍କର ଓଠରେ କୃତସଙ୍କଳ୍ପର ଆଭା, ମୁହଁରେ ବେଖାତିର ଭଙ୍ଗୀ-। ମୋର ମନେହେଲା ଅମରେନ୍ଦ୍ର ଘୃଣା କରି ଟାଣିଛନ୍ତି ମତେ ପାଖକୁ । ଦୃଢ଼ ବ୍ୟକ୍ତିତ୍ୱ ପାଖରେ ନାରୀତ୍ୱ ବାରବାର ନଇଁବାରେ ଆନନ୍ଦ ଅଛି ବୋଲି, ମୁଁ ଉପନ୍ୟାସ ପୃଷ୍ଠାରେ ଦିନେ ଲେଖିଥିଲି-। ହେଲେ ଆଜି ମୁଁ ଯେପରି ସେହି ସତ୍ୟର ସନ୍ଧିକ୍ଷଣରେ ଠିଆ ହୋଇଛି-

 

କୌଣସି ସାମୟିକ ପ୍ରବୃତ୍ତି ମୋର ସିଦ୍ଧାନ୍ତକୁ ଆଜି ପର୍ଯ୍ୟନ୍ତ ପ୍ରଭାବିତ କରିନାହିଁ ବୋଲି ମୋର ଦୃଢ଼ ପ୍ରତ୍ୟୟ ଥିଲା । ଜୀବନରେ ଯାହା କରିଥିଲି–ଧୀର ବୁଦ୍ଧି, ସ୍ଥିର ଚିତ୍ତରେ । ଅସବର୍ଣ୍ଣ ବିବାହ ହେଉ ବା ତରୁଣ ଅଫିସରଙ୍କ ଟେବୁଲ ପାଖରେ ହେଉ ଏପରିକି ମ୍ୟାଗାଜିନ୍‌ ଏଡିଟର’ଙ୍କ ସାହିତ୍ୟ ଆସରରେ ହେଉ । ଆଜି କିନ୍ତୁ ନିଜକୁ ସନ୍ଦେହ କରିବାକୁ ଇଚ୍ଛା ହେଲା ।

 

ଏଇ ଓଠ, ଏଇ ଆଖିର ସମନ୍ୱୟରେ କିଛି ବିଶେଷତ୍ୱ ଅଛି । ତଥାପି ଅମରେନ୍ଦ୍ର ତ ମୁହୂର୍ତ୍ତକର ସାହାରା ହବାର ମଧ୍ୟ ଯୋଗ୍ୟ ନୁହଁନ୍ତି ।

 

ନାରୀକୁ ଘୃଣା କରି କରି ନିଜକୁ ଘୃଣା କରିବାକୁ ଆରମ୍ଭ କରିଛନ୍ତି ଅମରେନ୍ଦ୍ର ।

 

ହୁଏତ ଅନେକ ନାରୀଙ୍କୁ ସେ କେବଳ ଦେଇଛନ୍ତି । ଦେଖିଛନ୍ତି–ଭୀକ୍ଷାର୍ଥିନୀର ଦୃଷ୍ଟି ଭଙ୍ଗିରେ । ନାରୀ ତା’ର ପ୍ରୟୋଜନ ମେଣ୍ଟାଇ ଫେରିଯାଇଛି । ଭୀକ୍ଷାର୍ଥୀ ସେଇ ମୁହୂର୍ତ୍ତରେ କୃତଜ୍ଞ ହୋଇଥାଏ । ଆଜୀବନ ପାଇଁ ସେ ଅନେକଙ୍କଠାରୁ ମାଗି ସାହାଯ୍ୟ ପାଏ ।

 

ନାରୀ ଯେତେବେଳେ ନିଜକୁ ପ୍ରୟୋଜନ ପାଇଁ ନିବେଦିତା ସଜାଏ ସେ କେବେ ପୁରୁଷ ମନରେ ଭଲ ଧାରଣା ରଖି ଯାଏ ନାହିଁ । ସେଇ ନାରୀ ଦେଇ ଯାଇଛି, ଅମରେନ୍ଦ୍ରଙ୍କୁ ଗୁଡ଼ାଏ ଘୃଣା, ଅସନ୍ତୋଷ ।

 

ଅମରେନ୍ଦ୍ରଙ୍କର ଲମ୍ୱା, ଲମ୍ୱା ଆଙ୍ଗୁଠିଗୁଡ଼ିକରେ ଯେପରି ଜୀବନ ଭିଜା ଉଷ୍ମତା ଭରି ରହିଛି । ଚଉଡ଼ା ମଣିବନ୍ଧରେ ଓଲଡ୍‌ମଡେଲ୍‌ ଘଣ୍ଟାଟିରେ ରାତ୍ରୀ ସେତେବେଳକୁ ଚାରିଟା ବାଜୁଥିଲା-

 

ଆକାଶରେ ପ୍ରଚୁର ଆଲୋକ ନେଇ ସୂର୍ଯ୍ୟ ଛୁଇଁଲା ସୂର୍ଯ୍ୟମୁଖିକୁ ମେଣ୍ଟାଲ କିଓର ହୋମ’ର ପ୍ରାଇଭେଟ ଚେମ୍ବରରେ । ମତେ ପ୍ରଥମେ ସ୍ୱାଗତଃ କଲେ ଡକ୍ଟର ଦାଶ ।

 

ନମସ୍କାର ଜଣାଇ ବସିଲି ।

 

କାଲି ଆପଣଙ୍କର ଧୈର୍ଯ୍ୟ ନଷ୍ଟ କଲି, ଛୋଟ ସ୍ମାଇଲ୍‌ଟିଏ ଦେଲେ ଡକ୍ଟର, ସିଗାରେଟ୍‌ର ଶେଷାଂଶକୁ ଆସଟ୍ରେକୁ ପକାଇ ।

 

ଯେ କୌଣସି ମଣିଷ ଅନ୍ୟପାଇଁ ଠିକ୍‌ ଏହାହିଁ କରିଥା’ନ୍ତା ଡକ୍ଟର ଦାଶ ।

 

ତେବେ କୁହନ୍ତୁ ? ଅମରେନ୍ଦ୍ରକୁ କିପରି ଲକ୍ଷ୍ୟ କଲେ ।

 

ଆପଣ ଡକ୍ଟର ? ଆପଣଙ୍କୁ ମୋର ମନସ୍ତତ୍ତ୍ୱ ଶିଖାଇବାର ଆବଶ୍ୟକତା ନ ଥାଇ ପାରେ । ତେବେ ମୁଁ ଭାବୁଛି, ଅମରେନ୍ଦ୍ରଙ୍କର ମାନସିକ ପରିସ୍ଥିତି ଏବେ ବି ସରଳ ପର୍ଯ୍ୟାୟରେ ଅଛି । ସେ କେବଳ କ୍ଷୁବ୍‌ଧ ହୋଇଛନ୍ତି ହୁଏତ ଭାବୁଛନ୍ତି–ତାଙ୍କୁ ସମସ୍ତେ ଭଲପା’ନ୍ତି କର୍ତ୍ତବ୍ୟ ନିଷ୍ଠା ଦେଖି, ବା ଅଯାଚିତ ଆଶାତୀତ ସାହାଯ୍ୟ ଲାଗି । କିନ୍ତୁ କେହିଜଣେ ଖାଲି ବିନା ଆଶାରେ ଭଲ ପାଏ ନାହିଁ ।

 

କଙ୍ଗ୍ରାଜୁଲେସନ୍‌...ମିସ୍‌ ନମିତା । ମୁଁ ଜାଣିଥିଲି, ଆପଣ ହିଁ ପାରିବେ । ତେବେ ଯେତେ ସରଳ ହେଲେ ବି, ସେ ଯଦି ନାରୀକୁ ଏଇ ପରିମାଣରେ ଘୃଣା କରେ ତେବେ ସଂସାର ଗଢ଼ିବ କିପରି । ପ୍ରଚୁର ସମ୍ପତ୍ତି ଆଉ ଗୋଟିଏ ଦେବୋପମ ଭାତୃତ୍ୱ ଆଉ କାତରମୟୀ ମାତୃତ୍ୱ ଅଧିର ଅପେକ୍ଷା କରିଛି ।

 

ମୁଁ ଅମରେନ୍ଦ୍ରଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ।

 

ଧନ୍ୟବାଦ । ମୁଁ ନିଶ୍ଚିନ୍ତ ହେଲି । ତେବେ ଅମରେନ୍ଦ୍ର ପାଇଁ ଆପଣ ଏଇଠି ହିଁ ରହିବେ । କାମ କରିବେ ପଇସା ନେବେ । ଆତ୍ମାଭିମାନକୁ କଷ୍ଟ ଲାଗିବାର କାରଣ ନାହିଁ ।

 

ବେଶ୍‌, ତାହା ହିଁ ହେବ ।

 

କିନ୍ତୁ....ଅନେକ ରିସ୍‌କ ନେବେ ଆପଣ । ଜରୁରୀ କାମରେ କାଲି ମୁଁ କଲିକତା ଯାଉଛି-। ଭୟ କରିବାର ନାହିଁ । ଜୁନିୟର ଡକ୍ଟର ଅଛନ୍ତି, ରୁମ୍‌ ବି ସ୍ୱତନ୍ତ୍ର । କ୍ୟାସ ଆପଣ ହିଁ ରଖିବେ । ପ୍ରଥମେ ଅମରେନ୍ଦ୍ର ଖାଦ୍ୟ ପ୍ରିୟ । କେଉଁ ମୁହୂର୍ତ୍ତରେ କ’ଣ ଯେ ଖୋଜି ବସିବ । ଏଇ ନିଅନ୍ତୁ ତା’ର ଡାଏରୀ । ଆଉ ମୋ ସଂଗୃହିତ କେଶ୍‌ ହିଷ୍ଟ୍ରୀ । ଅମରେନ୍ଦ୍ର’ର ଅଲକ୍ଷ୍ୟରେ ପଢ଼ିବେ । ମୁଁ ଶୀଘ୍ର ଫେରିବାକୁ ଚେଷ୍ଟା କରିବି । ତେବେ ଆପଣ ପ୍ରୟୋଜନ ପାଇଁ ନର୍ସ ଅନିମା ଉପରେ ମଧ୍ୟ ବିଶ୍ୱାସ ରଖିପାରନ୍ତି । ଆବଶ୍ୟକ ନ ହେଲେ ତାକୁ ନିଦ ଟ୍ୟାବଲେଟ୍‌ ଦେବେ ନାହିଁ । ସେ ଇଚ୍ଛା ନ କଲେ ତାକୁ ବିରକ୍ତି କରିବେ ନାହିଁ ।

 

ଡକ୍ଟର ଦାଶ ଉଠିଗଲେ । ତାଙ୍କ ବାଦାମି ଶାର୍ଟ ଉପରେ ଖରା ଦିଶୁଥିଲା ଚିକ୍‌ ଚିକ୍‌–ନଈ ବାଲି ଉପରେ ଅଭ୍ରଗୁଣ୍ଡ ପରି ।

 

ଉଠି ଦେଖିଲି, ଅମରେନ୍ଦ୍ର ବିଛଣାରୁ ଉଠି ସାରିଛନ୍ତି । ବୋଧୁହୁଏ ବାଥରୁମରେ । ଉଠାଇଲି ବେଡ୍‌ସିଟ୍‌ । ଖୋଲିଲି ଝରକା, ଫୁଲଦାନିରେ ସଜାଇଲି ପୁଳାଏ ବ୍ରଜମଲ୍ଲୀର ପେନ୍ଥା । ଫ୍ଲାସରୁ ଚା’ ଢାଳି ଥୋଇଲି ଟେବୁଲ ଉପରେ । ଟିଣରୁ କେତେଖଣ୍ଡ ବିସ୍କୁଟ, ରେଫ୍ରିଜେଟରରୁ କିଛି ସେଓର ଖଣ୍ଡ । ଗ୍ଲାସରେ ପାଣି ରଖି ଦେଖିଲି ଆଗରେ ଅମରେନ୍ଦ୍ର ।

 

ଖଣ୍ଡେ ଲୁଗାର ଭାଙ୍ଗକରା ଲୁଙ୍ଗି । ଖୋଲା ଛାତିଟାରେ ବିସ୍ତୃତ ଆଶ୍ରୟ । ସୁସ୍ଥ ବାହୁତଳେ ଆଶ୍ରିତ ପାଇଁ ସ୍ଥାନ ସୁଦୀର୍ଘ । ଧାର ନାକରେ ଦର୍ପଣ ଠାଣୀ, ଲମ୍ବା ଆଖିରେ ଦୃଢ଼ତାର ଝଲକ । ଓଠରେ ବେପରଓ୍ୱା ହସରୁ ଖିଏ । ସର୍ବମୋଟ ସେଇ ଛଅ ଫୁଟ ଦୀର୍ଘତା ନେଇ ଅମରେନ୍ଦ୍ର ଦିଶୁଥିଲେ କେମିତି ଗୋଟାଏ ଆକର୍ଷଣୀୟ । ଆଃ ! ଏ ଦୁନିଆଁ କେତେ ଅବୁଝା । ଡକ୍ଟର ଦେଖିଛନ୍ତି ଅମରେନ୍ଦ୍ରଙ୍କୁ ମାନସିକ ବ୍ୟାଧିର ପାଗଳ ରୂପରେ ଆଉ ତାହାକୁ ସମର୍ଥିତ କରି ସମସ୍ତେ କହିବେ ପାଗଳ । ଅମରେନ୍ଦ୍ର ଭଳି ମଣିଷ କେବେ ପାଗଳ ହୋଇପାରେନା । ମୋ ଓଠରେ ହସ ଚମକି ଗଲା ।

 

ହସିବାକୁ ଏଠି କାହିଁକି ।

 

ଜାଣିଥିଲି ତମେ ଆସୁଛ । ନିଦ ହେଲା ନାହିଁ ।

 

ଡକ୍ଟର ପରାମର୍ଶ କର ବା ନିଦ ପାଇଁ ଟ୍ୟାବଲେଟ୍‍ ଖାଅ । କୋମଳତା ପାଇଁ ମୋର ଆଦୌ ସୁଖ୍ୟାତି ନାହିଁ । ରପ୍ତାନୀ କରା ସଭ୍ୟତାକୁ ମୁଁ ଘୃଣା କରେ ।

 

ମୋର ଘୃଣା ହିଁ ପ୍ରାପ୍ୟ ଅମରେନ୍ଦ୍ର । ବର୍ତ୍ତମାନ ତମେ ଚା’ ଖାଇଦିଅ ।

 

...ଥାଉ ? ମୁଁ କହୁଛି–ତମେ କିଏ ? କ’ଣ ତମର ଉଦ୍ଦେଶ୍ୟ ।

 

ମୋର ଉଦ୍ଦେଶ୍ୟ ତମକୁ କୋମଳ କରିବା । କରିବି ଶାନ୍ତ । ତମେ ଚିହ୍ନିବ, ନାରୀ ଖାଲି ରୂପଜୀବୀ ରୋଜ ନୁହେଁ । ଏଇ ବ୍ରଜମଲ୍ଲୀ ପରି ସରଳ ସ୍ନିଗ୍‍ଧ, କେହି ନ ଚାହିଁଲେ ବି ସେ ଫୁଟିବ-। ରାତ୍ରୀର କେଉଁ କରୁଣ ଲଗ୍ନରେ ଝଡ଼ିବ । ହେଲେ ଦେଇଯିବ କିଛିଟା ସୌରଭ ।

 

ତମେ ନମିତା ଦୁର୍ବଳ । ନଚେତ୍‌ ତମକୁ ସୁଟ୍‍ କରିବାକୁ ମୋର ଭାରି ଇଚ୍ଛା ।

 

ତା’ ତମେ ପାରିବ ନାହିଁ ଅମରେନ୍ଦ୍ର । ତେବେ ପ୍ରଥମେ ଖାଇ ନିଅ । ଆଠଟା ବାଜିବାକୁ ଆରମ୍ଭ କଲାଣି । ଖାଇବା ପରେ ତମର ସେ ମିକ୍‌ଶ୍ଚରଟା ଖାଇବା କଥା ।

 

ବାଧ୍ୟ ଶିଶୁପରି ଖାଇବା ଶେଷ କଲେ ଅମରେନ୍ଦ୍ର । ବିଛଣାରେ ଶୋଇ ଚାହିଁ ରହିଲେ ଖରା ଶୂନ୍ୟ ଆକାଶକୁ । କପପ୍ଲେଟ୍ ଉଠାଇ ଫେରି ଦେଖିଲି ଅମରେନ୍ଦ୍ର ଆକାଶ ଛାତିରୁ ଯେପରି କିଛି ପଢ଼ୁଛନ୍ତି ।

 

ଆଁ କର, ଔଷଧ ଢାଳିଲା ନର୍ସ ।

 

ପାଖରେ ବସିଲି । ଶୋଇବାକୁ ଚେଷ୍ଟା କର । ଶାଲ୍‌ଖଣ୍ଡି ଅଣ୍ଟା ପର୍ଯ୍ୟନ୍ତ ଢାଙ୍କି ଦେଲି, ଫେବୃୟାରୀ ପବନରେ ସାମାନ୍ୟ ଥଣ୍ଡା ଥିଲା ।

 

ଫେରି ଆସିଲି ।

 

ଶୁଣ ନମିତା ଫେରିଗଲ ଯେ...

 

ତମେ ଚାହଁନା ଯେତେବେଳେ, ମୋର ଯିବା କ’ଣ ଭୁଲ୍‍ ହେଲା ।

 

ମତେ ଅନ୍ତତଃ ସ୍ୱାର୍ଥପର କରନା, ନମିତା ! ମତେ ଖୁଆଇ ବିଶ୍ରାମ କରାଇ ତମେ ଫେରିଯିବ ଖାଲିରେ । ଅନ୍ୟ ଯାହାହେଉ ପଛେ, ଖାଇବାର ଅନିୟମତା ମତେ ସହେ ନାହିଁ । ଫ୍ଲାସରେ କଫି ଅଛି, ରେଫ୍ରିଜେଟରରେ ଅଛି ଫଳ । ମୁଁ ବସିଛି ତମେ ଖାଇନିଅ ।

 

ନା, ଅମରେନ୍ଦ୍ର ! କୌଣସି ପ୍ରାଚୀନ ପୁରାଣରେ ପଢ଼ିଥିଲି–ନାରଦ ପଚାରି ଥିଲେ ଭଗବାନଙ୍କୁ–ମାୟା କ’ଣ ? ଆଉ ଠିକ୍‌ ସମୟରେ ବୁଝିଥିଲେ ମାୟାର ପ୍ରକୃତ ବନ୍ଧନ ।

 

ନିବିଷ୍ଟ ମନରେ ଶୁଣୁଥିଲେ ଅମରେନ୍ଦ୍ର ।

 

ଶୁଣ ଅମରେନ୍ଦ୍ର–କୃତଜ୍ଞତା ବା ସମ୍ମାନ କିଛି ତମଠୁ ମୁଁ ଆଶା କରୁନାହିଁ । ମଣିଷ ହିସାବରେ ଯାହା କରଣୀୟ ସେତିକି ମାତ୍ର...ସମ୍ପାଦନ କରିଛି । ନିଥର ପାଦରେ ଫେରିଲି । ମନେପଡ଼ିଲା ଅନୀତା...ନା ସେ ଭଲ ଅଛି । ଚନ୍ଦ୍ର...ହୁଏତ ୟା ଭିତରେ ଚନ୍ଦ୍ର ଆହୁରି ବିରକ୍ତ ହେବଣି ।

 

ଟେବୁଲ ଉପରେ ଜଳଖିଆ ପ୍ଲେଟ ଦେଖି ଭୋକଟା ଯେପରି ଚେଇଁ ଉଠିଲା । ବିଛଣା ଉପରେ ପଡ଼ିଛି ଖଣ୍ଡିଏ ‘ମଳୟ’ । ବିକ୍ଷିପ୍ତ ମନକୁ ମଳୟ ପୃଷ୍ଠାରେ ବାନ୍ଧି ରଖିଲି । ‘ବିଦାୟ ପଦଗନ୍ଧା’...ସୁନ୍ଦର ଲାଗିଲା ହେଡ଼ିଂଟି । ମଳୟ....ବାସ୍ତବିକ୍‌ ମାସିକ ପତ୍ରିକାଟିର ନାମ ବାଛିବାରେ ସମ୍ପାଦକଙ୍କ ମନସ୍ତତ୍ତ୍ୱର ଦାମ୍‍ ଅଛି । ପଢ଼ି ପାରିଲି ନାହିଁ । ମଳୟ ପୃଷ୍ଠାରେ ଗୋଟିଏ ଛାଇ । ଲେଖା ଉପରେ ଦୁଇଟି ଆଖି ମନେପଡ଼ୁଥାଏ–ଶ୍ୟାମଳ ଏକ ଦୀର୍ଘ ଶରୀର । ସେ ମୁହଁ ଅମରେନ୍ଦ୍ରଙ୍କର ।

 

ଆକାଶ ଦିଶୁଥିଲା ଚାହାଳୀ ଚାଟର କଳା ସ୍ଲେଟ ପରି । ତା’ରି ତଳେ ଗୋଟିଏ ନିଶ୍ଚୁପ୍‌ ରୁମରେ ମୁଁ ଆଉ ଅମରେନ୍ଦ୍ର । ସେ ସୁସ୍ଥ ହୋଇଥିଲେ । ଟେବୁଲ ଉପରକୁ ଝୁଙ୍କିପଡ଼ି ଅମରେନ୍ଦ୍ର କହିଲେ–

 

ତମେ ବିବାହ କର ନମିତା । ସ୍ୱାମୀ ସନ୍ତାନ, ଖୁବ୍‌ ସୁନ୍ଦର ଛୋଟ ନୀଡ଼ଟିଏ ।

 

ତମେ ମତେ କ’ଣ ଭାବ ମୁଁ ଜାଣେନା ଅମରେନ୍ଦ୍ର । ତେବେ ମୁଁ ମିଥ୍ୟା, ଅସତ୍ୟ, କ୍ଷଣପ୍ରଭା ।

 

…ତମେ ଚେଷ୍ଟା କରି ବି କ୍ଷଣପ୍ରଭା ହୋଇପାରିବ ନାହିଁ ନମିତା !

 

...ତମରି ପ୍ରଶ୍ନ ମୁଁ ପାଲଟାଇ ଦେଇଛି ଅମରେନ୍ଦ୍ର । ତମେ ବି ବର୍ତ୍ତମାନ ସଂସାର କରିପାରିବ । ଯେଉଁ ସଂସାର ଗଢ଼ା ସ୍ୱପ୍ନ ତୁମର ଭାଜିଥିଲା ବର୍ତ୍ତମାନ ମୁଁ ଭାବୁଛି, ସେ ସ୍ୱପ୍ନ ପୁଣିଥରେ ବିଳମ୍ୱିତ ଭାବରେ ଫେରିବ ।

 

...ହୁଏତ ଫେରିବ ନମିତା ! ତେବେ ମୋର ବି ପଚାରିବାର ଆଗ୍ରହ ଅଛି । ତମେ ମତେ ନିଜ ବିଷୟରେ କିଛି ବି କହିନାହଁ । ତମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମୋ ଆଖିରେ ଏବେ ବି ଅନ୍ଧାରରେ ଅଛି । ତମ ଉଦାରତା ତମ ମହତ୍ତ୍ୱତାର ପରିଚୟ ପାଇଲି । କିନ୍ତୁ ପଢ଼ି ପାରିଲି ନାହିଁ ତମ ଜୀବନର ସୂଚୀପତ୍ର ।

 

ସୁଯୋଗ ଆସିଲେ ନିଶ୍ଚୟ ଜାଣିବ । ତେବେ ତମେ ଭଲ ହୋଇଛ ସେଇହିଁ ମୋର ବର୍ତ୍ତମାନ ସର୍ବଶ୍ରେଷ୍ଠ ପ୍ରାପ୍ତି । ତମର ବିବାହ ସମୟରେ ଖଣ୍ଡେ ନିମନ୍ତ୍ରଣ କାର୍ଡ଼ ପାଇଲେ ମୁଁ ଆହୁରି ଖୁସି ହେବି ।

 

...ଯଦି ମୁଁ କହେ, ମୁଁ ଏବେ ବି ଅସୁସ୍ଥ ଆଉ ମୋର ସଂସାର ଗଢ଼ିବାରେ ତମେହିଁ ସାହାଯ୍ୟ କରିବ, ତେବେ...

 

ଗୋଟାଏ କଥା କହିବ ଅମରେନ୍ଦ୍ର । ମନେକର ତୁମେ ଯାହାକୁ ବିବାହ କଲ ସେ ଅକ୍ଷତା ଥିଲେ ବି, ଅଚୁମ୍ବିତା ହେଲେ ବି, ଅକାରଣରେ ଅନେକ କଳଙ୍କର ଚିତ୍ର ବହନ କରି ବିକଳାଙ୍ଗ । ସେ ଲକ୍ଷ ମନର ସ୍ୱର୍ଣ୍ଣରେଣୁ । ସେ କ୍ଷେତ୍ରରେ ତମେ କ’ଣ କରିବ ।

 

ପ୍ରତ୍ୟେକ ପୁରୁଷ ଯାହା କରନ୍ତି । ଡାଇଭର୍ସ, ନଚେତ୍‌ ସୁଇସାଇଡ୍‌ । ତେବେ ମୋ କଳ୍ପନାର ରାଣୀ ଏତେ ମହୀୟଷୀ ହୋଇପାରେ ତାହା କାହାରି କଳ୍ପନାରେ ନ ଥିବ । ସେ ଥିବ ‘‘ନିଶିଗନ୍ଧା’’ ତାକୁ ହିଁ ମୁଁ କେବଳ ଦେଖିବି, ଛୁଇଁବି, ଆଣିବି ଅନ୍ଧାରରୁ ସାଉଁଟି । ଅଚୁମ୍ବି ତାକୁ କରିବି ଚୁମ୍ବନ ରାଗରେ ଲାଲ ।

 

ଉଠିଗଲି । ଆଖି ଆଗରେ ଅତୀତ ଦିଶିଲା ଭୟଙ୍କର । ମୁଁ ମହୀୟଷୀ ହୋଇପାରେ । ମାତ୍ର ଅସୂର୍ଯ୍ୟମ୍ପସ୍ୟା ନୁହେଁ । କେତେ କିଏ ମୋର ଅସ୍ୱୀକୃତିରେ ବି ଏ ହାତ ପାପୁଲିକୁ ଚାପି ଧରିଛନ୍ତି । କିନ୍ତୁ ଦିନକ ପାଇଁ ମୁଁ ତ ସ୍ୱାଗତଃ କରିନାହିଁ । ବଞ୍ଚିବା ପାଇଁ ସମୟର ବର୍ଷାରେ ଚାଲିବାରେ ଯାହା ସାମାନ୍ୟ ପାଣି ତାଙ୍କର ଛିଟା ଲାଗିଛି । ତେବେ କ’ଣ ପାଇଁ ସମାଜର ଏ ଅଭିଯୋଗ ? ବିଛଣାରେ ନିଜକୁ ଲୋଟାଇ ନିଜ ପ୍ରଶ୍ନର ଉତ୍ତର ଖୋଜିଲା ମନ ଭିତରୁ ।

 

ରାତ୍ରୀ ସେତେବେଳକୁ ଚନ୍ଦ୍ରକୁ କୋଳରେ ଧରି ଝୁଲଥିଲା । ହଠାତ୍‌ ଅତନ୍ଦ୍ର, ଦେହଟା ମୋର ଜ୍ୱରରେ ଆକ୍ରାନ୍ତ ହେଲା । ଚେଷ୍ଟା କରିବି ଉଠିପାରିଲି ନାହିଁ । ବୁଝିପାରିଲି ନାହିଁ ଅମରେନ୍ଦ୍ରର ଖବର ।

 

ଦୁଆରେ ଶବ୍ଦ ହେଲା । ଦରଜା ଫିଟାଇ ଦେଖିଲି ଅମରେନ୍ଦ୍ର । ନାଇଟ୍‌ ଡ୍ରେସରେ ଠିଆ ହୋଇଛନ୍ତି । ପଶିଲେ ଘରେ । ତାତିଭରା ଦେହଟାକୁ ମୋର ଶୁଆଇ ଦେଲେ ବିଛଣାରେ । ଦେହରେ ଢାଙ୍କିଲେ ଶାଲ୍ । କପାଳ ଆଉଁସି, ହାତ ପାପୁଲିକୁ ନିଜ ପାପୁଲିରେ ଚାପି ଚାହିଁ ରହିଲେ ମୋର ମୁହଁକୁ । ଆଖିରେ ଶାମୁକାଏ ଲୁହ ।

 

ପଣତରେ ପୋଛି ଦେଲି ଲୁହ । ଅମରେନ୍ଦ୍ର ଭୁଲି ଯାଅ ନାହିଁ ତମେ ଏବେ ବି ଅସୁସ୍ଥ । ରାତ୍ରୀ ଜାଗରଣ ତମ ସ୍ୱାସ୍ଥ୍ୟ ପାଇଁ ଏବେ ବି ସହି ନାହିଁ ।

 

ଅମରେନ୍ଦ୍ର ଶୁଣିଲେ ନାହିଁ । ଫେରିଲେ ନାହିଁ ନିଜର ରୁମ୍‌କୁ । କପାଳ ସାଉଁଳି ମତେ ଶୋଇ ପକାଇଲେ ସ୍ନେହରେ ।

 

ପକ୍ଷୀ କଣ୍ଠରେ ମାଙ୍ଗଳିକ ବଜାଇ ସକାଳ ଆସିଲା ସଜ ଜହ୍ନିଫୁଲର ଆଭା ଖେଳାଇ । ମୋର ଛୋଟ ବିଛଣାରେ ମୋରି ପାଖରେ ଶୋଇଛନ୍ତି । ମୋରି ଶାଲ୍‍ରୁ କିୟଦଂଶ ଭିତରେ ଘୋଡ଼େଇଛନ୍ତି ହାତଗୋଡ଼କୁ । ଦେଖିଲି ତାଙ୍କର ମୁହଁକୁ । ସେଇ ଟ୍ରେନ୍‍ର ଦୃଶ୍ୟ, ଶାନ୍ତ ଆଖି, ଶାନ୍ତ ମୁହଁ । ଏଥର ସେ ମୋର ଅପରିଚିତ ଅମରେନ୍ଦ୍ର ନୁହନ୍ତି । ମୋର ମନର ମଣିଷ । ମୋ ଜୀବନର ଅଂଶ ବିଶେଷ ।

 

ବିତିଗଲା ଦୁଇଦିନ । ଔଷଧ ଆସିଲା । ଆସିଲେ ଡାକ୍ତର । ଅମରେନ୍ଦ୍ର ନିଜେ ଖୁଆଇଲେ । ଚିପିଲେ ମୁଣ୍ଡ । ସାଉଁଳିଲେ କପାଳ । ଶେଷରେ ମୁଁ ଆରୋଗ୍ୟ ହେଲି ।

 

ଦିନେ କହିଲି–ମୁଁ ତମକୁ ପାଗଳରୁ ମଣିଷ କଲି । ଆଉ ତମେ ମତେ କଲ ମଣିଷରୁ ପାଗଳ । ବର୍ତ୍ତମାନ ତମେ ଋଣ ସୁଝି ଦେଲ । ମୁଁ ଶୋଇଥାଏ ଆଉ ଅମରେନ୍ଦ୍ର ବସିଥାନ୍ତି ମୋରି କପାଳ ଉପରେ । ପାଖରେ ବ୍ୟବଧାନ ମାତ୍ର ଚାରୋଟି ଆଙ୍ଗୁଠିର ।

 

ନା, ନମିତା ! ତୁମର ଋଣ ମୁଁ ସୁଝିବାକୁ ଚାହେଁ ନାହିଁ । ତମ ଋଣର ସୁଧ ଦେବାରେ ମୋର ଶେଷହୀନ ଆନନ୍ଦ । ନଚେତ୍‍ ମୁଁ ପାପର ଦୀର୍ଘ ସେୟାର କିଣିବି ।

 

ମୁଁ ତାଙ୍କର ହାତ ଚିପି କହିଲି–ପାପ ବୋଲି ଯେଉଁ ଶବ୍ଦଟି କହିଲ, କହିପାରିବ ତା’ର ସଂଜ୍ଞା କ’ଣ ?

 

ଯାହା ସାରାଜଗତ ବୁଝେ ।

 

ମାନେ ? ନାରୀ କଥା ହିଁ ମୁଁ କହୁଛି ।

 

ଏଇ ବହୁ ପୁରୁଷସହ ମିଳାମିଶା । ମାନସମ୍ମାନ ପ୍ରତି ବେଖାତିର....ଇତ୍ୟାଦି ।

 

ମୁଁ ଉଠିଲି ବିଛଣାରୁ ଯେପରି ମୋ କ୍ଷତକୁ କେହି ନଖ ମାରି କେଞ୍ଚି ଦେଲା ।

 

ତମେ କେବେ କାହାକୁ ପ୍ରେମ କରିଛ, ‘ନମିତା’ ?

 

ନା, ଅମରେନ୍ଦ୍ର, ପ୍ରେମର ଆକ୍ଷରିକ ତର୍ଜମା ମୁଁ ବି ଜାଣେନା ।

 

ହଁ, ଆଜି, ମାନେ ବର୍ତ୍ତମାନ ବି ଜାଣନା, ନମିତା ?

 

ସତ କହୁଛି, ଜାଣେନା । ତେବେ ଭାବୁଛି ପ୍ରେମ କରିବି ମଣିଷ ଜାଣେ ନାହିଁ । ପ୍ରେମର ପ୍ରତ୍ୟକ୍ଷ ବିମ୍ବ କ’ଣ ? କେଉଁଠି ତା’ର ଅଭ୍ୟୁଦୟ ଆଉ କେଉଁଠି ବିଲୀନ । ଉଠି ଆସିଲି ମୋର ରୁମ୍‌କୁ ।

 

ମନେପଡ଼ିଲା, ଟିକି ଗାଁ’ର ନୁଆଁଣିଆ ଚାଳ ଘର, ଚନ୍ଦ୍ର, ଅନୀ, ସାଧନା, ଜୟନ୍ତ, ସୁରଜ, ଦୀପଙ୍କର ସୁରଞ୍ଜନ ପାଣ୍ତୁଲିପି । କିଛିର ଖବର ମୁଁ ରଖିନାହିଁ । ହୁଏତ ଚନ୍ଦ୍ର କ୍ୟାପିଟାଲରେ ଘର କରିବା ବିଳାସତା ନେଇ ରାୟ ବଂଶର ଭିଟାମାଟିକୁ ବିକ୍ରି କରିବଣି । କଳଙ୍କିନୀ ଅପାଟା ତା’ର ସମାଜ ଦରବାରରେ କଳଙ୍କିନୀ ସୀତା ପାଲଟି ଯାଇଛି । ତା’ପାଇଁ କାହାର ଦରଦ ନ ହେବାବେଳେ, ଚନ୍ଦ୍ର ଦୟା କରିବ କାହିଁକି ।

 

ରାତି ପାହିଲା । ବିଳମ୍ୱ ନିଦ୍ରାରୁ ଉଠିଲି । ନିଜକୁ ପସ୍ତୁତ କଲି ଅମରେନ୍ଦ୍ର ପାଇଁ । ସେ ସକାଳ କଫି ପର୍ଯ୍ୟନ୍ତ ଖାଇ ନ ଥିବେ । ସକାଳର ଉତ୍ତାପବିହୀନ ପବନରେ ପହଁରି ଆସିଲା ଯୁଗ୍ମ କଣ୍ଠର ଚାପା ହସ । ଅମରେନ୍ଦ୍ରଙ୍କ ରୁମ୍‌ଟା ସବୁଦିନ ପରି ନିଶ୍ଚୁପ୍‌, ନିଷ୍କରୁଣ ନ ଥିଲା ।

 

ଆରେ ନମିତା ଯେ ? ଆସ ଇଣ୍ଟରଡ୍ୟୁସ୍‌ଟା କରାଇ ଦିଏ । ଏ ହେଲେ ସୁସ୍ମୀତା ସାମନ୍ତ । ମୋର ପରିଚିତା, ମୋର ଅସୁସ୍ଥତା ଖବର ଶୁଣି ଆସିଛନ୍ତି । ମୋ ବାପାଙ୍କର ଦିନେ ଏକାନ୍ତ ଇଚ୍ଛା ଥିଲା ସୁସ୍ମୀତା ତାଙ୍କର ବୋହୂ ହୁଅନ୍ତା । ବର୍ତ୍ତମାନ ବି ବୋଉର ସେଇ ଆଗ୍ରହ ।

 

ଅମରେନ୍ଦ୍ର, ‘ଆଖିରେ, ଉପହାସର ଇଙ୍ଗିତ ମତେ ଉତ୍ସାହର ସମାରୋହ ପରି ଦିଶିଲା ।

 

ଆଉ ସୁସ୍ମୀତା ଏ ହେଲେ ନମିତା । ମିସ୍‌ ନମିତା ରାୟ, ମୋର ଆରୋଗ୍ୟଦାତ୍ରୀ ।

 

ସବୁ ଣୁଶୁଥିଲି ମୁଁ ତେବେ ମୋର ପରିଚୟ ଖାଲି ଏତିକି । ସାହାଯ୍ୟଦାତ୍ରୀ । ଏତିକି ମୋର ପ୍ରାପ୍ୟ, ମନ ଅବୁଝା ହେଲା । ତେବେ ଯାହା ଯାହା କରିଗଲି–ଖାଲି କର୍ତ୍ତବ୍ୟ ବୋଧରେ । ନା, ନା ମୁଁ ଚାହେଁ ଏଇ ଅମରେନ୍ଦ୍ରଙ୍କୁ ।

 

ଚାହିଁଲି ସୁସ୍ମୀତାକୁ । ସୁନ୍ଦରୀ ଶିକ୍ଷିତା ଅମରେନ୍ଦ୍ରଙ୍କର କଳ୍ପନାର ରାଣୀ । ମହୀୟସୀ ମହିଳା, ଆଉ ମୁଁ । ଏକ ନୀତିହୀନା, ଆଦର୍ଶହରା, କକ୍ଷଚ୍ୟୁତା ଉଲ୍‍କା‌ । ଯାହାର ଅତୀତ କୁତ୍ସିତ, ବର୍ତ୍ତମାନ କଳଙ୍କିତ, ଭବିଷ୍ୟତ ଅନ୍ଧକାର ।

 

ନା, ଅମରେନ୍ଦ୍ର, ତମେ ମାୟାରୁ ମୁକ୍ତି ଦିଅ । ମୋର ପୂର୍ଣ୍ଣତା ଘଟୁ କର୍ତ୍ତବ୍ୟରେ ।

 

ଉଠିଲି । ମୁଁ ଯାଏଁ ଅମରେନ୍ଦ୍ର ।

 

ନା, ନମିତା । ଆଜି କୁଆଡ଼େ ହେଲେ ଗୋଟାଏ ପୋଗ୍ରାମ ହେଉ ବୁଲିଯିବା ପାଇଁ । ତମେ ହିଁ ନିର୍ଦ୍ଦିଷ୍ଟ କରିବ ଆମେ କୁଆଡ଼େ ଯିବା ।

 

ଦେଖ ଅମରେନ୍ଦ୍ର । ବିନା କାରଣରେ ମତେ ବାହାରକୁ ଯିବାକୁ ଭଲ ଲାଗେନା । ବରଂ ତମେ ଯାଇପାର । ସ୍ମୀତା ତ ଅଛନ୍ତି ।

 

ଚାଲ ଅମରେନ୍ଦ୍ର । ସୁସ୍ମୀତା ଟାଣିଲା ଅମରେନ୍ଦ୍ରଙ୍କ ହାତ । ନମିତା ମନା କଲାବେଳେ ତାଙ୍କୁ ବାଧ୍ୟ କରିବା ଉଚିତ ନୁହେଁ । ସୁସ୍ମୀତା ଚାଲିଗଲା ନିଜକୁ ପ୍ରସ୍ତୁତ କରିବା ପାଇଁ ।

 

ଯାଅ ଅମରେନ୍ଦ୍ର । ତମ ସ୍ୱାସ୍ଥ୍ୟ ପାଇଁ ବାହାର ଭ୍ରମଣରେ ଖୁବ୍‌ ଉପଯୋଗୀ ।

 

ମୁଁ ଯିବିନାହିଁ । ବରଂ ସୁସ୍ମୀତା ଯାଇପାରନ୍ତି । ତାଙ୍କ ବାପା ବୋଉ ଓ ଡକ୍ଟର ବି ଯାଉଛନ୍ତି । ଅସୁବିଧା ହେବ ନାହିଁ ।

 

ମୋର ଅନୁରୋଧ ତମେ ଏଇଠି ବସ । ନଚେତ୍‍ ତମ ରୁମ୍‌କୁ ମତେ ନେଇଚାଲ । ତମେ ନ ଥିବାବେଳେ ଯେ କୌଣସି ସପ୍ତମ ଆଶ୍ଚର୍ଯ୍ୟ ଦିଶିବ ମତେ ବର୍ଣ୍ଣହୀନ ।

 

ବାହାରୁ ସଜ୍ଜିତା ସ୍ମୀତା ଡାକିଲେ ଆସ ଅମରେନ୍ଦ୍ର । ପ୍ଲିଜ୍‍, ନ ହେଲେ ବୋଉ ମନଦୁଃଖ କରିବ । ଗାଡ଼ିରେ ସମସ୍ତେ ତମକୁହଁ ଅପେକ୍ଷା କରିଛନ୍ତି । ପ୍ରଥମେ ଆମେ କୋଣାର୍କ ଯିବା ।

 

ଯାଅ ଅମରେନ୍ଦ୍ର । ବାହାରେ କେହି ଅପେକ୍ଷା କଲାବେଳେ କଥା କହି ସମୟ ନଷ୍ଟ କରନାହିଁ । ତା’ ବ୍ୟତୀତ ଡକ୍ଟର କହୁଥିଲେ ବର୍ତ୍ତମାନ ଘରକୁ ଫେରିଯିବାରେ ତାଙ୍କର ଆଉ ଆପତ୍ତି ନାହିଁ । ତମେ ସୁସ୍ଥ ହୋଇଛ ।

 

ତେବେ ତମେ କୁଆଡ଼େ ଯିବ ନମିତା ? ମତେ ତମର ଖବର ଦବ କିଏ ? ତମଠାରୁ ଅଲଗା ରହିବ କଥା ତ ମୁଁ ଏପର୍ଯ୍ୟନ୍ତ ଭାବିନାହିଁ ।

 

ବାହାରୁ ପୁଣି ସୁସ୍ମୀତା ଡାକିଲା । ଆସ ଅମରେନ୍ଦ୍ର । ଘଣ୍ଟା ଦେଖ ବାରଟା ବାଜୁଛି ।

 

ଯାଅ ଅମରେନ୍ଦ୍ର ।

 

କ’ଣ ଖାଇଚ ? ବାରଟା ବାଜିଲା । ପ୍ରଶ୍ନଟା ମାମୁଲି ।

 

ମୋର ଛାତିଟା ଫାଟିଗଲା ପରି ଲାଗିଲା ।

 

ମୋ ଉତ୍ତର ଦିଅ ନମିତା । ମୁଁ ଉତ୍ତର ଚାହେଁ, ହଁ ଏଇ ମୁହୂର୍ତ୍ତରେ ।

 

...ଯାଅ ଅମରେନ୍ଦ୍ର, ଅନ୍ୟ ଆଖିରେ ନିଜକୁ ଅବିବେକୀ କରାଅ ନାହିଁ । ଉତ୍ତର ଦେବା ପାଇଁ ସମୟ ଦରକାର । ତେବେ ତା’ର ପ୍ରୟୋଜନ ଆଉ ନାହିଁ ।

 

ତେବେ ଫେରିବା ପରେ...ମୁଁ ଉତ୍ତର ଚାହେଁ ନମିତା ।

 

ସେଇ ସୁନ୍ଦର ଆଖି, ପତଳା ଅଧର, ସେଇ ସୌମ୍ୟ ଶ୍ୟାମଳ ଅମରେନ୍ଦ୍ର । ଗାଡ଼ି ଚାଲିଲା, ପଛ ସିଟରେ ସୁସ୍ମୀତା ଓ ଅମରେନ୍ଦ୍ର ।

 

ସ୍କ୍ରିନ୍‍ ଅନ୍ତରାଳରେ ଚାହିଁଲି ପହଁରି ଯାଉଥିବା ଚକୋଲେଟ ବେବି ଅଷ୍ଟିନ୍‍ ଆଡ଼େ । ଆଖିରୁ ଦୁଇଧାର ଲୁହ ଗଡ଼ିପଡ଼ିଲା । ଅସହ୍ୟ ତୃଷ୍ଣାରେ ମୁଁ ଅମରେନ୍ଦ୍ରକୁ ବିଦାୟ ଦେଲି ।

 

ଜୀବନର କାନ୍ଦ ମତେ ସେଦିନ ଆନନ୍ଦ ଦେଇଥିଲା । ପ୍ରିୟଜନର ସୁଖ ପାଇଁ ସେ ଲୁହ ଥିଲା ତ୍ୟାଗର । ମନେପଡ଼ିଲା ଅତୀତ । ତା’ରି ଭିତରେ ଦେଖାଗଲା ନାଳ ମୁହଁର ବାସନ ମଜା ଚାକରଣୀର ଜୀବନ । ଆଃ... ଛାତି ଭିତରୁ ଶିରା କେତୋଟି ବେଦନାରେ ଛିଡ଼ିଗଲା ପରି ଲାଗିଲା । ବିଦାୟ ନେଲି । ଶେଷଥର ପାଇଁ ଅମରେନ୍ଦ୍ରଙ୍କର କୋଠରୀକୁ ଚାହିଁଲି । ଇଛା ହେଲା ଅମରେନ୍ଦ୍ର ବିଛଣାରେ ଗୋଟାଏ ହେଲେ ଚୁମ୍ବନ ଦିଅନ୍ତି । ନା...ମୁଁ ତା’ପାଇଁ ଆଯୋଗ୍ୟା, ପାଦ ଫେରିଲା । ପଡ଼ି ରହିଲା ମୋର ବ୍ୟବହୃତ କୋଠରୀଟି । ବିଦାୟ ମାଗିବାକୁ କେହିନାହିଁ । ଅସରନ୍ତି ଆଶା, ଅସୀମ ଲକ୍ଷ ଭିତରେ ଯେଉଁ ଅମରେନ୍ଦ୍ରଙ୍କୁ ମୁଁ ଚାହିଁଥିଲି, ତାଙ୍କଠାରୁ କ’ଣ ଆଶା କରିଥିଲି । ଏଇ ମାମୁଲି ଧରାବନ୍ଧା ନୀତିଗତ ସମ୍ପର୍କ ।

 

ତାହା ସୁଗଭୀର । ଆତ୍ମାର ଅବିଚ୍ଛେଦ୍ୟ ଦେହାତୀତ ଶ୍ୱାସତ ମିଳନ । ଚାହିଁ ନ ଥିଲି ଅମରେନ୍ଦ୍ରଙ୍କର ଚଉଡ଼ା ଛାତି । ଚାହିଁଥିଲି ତା’ର ଅଦେଖା ଅନନ୍ତ ହୃଦୟ ।

 

ସେଦିନ ବିନା ଚେଷ୍ଟାରେ ନିଜକୁ ସନ୍ଦେହ କଲି । ତେବେ କ’ଣ ମୁଁ ସତରେ ଚରିତ୍ରହୀନା-। ଅତୀତ ମୁଖ ମେଲାଇ ଧାଇଁଲା, ଖତେଇ ହେଲା ଭୟଙ୍କର ଭାବରେ ।

 

ଦୁଃଖରେ ଭାଙ୍ଗି ପଡ଼ିଲି । ପ୍ରତ୍ୟାଖାନର ପ୍ରତିଷେଧକ ଅଛି । ମାତ୍ର ହେୟତାର ଉପଶମ ନାହିଁ । ଯେଉଁ ଅଗ୍ନି ଜାଳି ଦିଏନା ଅଥଚ ଦାହ କରୁଥାଏ । ଯେଉଁ ବ୍ୟାଧି ମୃତ୍ୟୁ ଦିଏନା ଅଥଚ ଦିଏ ମାରଣାନ୍ତକ ଯନ୍ତ୍ରଣା । ଯେଉଁ ଅପୂର୍ଣ୍ଣ ପ୍ରେମ ସୃଷ୍ଟି କରେନା ଅଥଚ ଦିଏ ପ୍ରଳୟର ଇଙ୍ଗିତ । ସେଇ ଅଗ୍ନି, ସେଇ ବ୍ୟାଧି, ସେଇ ଅପୂର୍ଣ୍ଣ ପ୍ରେମରେ କ୍ଷତ ବିକ୍ଷତ ହୋଇ ମୁଁ ଚାଲିଲି ଦିଗଶୂନ୍ୟା ହୋଇ ।

 

ମୋର ବୋଲି ଏ ମଣିଷ ଭିତରେ ଜଣେ ବି ନାହିଁ । ମୁଁ କଳଙ୍କିନୀ, ଏ ଶତାବ୍ଦୀର କଳଙ୍କିନୀ ନମିତା ରାୟ । ନିଜ ଦୋଷ’ର ସ୍ୱୀକାରୋକ୍ତି ଲେଖୁଛି । କାଳିରେ ନୁହେଁ, ଲୁହରେ ନୁହେଁ, ରକ୍ତରେ । ଏ ଲେଖା କବିର କଳ୍ପନା ନୁହେଁ । ନୁହେଁ ବି ଛଳନାର ଚାତୁରୀ । ଏ ଲେଖା ଅନୁଭବର । ଏ ଭାଷା ହୃଦୟର । ଏ ଦୁଃଖ ଦେହର ।

 

ଲେଖକମାନେ ହିଁ ପ୍ରେମିକ । ଆଉ ପ୍ରେମିକାମାନେ ହିଁ ଲେଖିକା । ପ୍ରେମ ନ ଥିଲେ, ଲେଖା ଜୀଏଁ ନାହିଁ । ସେ ଦୃଷ୍ଟିରେ ମୁଁ ଗୋଟାଏ ପ୍ରେମ କରିଥିଲି । କିନ୍ତୁ କଳଙ୍କିନୀ ହେଲି କାହିଁକି । ଏହାର ଉତ୍ତର ମୁଁ ଲୋଡ଼ୁ ନାହିଁ । ସମାଜର ସିଂହଦ୍ୱାରରେ ମୋର ରାୟ ଦିଆ ସରିଛି ।

 

ମୁଁ କଳଙ୍କିନୀ, ଭ୍ରଷ୍ଟା, ନମିତା ରାୟ । କାନ୍ଦିଲି, ଅନେକ ଅଥଚ ଆଖିରେ ବୁନ୍ଦାଏ ଲୁହ ନ ଥିଲା । ହୃଦୟ କାନ୍ଦିଲେ ମଣିଷ ମୂକ ହୁଏ । ବେଦନା ରହେ ଅପ୍ରକାଶ୍ୟ । ଅମରେନ୍ଦ୍ରଙ୍କର ସେଇ ଇତିହୀନ ଭଲ ପାଇବାକୁ ସାଙ୍ଗରେ ନେଇ ମୁଁ ପାଦ କାଢ଼ିଲି ଆଗକୁ । ଲକ୍ଷ୍ୟହୀନ ଭାବରେ ?

 

ସୁରଞ୍ଜନ ଶେଷ ଫର୍ମାଟିକୁ ପ୍ରେସ୍‍ ପାଇଁ ପ୍ରସ୍ତୁତ କରି ଉଠିଗଲେ । ଅକାରଣରେ ତାଙ୍କ ଜୀବନର ଏଇ ଲେଖିକା ନମିତା ରାୟ ପାଇଁ ପୁଳାଏ ସମବେଦନା ବିଞ୍ଚିହୋଇ ପଡ଼ିଲା । ନମିତା ରାୟର ସ୍କୁଲ ପରିଚୟ ଭିତରେ ତାଙ୍କୁ ଯେ ଦିନେ ତା’ର ପାଣ୍ଡୁଲିପି ପଢ଼ି ବ୍ୟଥାତୁର ହେବାକୁ ପଡ଼ିବ ସେ କଳ୍ପନା କରି ନ ଥିଲେ । ଦିନେ ଅଗ୍ରଲେଖା ଲେଖିବାର ଚିନ୍ତାକରି ନ ଥିଲେ ଶେଷରେ ଉପସଂହାର ପାଇଁ ଅଛି ଅମରେନ୍ଦ୍ରଙ୍କର ଚିଠି, ଆଉ କାତର ମିଶା ଅନୁରୋଧ । ସୁରଞ୍ଜନ ଖୋଲିଲେ ଲଫାପାଟି ।

 

ସେଇ ରାତିରେ

ତା ୧-୧-୭୬

 

ମୋ’ ପ୍ରାଣର ନମିତା !

 

ଆକାଶ ଆଜି ଦିଶୁଛି ନୀଳ । ଠିକ୍ ତମର ଆଖି ସେଦିନ ଯେପରି ଲୁହ ଭତରେ ଗାଢ଼ ଅପରାଜିତା ରଙ୍ଗ ଧରିଥିଲା । ତମେ ଜୀବନରେ ଦେଇ ଶିଖିଲ; କିନ୍ତୁ ନେଇ ଶିଖିଲ ନାହିଁ । ଶେଷରେ ତମେ ଚାଲିଗଲ ।

 

କେତେ ଖୋଜିଲି ତୁମକୁ । ଯେତେ ଠିକଣା ମୋ’ ଜ୍ଞାତସାରରେ ଥିଲା । କେହି କହିଲେ ନାହିଁ, ତମେ କେଉଁଠି ଅଛ । ତମର ପ୍ରକାଶକମାନେ ବି କିଛି କହିପାରୁନାହାନ୍ତି । ସେଇଦିନ ଖଣ୍ଡିଏ ପାଣ୍ଡୁଲିପି ଦେଇ ଯାଇଛ ସୁରଞ୍ଜନ ବାବୁଙ୍କୁ । ତା’ପରେ ତମର ଦେଖା କେହି ପାଇନାହାନ୍ତି । ଭାବିବା ପାଇଁ କଷ୍ଟ ଲାଗୁଛି, ତମେ ଜୀବନରେ ଅଛକି ନା ? ତେବେ ବି ମୋର ଆଶା ପୃଥିବୀର କେଉଁ କୋଣ ଅନୁକୋଣରେ ଥିଲେ ବି ଦିନେ ହେଲେ ତମେ ମୋର ଏ ଚିଠି ପାଇବ ।

 

ଚିଠି ମତେ ଲେଖି ଆସେ ନାହିଁ ନମିତା ! ମୁଁ ମିଲିଟାରୀ ମ୍ୟାନ୍‌, ବନ୍ଧୁକ ଧରିବା ମୋର ଧର୍ମ ।

 

ତେବେ ଏତ ମୋର ଚିଠି ନୁହେଁ, ଏ ଲେଖା କାଳିର ନୁହେଁ; ଆଞ୍ଜୁଳାଏ ରକ୍ତରେ ମୁଁ ଏ ଚିଠି ଲେଖୁଛି । କେଉଁ ଅଶୁଭ ଲଗ୍ନରେ ତମେ ମତେ ଆପଣାର କରିଥିଲ, ତା’ର ପରିଚୟ ଇତିହାସ ପୃଷ୍ଠାରେ ରହିବ ନାହିଁ । ତାଜମହଲ ଗଢ଼ାହେବ ନାହିଁ । ଦରକାର ନାହିଁ ନମିତା ! ତମେ ଏକ ଜୀବନ୍ତ ଇତିହାସ । କାଳି, କାଗଜ ସର୍ବଗ୍ରାସୀ କାଳ କୋଳରେ କ୍ଷୟ ହୋଇପାରେ ମାତ୍ର ତମର ସ୍ମୃତି, ମୋର ଲୋତକ ଧୌତ ଚିର ଭାସ୍କର । ସେଥିପାଇଁ ସେ କାଳୋତ୍ତୀର୍ଣ୍ଣ, ମୃତ୍ୟୁଞ୍ଜୟୀ ।

 

ତମେ ଚାଲି ଯାଇଛ । ତମେ ନିରୁଦ୍ଦିଷ୍ଟା । ମୁଁ କିନ୍ତୁ ଖୋଜୁଛି ତମକୁ ତମରି କୋଠରୀ ଭିତରେ । କେଜାଣି ତମ ଅଭିମାନୀ ମନର ପରଶ ପାଇବି ।

 

ପ୍ରତ୍ୟେକ ପଲକରେ ମୁଁ ଅପେକ୍ଷା କରୁଥିଲି । ତମେ ମତେ କହିବ–ତମକୁ ମୁଁ ଚାହେଁ ଅମରେନ୍ଦ୍ର । କିଛି କହିଲ ନାହିଁ । କେତେ ଅପେକ୍ଷା କରିଛି । ବିନିଦ୍ର ରାତି ବିତାଇଛି ତମରି ସ୍ମରଣରେ । ତମ ଆଖିରେ ଦେଖିଲ ନାହିଁ ଆମନ୍ତ୍ରଣର ଇଙ୍ଗିତ, ସମ୍ମତିର ସ୍ୱାକ୍ଷର । ଟିକେମାତ୍ର ସୂଚନା ପାଇଥିଲେ ତମକୁ ତୋଳି ରଖିଥାନ୍ତି ମୋର ଛାତି ତଳେ । କେତେ ପରୋକ୍ଷ ଇଙ୍ଗିତ ଦେଇଛି, କିଛି ଦେଲ ନାହିଁ । ଦେହ ଆଉ ମନ । କେବଳ ଦୂରେଇ ଗଲ ଗୋଟାଏ ମଧୁର ସ୍ୱପ୍ନ ପରି ।

 

ସତରେ ନମିତା ! ବଞ୍ଚିବାର ପ୍ରେରଣା ପାଇଥିଲି ତମଠାରୁ । ଆଶାଥିଲା କେବଳ ହିଁ ତମରି ପାଇଁ ମୁଁ ଭଲ ହେବି ।

 

ହଁ ନମିତା ! ତମରି ପାଇଁ...ଥରକ ପାଇଁ ଚାହିଁଲ ନାହିଁ ଆଗ୍ରହରେ ।

 

ସେଇଥିପାଇଁ ନାରୀ ମନର ଚିରନ୍ତନ ଈର୍ଷା ପାଇଁ ଠିଆ କଲି ‘ସୁସ୍ମୀତା’କୁ । ତେବେ ବି ରହିଲ ମୂକ ପରି । ପଠାଇ ଦେଲ ତା’ରି ସାଥିରେ । କ’ଣ ପ୍ରମାଣ କରାଇବାକୁ ଚାହୁଁଥିଲ ନାରୀ ହେଲେ ବି ତମେ ଦୁର୍ବଳା ନୁହଁ ବୋଲି ।

 

ତେବେ କାହିଁକି ଚାହିଁଥିଲ ଝରକାରେ, ଲୁହ ଆଖିରେ ଭରି ।

 

ଯାଇପାରି ନ ଥିଲି ନମିତା ! ଅଟକାଇ ପାରି ନ ଥିଲା ସୁସ୍ମୀତାର ସ୍ମିତ ହାସ୍ୟ । ଚାହିଁଲି ଏଇ ମୁହୂର୍ତ୍ତରେ ହିଁ ତମକୁ କହିବି ।

 

ନମିତା, ମୁଁ ତମକୁ ଚାହେଁ ? ମୁଁ ଚାହେଁ ଏଇ ଦେହର ଉପଭୋଗ, ନାରୀ ବିରାଗୀକୁ ତମେ ହିଁ ନାରୀ ଲୋଭୀ ସଜାଇଛ । ପ୍ରଥମେ ମୋ ଲୋଭର ଲକ୍ଷ୍ୟ ତମେ ନମିତା । ବିଳମ୍ବ କରିନି–ଫେରିଲି ...କିନ୍ତୁ ପାଇଲି ନାହିଁ । ତମର ଶୂନ୍ୟ କୋଠରୀ ମୋ ଆଖିରେ ଲୁହ ଦେଲା । ମୋର ବିଛଣା ଉତ୍ତର ଦେଲା ତମେ ନାହଁ ତମକୁ ମୁଁ ପାଇଲି ନାହିଁ । କେତେ ଖୋଜିଲି । ଆଜି ବି ଖୋଜୁଛି । ଆଉ ପାରୁନି ନମିତା ?

 

ଦେହ କ୍ଳାନ୍ତ । ମନ ବିକ୍ଷତ । ତେବେ ବି ଏଇ ମୃହୂର୍ତ୍ତରେ ଭାରି ଇଚ୍ଛା ହେଉଛି, ତମକୁ ଟିକେ ଦେଖନ୍ତି । ଗୋଟାଏ ପଲକ ପାଇଁ କୋଳରେ ଧରନ୍ତି । ତମର ସେଇ ଘୁମନ୍ତ ଆଖି, ନଇଁଲା ଓଠରେ ମାତ୍ର ଟିକେ ମୋ’ ହାତ ପାପୁଲି ଦିଅନ୍ତି ।

 

ଈଶ୍ୱର ବିଶ୍ୱାସ ମୋର ଥିଲା ନମିତା । ବର୍ତ୍ତମାନ ଆଉ ନାହିଁ ।

 

ଆଜି ନବବର୍ଷ । ଏଇଭଳି ଗୋଟାଏ ଦିନରେ ତମରି କୋଳରେ ମୋତେ ଧରି ରଖିଥିଲ । ଚାହିଁଥିଲି ତମରି ଆଖିକୁ । କେତେ ଶାନ୍ତ ଲାଗୁଥିଲା କହିପାରୁନି । ଉଠି ନଥି ଲି, ଖାଲି ଭାବୁଥିଲି । ତମରି କୋଳରେ ଯଦି ମୋର ଦେହଟା ଅନନ୍ତ ବ୍ୟାଧି ଭୋଗନ୍ତା ତେବେ ମୁଁ ସାଗ୍ରହେ ସ୍ୱାଗତ କରନ୍ତି । ସେଦିନ ଭାବୁଥିଲି ତମେ ମୋର, ମୋର ହୋଇ ରହିବ । ମୋ’ଠାରୁ ତମକୁ କେହି ଛଡ଼ାଇ ନେଇପାରିବ ନାହିଁ ।

 

ତମକୁ ଜ୍ୱର ହେଲା । ତମର ତାତିଭରା ଦେହଟିକୁ ଶୁଆଇ ଥିଲି ମୋରି କୋଳରେ । ଚିପିଥିଲି ମୁଣ୍ଡ । ରାତିଯାକ ଭାବିଥିଲି ଇଏତ ମୋରି ନମିତା !

 

କେତେକଥା ମନରେ ସାଇତି ଥିଲି । ଚାଲିଯାଇ ମତେ କାହା ପାଖରେ ଛାଡ଼ିଗଲ । କାହା ପାଇଁ ରଖିଗଲ ତମର ପାଗଳ ଅମରେନ୍ଦ୍ରକୁ ।

 

ଆଖିରେ ନାଚୁଛି ଝରକା ପାଖରେ ସେ ନିରୀହ ମୂର୍ତ୍ତି, ଠିଆ ହୋଇଥିଲ ଗୋଟିଏ କରୁଣତାର ପ୍ରତୀକ ହୋଇ । କିନ୍ତୁ, କାହିଁକି ନମିତା ତମେ ମତେ ଛଡ଼େଇ ନେଲନାହିଁ ସୁସ୍ମୀତା ପାଖରୁ । ବିବାହ ମୁଁ କରି ନ ଥିଲି, ନ ଥା’ନ୍ତି । ଏବେ ବି କରିନାହିଁ । କେବଳ ଖୋଜୁଛି ତମକୁ । ନା, ନମିତା ! ଏବେ ମୁଁ ପ୍ରକୃତରେ ତମକୁ ଭଲ ପାଉଛି । ଯାହା କାହାକୁ କେହି କେବେ ପାଇନାହିଁ-

 

ଫେରିଆସ ନମିତା ! ଏ ବର୍ଷକ ଭିତରେ ମୋର ପ୍ରତ୍ୟେକ ଦିନ ଆଶା ରହିଛି ତମେ ଫେରି ଆସିବ ।

 

...କିନ୍ତୁ କାହିଁ...ଦିନ, ମାସ ଯାଇଛି । ମାତ୍ର ଫେରି ନାହଁ ମୋର ଅଭିମାନୀ ପ୍ରିୟତମା !

 

କେଉଁଠି ଅଛି ସେ ବିଂଶ ଶତାବ୍ଦୀର ସୀତା । କିଏ ଦେବ ତା’ର ଖବର ମତେ । ରାମଚନ୍ଦ୍ର’ର ମନନେଇ ତାକୁ ମୁଁ ସମୟର ପଞ୍ଚବଟୀରେ ଖୋଜୁଛି । ସମୟର ଅଶୋକ ବନରେ ମୋ ସୀତା’ର ଖବର ମତେ କେହି ଦେଇପାରିନାହିଁ ।

 

ତେବେ ଭାବୁଛି ନମିତା ! ତମକୁ ସମାଜ ବୁଝୁ ନ ଥିଲା । ଚିହ୍ନି ନ ଥିଲେ ଆତ୍ମୀୟ ସ୍ୱଜନ ଜାଣି ନ ଥିଲେ ବନ୍ଧୁ ବାନ୍ଧବ । ଶେଷରେ ମୁଁ ବି ଚିହ୍ନି ରଖି ପାରିଲି ନାହିଁ ।

 

ଆସ ନମିତା...

 

ଆଜି ମୋ ଅପେକ୍ଷାର ଇତି ନାହିଁ । ମିଲିଟାରୀ ମ୍ୟାନ୍‌ର ପଥର ମନତଳେ, ଲେଖିକା ପ୍ରାଣର ଯେଉଁ ତ୍ୟାଗ, ସ୍ନେହ, ଶାନ୍ତି ଢାଳିଛ ତାହା ଆଉ ଦୂରେଇ ରଖନା ।

 

ଆସ ନମିତା...ଯଦି ନ ଆସ ତେବେ ଯେଉଁଠି ଥିଲେ ବି ମୋର ଏ ଚିଠି ଖଣ୍ଡିକ ପଢ଼ିବ-। କର୍ଣ୍ଣେଲ୍‌ ଅମରେନ୍ଦ୍ର ବି ଲେଖିକା ନମିତା ପାଇଁ କାନ୍ଦି ପାରେ । ଲେଖିପାରେ । କରିପାରେ ଜୀବନକୁ ବିଲୟ ।

 

ମୁଁ ଅସୁସ୍ଥ ନମିତା ! ସୁନାଟା ପରା ଫେରିଆସ, ନଚେତ୍‍ ଆଉ ମୁଁ ବଞ୍ଚିବି ନାହିଁ ।

 

(ଇତି)

ତୁମର ପାଗଳ

ଅମରେନ୍ଦ୍ର

Image